Unknown

 

 

 

 

 

 

 

 

 

ପ୍ରଗତିଶୀଳ ଓଡ଼ିଆ କବିତା

ହୁସେନ୍‍ ରବି ଗାଂଧୀ

 

ଅଗ୍ରଲେଖ

 

ସାହିତ୍ୟ ସମାଜ ଓ ସଂସ୍କୃତି ଉପରେ ନିର୍ଭରଶୀଳ ହୋଇ ସମୟର ଗତାନୁଗତିକ ଧାରାରେ ଗତିଶୀଳ ହୋଇଥାଏ । ସାହିତ୍ୟ କେବଳମାତ୍ର ଚିତ୍ତବିନୋଦନ ବା ବିଳାସିତାର ବସ୍ତୁ ନୁହେଁ । ଯେଉଁ ସାହିତ୍ୟରେ ଉଚ୍ଚମୂଲ୍ୟବୋଧ, ସ୍ୱାଧୀନତାର ଭାବଧାରା, ସୌନ୍ଦର୍ଯ୍ୟର ସାରତତ୍ତ୍ୱ, ସୃଜନଶୀଳତାର ଗଭୀରତା, ଜୀବନସତ୍ୟର ପରିପ୍ରକାଶ ଘଟିଛି ତାହା କାଳଜୟୀ ସୃଷ୍ଟିରେ ଗୌରବାନ୍ୱିତ ହୋଇପାରିଛି । ସମୟ ସ୍ରୋତରେ ଭାସିଯାଇ ବିଶ୍ୱ କଡ଼ଲେଉଟାଇବା ସମୟରେ ପ୍ରତ୍ୟେକ ଦେଶର ସାମାଜିକ, ସଂସ୍କୃତି, ରାଜନୈତିକ ତଥା ସାହିତ୍ୟ କ୍ଷେତ୍ରରେ ଅନେକ ପରିବର୍ତ୍ତନ ସଂଘଟିତ ହୋଇଥାଏ ।

 

ବିଶ୍ୱ ଇତିହାସକୁ ଅନୁଧ୍ୟାନ କଲେ ଜଣାଯାଏ ଅତୀତର ଫରାସୀ ରାଷ୍ଟ୍ରବିପ୍ଳବ, ୟୁରୋପର ନବଜାଗରଣ, ସୋଭିଏତ୍‌ ଋଷର ଅକ୍ଟୋବର କ୍ରାନ୍ତି ଆନ୍ଦୋଳନ ମାନବ ସଭ୍ୟତାକୁ ଏକ ନୂତନ ଦିଗ୍‌ଦର୍ଶନ ଦେଇଥିଲା । ଉପନିବେଶବାଦ ବିରୁଦ୍ଧରେ ସଂଗ୍ରାମ ନିମନ୍ତେ ଉପରୋକ୍ତ ଘଟଣାମାନ ସମଗ୍ର ମାନବ ସମାଜକୁ ଉତ୍ସାହିତ କରିଥିଲା । ଏହା ସହିତ ଚାଷୀ, ମୂଲିଆ, ଦିନମଜୁରିଆ, ଖଣିଖାଦାନରେ ପ୍ରତିକୂଳ ପରିସ୍ଥିତିର କାର୍ଯ୍ୟକରୁଥିବା ମେହେନତି ମଣିଷର ମୁକ୍ତି ନିମନ୍ତେ ମାର୍ଗ ଉନ୍ମୁକ୍ତ ହୋଇଗଲା । ଶୋଷିତ ଓ ନିଷ୍ପେସିତ ଗୋଷ୍ଠିର ପ୍ରତିବାଦର ସ୍ୱର ଆହୁରି ଦୃଢ଼ ଓ ତୀବ୍ର କରିବା ନିମନ୍ତେ ସାରାବିଶ୍ୱର କବି, ଲେଖକ, ବୁଦ୍ଧିଜୀବୀ ଓ ସାମାଜିକ କର୍ମକର୍ତ୍ତାମାନେ ପ୍ରଗତିବାଦୀ ଭାବଧାରାକୁ ସେମାନଙ୍କର ସ୍ୱକର୍ମରେ ବିସ୍ତାରିତ କଲେ । ଲେଖକମାନେ ସେମାନଙ୍କ ସୃଷ୍ଟିକୁ ଆହୁରି ତୀକ୍ଷ୍ଣ ଓ ଶାଣିତ କଲେ ଏବଂ ଅତ୍ୟାଚାରିତ ମଣିଷକୁ ମୁକ୍ତିର ମାର୍ଗ ପ୍ରଦର୍ଶନ କଲେ ।

 

ଏ ଦିଗରେ ଓଡ଼ିଶାର ସ୍ୱର ପ୍ରଥମେ ଗୁଞ୍ଜରିତ ହୋଇଥିଲା ଆମ ଦେଶରେ । ୧୯୩୫ ମସିହା ନଭେମ୍ବର ଶେଷ ଓ ଡିସେମ୍ବର ପ୍ରାରମ୍ଭରେ ଏକ ପାଞ୍ଚ ଦିନିଆ ସାରସ୍ୱତ ସମାବେଶ କଟକସ୍ଥ ଶ୍ରୀରାମଚନ୍ଦ୍ର ଭବନଠାରେ ଅନୁଷ୍ଠିତ ହୋଇ ବହୁ ବିଚାର ବିମର୍ଶ ପରେ ‘ନବଯୁଗ ସାହିତ୍ୟ ସଂସଦ’ ନାମରେ ଏକ ପ୍ରଗତିଶୀଳ ସାହିତ୍ୟ ଅନୁଷ୍ଠାନ ଗଠନ କରାଯାଇଥିଲା । ଯାହାର ଆଭିମୁଖ୍ୟ ଥିଲା ପ୍ରଗତିଶୀଳ ଓଡ଼ିଆ ସାହିତ୍ୟ ସୃଷ୍ଟି କରିବା ଏବଂ ଲେଖନୀ ମାଧ୍ୟମରେ ମଣିଷର ଦୁଃଖ, ଯନ୍ତ୍ରଣା ଦୂର କରି ଅନ୍ୟାୟ,ଅତ୍ୟାଚାର ବିରୁଦ୍ଧରେ ସଂଗ୍ରାମ ନିମନ୍ତେ କ୍ଷେତ୍ର ପ୍ରସ୍ତୁତ କରିବା । ଏହାପରେ ୧୯୩୬ ମସିହା ଅପ୍ରେଲ ମାସରେ ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌ ସହରରେ ଅନୁରୂପ ସମ୍ମେଳନର ଆହ୍ୱାନ କରାଯାଇ ‘ଅଖିଳ ଭାରତ ପ୍ରଗତି ଲେଖକ ସଂଘ’ ଗଠନ କରାଗଲା । ଉଦ୍ଦେଶ୍ୟ ଥିଲା ମୁକ୍ତିକାମୀ ମଣିଷକୁ ଏକଜୁଟ କରି ନ୍ୟାୟ ପ୍ରଦାନ ନିମନ୍ତେ ଲେଖନୀ ଚାଳନା କରିବାକୁ ଆମ ଦେଶର ପ୍ରତ୍ୟେକ ସାହିତ୍ୟିକମାନଙ୍କୁ ଉଦ୍‌ବୁଦ୍ଧ କରିବା ।

 

ଉପରୋକ୍ତ ଦୁଇଟି ସଙ୍ଗଠନର ଆହ୍ୱାନ ଦେଶର କୋଣେ ଅନୁକୋଣରେ ଗୁଞ୍ଜରିତ ହେଲା, ଯାହାଫଳରେ ସାହିତ୍ୟ ରଚନା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ସଂଘଠିତ ହେଲା । ଓଡ଼ିଆ ସାହିତ୍ୟକୁ ପ୍ରଗତିଶୀଳ ମୋଡ଼ ଦେବା ପାଇଁ ସେତେବେଳର ଅନେକ ଯୁବସାହିତ୍ୟିକ ପ୍ରତିଜ୍ଞାବଦ୍ଧ ହୋଇ ସେମାନଙ୍କ ସୃଷ୍ଟିକୁ ଅଧିକ ଶାଣିତ କରିଥିଲେ । ତେଣୁ ଆଧୁନିକ ଓଡ଼ିଆ କବିତା କ୍ଷେତ୍ରରେ ପ୍ରଗତିଶୀଳ କବିତାର ଏକ ପ୍ରମୁଖ ଅବଦାନ ରହିଅଛି, ଯାହା ଓଡ଼ିଆ ସାହିତ୍ୟକୁ ବହୁଳଭାବରେ ସମୃଦ୍ଧ କରିଛି । ସେହି ସମୃଦ୍ଧିର ଧାରାକୁ ଓଡ଼ିଆ ପାଠକପାଠିକା ନିକଟରେ ପରିବେଷଣ କରିବା ଦାୟିତ୍ୱ ଏକାଡେମୀ ଗତ କିଛିବର୍ଷ ତଳୁ ଗ୍ରହଣ କରିଥିଲା । ଏହି ଅନନ୍ୟ କବିତା ସଂକଳନର ସମ୍ପାଦନା ଦାୟିତ୍ୱ ଓଡ଼ିଆ ସାହିତ୍ୟର ପ୍ରଗତିବାଦୀ ଧାରାର ଅନ୍ୟତମ ସଫଳ ସ୍ରଷ୍ଟା ବରିଷ୍ଠ କବି ଡକ୍ଟର ହୁସେନ୍‌ ରବିଗାଂଧୀଙ୍କୁ ଏକାଡେମୀ ପକ୍ଷରୁ ଅର୍ପଣ କରାଯାଇଥିଲା । ଡକ୍ଟର ଗାଂଧୀ ଏକାଡେମୀର ସାଦର ଅନୁରୋଧକୁ ରକ୍ଷା କରି ଖୁବ୍‌ ସ୍ୱଳ୍ପ ସମୟ ମଧ୍ୟରେ ଉକ୍ତ କବିତା ସଂକଳନର ପାଣ୍ଡୁଲିପି ଏକାଡେମୀକୁ ପ୍ରଦାନ କରିଥିଲେ । ଓଡ଼ିଆ ସାହିତ୍ୟ ପ୍ରତି ତାଙ୍କର ପ୍ରତିବଦ୍ଧତା ନିମନ୍ତେ ଏବଂ ଏହି ସାରସ୍ୱତ ଦାୟିତ୍ୱ ସମ୍ପାଦନ ଲାଗି ତାଙ୍କୁ ଏକାଡେମୀ ପକ୍ଷରୁ ସାଧୁବାଦ ଜ୍ଞାପନ କରୁଅଛି ।

 

ଓଡ଼ିଶା ସାହିତ୍ୟ ଏକାଡେମୀ ପ୍ରତିଷ୍ଠାର ପଚାଶବର୍ଷ ପୂର୍ତ୍ତୀ ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ପ୍ରଗତିଶୀଳ ଓଡ଼ିଆ କବିତା ସଂକଳନ ପୁସ୍ତକ ଆକାରରେ ପ୍ରକାଶ ପାଉଥିବା ଅତ୍ୟନ୍ତ ଆନନ୍ଦର କଥା । ଏହି ସଂକଳନଟି ଓଡ଼ିଆ ସାହିତ୍ୟର ଆଲୋଚକ, ପାଠକ, ଗବେଷକ, କବି ଓ ଲେଖକମାନଙ୍କ ସାରସ୍ୱତ ଜିଜ୍ଞାସାକୁ ଚରିତାର୍ଥ କରିପାରିଲେ ଏକାଡେମୀର ଶ୍ରମ ଲାଘବ ହେବବୋଲି ମନେ କରୁଅଛି । ଏକାଡେମୀର ଅନ୍ୟାନ୍ୟ ପ୍ରକାଶନଗୁଡିକ ଭଳି ଉକ୍ତ ସଂକଳନଟି ବିଦଗ୍ଧ ପାଠକ ମହଲରେ ଆଦର ଲାଭ କରିବ ବୋଲି ମୋର ଆଶା ଓ ବିଶ୍ୱାସ । ପୁସ୍ତକଟିର ଦ୍ରୁତ ପ୍ରସାର କାମନା କରୁଅଛି ।

 

୩୧.୧୨.୨୦୦୯

ହରପ୍ରସାଦ ପରିଛା ପଟନାୟକ

ଭୁବନେଶ୍ୱର

ସଚିବ

 

ଉତ୍ସର୍ଗ

 

ଆଧୁନିକ ଓଡ଼ିଆ ବୈପ୍ଳବିକ କାବ୍ୟଚେତନାର ପ୍ରଥମ ବାର୍ତ୍ତାବହ, ବିଦ୍ରୋହୀ ଓ ବିପ୍ଳବୀ ମହାକବି ଭୀମ ଭୋଇ ଏବଂ କ୍ରାନ୍ତିକାରୀ ସାହିତ୍ୟର ମହାନ୍‍ ମନ୍ତ୍ରଗୁରୁ ଭଗବତୀଚରଣ ପାଣିଗ୍ରାହୀଙ୍କୁ ....

 

ଗ୍ରନ୍ଥ ପ୍ରବେଶ

 

ଫରାସୀ ରାଷ୍ଟ୍ରବିପ୍ଳବ ଓ ୟୁରୋପରେ ନବଜାଗରଣ ପୂର୍ବରୁ ବିଶ୍ୱ, ସାମନ୍ତବାଦୀ ଶୋଷଣ ଓ ବର୍ବରତାର ଶୀକାର ଥିଲା । ସାମନ୍ତବାଦୀ ସମାଜରେ ସମାଜକୁ ବଦଳାଇବାର ପ୍ରୟାସ ଥିଲା ସୀମିତ ।

 

ବସ୍ତୁତଃ ଶିଳ୍ପ ବିପ୍ଳବ ଓ ଫରାସୀ ରାଷ୍ଟ୍ର ବିପ୍ଳବ ପରେ ବିକଶିତ ବୁର୍ଜୁୟାଶ୍ରେଣୀ କର୍ତ୍ତୃକ ପଣ୍ୟ ଉତ୍ପାଦନ (Comodity Prodଗ୍ଧction) ବିଶ୍ୱର ପ୍ରେକ୍ଷାପଟ୍ଟକୁ ବଦଳାଇ ଦେଲା । ଗଣତନ୍ତ୍ର ଓ ସମାଜବାଦ ପାଇଁ ଲଢ଼େଇ ପଥ ପରିଷ୍କାର ହେଲା ।

 

୧୯୧୭ ମସିହାରେ ରୁଷରେ ଅକ୍ଟୋବର ବିପ୍ଳବ ବିଶ୍ୱ ଇତିହାସ ଓ ରାଜନୀତିରେ ଏକ ଚ୍ଛେଦ ବା ପରିବର୍ତ୍ତନର ବିନ୍ଦୁ ହୋଇ ଉଭା ହେଲା ।

 

ଅକ୍ଟୋବର ବିପ୍ଳବର ପରବର୍ତ୍ତୀ କାଳରେ ଉପନିବେଶବାଦ ବିରୁଦ୍ଧରେ ଲଢ଼ୁଥିବା ବିଭିନ୍ନ ଜାତି ସମାଜ ନିର୍ମାଣ ପାଇଁ ଗଣତନ୍ତ୍ର ଓ ସମାଜବାଦ ପ୍ରତି ସ୍ୱତଃ ଆକୃଷ୍ଟ ହେଲେ । ଏହି ଉଭୟ ଚିନ୍ତାଧାରାକୁ ଭିତ୍ତିକରି ଲଢ଼ୁଥିବା ବିଭିନ୍ନ ଜାତିମାନଙ୍କ ମଧ୍ୟରୁ, ଯେଉଁଠି କୃଷକ ଓ ଶ୍ରମିକ ଶ୍ରେଣୀ ପରିବର୍ତ୍ତନର ଅଗ୍ରଭାଗରେ ରହିଲେ, ସେଠାରେ ସମାଜବାଦ ପ୍ରତିଷ୍ଠିତ ହେଲା । ଭାରତରେ କୃଷକ ଓ ଶ୍ରମିକ ଶ୍ରେଣୀ ବିପ୍ଳବର କର୍ଣ୍ଣଧାର ସାଜି ନ ପାରିବାରୁ ଏଠାରେ ସାମ୍ରାଜ୍ୟବାଦୀ ଶକ୍ତିର ସହଯୋଗରେ ବିକଶିତ ବୁର୍ଜୁଆଶ୍ରେଣୀ କ୍ଷମତା ଦଖଲ କଲା । ୧୯୪୭ ପରଠାରୁ ଏ ଯାବତ୍‌ ଭାରତବର୍ଷରେ ଧନୀକ ବର୍ଗ ମାର୍ଫତରେ ଏକ ସୀମିତ ଗଣତନ୍ତ୍ରର ବୈଷମ୍ୟପୂର୍ଣ୍ଣ ସମାଜ ବିରାଜିତ । ଏହି ବୈଷମ୍ୟପୂର୍ଣ୍ଣ ବ୍ୟବସ୍ଥା ବିରୁଦ୍ଧରେ ମେହନତି ମଣିଷ, ଆଦିବାସୀ, କୃଷକ ଓ ଶ୍ରମିକର ଲଢ଼େଇ ଏବେବି ବିଦ୍ୟମାନ । ଭାରତ ବର୍ଷରେ ମେହନତି ବର୍ଗର ଲଢ଼େଇକୁ ଆଧାର କରି, ପ୍ରଚଳିତ ମୁଖ୍ୟ ଧାରାର ସାହିତ୍ୟର ବିକଳ୍ପଭାବରେ ପ୍ରଗତିବାଦୀ ସାହିତ୍ୟ, ଭାରତର ସବୁ ପ୍ରାଦେଶିକ ଭାଷାମାନଙ୍କରେ ପରିଦୃଶ୍ୟମାନ ।

 

ଓଡ଼ିଆ ଭାଷାରେ ସେହି ଧାରାର ସାହିତ୍ୟର ଦୃଢ଼ ଭିତ୍ତି ଦେଖିବାକୁ ମିଳିଥାଏ । ସମ୍ପ୍ରତି ଓଡ଼ିଆ ଭାଷାରେ ସ୍ଥିତାବସ୍ଥା ବିରୋଧି ଯେଉଁ ସାହିତ୍ୟ ସୃଷ୍ଟି ହେଉଛି, ତାହା ମୁଖ୍ୟତଃ ଦଳିତ ବର୍ଗ ଓ ଆଦିବାସୀ ତଥା ଶ୍ରମିକ ବର୍ଗର ମୁକ୍ତି ସଂଗ୍ରାମକୁ କଳାତ୍ମକଭାବେ ରୂପଦାନ କରୁଛି । ସମ୍ପ୍ରତି ଓଡ଼ିଆ ସାହିତ୍ୟରେ ପ୍ରଗତିଚେତନା ଏକ ବିଚ୍ଛିନ୍ନ ଏକକ ନୁହେଁ ବା ଛିନ୍ନ ମୂଳ ଚିନ୍ତାଧାରା ନୁହେଁ । ଭୀମଭୋଇ, ଫକୀରମୋହନ, ଭଗବତୀ ପାଣିଗ୍ରାହୀ, ସଚ୍ଚି ରାଉତରାୟଙ୍କ ଠାରୁ ଏହା ସାମ୍ପ୍ରତିକ ସମୟର ପ୍ରଗତିଶୀଳ କବିମାନଙ୍କ ଦେଇ ପ୍ରଲମ୍ବିତ । ପୂର୍ବସୁରୀମାନଙ୍କ ପ୍ରଦତ୍ତ ଧାରାର ଏହା ଏକ ଧାରାବାହିକତା ।

 

ପ୍ରଗତି ସାହିତ୍ୟର ଯୁଗୀୟ ଭିନ୍ନତା ଅନସ୍ୱୀକାର୍ଯ୍ୟ । ଭୀମଭୋଇ ଯେତେବେଳେ ଜାତି-ଧର୍ମର ଉଦ୍ଧ୍ୱର୍ରେ ଏକ ମାନବ ଧର୍ମର କଥା ତାଙ୍କ ସାହିତ୍ୟରେ କହୁଛନ୍ତି, ସେହି ସମୟର ବା ତା’ପୂର୍ବର ଓଡ଼ିଆ ସାହିତ୍ୟ ମଧ୍ୟଯୁଗୀୟ ରୋମାଞ୍ଚବାଦ (Medieval Romanticism)ଦ୍ୱାରା ଆଚ୍ଛାଦିତ ।

 

ଭୀମଭୋଇ ତାଙ୍କ ସମୟରେ ମଧ୍ୟଯୁଗୀୟ ରୋମାଞ୍ଚବାଦ କବଳରୁ ଓଡ଼ିଆ ସାହିତ୍ୟକୁ ମୁକ୍ତକରାଇ ପ୍ରଥମକରି ଦଳିତ-ମୁକ୍ତି ଭାବନାକୁ ପ୍ରକଟିତ କଲେ, ତାଙ୍କ ପରେ ଫକୀରମୋହନ ନାରୀମୁକ୍ତି (ନାରୀମାନେବି ସମାଜର ଦଳିତ ବର୍ଗଙ୍କଠାରୁ କମ ନିଷ୍ପେସିତ ନୁହଁନ୍ତି) ଓ ସମାଜର ସମସ୍ତ ନିଷ୍ପେସିତ ବର୍ଗ-ସପକ୍ଷବାଦୀ ରେବତୀ, ସାରିଆ, ଭଗିଆ, ରାଣ୍ଡିପୁଅ ଅନନ୍ତା ଭଳି ଚରିତ୍ରକୁ ରୂପଦାନ କଲେ ।

 

ଓଡ଼ିଆ ସାହିତ୍ୟରେ ବିଧିବଦ୍ଧ ଭାବରେ ପ୍ରଗତିସାହିତ୍ୟ ବା ପ୍ରଗତିଯୁଗର ଆରମ୍ଭ ହେଲା-‘ନବଯୁଗ ସାହିତ୍ୟ ସଂସଦ’ ମାଧ୍ୟମରେ । ଏହାଥିଲା ବିଂଶ ଶତାବ୍ଦୀର ଚତୁର୍ଥ ଦର୍ଶକ । ବିଂଶ ଶତାବ୍ଦୀର ତୃତୀୟ ଦଶକର ଓଡ଼ିଶାର କିଛି ପ୍ରଖ୍ୟାତ ସାହିତ୍ୟିକମାନେ (କାଳନ୍ଦୀ ପାଣିଗ୍ରାହୀ, ଅନ୍ନଦାଶଙ୍କର ରାୟ ଓ ବୈକୁଣ୍ଠନାଥ ପଟ୍ଟନାୟକ ପ୍ରମୁଖ) ନଭଙ୍କ ଭାଷାରେ-“ରୋମାଣ୍ଟିକତାର ନିଗଡ଼ରେ ଶରଣାର୍ଥୀ’’ (Refଗ୍ଧgees of Romanticism) । ଏହି ସମୟରେ ଗଡ଼ଜାତ ପ୍ରଜା ଆନ୍ଦୋଳନ ଓ ଓଡ଼ିଶାର କୃଷକ ଆନ୍ଦୋଳନର ଆହ୍ୱାନରେ, ସର୍ବୋପରି ମଣିଷର ସ୍ୱାଧୀନତା, ସାମ୍ୟ ଓ ମୁକ୍ତିର ନୂତନ ବାର୍ତ୍ତା ମାଧ୍ୟମରେ ରଚିତ ହେଲା ନୂତନ ସାହିତ୍ୟ । ତାହାହିଁ ହେଲା ଓଡ଼ିଆ ସାହିତ୍ୟର ପ୍ରଗତିବାଦୀ ଧାରା ବା ପ୍ରଗତି ଯୁଗ । ସଚ୍ଚି ରାଉତରାୟଙ୍କ ବାଜିରାଉତ, ପାଣ୍ଡୁଲିପି, ଅଭିଯାନ ଇତ୍ୟାଦି କାବ୍ୟ ଗ୍ରନ୍ଥର ବହୁ କବିତାରେ ପ୍ରଗତିଶୀଳ ଚେତେନାର ବଳିଷ୍ଠ ସ୍ୱରର ଆତ୍ମପ୍ରକାଶ ଘଟିଲା । ସେହିପରି ନବଯୁଗ ସାହିତ୍ୟ ସଂସଦର ପ୍ରାଣ ପ୍ରତିଷ୍ଠାତା, ପ୍ରଗତିବାଦୀ ସାହିତ୍ୟର ପ୍ରଥମ ସଂଜ୍ଞା ପ୍ରଦାନକାରୀ ପତ୍ରିକା ‘ଆଧୁନିକ’ର ସମ୍ପାଦକ ଓ ଓଡ଼ିଶା କମ୍ୟୁନିଷ୍ଟ ପାର୍ଟିର ଆଦ୍ୟ ପ୍ରତିଷ୍ଠାତା, ଭଗବତୀ ଚରଣ ପାଣିଗ୍ରାହୀଙ୍କର ‘ଶିକାର’ ଗଳ୍ପ ପ୍ରଗତି ସାହିତ୍ୟର ଏକ ଶ୍ରେଷ୍ଠ ନମୂନା ହୋଇ ଦେଖା ଦେଲା ।

 

ତା ୨୯.୧୧.୧୯୩୫ଠାରୁ ତା ୪.୧୨.୧୯୩୫ ଯାଏ କଟକର ଶ୍ରୀରାମଚନ୍ଦ୍ର ଭବନରେ ଛଅଦିନ କାଳ ନବଯୁଗ ସାହିତ୍ୟ ସଂସଦର ଯେଉଁ ପ୍ରାରମ୍ଭିକ ଅଧିବେଶନ ବସିଥିଲା, ତାହାଥିଲା ଓଡ଼ିଆ ସାହିତ୍ୟରେ ପ୍ରଗତିବାଦୀ ଯୁଗର ପ୍ରଥମ ସାଙ୍ଗଠନିକ ପଦକ୍ଷେପ । ଏହି ସାଙ୍ଗଠନିକ ପଦକ୍ଷେପର ଅନ୍ୟ ଏକ ସୋପାନ ହେଲା ସଙ୍ଗଠନର ମୁଖପତ୍ର ‘ଆଧୁନିକ’ ପତ୍ରିକାର ପ୍ରକାଶନ । ୧୯୩୬ ମସିହା ମଇ ମାସରେ ‘ଆଧୁନିକ’ର ପ୍ରଥମ ସଂଖ୍ୟା ପ୍ରକାଶିତ ହୁଏ । ପଣ୍ଡିତ ନୀଳକଣ୍ଠ ଦାସଙ୍କ ସମ୍ପାଦିତ ‘ନବଭାରତ’ ପତ୍ରିକାରେ ‘ଆଧୁନିକ’ ପତ୍ରିକାର ବିଜ୍ଞାପନ ନିମ୍ନରୂପରେ ଦେଖାଦିଏ ।

 

-‘ଓଡ଼ିଶାର ପତ୍ରିକା ରାଜ୍ୟରେ ଯୁଗାନ୍ତର, ନବଯୁଗର ବାର୍ତ୍ତାବହନ କରି ଆସୁଛି ‘ଆଧୁନିକ’, ସଞ୍ଚାର କରିବ ଆଧୁନିକ ହୃଦୟରେ ଆଧୁନିକ ଜାଗରଣ । ଧ୍ୱଂସ କରିବ ଅପସାହିତ୍ୟର ଘୃଣ୍ୟ ଆବର୍ଜନା । ସୃଷ୍ଟି କରିବ ଉଚ୍ଚ ଚିନ୍ତାର ଯୁଗୋପଯୋଗୀ ଲେଖା ସନ୍ଦର୍ଭ । ପ୍ରଚାର କରିବ ଦେଶ ବିଦେଶର ପ୍ରଗତିଶୀଳ ସଜୀବ ଚିତ୍ର, ଶୁଣାଇବ ବାସ୍ତବକଥା, କବିତାର ମଧୁର ମଳୟ ସିଞ୍ଚନୀ ।’

 

ଆଧୁନିକ ପତ୍ରିକାର ଆଭିମୁଖ୍ୟ ସମ୍ପର୍କରେ ‘ନିଜକଥା’ ଶିରୋନାମାରେ ଏହି ଘୋଷଣା ନାମା ପ୍ରକାଶ ପାଇଥିଲା-“ଜଗତର ସବୁ ଅଂଶରେ ଏକ ତୁମୂଳ ପରିବର୍ତ୍ତନର ଆଭାସ ମିଳୁଛି ଏବଂ ଏହି ପରିବର୍ତ୍ତନ ନାନାସ୍ଥଳରେ ଯେଭଳି ବିବିଧ ଉପାୟରେ ଆତ୍ମପ୍ରକାଶ କରୁଛି, ଓଡ଼ିଶାରେ ଆଧୁନିକର ଆବିର୍ଭାବ ସେହିପରି ଗୋଟିଏ ପ୍ରାଥମିକ ଉପାୟର ଚିହ୍ନ ମାତ୍ର । ଏହି ପରିବର୍ତ୍ତନର ଆହ୍ୱାନ ଯେ ଓଡ଼ିଶାର ଯୁବ ପ୍ରାଣକୁ ଚଞ୍ଚଳ କରିଛି, ‘ଆଧୁନିକ’ ତାହାର ନିଦର୍ଶନ ।’’

 

ସାହିତ୍ୟ ଯେ କେବଳ ଆବେଗର ସ୍ୱତଃସ୍ପୃତ ସ୍ପୁରଣ ନୁହେଁ, ତାହା ସମାଜ ପରିବର୍ତ୍ତନ ଓ ସମାଜ ନିର୍ମାଣ ତଥା ଇତିହାସର ସଚେତନ ପ୍ରୟାସ-୧୯୩୦ରୁ ୧୯୫୦ ଯାଏ ଓଡ଼ିଶାରେ ଚଳଚଞ୍ଚଳ ଥିବା ଓଡ଼ିଆ ପ୍ରଗତିବାଦୀ ସାହିତ୍ୟ ତାହା ପ୍ରମାଣିତ କରିଥାଏ । ୧୯୩୦ରୁ ଏଯାବତ୍‌ ସୃଷ୍ଟି ହୋଇଥିବା, ସମଗ୍ର ଓଡ଼ିଆ ସାହିତ୍ୟ ମଧ୍ୟରୁ ୧୯୩୦ରୁ ୧୯୪୦ ମଧ୍ୟରେ ସୃଷ୍ଟି ପ୍ରଗତିସାହିତ୍ୟର ଅବଦାନ, ସର୍ବଶ୍ରେଷ୍ଠ । ଏହାର ଏକମାତ୍ର କାରଣ, ପ୍ରଗତି ସାହିତ୍ୟର ବସ୍ତୁନିଷ୍ଠତା, ଇତିହାସ ବୋଧ-ଶ୍ରେଣୀ ଚେତନା-ପ୍ରଗତି ଓ ପରିବର୍ତ୍ତନ ପ୍ରତି ଆଗ୍ରହ-ସର୍ବୋପରି ମଣିଷକୁ ସାମ୍ୟ,ମୈତ୍ରୀ, ସ୍ୱାଧୀନତା ସମ୍ପର୍କରେ ସଚେତନତା ସୃଷ୍ଟିର ପ୍ରୟାସ ।

 

ସାମ୍ପ୍ରତିକ କାଳରେ ଆମ ଭାଷାରେ ସୃଷ୍ଟି ହୋଇଥିବା ବ୍ୟକ୍ତିବାଦୀ ସାହିତ୍ୟ ସହ ପ୍ରଗତିବାଦୀ ସାହିତ୍ୟର ତୁଳନା କଲେ ସେହି ଏକା କଥା ଲକ୍ଷ୍ୟ କରିବା । ଯଥା-ବ୍ୟକ୍ତିବାଦୀ ସାହିତ୍ୟଠାରୁ ବସ୍ତୁନିଷ୍ଠ ସାହିତ୍ୟର ମୂଲ୍ୟ ଅଧିକ । ଯୁଗେ ଯୁଗେ କ୍ରାନ୍ତିକାରୀ ସାହିତ୍ୟ ହିଁ କାଳଜୟୀ ସାହିତ୍ୟ ।

 

ସମ୍ପ୍ରତି ଯେଉଁ ସାହିତ୍ୟିକମାନେ ସମାଜକୁ ଆଧାର କରି କବିତା, ଗଳ୍ପ, ଉପନ୍ୟାସ ସୃଷ୍ଟି କରୁଛନ୍ତି, ସେମାନଙ୍କର କେତୋଟି ପ୍ରତିନିଧି ସ୍ଥାନୀୟ କବିତା ଏହି ସଙ୍କଳନରେ ସ୍ଥାନିତ ହୋଇଛି । ଉଲ୍ଲେଖଯୋଗ୍ୟ ଯେ, ସ୍ୱାଧୀନତା ପ୍ରାପ୍ତି ପରେ ପରେ ଭାରତବର୍ଷରେ ସାମାଜିକ ଓ ରାଜନୈତିକ ଜୀବନରେ ବେଶ୍‌ କିଛି ନିସ୍ତରଙ୍ଗତା ଲକ୍ଷ୍ୟ କରାଗଲା । ସମାଜର ମୂଳ ଉତ୍ପାଦିକା ଶକ୍ତିମାନଙ୍କୁ ସଙ୍ଗଠିତ କରୁଥିବା ଆନୁଷ୍ଠାନଗୁଡ଼ିକ କ୍ରମଶଃ ଦୁର୍ବଳ ହୋଇଗଲେ । ବ୍ୟବସ୍ଥା ପ୍ରତି ମୋହ ହେତୁ ଜନଗଣଙ୍କର ଲଢ଼େଇ ପ୍ରତି ଏମାନଙ୍କର ସ୍ପୃହା ମଧ୍ୟ କମିଗଲା । ଫଳତଃ, ପ୍ରଗତିଶୀଳ ସାହିତ୍ୟ ତା’ର ଅଭିବ୍ୟକ୍ତିର ସଫଳତା ହରାଇଲା । ପ୍ରଜା ଆନ୍ଦୋଳନ, କୃଷକ ଆନ୍ଦୋଳନ ଓ ଉପନିବେଶ-ବାଦ ବିରୋଧି ସ୍ୱାଧୀନତା ଆନ୍ଦୋଳନ, ଯାହା ଓଡ଼ିଆ ସାହିତ୍ୟକାରମାନଙ୍କୁ ପ୍ରଗତି ପଥରେ ଯିବାପାଇଁ ଅନୁପ୍ରେରିତ କରୁଥିଲା, ସ୍ୱାଧୀନତା ପରେ ସେହି ଆନ୍ଦୋଳନରେ ଭଟ୍ଟା ପଡ଼ିଗଲା ।

 

ସାମାଜିକ ଆନ୍ଦୋଳନର ନିସ୍ତରଙ୍ଗତା ହେତୁ ସାହିତ୍ୟିକ ଅଭିବ୍ୟକ୍ତି ମଧ୍ୟ ଶିଥିଳ ହେଲା । ଏସବୁ ସତ୍ତ୍ୱେ ସ୍ୱାଧୀନତା ପରେ ଓଡ଼ିଶାରେ ଜନଗଣଙ୍କର ସୀମିତ ଲଢ଼ାଇର ପରିସର ଭିତରୁ ରବି ସିଂଙ୍କ ଭଳି ପ୍ରତିଭାର ମଧ୍ୟ ଉଦ୍ଭବ ଘଟିଥିଲା ।

 

୧୯୬୭ ମସିହାରେ ଭାରତବର୍ଷରେ ଆଉ ଏକ ରାଜନୈତିକ ଘନଘଟା ଦେଖାଗଲା, ତାହାହେଲା ନକ୍ସଲବାଦୀ ଆନ୍ଦୋଳନ । ଆଜିର ମାଓବାଦୀ ଆନ୍ଦୋଳନ ସେହି ନକ୍ସଲବାଦୀ ଆନ୍ଦୋଳନର ଧାରାବାହିକତା । ୧୯୬୭ ମସିହାରେ ନକ୍ସଲବାଦୀ ଆନ୍ଦୋଳନର ପ୍ରଭାବରେ ବ୍ୟକ୍ତିଗତ ଭାବରେ ରବି ସିଂଙ୍କ କବିତାରେ ଜନବାଦୀ ଧାରା ଅଧିକ ବଳିଷ୍ଠ ହେବା ସହ ‘ଆଭା’, ‘ବେଳା’ ଓ ‘ସ୍ପୁଲିଙ୍ଗ’ ଗୋଷ୍ଠୀ ମାଧ୍ୟମରେ ପ୍ରଗତିଶୀଳ ସାହିତ୍ୟ ଯଥେଷ୍ଟ ବିସ୍ତାରିତ ହୋଇଥିଲା । ଆଜିର ନିସାନ୍‌ ପତ୍ରିକା ତା’ର ସୁଦୂର ପ୍ରତିଧ୍ୱନୀ । ମଧ୍ୟବର୍ତ୍ତୀ କାଳରେ ‘ଅଗ୍ନିବୀଣା’ ଓ ‘ଅଭିଯାତ୍ରୀ’ ଓଡ଼ିଶାର ପ୍ରଗତିଶୀଳ ସାହିତ୍ୟ ଆନ୍ଦୋଳନକୁ ବେଶ୍‌ ବଳିଷ୍ଠ କରିଥିଲା । ଏହି ସଂକଳନ-ମଧ୍ୟସ୍ଥ କବିତା ଉପରୋକ୍ତ ସାଂସ୍କୃତିକ ଆନ୍ଦୋଳନର ଫଳଶ୍ରୁତି । ଏହିସବୁ ସାଂସ୍କୃତିକ ଆନ୍ଦୋଳନ ପରିସରରୁ ଗୋଟାଏ ସମୟରେ ପ୍ରସନ୍ନ ପାଟ୍ଟଶାଣୀ, ହୁସେନ ରବିଗାନ୍ଧୀ, ସଦାଶିବ ଦାଶ, ସମରେନ୍ଦ୍ର ନାୟକ ପ୍ରମୁଖ ସାହିତ୍ୟିକ ଜନ୍ମ ନେଇଥିଲେ । ପରବର୍ତ୍ତୀ ସମୟରେ ଆଶୁତୋଷ ପରିଡ଼ା, ବସନ୍ତ ମୁଦୁଲି, କୁଳମଣି ଜେନା, ବିଜୟ ଉପାଧ୍ୟାୟ, ପୀତାମ୍ବର ତରାଇ, ଭାରତ, ଅଖିଳ, ଅରୂପ ଅଭିଷେକ, ଲେନିନ୍‌ କୁମାର, ବାସୁଦେବ ସୁନାନୀ ଇତ୍ୟାଦି ମଧ୍ୟ ସେହି ପରିସରର ପ୍ରତିଧ୍ୱନୀ ।

 

ଅଧୁନା ଓଡ଼ିଶାର ଜାତୀୟ ସାହିତ୍ୟ ଅବକ୍ଷୟମୁଖୀ । ଏକଦା ଓଡ଼ିଆ ଜାତିକୁ ଏକ ବଳିଷ୍ଠ ଆତ୍ମପରିଚୟ ଦେବା ସକାଶେ ଫକୀରମୋହନ, ଗଙ୍ଗାଧର, ମଧୁ ରାଓ, ରାଧାନାଥ ଇତ୍ୟାଦି କଲମ ଧରିଥିଲେ । ସେମାନଙ୍କ ସାହିତ୍ୟରେ ଜାତୀୟତାବାଦୀ ଆଭିମୁଖ୍ୟ ସ୍ପଷ୍ଟ ଥିଲା । ତା’ପରେ ଉପନିବେଶବାଦ ବିରୋଧି ସ୍ୱାଧୀନତା ଆନ୍ଦୋଳନର ବାର୍ତ୍ତା, ସାହିତ୍ୟରେ ପ୍ରତିଫଳିତ ହୋଇଥିଲା । ତାହାଥିଲା ଆଧୁନିକ ଓଡ଼ିଆ ସାହିତ୍ୟର ସୁବର୍ଣ୍ଣ ଯୁଗ । ସେହି ସୁବର୍ଣ୍ଣଯୁଗର ମହାନ୍‍ ଅଧିକାରୀ ଥିଲେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଓ ସତ୍ୟବାଦୀର ପଞ୍ଚସଖା ଗଣ ।

 

ସ୍ୱାଧୀନତା ପରେ ସାହିତ୍ୟରେ ବ୍ୟକ୍ତିବାଦ ଆଭିମୁଖ୍ୟ ପ୍ରାଧାନ୍ୟ ଲାଭ କଲା । ସାମାଜିକ ଅବସ୍ଥା, ମଣିଷ ସମାଜର ସମସ୍ୟା, ଦେଶ ବା ଜାତିର ଆଶା, ସ୍ୱପ୍ନ, ସାହିତ୍ୟରେ ରୂପାୟିତ ହେଲାନି । ସାମ୍ପ୍ରତିକ ଓଡ଼ିଆ ସାହିତ୍ୟର ଅଧିକାଂଶ ସ୍ରଷ୍ଟା ନିଜର ବ୍ୟକ୍ତିଗତ ଆଶା ବା ସ୍ୱପ୍ନକୁ ( ଯାହା ସାମାଜିକ ଆଶା, ସ୍ୱପ୍ନଠାରୁ ଭିନ୍ନ) ପ୍ରକାଶ କରୁଛନ୍ତି- ଯାହା ଜାତୀୟ ସାହିତ୍ୟ ପଦବାଚ୍ୟ ହୋଇପାରୁନାହିଁ । ସ୍ଥିତାବସ୍ଥାର ଅନ୍ଧ ଅନୁସରଣକାରୀ ସାଜି ଆଜିର ଓଡ଼ିଆ ସାହିତ୍ୟିକ ଓ ତାଙ୍କର ସାହିତ୍ୟ (ଅଧିକାଂଶ କ୍ଷେତ୍ରରେ) ପଳାୟନପନ୍ଥୀ-ଭୂମିକାରେ ଅବତୀର୍ଣ୍ଣ ହୋଇଯାଉଛି । ଚିତ୍ରୋପିଳା ନଦୀ ଯେତେବେଳେ ଶୁଷ୍କ, ମଣିଷ ଜଳକଷ୍ଟ ଜର୍ଜରିତ ଓ ଶ୍ରୀରାଧା ନାମ୍ନୀ ଝିଅଟି ଯେତେବେଳେ ଅଧସ୍ତନ ଲିଙ୍ଗ (ସବଅର୍ତିନେଟ ଜେଣ୍ଡର) ଭାବରେ ସାମାଜିକ ନିପୀଡ଼ନର ଶୀକାର, ସେତେବେଳେ ପୁନରୁତ୍‍ଥାନବାଦ (Revivalism) ଓଡ଼ିଶାର ପ୍ରମୁଖ କବିଙ୍କର ମୁଖ୍ୟ ସାହିତ୍ୟିକ ଆଭିମୁଖ୍ୟ ହୋଇଛି । ଓଡ଼ିଶାର ପ୍ରମୁଖ କବିମାନେ ନିଜ ସାମାଜିକ ପ୍ରତିପତ୍ତି ବା ପଦପଦବୀ ହେତୁ ରାଷ୍ଟ୍ରଦ୍ୱାରା ଶ୍ରେଷ୍ଠ କବିର ସ୍ୱୀକୃତ୍ତି ପାଇ ପାରିଲେବି, ସତରେ କ’ଣ ସେମାନେ ଆମ ଭାଷା ସାହିତ୍ୟର ଶ୍ରେଷ୍ଠ କବି ? ଏ ପ୍ରଶ୍ନ ପଚାରିବାର ପ୍ରକୃଷ୍ଟ ସମୟ ଏବେ ଉପସ୍ଥିତ ।

 

ଅବଶ୍ୟ ସମାଜ କହିଲେ- କେବଳ ସମ୍ଭ୍ରାନ୍ତ ବା ଏଲିଟ୍‌ମାନଙ୍କୁ ବୁଝାଏ ନାହିଁ । ଏହି ସମ୍ଭ୍ରାନ୍ତ ବା ଏଲିଟ୍‌ମାନଙ୍କର ପାଦତଳର ସମାଜଟି ପ୍ରକୃତ ସମାଜ । ସେହି ସମାଜର ମଣିଷମାନେ ଇତିହାସ ନିର୍ମାଣରେ ବ୍ରତୀ ଥାଆନ୍ତି ତାଙ୍କର ସଂଗ୍ରାମ ଓ ସ୍ୱପ୍ନକୁ ରୂପ ଦିଅନ୍ତି । ଅସମ୍ଭ୍ରାନ୍ତ, ପ୍ରକୃତ ମଣିଷର କବି । ଯଥାର୍ଥ କବିଟି ହୁଏତ ନିଜ ସମୟରେ କବିର ମର୍ଯ୍ୟାଦା ନ ପାଇଲେବି ପରବର୍ତ୍ତୀ କାଳରେ ନିଶ୍ଚୟ ତାହା ପାଇଥାନ୍ତି । ଏହାର ଜ୍ୱଳନ୍ତ ଉଦାହରଣ ମହାକବି ଭୀମଭୋଇ, ଯିଏ ନିଜ ସମୟରେ ନିଜ ଜୀବନକୁ ନର୍କରେ ଅକୁଣ୍ଠଭାବେ ନିପତିତ କରି ଜଗତକୁ ଉଦ୍ଧାର କରିବା ପାଇଁ ସାହିତ୍ୟ ସାଧନାରେ ତଲ୍ଲୀନ ହୋଇ ଏକ ମହାଯୁଗ ସୃଷ୍ଟି କରିବାରେ ସକ୍ଷମ ହେଲେ ।

 

ମଣିଷ ହିଁ ସାହିତ୍ୟର ଶ୍ରେଷ୍ଠ ଉପାଦାନ । ସମାଜର ଦଳିତ, ପତିତ, ନିଷ୍ପେସିତ ମଣିଷର ସ୍ୱରହିଁ ଆଜିର ଓଡ଼ିଆ ପ୍ରଗତିବାଦୀ ସାହିତ୍ୟ । ଆଜିର ପ୍ରଗତି ସାହିତ୍ୟର ଅଗ୍ରଭାଗରେ ଯେଉଁମାନେ ଅଛନ୍ତି, ସେମାନେ ଇତିହାସ ସଚେତନ, ଶ୍ରେଣୀ ସଚେତନ ଓ ସମାଜ ସଚେତନ । ସଂପ୍ରତି ଓଡ଼ିଆ ପ୍ରଗତିବାଦୀ ସାହିତ୍ୟ ହିଁ ପ୍ରକୃତ ସମାଜ ନିଷ୍ଠ ସାହିତ୍ୟ । ଏହି ସାହିତ୍ୟରେ ସାମାଜିକ ଦୁରାବସ୍ଥାର ଛବି ପ୍ରତିଫଳିତ, ସାମାଜିକ କ୍ରାନ୍ତିର ବାର୍ତ୍ତା ପ୍ରସାରିତ । ଓଡ଼ିଶାର ପ୍ରଗତିସାହିତ୍ୟ ବିଶ୍ୱବ୍ୟାପୀ ଧନବାଦୀ ସାଂସ୍କୃତିକ ଆଧିପତ୍ୟ ବିରୁଦ୍ଧରେ ପ୍ରତିବାଦର ସାମାନ୍ୟ ପ୍ରୟାସ ।

 

ଆଜିର ପ୍ରଗତିବାଦୀ ସାହିତ୍ୟକୁ ଅନେକ ସ୍ଥିତାବସ୍ଥା ସପକ୍ଷବାଦୀ ଓ ପ୍ରତିକ୍ରିୟାଶୀଳ ଚିନ୍ତାରବାହକ ଆଲୋଚକମାନେ ମାଓବାଦୀ ପ୍ରଚାରଧର୍ମୀ ସାହିତ୍ୟର ସଂଜ୍ଞା ଦେଇ ନିହିତ ସ୍ୱାର୍ଥର ସେବା ପାଇଁ ବିଶ୍ୱସ୍ତଭାବେ ପ୍ରଚାର କରିଚାଲିଥାନ୍ତି । ଏହି ଆଲୋଚକମାନେ ପ୍ରଗତିବାଦୀ ସାହିତ୍ୟକୁ ସାଧାରଣତଃ ଅସ୍ପୃଶ୍ୟ କରି ରଖିବା ପାଇଁ ସବୁ ପ୍ରକାର କୌଶଳ ଅବଲମ୍ବନ କରିଚାଲିଛନ୍ତି ଆଜି ଯାଏଁ । ମାତ୍ର ପ୍ରଗତିବାଦୀ ସାହିତ୍ୟରେ ଜନବାଦୀ ଦୃଷ୍ଟିଭଙ୍ଗୀ ହେତୁ ଏହା ଗ୍ରହଣୀୟ ଏବଂ ଏହାର ଆଲୋଚନା ଅପରିହାର୍ଯ୍ୟ ।

 

ଜନବାଦୀ ସାହିତ୍ୟରେ ଜମି, ଜଳ, ଜଙ୍ଗଲ-ସାହିତ୍ୟର ବିଷୟ ବସ୍ତୁ ପାଲଟି ସାରିଛି । ଫକୀରମୋହନ ଥିଲେ ସାଧାରଣ ମଣିଷର କଥାକାର । ଭଗିଆ-ସାରିଆ ଥିଲେ ସାମନ୍ତବାଦୀ ଶୋଷଣର ପ୍ରତୀକ । କିନ୍ତୁ ଭଗବତୀଙ୍କର ଘିନୁଆ ଚରିତ୍ର ଥିଲା ଶ୍ରେଣୀ ସଂଘର୍ଷର ପ୍ରତୀକ, ଜଙ୍ଗଲ ଭିତର ମଣିଷର ଆତ୍ମିକ ପରିପ୍ରକାଶ । ଜମି ଓ ଜଙ୍ଗଲକୁ ଅତିକ୍ରମ କରି ବର୍ତ୍ତମାନ ଦାନା ବାନ୍ଧୁଥିବା ଭବିଷ୍ୟତର ପ୍ରଗତିବାଦୀ ଓଡ଼ିଆ କବିତା ପାଉଁଶତଳରୁ ନିଆଁ ଝଟକିଲା ପରି ସମୁଦାୟ ଜନବାଦୀ ସଂସ୍କୃତିର ଅତୃପ୍ତି ଓ ଆକାଂକ୍ଷାକୁ ସାକାର କରି ଅକ୍ଷର ଭିତରେ ଅବତରଣ କରାଇବା ପାଇଁ ଅଙ୍ଗୀକାରବଦ୍ଧ । ତା’ର ପ୍ରଥମ ପରିଣାମସ୍ୱରୂପ ଦଳିତ ସାହିତ୍ୟର ଉଦ୍‌ଗୀରଣ ଏବଂ ଜନବାଦୀ ଦର୍ଶନର ଉଦଘୋଷଣ । ସମକାଳୀନ ରାଜନୈତିକ ବ୍ୟବସ୍ଥାରେ ଏହାର ପ୍ରତିରୋଧ ହୁଏତ କରାଯାଉଛି, ମାତ୍ର ନବପ୍ରଜନ୍ମର ପ୍ରଗତିବାଦୀ ସାହିତ୍ୟ ବା ନବ୍ୟ ପ୍ରଗତିବାଦୀ ସାହିତ୍ୟ ଏହି ଭାବଧାରାକୁ ସ୍ୱାଗତ କରିବାକୁ ସାହସ ପ୍ରକଟ କରିଛି ଏବଂ ଏହି ଜନବାଦୀ ସାହିତ୍ୟ ଭବିଷ୍ୟତର ପରିବର୍ତ୍ତନକାମୀ ସମାଜର ଐତିହାସିକ ଅନୁପ୍ରେରଣାରୂପେ ସ୍ୱୀକୃତ ହେବାକୁ ବାଧ୍ୟ ।

 

ପ୍ରଗତିବାଦୀ ସାହିତ୍ୟ ପ୍ରତିବାଦର ଏକ ବଳିଷ୍ଠ ସାରସ୍ୱତଧାରା । ଏହି ଧାରାକୁ ଅଧିକ ବେଗବତୀ କରାଇ ଅଧିକରୁ ଅଧିକ ବ୍ୟକ୍ତିଙ୍କୁ ଜନବାଦୀ ତଟିନୀର ନିର୍ମଳ ଜଳରେ ଗଙ୍ଗାସ୍ନାନ ଉପାରାନ୍ତେ ପବିତ୍ର ହେବା ପରି ଅବସ୍ଥାକୁ ଘେନିଯିବା ପାଇଁ ଏହି ସଂକଳନ ପ୍ରକାଶର ପରିକଳ୍ପନା । ଇତିହାସରେ ଏହି ଧାରାର ସାହିତ୍ୟର ଏକ ବିଶେଷ ଗୁରୁତ୍ୱ ଥିବା ହେତୁ, ଏହି ସଂକଳନର ପ୍ରକାଶ ଏକ ଐତିହାସିକ ଉଦ୍ୟମ, ଯାହା ସାହିତ୍ୟ ଏକାଡେମୀ ତରଫରୁ ଏହାର ସଂସ୍ଥାପନାର ଦୀର୍ଘ ପଚାଶ ବର୍ଷରୁ ଉର୍ଦ୍ଧ୍ୱ ଅବଧି ମଧ୍ୟରେ କରିବା ପାଇଁ କେହି ବି ଉଦ୍ୟମ କରିନଥିଲେ ।

 

ଏହି ଉଦ୍ୟମ ପଛରେ କବିବନ୍ଧୁ ପୀତାମ୍ବର ତରାଇ, ଅଧ୍ୟାପକ କୁଳମଣି ଜେନା ଓ ଓଡ଼ିଶା ସାହିତ୍ୟ ଏକାଡେମୀର ଅନେକ ସଦସ୍ୟଙ୍କ ସହଯୋଗ ସ୍ମରଣୀୟ ହୋଇ ରହିଥିବ ।

 

ସଂକଳନରେ ସ୍ଥାନୀତ ସ୍ରଷ୍ଟା ଓ ସୃଷ୍ଟି ସମ୍ପର୍କରେ ମୁଁ କୌଣସି ଆଲୋଚନା କରି ନାହିଁ । କାରଣ ପ୍ରଗତିବାଦୀ ବା ଜନବାଦୀ ଧାରାର ସାହିତ୍ୟର ବିଚାର ପାଠକମାନଙ୍କ ଉପରେ ନ୍ୟସ୍ତ କରୁଛି ।

 

 

ଭୁବନେଶ୍ୱର

(ଡକ୍ଟର ହୁସେନ୍‍ ରବିଗାଂଧୀ)

ମେ’ ପହିଲା ୨୦୦୯

ସଭାପତି, ଓଡ଼ିଶା ସାହିତ୍ୟ ଏକାଡେମୀ

 

ଶୀର୍ଷକ ସୂଚନା

 

୧.

ଅନନ୍ତ ପଟ୍ଟନାୟକ

 

ଉଦବୋଧନ ସଙ୍ଗୀତ

 

ସର୍ବହରା

 

ଆସିଚି ମୁଁ ଆସିଚି

 

ନିଜ ବନ୍ଦନା ପଢ଼େ

 

ସକାଳଟିଏ ଚାହେଁ ମୁଁ

୨.

ସଚ୍ଚିଦାନନ୍ଦ ରାଉତରାୟ

 

ଲେନିନ୍‌

 

ପତାକା ଓହ୍ଲାଅ ନାହିଁ

 

ଲାଲ ଝଣ୍ଡା

 

ହେ ବନ୍ଧୁ ମିଳାଅ ହାତ

 

ଏକତା

 

ଖାଦ୍ୟ

୩.

ମନମୋହନ ମିଶ୍ର

 

ହେ ମୋର ଲେଖନୀ

 

ମୋର ପରିଚୟ

 

ଆହେ ଓଡ଼ିଶାର ଜନତା

 

ଏକ ହୁଅ

 

ଭଗବତୀ ପ୍ରିୟ ସାଥୀ

୪.

ରଘୁନାଥ ଦାସ

 

ଆମେ ଜନସାଧାରଣ

 

ଜଟାୟୁ

୫.

ରାମଲକ୍ଷ୍ମଣ ଦାଶ

 

ରକ୍ତ ସୂର୍ଯ୍ୟ

 

ଏକ ଶୀତାର୍ତ୍ତ ସଂଧ୍ୟାର

୬.

ରବି ସିଂ

 

ଜନ୍ମଗ୍ରାମ : ପ୍ରଣାମ, ପ୍ରଣାମ

 

ଆଗୋ ପ୍ରେମଶୀଳା

 

ବ୍ୟାଘ୍ର ପ୍ରଣାମ

 

ଶିଖାମୟୀ

୭.

ବ୍ରଜନାଥ ରଥ

 

ପ୍ରତିବାଦ କର

 

ସ୍ୱାଧୀନତା ତୁମ ହେଉ.....

୮.

ପ୍ରସନ୍ନ କୁମାର ମିଶ୍ର

 

ସନାତନକୁ ରକ୍ତଦିଅ

 

ବହିଯାଉ ଲାଲ ରକତ

 

ହିସାବ କର

୯.

ପ୍ରସନ୍ନ କୁମାର ପାଟ୍ଟଶାଣୀ

 

ରକ୍ତପଥ

 

ତମେ ବା ଜାଣିବ କେବେ....

 

ନୀରବ ଶବ୍ଦର ସ୍ୱର

୧୦.

ଭଗବାନ ମହାପାତ୍ର

 

କଳାହାଣ୍ଡି

 

ମହାମୁକ୍ତି

୧୧.

ସଦାଶିବ ଦାଶ

 

ସ୍ୱାଧୀନତା

 

କେବେ ଫେରିବ ସମରେନ୍ଦ୍ର

 

ଜନ ଗର୍ଜନ ଶୁଭିଲାଣି

୧୨.

ବିବେକାନନ୍ଦ ନାୟକ

 

ଦାସୁ ମାଲେକା

 

ଗୃଧ୍ର

୧୩.

ଗୌନ୍ତିଆ ମହମ୍ମଦ ଜମିଉଲ୍ଲା

 

ଅନୁଭୂତି

 

ନିଜ ସକାଳ

 

ଜୀବନ୍ମୟ

 

ପାହାଡ଼ଚଢ଼ା

୧୪.

ଆଶୁତୋଷ ପରିଡ଼ା

 

ଭୂମି

 

ଉତ୍ସବ

 

ବୃତ୍ତାନ୍ତ ମନୋହର ପୁର

୧୫.

ହୁସେନ୍‌ ରବିଗାଂଧୀ

 

ଭିଟାମାଟିର ଭୂଗୋଳରେ

 

ବର୍ଷା

 

ସମ୍ବଲପୁରର ଗୋପବନ୍ଧୁ ଉଦ୍ୟାନ...

୧୬.

ଅମରେଶ ପଟ୍ଟନାୟକ

 

ଆକାଶ ଭାସି ନ ଯାଉ

 

ସୂର୍ଯ୍ୟବନ୍ଦନା

 

ମହାରାସ ଏରସମା

୧୭.

ବିଜୟ ଉପାଧ୍ୟାୟ

 

ମୃତ୍ୟୁହୀନ ମୁଁ କ୍ରାନ୍ତି

 

ଭାରତବର୍ଷ

୧୮.

ସମରେନ୍ଦ୍ର ନାୟକ

 

କୋରାପୁଟ

 

ବର୍ଷାରେ ମାଲକାନଗିରି

୧୯.

ହରପ୍ରସାଦ ପରିଛା ପଟନାୟକ

 

ଶୋଷ ମାରିବାକୁ ଯାଉଛି ମା

 

ବାଘ ମାତିଛି

 

ଆକାଶ ମାଟି

୨୦.

କୁଳମଣି ଜେନା

 

ରକ୍ତଛୁରି

 

କବିତାରେ କେବେ ବିପ୍ଳବ ...

 

ଭାରତବର୍ଷ

୨୧.

ଗିରିଜା କୁମାର ବଳିୟାରସିଂହ

 

ଭାରତବର୍ଷ

୨୨.

ପ୍ରଶାନ୍ତ ମିଶ୍ର

 

ରକ୍ତସ୍ରାବର ଛନ୍ଦ

 

ସାଥୀ

 

ଭୋର୍‌ ଆକାଶର ତାରା

୨୩.

ବସନ୍ତ ମୁଦୁଲି

 

ରାଜଧାନୀ

୨୪.

ପୀତାମ୍ବର ତରାଇ

 

ଅସୁର ଅକାରଣ

 

ଇସ୍ପାତ କମ୍ପାନି

 

ଭଲ ଲୋକ ତ ଆପଣ

୨୫.

କୁମାର ହସନ୍‌

 

ମ୍ୟାଜିକାଲ୍‌ ଚେୟାର

 

ମରୁଡ଼ି ପଡ଼ିଲା ବୋଲି

 

କବିତା ପାଠ

୨୬.

ପିନାକୀ ସିଂ

 

ପଟୁଆର

 

ଛାଇ ଓ ଈଶ୍ୱର

୨୭.

ରକ୍ଷକ ନାୟକ

 

ମୁକ୍ତଛନ୍ଦ

 

ନିଆଁ

 

ଲୁଣ୍ଠନ

୨୮.

ଡ. ବାସୁଦେବ ସୁନାନୀ

 

ଅନୁମତି

 

ଘରଟେ ବନେଇବି

 

ହଜୁ ତାଣ୍ଡିର ଶ୍ରମକଥା

୨୯.

ସୁଚେତା ମିଶ୍ର

 

ଦିନେ ଦିନେ

 

ବଡ଼ଦାଣ୍ଡ

୩୦.

ଲେନିନ୍‌ କୁମାର

 

ଚୁପ୍‌ ଷଡ଼ଯନ୍ତ୍ର

 

ଟେଳାଏ ନିଦ ଦେ

 

ଛଡ଼େଇ ଆଣିବାକୁ ଅଛି .....

୩୨.

ଅମିୟ ରଞ୍ଜନ ମହାପାତ୍ର

 

ଜରି ଗୋଟାଉଥିବା ଛୁଆର...

 

ଏ ଦେଶ କନ୍ଧମାଳ

 

ଛିଣ୍ଡିପଡ଼ିଥିବା ପଦ୍ମ ପାପୁଲିରେ

୩୩.

ସରୋଜ

 

ଆଦିବାସୀ ଓ ଜନଜାଗରଣ

 

କବି ଓ କବିତା

୩୪.

ପବିତ୍ର ମୋହନ ଦାଶ

 

ରାଷ୍ଟ୍ରଦ୍ରୋହ

 

ବୀଜରୋପଣ

୩୫.

ଅଖିଳ ନାୟକ

 

ଏଣିକି ଆଉ ନିସ୍ତାର ନାହିଁ

 

ମୁକ୍ତିଦୂତ

 

ମୂଢ଼ ମାଇପି ମୁଁ ନିଶାପ ....

୩୬.

ଭାରତ ମାଝୀ

 

ଲକ୍ଷ୍ମୀନାନୀ

 

ଜୁନାଗଡ଼ ବ୍ଳକ୍‌ ଅଫିସ୍‌ ....

 

ରଜନୀ ମାଝି

୩୭.

ଅରୂପ ଅଭିଷେକ

 

ବଞ୍ଚିବାକୁ କଳା କରି....

 

ପୃଥିବୀକୁ ବଦଳାଇ ଦିଅ

୩୮.

ନରେନ୍ଦ୍ର ଭୋଇ

 

ଇତିହାସ

 

ପାପୀ ପଇତାର ପଦ୍ୟ

 

ଗାଁ ଟାଉଟର ଗହଦୁ ....

୩୯.

ବିଜୟାନନ୍ଦ ସିଂହ

 

କଳିଙ୍ଗନଗର

 

ଅନନ୍ତ ପଟ୍ଟନାୟକ

୧୯୧୨-୧୯୮୭

 

ଅବିଭକ୍ତ ପୁରୀ ଜିଲ୍ଲାର ଚଣାହଟ୍ଟ ଗ୍ରାମର ଚଉଧୂରୀ ଜୟକୃଷ୍ଣ ପଟ୍ଟନାୟକ ଓ ମହାଦେଇ ଦେବୀଙ୍କ ଔରସରୁ ଜ୍ୟେଷ୍ଠପୁତ୍ରଭାବେ ୧୯୧୨ ମସିହା, ପ୍ରଥମ ରଜ ଦିନ ଭୂମିଷ୍ଠ ହୋଇଥିଲେ କବି ଅନନ୍ତ ପଟ୍ଟନାୟକ ।

 

ଏହି କ୍ରାନ୍ତିକାରୀ କବି କମ୍ୟୁନିଷ୍ଟ ଆନ୍ଦୋଳନର ମହାନ୍‍ ପ୍ରବକ୍ତା, ସାମ୍ୟବାଦୀ ସାହିତ୍ୟର ବିଦ୍ରୋହୀ ବାର୍ତ୍ତାବହଙ୍କ କୈଶୋର କାଳରେ ପୁରୀଠାରେ ଅନୁଷ୍ଠିତ ହୋଇଥିବା ଉତ୍କଳ ସମ୍ମିଳନୀରେ ଉପସ୍ଥିତ ଦେଶପ୍ରେମୀମାନଙ୍କ ଭାଷଣପ୍ରତି ଆକୃଷ୍ଟ ହୋଇ କୈଶୋର ଜୀବନରୁ ହିଁ ବାଛି ନିଅନ୍ତି ସଂକଳ୍ପର ଅଗ୍ନିପଥ । ସେବେଠାରୁ ସାମନ୍ତବାଦ, ଶୋଷଣ,ଅତ୍ୟାଚାର,ଅନ୍ୟାୟ-ଅନାଚାର ବିରୁଦ୍ଧରେ ଉତ୍ସର୍ଗିତ କରିଦିଅନ୍ତି ଯୌବନକାଳର ଅୟମାରମ୍ଭ ।

 

ଆଉ ପଛକୁ ଫେରିନାହାଁନ୍ତି ସେ । ଦେଖିଛନ୍ତି ସ୍ୱତନ୍ତ୍ର ଉତ୍କଳ ପ୍ରଦେଶର ସ୍ୱପ୍ନ, ସ୍ୱପ୍ନକୁ ଆହୁରି ଶାଣିତ କରିଛନ୍ତି ସ୍ୱାଧୀନତା ସଂଗ୍ରାମରେ ନିଜକୁ ସାମିଲ କରି । ଜାତୀୟ କଂଗ୍ରେସରେ ଯୋଗଦାନ କରି ସ୍ୱରାଜ୍ୟ ହାସଲପାଇଁ କେବେ ଯାଇଛନ୍ତି ଜେଲ ତ କେବେ ଦେଇଛନ୍ତି ଜରିମାନା । କେବଳ ଦେଶର ମୁକ୍ତିପାଇଁ ନୁହେଁ, ଓଡ଼ିଆ ଭାଷା ସାହିତ୍ୟ କ୍ଷେତ୍ରରେ ତାଙ୍କର ଯେଉଁ ଅନବଦ୍ୟ ଅବଦାନ ରହିଚି ତାହା କାଳକାଳ ପାଇଁ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ । ସାମ୍ୟବାଦୀ ବିଚାରଧାରାର ଅନ୍ୟତମ ପ୍ରବର୍ତ୍ତକଭାବେ ‘ନବଯୁଗ ସାହିତ୍ୟ ସଂସଦ’ ଗଠନର ପ୍ରତିଷ୍ଠାତା ସଦସ୍ୟଭାବେ ପ୍ରଗତୀଶୀଳ ସାହିତ୍ୟର ଉତ୍ତର ଦାୟାଦମାନଙ୍କ ପାଇଁ ସେ ଏବେ ମଧ୍ୟ ପ୍ରେରଣାର ଉତ୍ସ । ପତ୍ରପତ୍ରିକା ସମ୍ପାଦନା ସହିତ ନାଟକ, ପ୍ରବନ୍ଧ ରଚନା ଓ ଅନୁବାଦ ସାହିତ୍ୟରେ କବିଙ୍କ ସୁନାମ ଶୀର୍ଷରେ ରହିଥିବାବେଳେ ଶିଶୁମାନଙ୍କ ପାଇଁ ଅଜସ୍ର ଶିଶୁଲେଖା ସୃଜି ଶିଶୁସାହିତ୍ୟକୁ ସମୃଦ୍ଧି କରିଛନ୍ତି ।

 

ଜୀବନର ଶେଷ ପର୍ଯ୍ୟନ୍ତ ଏହି ମହାନ୍‍ ବିପ୍ଳବୀ କବି,ସ୍ୱାଧୀନତା ସଂଗ୍ରାମୀ ସାହିତ୍ୟର ଯେପରି ସାରଥି ସେହିପରି ସମାଜସେବା କ୍ଷେତ୍ରରେ ନିଜକୁ ଉତ୍ସର୍ଗିତ କରି ଜାତି ଓ ଦେଶ ପାଇଁ ଆଦର୍ଶ ହେବା କମ୍‌ କଥା ନୁହେଁ । ୨୫.୬.୧୯୮୭ ମସିହାରେ କବିଙ୍କ ମହାପ୍ରୟାଣ ଆଜି ବି ଓଡ଼ିଆ ପ୍ରଗତିଶୀଳ ସାହିତ୍ୟ କ୍ଷେତ୍ରରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ହୋଇ ରହିଚି ଓ ରହିଥିବ ।

 

ଉଦବୋଧନ ସଙ୍ଗୀତ

 

ନବୀନ ଯୁଗର ତରୁଣ, ଜାଗରେ

ଜାଗ ବନ୍ଧନହରା....!

(ଭାଜୁ, ବନ୍ଧନ ଭାରା...!)

ବକ୍ଷ ଶୋଣିତେ ଲକ୍ଷ ଜୀବନେ

ଖେଳାଅ ଆଲୋକ ଧାରା !

ଛିନ୍ନ କରରେ ବନ୍ଧନରାଜି, କ୍ରନ୍ଦନ ହେଉ ଶେଷ

ଲୁପ୍ତ ହେଉରେ ଜାତି ଉପଜାତି, ଖଣ୍ଡିତ ଶତ ଦେଶ-

ମହାମାନବର ଶଙ୍ଖ ଶବଦେ

ଶମୁରେ ଦୁଃଖ ଜ୍ୱାଳା ।୧।

 

ନବୀନ....

ମରଣ ଦୁଆରେ ଚରଣ ଅରପି

ଗାଅରେ ଅମର ଗାନ ।

ପୋଛିଦିଅ ଆଜି ମାନବ ଶିରରୁଁ

ସଞ୍ଚିତ (ବଞ୍ଚନା) ଅପମାନ ।

ଲଂଘି ବନାନୀ ଶୈଳ କାନନ

ଚୂରରେ ତିମିର କାରା ।୨।

 

ନବୀନ....

ମରୁ ପଥେ ପଥେ ନିର୍ଝର ସୃଜି

ଯାତ୍ରା କର ହେ (ରେ) କର !

ସ୍ପନ୍ଦନ ବହି ଅନ୍ତରୁ କୋଟି

ପ୍ରଦୀପ ଉଚ୍ଚେ ଧର

ଶଂକିତ ହେଉ କମ୍ପିତ ପ୍ରାଣେ

ଚନ୍ଦ୍ର ତପନ ତାରା ।୩।

ନବୀନ....

ସନ୍ଧାନୀ ତବ (ତମ) ସଂଧାନ ପଥେ

କଣ୍ଟକ ଟେକେ ଶିର

ସମ୍ମୁଖେ ତବ (ତମ) କୁହେଳି ରୂପର

ମୋହ ମମତାର ନୀର

ଭିନ୍ନ କରି ସେ ତନ୍ଦ୍ରା-ପରଶ

ହସାଅ ଭୁବନ ସାରା ।୪।

 

ନବୀନ....

ଚିରି ଅତୀତର ଜୀର୍ଣ୍ଣ ଜୀବନ

ଜାଗ ଆରେ (ଜାଗ) ଭବିଷ୍ୟତ !

ଚୂର୍ଣ୍ଣ କରୁରେ ସ୍ୟନ୍ଦନ ତବ (ତୁମ)

ପୀଡ଼ନର ପରବତ !

ଭାଜିପଡ଼ୁ ଆଜି ଅର୍ଗଳରାଜି ଘେନ ବିଜୟର ମାଳା ।୫।

 

ନବୀନ....

 

‘ନବଯୁଗ ସାହିତ୍ୟ ସଂସଦ’ର ଆଦ୍ୟାତ୍ମକ ଉପଲକ୍ଷେ ରଚିତ । ମିଳିତ କଣ୍ଠରେ ଗାଇଥିଲେ ଶ୍ରୀମତୀ ମାଳତୀ ଚୌଧୁରୀ, ଅଶୋକ ରାଓ ଓ ଖୋକନ ଜୋଆରଦାର ପ୍ରମୁଖ । ୧୯୩୫, ନଭେମ୍ବର ୨୯ ତାରିଖ

 

ସର୍ବହରା

 

ଜୀବନ ଧରି ହେ ଢାଳିଲୁ ରକ୍ତ ତୋଳିଲୁ ସଉଧମାଳା

ଆମରି ଲାଗିରେ ଶାସନ ଶକ୍ତ ଆମେଇ ସର୍ବହରା ।

ଝାଞ୍ଜି ପବନ ସହିରେ ସଘନ ଗହିରେ ରୋଇଲୁ ଧାନ

 

ବରଷା କାଦୁଅ ଚକଟି କେତେରେ ଖିନ୍ନ କରିଲୁ ପ୍ରାଣ ।

ପଉଷ ପ୍ରଭାତେ କାଟିଲୁ ଶସ୍ୟ ହସିଲେ ନିଖିଳବାସୀ

ଶକ୍ତିଶାଳୀର କରାଳ କବଳ ନେଲାରେ ସକଳ ଗ୍ରାସୀ ।

କେତେ ଯେ ଦେଏଣା କେତେ ଯେ ପାଉଣା ମହାଜନ ଜମିଦାର

ନେଲେଟି ଶୋଷିରେ ଚାହିଁଲୁ ନୀରବେ ଘେନି କଙ୍କାଳମାଳ

ସନ୍ତାନ ଆମ ଆମରି ଆଗେରେ ଶମଶାନେ ପଡ଼େ ଟଳି

 

ମୂକ ପାଷାଣର ପରାଣ ବହିରେ ରହିଛୁ ସଭୟେ ଥରି ।

ଯେ ଯୁଗେ ମାନବ ଉଡ଼ଇ ଆକାଶେ ବୁଡ଼ଇ ସାଗର ଜଳେ

ସେ ଯୁଗେ ଆମେରେ ‘ହା’ ଅନ୍ନ ହା’ ଅନ୍ନ’ ଡାକି ବୁଲୁ ନତଶିରେ ।

ଭାଗ୍ୟ ଆଦରି ଦେଉଳ ଦୁଆରେ ମୁଣ୍ଡ ପିଟୁରେ ବସି

 

କରଭାର ସହି ଦୀନ ଦୁର୍ବଳ ନ ପାରୁ ଜୀବନେ ହସି,

ଆମେଇ ଗଢ଼ିଲୁ ବନ୍ଧୁକ, ତୋପ ତରବାରୀ ଆମ ପାଇଁ

ଆମେଇ ତୋଳୁରେ କାରାର ପ୍ରାଚୀର ବନ୍ଧନ ଗୀତ ଗାଇ

ସାମଜର ଶତ ଶୃଙ୍ଖଳ ଜାଲେ ଛନ୍ଦି ଆପଣା ଛାଏଁ

 

ଆଲୋକର ପଥ ରୁଦ୍ଧ କରୁରେ ଯୁଗ ଯୁଗାନ୍ତ ଯାଏ ।

ପୁଞ୍ଜିତ ରୋଷେ ବଞ୍ଚିତ ଆମେ ଦୀପ୍ତ ଚେତେନା ବହି

ନ ବୁଲିବୁ ଆଉ ଭିକ୍ଷୁକ ବେଶେ ଦୁଃଖ ବେଦନା ସହି ।

ପ୍ରାପ୍ୟ ଆମର ନେବୁରେ ମୁକର ଆମେ ଶ୍ରମିକର ଜାତି

 

ଫୁଟାଇବୁ ଆଜି ରକ୍ତ ପ୍ରଭାତ ଚିରି ଅନ୍ଧାର ରାତି ।

ନିଃସ୍ୱ ଯେତେକ ବିଶ୍ୱର କୋଳେ ସକଳ ଶ୍ରମିକ ଚାଷୀ

ମିଳିତ ହୁଅରେ ଆମରି ସଙ୍ଗେ ଶଙ୍କା ଜଡ଼ତା ନାଶି ।

ଥରୁ ରେ ଧରଣୀ ଆକାଶ ପବନ ଥରୁରେ ଶୋଷକ କୁଳ

 

ହସିଉଠୁ ଆଜି ସମତା ଜଗତେ ଭାଜୁରେ ପାହାଡ଼ ଚୂଳ ।

 

ଆସିଚି ମୁଁ ଆସିଚି

 

ଆସିଚି ମୁଁ ଆସିଚି!

ଦୁଃଖର ଦୁର୍ଭେଦ୍ୟ ପ୍ରାଚୀର ଭାଙ୍ଗି

ମୁଁ ଆସିଚି,

ରକ୍ତର ଦୁସ୍ତର ପାରାବାର ଲଙ୍ଘି

ମୁଁ ଆସିଚି,

କୃମିକୀଟର ଉଲ୍ଲଙ୍ଗ ଉଲ୍ଲାସ ଚିରି

ମୁଁ ଆସିଚି,

ଲଲାଟରେ ଭବିଷ୍ୟର ଉତ୍‌କୀର୍ଣ୍ଣ ଲିପି ଘେନି

ସ୍ପୁଲିଙ୍ଗର ଚଳୋର୍ମ୍ମି

ମୁଁ ଆସିଚି,

ପ୍ରାଣର ଅଧିପ ମୁଁ ସୂର୍ଯ୍ୟ,

ସ୍ନେହର ପ୍ରତିଭୂ ମୁଁ ଚନ୍ଦ୍ର,

ପର୍ବତର ସ୍ରୋତ ଦି’ଭାଗ କରି ଆସିଚି !

ମୁଁ ଧ୍ୱଂସ କରିବି

ବସିହରା ନାରୀର ଦଗ୍‌ଧ ଚକ୍ଷୁର ଜ୍ୱାଳା

ମୁଁ ବର୍ଷିବି,

ସହସ୍ରଧାରା ଅଶ୍ରୁର ଏକ ବିନ୍ଦୁ !

ଲୌହଗର୍ଭା ଧରିତ୍ରୀର ନାଭିପଦ୍ମ ଓଟାରି

ମୁଁ ଆସିଚି,

ତା’ର ଆତ୍ମା ଶୋଷଣ କରି ମୁଁ ଆଣିଚି ସ୍ତନ୍ୟ,

ନାରୀ ! ତୁମର ସ୍ତନାଗ୍ରଚୂଡାରେ ଟଳମଳ କରୁ

କ୍ଷୀରବ୍‌ଧିର ବୀଚି !

ଶିଶୁ! ତୁମର ସ୍ପୁର୍ତ୍ତି ମୁଁ ଆସିଚି !

ପ୍ରୀତିର କନ୍ଦୁକ ମୁଁ ଚନ୍ଦ୍ର,

ଜ୍ୟୋତିର ମନ୍ଦାର ମୁଁ ସୂର୍ଯ୍ୟ !

ଆସିଚି ମୁଁ ଆସିଚି !

କବନ୍ଧର ନୃତ୍ୟ ରଚନା କର କିଏ?-ବନ୍ଦ କର!

ବିକୃତିର ବିଗ୍ରହ ରଚନା କର କିଏ ?- ତଫାତ୍‌ ହୁଅ !

ବନ୍ଧୁକର ବର୍ତ୍ମରୋଧ କରି ମୁଁ ଆସିଚି ।

ବେକାର ପ୍ରତ୍ୟୁଷର ଚିତ୍କାର ଆଜି ପୋଛ,

କିରାନି ରାତ୍ରିର ପ୍ରଳାପ ଆଜି ପୋଛ

ପଶୁତ୍ୱର ବିବରମୁଖୀ ବନ୍ଧ୍ୟା ପ୍ରୀତିର ଭùଣ

ମୁଁ ଆସିଚି !

ପିଙ୍ଗଳ ଆକାଶରେ ତୁମର ଛିନ୍ନ ନଥିର ପତ୍ର

ଏଇ ଉଡ଼େ,

ଶରତର ଶୁଭ୍ର ବାଦଲ

ଆଜି ସ୍ତବ୍‌ଧ !

ଆପଣାକୁ ଆପେ ଉଜାଡ଼ କରି

ଜଳଧିର ମନ୍ଦ୍ର ନିନାଦ ଭଳି

ଭଲ ପାଅ, ମତେ ଭଲପାଅ

ମୁଁ ଆସିଚି

ଶସ୍ୟର ଶାଶ୍ୱତୀ ବାଣୀ, ମୁଁ ପ୍ରଜ୍ଞା!

ଚିମ୍‌ନିର ଆଲିମ୍ପନ ଲେଖି

କାର୍ପାସ୍‌ର ଚୂର୍ଣ୍ଣ କଥାରେ

କାଶ କିଏ ? କାଶ !

କାଶହାସରେ ଲୌହ-ଲାବଣ୍ୟ ଆଣି

କାଶ କିଏ ? କାଶ !

ତୁମର ପିଷ୍ଟ ପେଶୀରେ ବଜ୍ରର ବିଳାପ

ବାଜୁ !

ଅକାଳ ପକ୍ୱ କେଶରାଶିରେ ଚୀନାଂଶୁକର ସ୍ପର୍ଶ

ଲାଗୁ !

ଯୁଗର ବକ୍ଷରେ ମୁଁ ଅକାଳ ବସନ୍ତର ତିତିକ୍ଷା ।

ମୁଁ ପୁରୁ !

କପାଳର ଘର୍ମ ତୁମର ଓଷ୍ଠପୁଟରେ ନଇଁ

ମୁଁ ଆସିଚି, ମୁଁ ଆସିଚି !

ଯନ୍ତ୍ର-ମୁଖର ଦିବାକୁ ନିର୍ନିମେଷ ନୀରବତାରେ

ଦୀର୍ଣ୍ଣ କରି

ଆସିଚି, ମୁଁ ଆସିଚି!

ଆଣବିକ ଖଡ଼୍‍ଗ ଧର କିଏ ? -ଦୂର ହୁଅ !

ବୈଦ୍ୟୁତିକ ବାତ୍ୟା ଆଣ କିଏ ?- ଦୂର ହୁଅ !

ଆସିଚି, ମୁଁ ଆସିଚି !

ଯାଚ୍‌ଞ୍ଜାର ଅର୍ଜି-ସ୍ତୂପ ଠେଲି ମୁଁ ଆସିଚି !

ସ୍ଥବିରତାର ମର୍ମ ଭେଦ କରି

ମୁଁ ଆସିଚି,

ତାରୁଣ୍ୟର ଅଭିମାନ ମୁଁ !

 

ଲଙ୍ଗଳର ପଥ ରୋଧ କର କିଏ ?- ପ୍ରସ୍ତର

ଶସ୍ୟର ସ୍ମିତ ରୋଧ କର କିଏ ?-ପଙ୍ଗପାଳ !

ଆତ୍ମାର କଣ୍ଠ ରୋଧ କର କିଏ ?- ଆତତାୟୀ!

ଅନିରୁଦ୍ଧ ସ୍ମିତ ମୋର ଛୁଟେ

ଦିକ୍‌-ଦିଗନ୍ତ ଛୁଟେ

ପ୍ରାଣର ପ୍ରଣବରେ ଦୂର ହୁଅ

କାତରାଶ୍ରୁର ପ୍ରେତ,

ମାତୃଘାତୀର ପ୍ରୀତି !

 

ଆସିଚି ମୁଁ ! ଆସିଚି

ହୃତ୍‌କମ୍ପର ଜ୍ୱଳଦର୍ଚ୍ଚି ବର୍ତ୍ତି !

 

ନିଜ ବନ୍ଦନା ପଢ଼େ

 

ନିଜ ବନ୍ଦନା ପଢ଼େ, ସଜନି ରେ !

 

ନିଜ ବନ୍ଦନା ପଢ଼େ,

 

ରଶ୍ମି-ଲୁଳିତ ରସ-ଉତ୍ସବେ

 

 

ଝୁମି ଝୁମି ଆଜି ପ୍ରୀତି-ସଞ୍ଜରେ

 

 

 

ନବ ତୃଷ୍ଣାର ଝଡ଼େ ।

 

 

 

 

ବିଦùପି ତମେ ମୁହଁ ମୋଡ଼ି ଯାଅ

 

 

ମୁହଁ ମୋଡ଼ି ରହ ଚାହିଁ

 

 

ମୁଗ୍‌ଧ ମୋ ଧରା

 

 

ପ୍ରୀତି-ଅମ୍ବରା,

 

 

ରସ-ଶୃଙ୍ଗାରେ ସଙ୍ଗୀତ-ଝରା,

 

 

ରଚେ ଅଭିସାର କାହିଁ !

 

 

ଶ୍ରମଶିଞ୍ଜନୀ ଘର୍ମିଳ ଛାୟା

 

 

ମନଅଙ୍ଗନେ ପଡ଼େ

 

 

 

ନିଜ ବନ୍ଦନା ପଢ଼େ !

 

 

 

 

ଏଇ ରାଜଧାନୀ ରାଜଘାଟ ତଳେ

 

 

ରୁଧିରେ ରୁଧିରେ ମର୍ମ ପଖାଳି

 

 

ନିଭୃତେ ଜଳେ

 

 

 

କେତେ ଉଷସୀର ଉଷା,

 

 

 

 

କେତେ ସଂଶୟ ମୁଦିରେ, ମୁଦିରେ

 

 

ତାର ବିଦ୍ୟୁତ୍‌-ଭୂଷା ।

 

ନିଜ ବନ୍ଦନା ପଢ଼େ, ସଜନି ରେ !

 

 

ଅନୁକମ୍ପାରେ ହସ !

 

ନିଜ କ୍ଷୁଦ୍ରତା ଅଞ୍ଚଳେ ଭୀରୁ !

 

 

ସୁର-ବିଭ୍ରମେ ପଶ !

 

ତମେ କି ଜାଣୁଚ ?ସେ ପାଖେ ଖଡ଼୍‍ଗ

 

 

ଏ ପାଖେ ଅଶ୍ରୁଧାରା,

 

 

ପଶ୍ଚାତେ ନାଚେ ମରୁ !

ସମ୍ମୁଖେ ଥରେ ଘନ-କୁଝ୍‌ଝଟି ରଣ-ଉଦ୍‌ଜାନ-ତାରା

 

 

ଧୀର ଅସ୍ଥିରେ

 

 

 

 

ହୃଦ-ବସ୍ତିରେ

 

 

 

ବୁଲେ ନିର୍ଭୀକ ବୋଧିକଳ୍ପର ତରୁ !!

 

 

 

 

ଶତ ଦର୍ଶନ ଶାଖାରେ ଶାଖାରେ

 

 

ଆଶା -ଆଗ୍ନେୟ କଢ଼େ

 

 

ନିଜ ବନ୍ଦନା ପଢ଼େ !

ଝଲମଲ କରେ ସମୀପେ, ସୁଦୂରେ

 

 

କେତେ ହତ୍ୟାର ପ୍ରେତ,

 

 

 

ମର୍‌ମରି ଉଡ଼େ ପ୍ରାଣ-ଉର୍ମିର ନେତ !

କେତେ ଉଦ୍ଧତ ସ୍ୱର୍ଣ୍ଣର ହ୍ରେଷା, ମତ୍ତ ବାରଣ ଚାଲି,

 

 

କାହିଁ ନିଭିଗଲା...କାହିଁ !

 

ଇତିହାସ -କୂଳେ ଛିନ୍ନ, ସଜନି !

 

 

ଭ୍ରାତୃ-ବିବାଦେ ଅକ୍ଷକ୍ରୀଡ଼ାର ପାଲି,

 

 

ନିଃଶ୍ୱାସେ ମୋର

 

 

 

ନାହିଁ, ବାନ୍ଧବି ନାହିଁ !

 

 

 

 

ଠୁକ୍‌ ଠୁକ୍‌ ବାଜେ ମୈତ୍ରୀ- ନିହଣ

 

 

ନିରୋଳ କର୍ମ-ନୀଡ଼େ

 

 

 

ସ୍ୱଚ୍ଛ ସ୍ୱପନ ସଂକେତେ ଅବଗାହି,

ଜରା-ଯୌବନ-ପକ୍ଷ-ଉହାଡ଼େ

 

 

ଦରୋଟି ବାର୍ତ୍ତା ବିଡ଼େରେ ଚିତ୍ତ, ବିଡ଼େ ।

କେତେ ବ୍ୟର୍ଥତା ବାଲିର ପାହାଡ଼େ

 

 

ଇସ୍ପାତୀ କୁହୁ ବଢ଼େ !

 

 

ନିଜ ବନ୍ଦନା ପଢ଼େ !

ନିଜ ବନ୍ଦନା ପଢ଼େ, ସଜନି ରେ !

 

 

କୁଞ୍ଚିତ କର ନାସା !

 

ରୋଷ-କମ୍ପିତ ପକ୍ଷ୍ମରୁ ଢାଳ

 

 

ହୀନ ହିଂସୁକୀ ଭାଷା !

 

ନିଜ ବନ୍ଦନା ପଢ଼େ ସ୍ପର୍ଦ୍ଧାରେ,

 

 

ଗୀତି-ଶ୍ରଦ୍ଧାରେ,

 

ନବ-ଶୌର୍ଯ୍ୟର ସ୍ନେହ-ଶାଦ୍‌ବଳ ଗଡ଼େ ।

 

 

ନିଜ ବନ୍ଦନା ପଢ଼େ !

 

 

 

 

 

ମୁଁ କି ଢାଳୁ ନାହିଁ କୁସୁମ-ଅର୍ଘ୍ୟ

 

 

ଦଗ୍ଧ ନୟନ-ପଥେ ?

 

ମୁଁ କି ଜାଳୁ ନାହିଁ ସୂର୍ଯ୍ୟ-ରୋଶନି

 

 

ହିମ-କୋଣାର୍କ-ରଥେ ?

 

ମୁଁ କି ତୋଳୁ ନାହିଁ ମୈତ୍ରୀ- ମୀନାର,

 

 

ମମତା-ସେତୁରେ ଅଶ୍ରୁ-ଝରଣେ ତାଜ୍‌ ?

ମୁଁ କି ଗୋଳୁ ନାହିଁ ଗହମ୍‌ ହସରେ

 

 

ବିସ୍ମୃତ ଏସ୍‌ରାଜ୍‌ ?

 

ମୁଁ କି ରେ ଦଳୁନି ନଥିରେ, ନଥିରେ

 

 

ଦୁର୍ନୀତି-ବ୍ରତ

 

 

 

ଚିତ୍ରିତ ତନୁ,

 

 

 

 

ଦୁଃଖର କ୍ଷତ ?

 

 

 

 

ମୁଁ କି ରେ ଚାହୁ ନି

 

 

ଧୂଳି-ଘରଣୀର ଧୀର ଶର୍ମିଳ ଗାନ ?

ମୁଁ କି ରେ ଲୋଡ଼ୁନି

 

 

ବାହାରେ ଆକାଶ, ଭିତରେ ଆକାଶ,

 

ଅନ୍ତ୍ରନାଡ଼ିର ମଣିପଦ୍ମରେ ଭୃଙ୍ଗର ହାସ,

ମୁଁ କି ରେ ମାନିଚି

 

 

ବ୍ୟବଧାନ କଥା ସମ୍ମାନ-ଅବିଧାନ ?

 

ମୁଁ କିରେ ଖୋଳୁ ନି ମର୍ମର ଖଣି,

 

ମରୁ-ଖର୍ଜ୍ଜୂରେ ଫୁଲ-ଫଲ୍‌ଗୁର-ଧାରା,

 

ମୁଁ କି ରେ ବୁଣୁ ନି

 

 

ଜଗନ୍ନାଥର ବୀଜ ଓଁ କାରେ

 

 

‘ଜାରା’-ଜୀବନର କେତେ ଝୁମୁରୁର ଜ୍ୱାଳା ?

କାଶ୍ମିରୀ ବଧୂ-ରକ୍ତ-କପାଳେ,

 

 

ମୁଁ ଯେ ସତର୍କ,

 

 

 

ପ୍ରୀତି-ବିତର୍କ,

 

 

 

 

କେତେ ବିକରାଳ ନିଶି ଅଶ୍ଳେଷେ

 

 

ଅରାଳ ଲକ୍ଷ୍ମୀ, ମରାଳର ଅଭିଯାନ,

ସଂଗ୍ରାମୀ ମୁଁ ତ କାଳ-ତିତୀର୍ଷା,

 

ଚିର ଚଳିଷ୍ଣୁ ବୀର-ଚିକୀର୍ଷା,

 

 

ଅଣୁ-ଗର୍ଭରେ

 

 

 

ନିମିଷୁ ନିମିଷେ

 

 

 

 

ଜୀବନର ଅଭିଜ୍ଞାନ ।

 

 

 

 

ଲଢ଼େ ମୁଁ ନୀରବେ

 

 

 

ଲଢ଼େ ମୁଁ ଧୀରବେ,

 

 

 

ମୃତ୍ୟୁର ସହ ଲଢ଼େ !

ନିଜ ବନ୍ଦନା ପଢ଼େ, ସଜନି ରେ,

 

 

ନିଜ ବନ୍ଦନା ପଢ଼େ !

 

ବର୍ଣ୍ଣାଳି-ପୁରେ ଯେ ହାତ ନଚାଏ

 

 

ବର-ବର୍ଣ୍ଣିନୀ ବିଭା,

 

ଯେ ହାତ-ଆତ୍ମା

 

 

ଋତ-ଯନ୍ତ୍ରୀର

 

 

 

କୃତି-ମନ୍ତ୍ରୀର,

 

 

 

 

ଗଢ଼େ ମୁଁ, ଗର୍ବେ ଗଢ଼େ ।

କେତେ କରବୀର କର୍ଣ୍ଣିକାରର

 

 

 

ବକ୍ଷେ ଜଳି ରେ

 

 

 

କ୍ଷୁବଧେ ଢଳିରେ,

 

ରଣ-ଉତ୍ସବ ଦଳି ମୁଁ, ଦଳିରେ

 

 

 

ନିଜ ବନ୍ଦନା ପଢ଼େ !

 

ତୃପ୍ତି ବିହୀନ ତୃଣର ତୃଷାରେ

 

 

ସ୍ନେହ-ଶୀତ୍କାରେ ପଢ଼େ,

 

ଭାଷା-ବିଭାଷାର ବନ୍ଧନ ଚିରି

 

 

ତୋର ଚୁମ୍ବନ-ଝଡ଼େ

 

 

ସଜନି ଲୋ !

 

 

 

ତୋର ଚୁମ୍ବନ ଝଡ଼େ ।

 

ଚୁପ୍‌କର ! ଚୁପ୍‌କର !

 

ମୋ ବୁଟ୍‌ ବାଜିଲା

 

 

କପାଳେ, କପାଳେ,

 

 

 

 

ଠକ୍‌,ଠକ୍‌ ଏଇ

 

 

ସାମ୍ୟର ତାଳେ

 

 

ହୃଦୟେ ହୃଦୟେ

 

 

ଶାନ୍ତି ଉଦୟେ,

 

 

ପ୍ରୀତି-ଉଦ୍‌ବାହେ

 

 

ନିର୍ମମ ଥର ଥର !

 

ଚୁପ୍‌କର ! ଚୁପ୍‌କର !

 

ମୋ ବୁଟ୍‌ ବାଜିଲା ଠକ୍‌ ଠକ୍‌ ଏଇ,

 

 

ସୁନ୍ଦରତମ ସୃଷ୍ଟିରେ ଝର୍‌ ଝର୍‌ !

 

ସକାଳଟିଏ ଚାହେଁ ମୁଁ

 

ସକାଳ ! ସକାଳଟିଏ ଚାହେଁ ମୁଁ,

ଆଜିର ନୁହେଁ, କାଲିର ନୁହେଁ,

ସକାଳଟିଏ ଚାହେଁ ମୁଁ !

 

 

କାଳର ଘୂର୍ଣ୍ଣନରେ ସ୍ତବ୍‌ଧ ଯିଏ, ଶୁଣ !

ହଳୀର କର୍ଷଣରେ ମୃତ୍ତିକାରେ ମର୍ମରଣ ମୁଁ, ଶୁଣ !

ଚାହେଁ ମୁଁ ସକାଳ, ସେମିତି ଗୋଟିଏ ସକାଳ,

ଶ୍ରମର ବିଳାସରେ ହସିବାର ଦାୟିତ୍ୱ ନେଇ ଆସିବ ଯିଏ,

ବଲ୍‌ଗା-ଛାଡ଼ ସୃଜନୀର ବାର୍ତ୍ତାରେ

ବସନ୍ତର ବ୍ୟାକୁଳତା ଭଳି-

ନିଷ୍କାମ କାମନାରେ ଓଲଟ ପଦ୍ମର ପାଖୁଡ଼ାରେ

ଆସିବ ଯିଏ

ପେଚକଷ୍‌ର ଫୁର୍ତ୍ତିରେ, ଗଇଁତିର ଗୀତିରେ-

ଆଗ୍ନେୟ ବାସନାରେ ବିହିଳ କରି ନୁହେଁ,

ସଚେତ କରି ସତେଜ କରି ଯୁଗକୁ,

ଚାହେଁ, ମୁଁ ସେମିତି ଗୋଟିଏ ସକାଳ-

 

 

ମୁଁ ଚାହେଁ ସେମିତି ଗୋଟିଏ ସକାଳ-

ଯାହା ପାଇଁ ଆତ୍ମଘାତୀ କି ଶହୀଦ ହେବାକୁ ହେବ ନାହିଁ

ଖ୍ୟାତ କି ଅଖ୍ୟାତ କେତେ ଗାନ୍ଧୀ କି କିଙ୍ଗ୍‌କୁ,

ଘୃଣ୍ୟ ଯେତେ ଧର୍ମାନ୍ଧତାର ଚୋଟରେ

ଲୋଟିବ ନାହିଁ ରକ୍ତରେ-ଲୋଟିବ ନାହିଁ

ଇନ୍ଦିରାର ଇନ୍ଦୁ !

ଶଙ୍କିତ ଭାବନାରେ ଯାହା ପାଇଁ

ନିଦ୍ରିତ ମୁହୂର୍ତ୍ତରେ ନିତି,

ହିଂସାର ଶୃଙ୍ଗାରରେ ବୀଭସି

 

ଛାଡ଼ିବ ନାହିଁ ଥୋଲାକୁ ଥୋଲା

ମୈତ୍ରୀର ମାଂସ-

 

ଗଡ଼ିବ ନାହିଁ ଗୋଟାକୁ ଗୋଟା

ବର୍ଣ୍ଣିଳ ଯେତେ ବାରୁଦମୟ ଆକାଶ,

 

ଜନୟତ୍ରୀ ଧରିତ୍ରୀ ଆମର-ଆଃ

 

ନା, ହେବ ନାହିଁ - ଧର୍ଷିତା !

 

 

ଚାହେଁ ମୁଁ ସେମିତି ଗୋଟିଏ ସକାଳ !

ନିର୍ମାଣର ଚରମତମ ବିନ୍ଦୁରେ

ମୀମାଂସିତ ସମସ୍ୟାର ପ୍ରହେଳି !

ରୋମାଞ୍ଚିତ କରିବ ଆତ୍ମାକୁ ଯାହା ତୁମର ଆଉ ମୋର-

ଚମକିୃତ କରିବ

ଗ୍ରହ ଆଉ ଗ୍ରହାଣୁର ପୁଞ୍ଜକ!

 

 

ଚାହେଁ ମୁଁ ସେମିତି ଗୋଟିଏ ସକାଳ !

ବିଦ୍ୟୁନ୍ମୟ ଚୁମ୍ବକର ଅଧରରେ ଯାହାର

ଥରିବି ମୁଁ ସଜାଗ ହୋଇ ବିହ୍ୱଳ ତାର ଚୁମ୍ବନରେ

 

ପ୍ରୀତିର ପଲ୍ଲବମୟ ଶଯ୍ୟାରେ ପ୍ରଗାଢ଼-

 

ପ୍ରଳୟଙ୍କର ଆଣବିକ ବକ୍ଷରେ ଯାହାର

 

ଝରିବି ମୁଁ ଶୀକରିଳ ସ୍ମୃତିରେ

 

ରାତ୍ରିର

 

ଉଷାର ଉଲ୍ଲାସ ।

 

 

ଚାହେଁ ମୁଁ, ନୂତନତମ ସକାଳ-

ବର୍ତ୍ତମାନର ଆବର୍ତ୍ତରେ-

ଭବିଷ୍ୟର ବିବର୍ତ୍ତମାନ କୃତି ମୁଁ ନିଜର-

 

ଅଣୁର ଅରଣ୍ୟରେ

 

ରଶ୍ମିର,

 

ଲତା ପତ୍ରର ଉତ୍ସବ ହେବ ଯାହା,

ନା, ନିଭିବ ନାହିଁ, ନିଭିବ ନାହିଁ

 

କୁସୁମର କ୍ରାନ୍ତିରେ

 

ଆମର ଅଶ୍ଳେଷରେ, ବନ୍ଧୁ !

ପ୍ରାଣର କନ୍ଦରରେ ଆମର-!

 

ଚାହେଁ ମୁଁ ସକାଳଟିଏ,

 

ତୁମେ କ’ଣ ଚାହଁ ନା ?

 

ଚାହଁ ନିଶ୍ଚୟ ସେମିତି !!

 

 

ସଚ୍ଚିଦାନନ୍ଦ ରାଉତରାୟ

୧୯୧୬-୨୦୦୪

 

ଆଧୁନିକ ଓଡ଼ିଆ କବିତାର ଆଦିକବି ପଦ୍ମଶ୍ରୀ ସଚ୍ଚି ରାଉତରାୟ ଆମ ସମୟର କିମ୍ବଦନ୍ତୀ ଓ ସମଗ୍ର ଭାରତବର୍ଷରେ ବିରଳ ବ୍ୟକ୍ତିତ୍ୱର ବିସ୍ମୟ । ମାଟିର ମହାକବି ଓଡ଼ିଆ ଭାଷା ସାହିତ୍ୟର ସେ ହେଉଛନ୍ତି ପ୍ରବାଦ ପୁରୁଷ, ଅଗଣିତ ଓଡ଼ିଆଙ୍କ ପାଇଁ ପ୍ରାତଃସ୍ମରଣୀୟ ।

 

ବିଂଶଶତାବ୍ଦୀର ଯୁଗସ୍ରଷ୍ଟା କାବ୍ୟକାର, ସଂଗ୍ରାମର ସାରଥୀ ସଚ୍ଚି ରାଉତରାୟ ଛାଡ଼ି ଯାଇଛନ୍ତି ଅଜସ୍ର କବିତାର ଅଗ୍ନିଫୁଲ, ରକ୍ତର ରଚନା, ସର୍ଜନାର ସତ୍ୟପାଠ, କ୍ରାନ୍ତିର କାଳଜୟୀ ମୁକ୍ତି ଗୀତ ଓ ଆନ୍ଦୋଳନର ଆଣ୍ଟପଣ । ଏଇଥି ପାଇଁ କେବେ ହୋଇଛି ତାଙ୍କ ପ୍ରକାଶିତ ପୁସ୍ତକର ବାଜ୍ୟାପ୍ତ, କେବେ ସେ ଷଡଯନ୍ତ୍ରର ଶୀକାର ତ କେବେ ମିଳିଛି ତାଙ୍କୁ କାରାବାସ କେବେ ପୁଣି କର୍ମ କ୍ଷେତ୍ରରୁ ବିତାଡ଼ନ ।

 

‘ନବଯୁଗ ସାହିତ୍ୟ ସଂସଦ’ରୁ ‘ଗଡ଼ଜାତ ପ୍ରଜାଆନ୍ଦୋଳନ’ ଯାଏ ଜଡ଼ିତ ଏହି ବରପୁତ୍ର ନିଜ ଜୀବନର ଶେଷ ପର୍ଯ୍ୟନ୍ତ ହାତଛଡ଼ା କରିନଥିଲେ ପ୍ରିୟ କଲମ, କବିତାର ଆଲିଙ୍ଗନ ଓ ନିମ୍ନବିତ୍ତ ମଣିଷମାନଙ୍କ ସହିତ ଶବ୍ଦଗତ ସମ୍ପର୍କ । ଏକାଧାରାରେ ଏକ ନୂତନ ସମୟର ପୁରୋଧା, ଯୁଗ ପ୍ରବର୍ତ୍ତନକାରୀ କବି, ଗାଳ୍ପିକ, ଔପନ୍ୟାସିକ, ପ୍ରାବନ୍ଧିକ ଓ ଚିରସଂଗ୍ରାମୀ ମଧ୍ୟ । ଦୀର୍ଘବର୍ଷର ସାରସ୍ୱତ ସାଧନା ବଳରେ ଓଡ଼ିଆ ସାହିତ୍ୟରେ ଯେଉଁ ସ୍ଥାପତ୍ୟ ନିର୍ମାଣ କରିଯାଇଛନ୍ତି, ତା ଉପରେ ଆଜି ଆଧୁନିକ କ୍ରାନ୍ତିକାରୀ କବିତାର ଜୟଯାତ୍ରା ଜାରି ରହିଛି ଯୋଜନରୁ ଯୋଜନ ଯାଏ ।

 

୨୦୦୪ ମସିହାରେ ଏହି ମହାକବିଙ୍କ ଅନ୍ତିମ ବିଦାୟ ଆମ ସାହିତ୍ୟ ଜଗତ ପାଇଁ ଅପୂରଣୀୟ କ୍ଷତିର କାରଣ ହୋଇଥିଲେ ବି ତଥାପି ସେ କୋଟି କୋଟି ଓଡ଼ିଆଙ୍କ ପ୍ରାଣରେ ବଞ୍ଚିଛନ୍ତି ଛୋଟ ମୋର ଗାଁଆ ଟିଏ....ର ମଧୁର ମୂର୍ଚ୍ଛନା ହୋଇ ।

 

ଲେନିନ୍‌

 

ଲେନିନ୍‌ ଲେନିନ୍‌ ଡାକେ ମୋ’ ଲେଖନୀ

 

ଯେତେବେଳେ ଯେତେଥର

ତୃପ୍ତି ମିଳେନା, ପୁଣି ଡାକିବାକୁ

 

ଇଚ୍ଛା ହୁଏ ବାରବାର

 

ଏ ଯେଉଁ କବିତା ଲେଖିଥିଲି ମୁହିଁ

ସତୁରି ସାଲରେ ଦିନେ

ଆଜି କିଆଁ ତାହା କୁହୁଳି ଉଠୁଛି

 

ଅନ୍ତରେ ମୋର

ନୂଆସ୍ୱରେ, ନୂଆଗାନେ

ରହିଛି ଲେନିନ୍‌ ରହିଛି ଦୁନିଆ

ମଣେ ନିରାପଦ ମହୀ

ସେହି ଲେନିନ୍‌କୁ କେଉଁଠି ଥାପିବ ଲାଲ ଚଉକରୁ ନେଇ

 

କହ କେଉଁ ଯାଦୁଘରେ ?

 

 

ସାରା ବିଶ୍ୱରେ ଛଡ଼େଇ ପଡ଼ିଚି ଯିଏ

ସାରା ଚେତନାରେ ଛୁଉଁ ଛୁଉଁ ମିଶିଯାଏ

ତାକୁ ଉତାରିବ କାହୁଁ ?

 

 

ଲାଲ ପତାକାକୁ ରଖିବ କେଉଁଠି କହ

ଚାହୁଁ ଚାହୁଁ ସେ’ତ ଆକାଶେ ଉଡ଼ିବ

ଲାଲ ଛକେ ଆଖି ଆଗେ,

ସେ ପୁଣି ରଚିବ ସାମ୍ୟର ସମାରୋହ

ଗଢ଼ିବ ପୁଣି ସେ ଶାନ୍ତିର ବୁନିଆଦ,

ଆକାଶେ ଆକାଶେ ଶୁଭେ ତାର ଜୟନାଦ

କୋଟି ମଣିଷର ଲହୁ ଲୁହେ ଯାହା ଆର୍ଦ୍ର

 

ପବିତ୍ର ସେଇ ପତାକା କ’ଣ ମରେ-

ଇତିହାସ ବୁଝ ? କହ କହ ପିଲେ

 

କାହିଁ ତମ ଗ୍ରନ୍ଥାଗାର

ଘରେ ଘରେ ଯାହା ଉଠିଥିଲା ଗଢ଼ି,

 

ସାମ୍ୟବାଦୀର ଘର

ସବୁ ଭୁଲିଲଣି, କିଛି ତ ଜାଣୁନା

 

ଯାହା ଜାଣ ମନେ ନାହିଁ ।

 

 

ଭୁଲିଗଲ ସବୁ ସ୍ମୃତି

ଯେ ସ୍ମୃତି ପାଲଟେ ଉପକଥା, କିମ୍ବଦନ୍ତୀ

ଜାତିର ମାନସ ରୂପ

 

ଦେବାକୁ ପ୍ରେରଣା

ନୂତନ ପିଢ଼ିକି ତାହା,

 

ଚେତନାର ଆଦିରୂପ,

ହୁଏ ଯାହା ଅତିକଥା ସମୟର ତୂଳିକାରେ

ସ୍ଥାନ ନିଏ ଯାହା

କାଳୁ ଯାଇ କାଳାନ୍ତରେ ॥

 

 

ମାତିଛ ବାହାର ରଙ୍ଗେ

ବ୍ୟକ୍ତିର ତୁମେ ଚାହଁ ସ୍ୱାଧିକାର,

 

ଭାଙ୍ଗିଦେଇ ଗଣ-ସଂଘେ,

ଚାହଁ ସ୍ୱାଧୀନତା, ଭଲ କଥା ବାବୁ

ମୋତେ କହ ଦେବି ଆଣି

ଭୋକ ଓ ଅଭାବ ବେକାରୀରୁ ମୁକ୍ତି,

ସଂସ୍କୃତିର ଅବସର,

ବ୍ୟକ୍ତିର ବିକାଶମୂଳ ସ୍ୱାଧୀନତା ଯାହା

ସେହି ସ୍ୱାଧୀନତା ଲୋଡ଼ା ନା ଆହୁରି କିଛି,

ଦୁଃଖେ ଅଭାବେ ମରିବା ସ୍ୱାଧୀନ ହୋଇ

 

ମୁକ୍ତିର ଜୟ ଗାଇ !!

 

କେଉଁ ସ୍ୱାତନ୍ତ୍ର୍ୟ ଚାହଁ ?

ଦେଖିଥିବ ତୁମେ ଲୁହାର ପରଦା ଠେଲି

ସୁନା ପରଦାର ଆରପାଖେ ବହୁ ଦୃଶ୍ୟ,

ଇହୁଦୀ ଚମରେ ଗଢ଼ା ଲ୍ୟାମ୍ପ ସେଡ୍‌

 

ହିଟ୍‌ଲର ଟେବୁଲରେ,

ଦେଖିଥିବ ତୁମେ ମଣିଷ ଖାଇବା

ମଣିଷର କଞ୍ଚା ମାଂସ

ଶୋଷଣର ଦରବାରେ

କେଫେ ଓ କାବାରେ ଦେଖିଥିବ ବହୁ ବଣ ମଣିଷଙ୍କ ନାଚ

ଦେଖିଥିବ ତୁମେ ଜୀବନଟା ଯହିଁ ବିଳାସର ଏକ ମଞ୍ଚ,

ଦେଖୁନାହଁ ତୁମେ ଆଜି ଆଖି ମେଲି ସାରା ଦେଶେ ନାଚି ବୁଲେ

ହଜାର ହଜାର ନାତ୍‌ସିର ମଡ଼ା ଅସମ୍ଭବ ଉତ୍‍ଫୁଲେ

ଷ୍ଟାଲିନ୍‌ଗ୍ରାଡ୍‌ର ସଡ଼କରେ...କବରରେ

ସେ ଦିନର କଥା ହେଜି

ଅବରୋଧ କରି ଲାଲ ବାହିନୀକୁ

 

 

 

ମାସ ମାସ ଥିଲେ ରଖି

ଖଣ୍ଡେ ସିଗାରେଟ୍‌ ବାଣ୍ଟି ଶୋଷୁଥିଲେ

 

ଦଶ ଜଣ ଲାଲରକ୍ଷୀ,

ରୁଟି, ପାଣି କଥା ଛାଡ଼

ଝଡ଼ ବରଫରେ ମରୁଥିଲେ ଶହ ଶହ

 

ଋଷିଆର ପୁଅଝିଅ

ଟାନିଆର ବୁକୁ ତଳେ ଲୋଟିଥିଲା

ନାତ୍‌ସି ବୁଲେଟ୍‌ ମାଡ଼େ

ସେଦିନର କଥା ଭାଳ

 

 

ଜାଣେ ପଛେଇଚ ଟେକନୋଲୋଜିର ରଣେ

ମାନ୍ଦା ପଡ଼ିଛି ଦେଶର ଅର୍ଥନୀତି

କମି ଯାଇଅଛି ଉତ୍ପାଦନର ଅଙ୍କ ପରିମାଣ ଆଉ ଗୁଣ

କାହାର ଏ ଗଫ୍‌ଲତି ।

 

 

ଶୃଙ୍ଖଳାକୁ ତ ଶୃଙ୍ଖଳ ମଣ ଶେଷେ ହେଲା ସବୁ ଇତି

ଯାହା ଥିଲା ତ୍ରୁଟି ସୁଧାରି ପାରନ୍ତ

 

ସାମ୍ୟବାଦର ବାଟେ

ତା ନ କରି ବୁଦ୍ଧି ନାଶ

 

ଆମଦାନୀ କଲ ଦର୍ଶନ ପୁଣି ରୁଷ୍‌ !!

ବୁଝ ଯଦି ଇତିହାସ

ଦେଖ ଭଲକରି ମେସ୍କୋର ଶିରେ

ଉଡ଼ୁଅଛି ଧ୍ୱଜା ଲାଲ୍‌,

ବିସ୍ମିତ ରାଜଧାନୀ,

ବିସ୍ମୟ ମଣେ ଯେତେ ଦର୍ଶକ,

 

ଯାତ୍ରୀ, ପର୍ଯ୍ୟଟକ

ମାର୍କିଣ୍‌ ଦେଶ ଲୋକ ଧରି ଡଲାଲର ଜାଲ,

ରହିଛନ୍ତି ଯେ ହୋଟେଲ୍‌ ବଜାର ଭରି

 

ଭାଗ୍ୟ-ଶିକାରୀ ଦଳ ।

 

ବିଭ୍ରମୀ ! ହୁସିଆର ॥

 

ପତାକା ଓହ୍ଲାଅ ନାହିଁ

ପତାକା ଓହ୍ଲାଅ ନାହିଁ

ଏ ପତାକା ନୁହେଁ ସାଲୁକନା,

କୋଟି କୋଟି ମଣିଷର ରକ୍ତେ ତାହା ଲାଲ,

ଭୋକୀ ଦୁଃଖୀ, ଶୋଷିତର ଆଶାର ମଶାଲ,

ସେ ମୁକ୍ତିର ବାନା,

ପୃଥିବୀର ଭାରସାମ୍ୟ

 

ସାମ୍ୟର ବୈରଖ,

ଶତାବ୍ଦୀର ଶେଷ ସାଲିଆନା,

ମେହନତୀ ମଣିଷର ଝଣ୍ଡା

ଅଦଭୂତ ଚିରାଳ

ଏ ପତାକା ସକାଳର

ଭିଜାଅନା ତାକୁ ମୋ ଲୁହରେ

ବିନିଦ୍ର ରାତିରେ ।

ମୁଁ ନୁହେଁ କାହାର ଲୋକ,

 

ନୁହେଁ କେଉଁ ଦଳର ଗ୍ରାହକ

ମୁଁ ଏକ ସାଦାସିଧା ନିରୋଳା ମଣିଷ

 

(ବରଂ ଝଗଡ଼ା କରେ ଏକଚ୍ଛତ୍ର ସଙ୍ଗେ)

ତଥାପି ମୁଁ ମଣେ ଅସହାୟ

ବଡ଼ ଏକୁଟିଆ ସାରାଟା ସଂସାରେ ।

ଅବନତ ନାଜୀସେନା ଓଳଗି ଯାହାରେ

ଯାଇଥିଲା ହଟି,

ଦୁର୍ଦ୍ଧର୍ଷ ପୁଞ୍ଜିର ହାତ ଛୁଇଁବାକୁ ଖୁଣ୍ଟି

ଯାର ଦିନେ ପାରିନି ଭରସି

ତାକୁ ତୁମେ ହଟାଅନା, ଲୋଟାଅନା ତଳେ...

ଦାଣ୍ଡେ ବା ବଜାରେ ।

ଏ ପତାକା ଲେନିନ୍‌ର

 

ଏ ପତାକା ମାକ୍‌ସିମ୍‌ ଗର୍କିର

ଗଙ୍ଗାଠୁ ଭଲ୍‌ଗା ଯାଏ

ସାରା ସଂସାରର ଏହା ଇତିହାସ

ଏ ସାରା ମଣିଷ ଜାତିର ଦିବ୍ୟ ଉଆରସ ।

ତା ଲାଞ୍ଛନ ଦାଆ ଓ ହାତୁଡ଼ି

ଗାଇଅଛି ପୃଥିବୀର ସର୍ବହରା

ହରାଇବ କେବଳ ଶିକୁଳି,

ଉଠାପଡ଼ା ଗଣ ସଂଗ୍ରାମରେ

ଏ ପତାକା ମୋ ହାତରୁ ନେଇଛି ସଲାମ

ଦେଇଛି ସଲାମ ତାହା ଅଗଣିତ

ଲାଲ ଫଉଜର, ବିଶ୍ୱ ସାରା

 

ଲାଲ ନଭେମ୍ବରେ ।

କହିଥିଲି ଝିଅକୁ ମୁଁ ମା’ଲୋ

ବରିନେବୁ ସେହି ଜନେ ବକ୍ଷେ ଯା ଅଙ୍କା ଧ୍ୱଜା ଲାଲ

ତୋର ପାଣି ପ୍ରାର୍ଥୀ ହୋଇ ଆସିବେ ଯେଦିନ

ଯମ,ଅଗ୍ନି, ବରୁଣ ସମେତ

ବ୍ରହ୍ମା ଓ କୁବେର

ଚିହ୍ନିନେବୁ କେ ତୋହର ନଳ,

ସେ ପତାକା କଢ଼ାହୁଏ ନାହିଁ,

ତାର ଜନ୍ମ ଚିରକାଳ ଉଡ଼ିବାର ପାଇଁ

ହୃଦୟେ ହୃଦୟେ ଅସ୍ତ ଓ ଉଦୟେ

ଆଜି କାଲି ସବୁଦିନ ପାଇଁ ।

ପତାକା ଓହ୍ଲାଅ ନାହିଁ, କାହିଁକି ଓହ୍ଲାଅ,

ମୁଁ ଦିଏ ଆଦେ

ଛାଡ଼ିଦିଅ, ତାକୁ ଛାଡ଼ିଦିଅ, ଉଡ଼ିବାକୁ ଦିଅ-

ଉଦାର ଆକାଶେ ।

ସେ ପତାକା ଆକାଶର

ଉଡ଼ୁଥାଉ ଫରଫର ଚୂରି ଅବକ୍ଷୟ

ସେ ପତାକା ଅମର ଅକ୍ଷୟ ।

 

ଲାଲ ଝଣ୍ଡା

 

ପୁଣି ଲାଲ ଝଣ୍ଡା ଖେଳିଲାଣି ଆକାଶରେ,

ହସୁଛି ଦେଖି ସେ ମଣିଷଙ୍କ ଆପଣାରେ ।

ମାଆ ପରି ସେ ତ ଦେଇଥିଲା କେତେ କ୍ଷୀର

ମଣିଷ ଜାତିକୁ ଯୁଗ ଯୁଗ ବାରବାର,

କାହିଁ ଚାଲିଗଲା ବିତିଲାଣି ଦୁଇ ସାଲ ।

 

 

 

ହଠାତ୍‌ ଦେଖେ ମୁଁ ଲାଲ ହଂସ ପରି ଡେଣା

ମେଲାଇ ସେ ଆସେ, ଚାଲିଛି ତା ବନ୍ଦାପନା

ଆକାଶେ ଆକାଶେ, ମାଟିରେ ତା ଆବାହନୀ

ମଣିଷକୁ କରେ ଉତ୍ତଳା, ସ୍ୱାଭିମାନୀ ।

ଚାରିଆଡ଼େ ଶୁଭେ ସାମ୍ୟର ଜୟ-ଘୋଷ,

ଶାନ୍ତି ସିଞ୍ଚଇକଲ୍ୟାଣ ବାରି, ଦୁସମନ୍‌

ହା’ ହତାଶ ।

 

 

 

 

 

ଫେରି ଆସୁଛି ମୋ ମାଆ ।

 

ମଙ୍ଗଳ ଗୀତ ଗାଆରେ ମଣିଷ

 

 

ମଙ୍ଗଳ ଗୀତ ଗାଆ ।

 

 

 

ଶିଶୁପା ବୃକ୍ଷର ଡାଳେ-

 

 

ମୁଁ ଦେଖେ ମାଆର ଫେରିବାର ପଥ

 

 

ଭରିଛି ପଦ୍ମ ଫୁଲେ ॥

 

ହେ ବନ୍ଧୁ ମିଳାଅ ହାତ

 

ହେ ବନ୍ଧୁ ମିଳାଅ ହାତ

 

ମୈତ୍ରୀ ଆମର ଆଣିବଯେ ଡାକି

 

 

ଶାନ୍ତିର ସୁପ୍ରଭାତ ।

ସାମ୍ୟର ତାହା ଆଣିବ ନୂତନ ଯୁଗ

ଆକାଶରେ ପୁଣି ଜଳିବ ଲାଲ୍‌ତାରା

ଲାଲ୍‌ ପତକା ଯେ ପୁଣି ଉଡ଼ିବ

 

ଆକାଶେ ବିଶ୍ୱସାରା ।

ଫାସିବାଦ ଆଜି

 

 

ବିଶ୍ୱରେ ତୋଳେ ମଥା

ଶୋଷଣ ବାଦର

 

 

ତାହାହିଁ ତ ଶେଷ ଆସ୍ଥା ।

ଆସିଲାଣି ବେଳ

 

 

ଉଠିଯିବ ତାର ଡେରା

ଏହି ତ ହେ ବନ୍ଧୁ

 

 

ଦୁର୍ଗ ପତନ ବେଳା ।

ମଣିଷର ଯୁଗ ପୁଣି ଆସିବ

 

 

ଖେଳାଇ ତା ପତିଆରା

ସମୟ ଆସିଛି, ସମୟ ଆସିଛି ଆଜି

 

 

ଡାକେ ମୁକ୍ତିର ଦୂତ ।

 

ଏକତା

 

ଏକତାର ଭୁର୍ଜପତ୍ରେ ‘ଏକ ବିଶ୍ୱ’ ଲେଖା,

 

ପୃଥିବୀ ଗୋଟିଏ, ସବୁଠାରୁ ବଡ଼ ମାନବତା ।

ସମଗ୍ର ମଣିଷ ମିଳି ଗୋଟିଏ ସଭ୍ୟତା ।

 

ତେଣୁ ତମେ ସବୁ ଯିଏ ଗଢ଼ୁଅଛ ଭେଦର ପ୍ରାଚୀର,

ପୃଥିବୀ କି କରୁଅଛ ଖଣ୍ଡ ଖଣ୍ଡ,

 

ବୃତ୍ତି ଯାର ମୁନାଫା ଶିକାର ।

ଉଦ୍‌ବୃତ୍ତଜୀବୀର ଦଳ ଯେତେ ପଙ୍ଗପାଳ,

 

ତମର ବିଲୟ ଧ୍ରୁବ ଜନ୍ମି ଅଛ ଯେତେ ଭସ୍ମାସୁର ।

ମଣିଷ ମଣିଷ ସଦା ନୁହେଁ ସେ କିଂକର,

 

ଧନତନ୍ତ୍ରୀ-ବଣିକ ବାଦର ।

ସେ ଗଢ଼ୁଛି ଏକ ବିଶ୍ୱ ପ୍ରତି ମୁହୂର୍ତ୍ତରେ,

ତମେ ତାହା ଦେଖ ବା ନ ଦେଖ, ଅବିଭାଜ୍ୟ ସମସ୍ତ ସଂସାର ।

 

ଖାଦ୍ୟ

 

ଖାଦ୍ୟ ଥାଉ ଯେଉଁଠାରେ ତାହା ମୋର,

 

ଯେଣୁ ମୁଁ କ୍ଷୁଧିତ,

ଥାଉ ତାହା ପୁଲିସ ଘେରରେ

ଅବା କାହା ଖାଦାନ ଖମାରେ

ତାହା ମୋ କ୍ଷୁଧାର ଅନ୍ନ, ଅଗ୍ର ଦାବି ମୋର ।

ଯେହେତୁ ବଞ୍ଚିବା ମୋର ଜୀବନର ସର୍ତ୍ତ ।

ମୋତେ ବଞ୍ଚିବାକୁ ଦିଅ, ମୁଁ ଏକ ମଣିଷ

ତଳେ ମାଟି ଉପରେ ଆକାଶ

ତା ମଧ୍ୟରେ ମୁହିଁ ଛିଡ଼ା, ଧ୍ରୁବ ମୋର ସ୍ଥିତି,

ଏଠାରୁ ହଟିବି ନାହିଁ,ନିଜେ ମୁହିଁ ମୋର ନିୟତି ।

ଖାଦ୍ୟ କାହିଁ ? ଲୁଚାଇଛ କହ କେଉଁଠାରେ ?

ମୂଷା ଓ ଅସ୍ରପା ଯାହା ଜାଣେ

 

ମଣିଷର ଶିଶୁ ଜାଣେ ନାହିଁ ।

ପିଲାଦିନୁ ହୋଇଅଛି କୁହା-

ଏଟା ନୁହେଁ ମୋର, ସେଟା ତାର, ତାହା ଅନ୍ୟ କାର,

ମୋର ତେବେ କ’ଣ ?

ଜମି, ପାଣି, ପବନ, ଆଲୁଅ

 

ନାହିଁ ମୋର କିଛି ଅଧିକାର,

ଉପୁଜାଇ ସବୁ ଶସ୍ୟ, ଧନ ଆଉ ପଣ୍ୟ

 

ମୁଁ ମରୁଛି ଭୋକ ବିକଳରେ ।

ମୁଁ କ’ଣ ଆସିଛି ଉଡ଼ି

ଫୁଙ୍କି ଦେଲେ ଉଡ଼ିଯିବ ଯେପରି ପିମ୍ପୁଡ଼ି ?

ଏଠାରୁ ହଟିବି ନାହିଁ

 

ଆସିନି ମୁଁ ହଟିଯିବା ପାଇଁ ।

 

ଆସିଛି ମୁଁ କରିବାକୁ ଏଠାରେ ସାବ୍ୟସ୍ତ

ମୋର ଜନ୍ମ ଅଧିକାର ।

ଖାଦ୍ୟ ଥାଉ ଯେଉଁଠାରେ ତାହା ମୋର,

 

ଯେଣୁ ମୁଁ କ୍ଷୁଧିତ ॥

 

ମନମୋହନ ମିଶ୍ର

୧୯୧୭-୨୦୦୦

 

କବି ମନମୋହନ ମିଶ୍ର ମୁଖ୍ୟତଃ ମେହନତୀ ମଣିଷଙ୍କ ମଙ୍ଗୁଆଳ ଓ ମଙ୍ଗଳ ମନାସୀ କବି । ତାଙ୍କର କବିତା କହିବାଠାରୁ ଗାଇବାରେ ଥିଲା ଗୀତିମୟତା, ଯାହାର ସ୍ୱର ଖୁବ୍‌ ଶାଣିତ ଓ ସ୍ୱର୍ଗୀୟ । ଉପକୂଳ ଠୁ ପଶ୍ଚିମାଞ୍ଚଳ ଯାଏ ସେ ଥିଲେ ଜନଗଣମନଙ୍କର ଗାୟକ-କବି, ତାଙ୍କ ରଚିତ ମୁକ୍ତିଗୀତିର ଗାୟନ ଶୈଳୀରେ ବିଭୋର ହୋଇପଡ଼ୁଥିଲେ ଉପସ୍ଥିତ ସଭାସଦ୍‌ବର୍ଗ ।

 

୨୦୦୦ ନଭେମ୍ବର ୧୯ ତାରିଖ ଶୀତ ସନ୍ଧ୍ୟାରେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ଏହି ମହାନ୍‍ ବିପ୍ଳବୀ କବି କେବଳ ଆଧୁନିକ ଯୁଗର ଜଣେ ଯଶସ୍ୱୀ ସାହିତ୍ୟିକ ନ ଥିଲେ,ସେ ଏକାଧାରରେ ଥିଲେ ବରିଷ୍ଠ ସ୍ୱାଧୀନତା ସଂଗ୍ରାମୀ, ଗଡ଼ଜାତ ପ୍ରଜା ଆନ୍ଦୋଳନ ପଛରେ ପ୍ରେରଣାଦାୟକ ଶକ୍ତି, ବାମପନ୍ଥୀ ଆନ୍ଦୋଳନର ଏକ ସ୍ପର୍ଦ୍ଧିତ ସ୍ତମ୍ଭ ।

 

ପ୍ରଗତିଶୀଳ କବିରୂପେ ଅତି ଆଦୃତ ମନମୋହନ ମିଶ୍ରଙ୍କଦ୍ୱାରା ରଚିତ ବୈପ୍ଳବିକ ଉଦ୍ଦୀପନାରେ ଭରପୁର ସଙ୍ଗୀତ ଓଡ଼ିଶାର ଗ୍ରାମ-ନଗରର ଜନସାଧାରଣଙ୍କୁ ପ୍ରଭାବିତ କରିଥିଲା, ଏବେ ମଧ୍ୟ କରୁଅଛି । ତାଙ୍କଦ୍ୱାରା ରଚିତ କିବତା ସଂଗ୍ରହ ‘କୋଟି କଣ୍ଠେ’ (ସରକାରଙ୍କଦ୍ୱାରା ବାଜ୍ୟାପ୍ତ) ମୁକ୍ତି ଡାକରା, ଜୀବନର ଜୟଗାନ, ଜନତାର ଡାକ, ଲୁହକୁ ତୋର ସମ୍ଭାଳ, ଆବାଜ ପ୍ରଭୃତି ଅଶେଷ ଲୋକପ୍ରିୟ । ସଚ୍ଚି ରାଉତରାୟ, ଅନନ୍ତ ପଟ୍ଟନାୟକଙ୍କ ସଙ୍ଗେ ମିଶି ମନମୋହନ ପ୍ରଗତି ଯୁଗର କ୍ରାନ୍ତିକାରୀ ସାହିତ୍ୟର ଧାରାକୁ ଆଗକୁ ବଢାଇ ନୂତନ ପୀଢ଼ିପାଇଁ ସେ ହୋଇଛନ୍ତି ପ୍ରେରଣାପ୍ରଦ ।

 

ଏହି ମହାନ୍‍ କବିଙ୍କ ପାଇଁ ସାହିତ୍ୟ ସେବା ଏକ ସୌଖୀନ କଳା କର୍ମ ନଥିଲା, ଥିଲା ତାଙ୍କ ଜୀବନର ନିର୍ଯ୍ୟାସ, ଚରମ ବିଶ୍ୱାସ । ଆଜିମଧ୍ୟ ଛାତ୍ର, ଯୁବକ, ଶ୍ରମିକ ଆନ୍ଦୋଳନମାନଙ୍କରେ ତାଙ୍କ କାଳଜୟୀ କ୍ରାନ୍ତିର କବିତା ‘ଏକହୁଅ’ ରକ୍ତ ତତାଏ, ଜାଗ୍ରତ କରାଏ ଏବଂ ସଂଗ୍ରାମ ପାଇଁ ଉତ୍ସାହିତ କରେ ।

 

ହେ ମୋର ଲେଖନୀ

 

ହେ ମୋର ଲେଖନୀ

 

 

ମୋହରି ଆରତତ୍ରାଣ

 

 

ମୋହରି ପଞ୍ଚପ୍ରାଣ

 

 

 

ଆଜି ତୋତେ ମୋର ଏହି ରାଣ ।

ମିଳାଇଛୁ ମୋତେ

 

 

 

ଏ ମାଟିର କୋଟି କୋଟି

 

 

ମଣିଷର ସାଥେ

ମୋର ଏହି ଭଙ୍ଗା ହୃଦୟର

 

ରଙ୍ଗା ରାକ୍ଷୀଟିକୁ

 

 

 

ବାନ୍ଧିଛୁ ତୁ ସର୍ବହରା

 

 

 

ଶ୍ରମିକର ହାତେ ।

ଏ ଜନନୀ ଉତ୍କଳର

 

 

 

ମହେନ୍ଦ୍ରରୁ ମେଘାସନ ଗିରି

 

 

ବିନ୍ଧ୍ୟାଚଳୁ ମହୋଦଧି ବାଲି

ଅସ୍ତରଙ୍ଗ ଧୀବରର ମାଛଧରା ଜାଲି

ବଡ଼ବିଲ ଖଣିର ଅଳନ୍ଧୁ ଯେତେ

 

 

ତାଳଚେର କୋଇଲା କଟାଳି

ଇବନଦୀ, ଇନ୍ଦ୍ରାବତୀ ଆଉ ନାଗାବଳୀ

ଗହନ କାନନ ଘେରା

 

 

ବକ୍‌ସାଇଟ ଖଣି ଭରା

 

 

ମାଲକାନଗିରି ।

ପାବନି ବ୍ରାହ୍ମଣୀ ତଟ ଇସ୍‌ପାତ ଶ୍ରମିକର ମେଳା

ଧୂମ ଧୂସରିତ ଧାମ ସେ ରାଉରକେଲା,

 

ଗିରିଜନ ପଲ୍ଲୀମାଳ ବୀରମିତ୍ରପୁର ।

ହେ ମୋର ଲେଖନୀ ନୁହଁ ବାଟବଣା

 

ପ୍ରତି ହୃଦେ ଅଙ୍କିତ ତୋ ତୋଫାନୀ ମୂର୍ଚ୍ଛନା ।

ବହୁ ଶତ ବର୍ଷ ତଳେ

 

ବୃକ୍ଷ ଡାଳେ ଶୁଣିଥିଲା

 

 

କ୍ରୋଞ୍ଚର ବନିତା ।

 

 

 

ଆଦି କବି ଅଶ୍ରୁଳ କବିତା ।

ଅଶୋକ ବନେ ବନ୍ଦିନୀ ଏ ଭାରତ ସୀତା

 

ତା’ର କର୍ଣ୍ଣେ ତୁହିଥିଲୁ ବାଲମିକ ତୂରୀ

 

ଏ ମାଟିର ଦେଓମାଳିଠାରୁ ଦେବଗଡ଼

 

 

ତୋ’ର ଧ୍ୱନି ରହିଅଛି ପୂରି

 

 

ସେହି ମୋର ବିନୀତ ସ୍ୱାକ୍ଷର

 

 

ଦଳିତ ଶୋଷିତ ପ୍ରାଣ

 

 

 

ରକ୍ତ ଇସ୍ତାହାର ।

ହେ ଲେଖନୀ !

 

ଫେରି ନାହିଁ ଅରି,

 

 

 

ସରି ନାହିଁ ଯୁଦ୍ଧ

 

ବିଶ୍ରାମ ନାହିଁ ତୋହରି ହେ ମୋର ଆୟୁଧ,

ଘେନ ଏ ପ୍ରଣାମ, ହେବୁ ନାହିଁ ଆତୁର ତୁ’

 

ସାହୁକାର ତରାଜୁରେ ହେବାକୁ ନିଲାମ

 

 

ଏବେ ଯାଏ ସରିନି ସଂଗ୍ରାମ ।

 

Unknown

ମୋର ପରିଚୟ

 

ମୁଁ ଏକ ବେଗବାନ୍‌ ଜାତିର ପ୍ରତିନିଧି

ଏକ ବେଗବାନ୍‌ ଏକଚକ୍ରର ସାରଥି,

ଏକ ରହସ୍ୟମୟୀ, ହାସ୍ୟମୟୀ,

 

ଜନ୍ମ ମାଟିର

 

 

ରଙ୍ଗା କଳାକାର ।

 

 

 

କେତେ ଖଣ୍ଡ ଛୋଟ ବଡ଼ ପର୍ବତମାଳା

କେତୋଟି ଜୀର୍ଣ୍ଣ ମୁଗୁନିର ଅଶ୍ଳୀଳ ମୂର୍ତ୍ତି

ଦୁଇ ପଇସା ଡାକ ଟିକଟର ସୁଦର୍ଶନ ଘୋଡ଼ା

ପାଷାଣରେ ଲତାୟିତା କେତୋଟି କାମରତା

 

ପଦ୍ମବନର ପକ୍ଷ-ବତୀ-ପରୀ-

 

ମୋର ପରିଚୟ ନୁହେଁ ।

 

 

 

ଛୋଟ ବଡ଼ କେତୋଟି ନଦୀ

ଏବଂ ସେହି ନଦୀର ରୋଷ-ବହ୍ନିକୁ ଅଟକ ରଖିଥିବା

ଜଉଗଡ଼ର ଫାଟକ ମୁଁ ନୁହେଁ

ଇତିହାସର ଯାତ୍ରାପଥରେ ଝରୁଥିବା

 

ମାଇଲ ପାଷାଣର

 

ମିଶାଣ ମୁଁ ନୁହେଁ-

ମୁଁ ଏକ ବେଗବାନ୍‌ ଜାତିର ପ୍ରତିନିଧି

ମୁଁ ସ୍ରଷ୍ଟା

 

ମୋ ବିନା ଆଜିର ଏ ସୃଷ୍ଟି ସାଧ୍ୟ ନୁହେଁ

ମୁଁ ଖଟୁଲିରେ ପୋକର ଖାଦ୍ୟ ନୁହେଁ

କୌଣସି ମୁନି-ଅତୀତର ମନ୍ତ୍ର-ବିଧିରେ

ମୁଗ୍‌ଧ ନୁହେଁ, ବାଧ୍ୟ ନୁହେଁ

ତୁମର କି ଅଧିକାର ଅଛି

 

ଅତୀତର ମନୁମେଣ୍ଟର ଆଢ଼ୁଆଳରେ

 

ମୋତେ ଖୋଜିବାକୁ

ଏଭରେଷ୍ଟ୍‌ର ଉନ୍ନତ ଚୂଡ଼ାର

ଅଚଳାୟତନ ମୁଁ ନୁହେଁ

ହୀରାକୁଦର

 

ପ୍ରତି ବୁଦ୍‌ବୁଦର

 

 

ମୁଁ ଅସ୍ଥିରତା ।

 

 

 

ପ୍ରତି ମୁହୂର୍ତ୍ତରେ ମୁଁ ଶକ୍ତିରୂପେ

ବର୍ତ୍ତୀ ରୂପେ ଜନ୍ମ ହୁଏଁ

ପ୍ରତି କୁଟୀରର ଆଲୋକ-ଠଣାରେ

ଇସ୍ପାତର ଚଞ୍ଚଳ ରଶ୍ମି-କଣାରେ

ଅହରହ ମୋର କ୍ଷୟ ଆଉ ଜନ୍ମ

 

ଜନ୍ମ ଆଉ କ୍ଷୟ-

 

 

ସେହି ମୋର ପରିଚୟ ।

 

 

 

ମୋର ପ୍ରଚଣ୍ଡ ଦାହନର ନିଶ୍ୱାସରେ

ଅତୀତର ଯାହା ସ୍ୱର୍ଣ୍ଣ ରହେ

 

ତାହା ସ୍ୱର୍ଣ୍ଣ ହୁଏ

ମୋର ମାନଦଣ୍ଡର ଉଦ୍ଭାସରେ

ଅତୀତର ଯାହା ଚୂର୍ଣ୍ଣ ହୁଏ

 

ତାହା ଚୂର୍ଣ୍ଣ ହୁଏ

ଏକାମ୍ର କୋଣାର୍କର

ସ୍ମାରକ ମୁଁ, ବାହକ ମୁଁ

 

ବସୁଧାର, ତୂଳିର, ରଞ୍ଜନର

ନୂପୁର ସିଞ୍ଜନର

 

ଆଖିର ଅଞ୍ଜନର

ପାଠକ ମୁଁ ଗ୍ରାହକ ମୁଁ

ମୋର ଜନ୍ମଭୂଇଁର ବକ୍ଷ ଛୁଇଁ

 

ଯେତେ ଅଭାବ ଜଳେ

 

ଦୁଃଖ ବଳେ,

 

ତାର ଦାହକ ମୁଁ

କର୍ମ-ମୁଖର, ଚରମ ସୁଖର ଗାୟକ ମୁଁ, ନାୟକ ମୁଁ

ଭବିଷ୍ୟତର ପୌର୍ଣ୍ଣମାସୀର ଶଶାଙ୍କ ମୁଁ, ମୁଁ ଶାନ୍ତିଜୟୀ

 

ଶାନ୍ତିମୟୀ ସୃଷ୍ଟିର ଭାରତୀ

ମୁଁ ଏକ ବେଗବାନ୍‌ ଏକଚକ୍ରର ସାରଥି,

ମୁଁ ଏକ ସ୍ୱପ୍ନିଳ ବାସ୍ତବର କର୍ମ-ବିଧି,

 

ମୁଁ ଏକ ବେଗବାନ୍‌ ଜାତିର ପ୍ରତିନିଧି ।

 

ଆହେ ଓଡ଼ିଶାର ଜନତା

 

ଆହେ ଓଡ଼ିଶାର ଜନତା

ପୋଡ଼ିଯାଉ ମୋର

 

ଲେଖକ ହେବାର

ନଗଲା ଯଦି ମୋ ବାରତା ।

ପୋଡ଼ିଯାଉ ମୋର

 

ସଳଖ ସୁନ୍ଦର

ନାନା କାରୁକାମ ଶବଦ,

ପୋଡ଼ିଯାଉ ମୋର

 

ସଜଫୁଟା ଫୁଲ

ଭଳି ସନାତନ ଦରଦ ।

ମୋ ଗୀତ ପଦିକେ

 

ତୁମର କାହାଣୀ

ତୁମେ ଯଦି ବୁଝି ନ ପାର,

ଧିକ ଧିକ ମୋର

 

କବି ବୋଲାଇବା

ଧିକ ମୋ ଲେଖକ ହେବାର

ତୁମେ ଯଦି ହେଲ

 

କଚେରୀ ଦୁଆରେ

ସାହୁକାରେ ହାତେ ନିଲାମ

ବାଲି ଗରଡ଼ାଟି

 

ପାଲଟିଲା ସିଏ

ମଣିଥିଲ ଶାଳଗିରାମ ।

ଆଠ କାଳି ବାରମାସି

 

ଖଟି ଖଟି

ପେଟକୁ ଦାନା ନ ଜୁଟିଲା

ସେହି ପେଟ ଲାଗି

 

ଏକଠୁଳ ହେବ

ଏକଥା ଯେବେ ନ ଫୁଟିଲା,

ଯାଏ ଆସେ କେତେ

 

କେତେଟା ପତ୍ରିକା

ମୋ କବିତା ଲେଖା ଛାପିଲେ

ଯାଏ ଆସେ କେତେ

 

କେଉଁ ଗୁଣିଆ ସେ

ମୋ କବିତା ଗୁଣ ମାପିଲେ,

ଆହେ ଓଡ଼ିଶାର ଜନତା

 

ତୁମକୁ କରିଲି ଅବ୍ୟୟ ମୁହିଁ

ଆପେ ବୋଲାଇଲି କରତା ।

ମୋତେ ବହଲାଇ

 

କେତେ ବଚନିକା

କରି ନାହିଁ ମୁହିଁ ତିଆରି !

‘କବିତା କି ତୁଚ୍ଛା

 

ଅଦାର ବେପାର

ମୁରୂଖର ସାଗ କିଆରି ?’

ତୁମକୁ କରିଲି

 

ଅଳ୍ପ ମୂରୁଖ

ମୋ ଲେଖାକୁ କଲି ଆରସି

ତୁମକୁ ବିଚାରେ

 

ଅରସିକ ଜନ

ମୋ ଗୀତକୁ ନାହିଁ ପରଶି ।

ମୋ କବି ପଣିଆ

 

ରହିଲା ମୋ ପାଶେ

ତୁମେ କଲ ଦୂରୁଁ ଜୁହାର

ଢାଳେ ନ ଢାଳିଲ

 

କରୁଣା ପଲକ

ଯେତେ ବହି କଲି ବାହାର ।

ନବ ଯଉବନୀ

 

ଛବି ଚମକାଇ

କେତେ ପତ୍ରିକା ଛାପିଲି

କେତେ ନାଗରୀର

 

ଚରଣ ଅଳତା

ଲେଖି ଲେଖି କାଳ ଯାପିଲି ।

ନୂଆ ରସକେଳି

 

ନବ ନଟୁଚୋରୀ

ଯେତେ ଯେତେ କଲି ବାହାର

ଜନନୀ ଭଗିନୀ

 

ଅପମାନେ ମଲେ

ତେବେ ନ ଚଳିଲା ବେପାର !

କିଏ ମନ କଲୁଁ

 

ବିଲାତର କବି

ଏଲିଏଟ୍‌ ହେବୁ ଏ ଦେଶେ

ନବୀନ ଭଞ୍ଜ

 

ସମରାଟ ହେବୁଁ

ଜନତାକୁ ଦେବୁ ଆଦେଶେ ।

କିଏ ସେ ସାଜିଲୁଁ

 

ବଢ଼ିଆ କଥକ

ମୋ-ପାସାଁ ବନିଲୁ କଟକେ

କିଏ ସେ ମାଜିଲୁ

 

କଲମ ମୂନରେ

ନୋବେଲ ପ୍ରାଇଜ ଝଟକେ ।

ଆପେ ଲେଖି ଆପେ

 

ଗ୍ରାହକ ହୋଇଲୁ

ପରସ୍ପରେ ଦେଲୁ ବଧାଇ,

ଆମେ ପାଲଟିଲୁ

 

ଶିରୀ ଚଇତନ

ଆମେ ହିଁ ଜଗାଇ ମାଧାଇ ।

ତଥାପି ତୁମର

 

ଚେତନା ନୋହିଲା

ହେଲ ଅଗୁଆଁର ଏତିକି

ଶାରଳା ଭାରତ,

 

ଭାଗବତ ପୋଥି

ଲଗାଇଲା କେଉଁ ଭେଳିକି ।

ସୁଖେ ଖାଇପିଇ

 

ମୁଖ ପୋଛେ ଯିଏ

ସେ ଲେଖେ ଭୋକର ବେଦନା,

ହେ ଭୋକିଲା ଦଳ,

 

ତୁମେ ନ ପଢ଼ିଲ

ଏଥୁ ବଳି ଅଛି ଶୋଚନା ?

ଆହେ ଓଡ଼ିଶାର ଜନତା

ତୁମର କବିଏ

 

ଘୋଷଣା କରୁଛି

ଅକାତରେ ଏଇ ବାରତା

ନହେଉ ପଛେ ମୋ

 

ରବୀନ୍ଦ୍ର ହେବାର

ଭାବ ବିନୋଦିଆ ପରବ

ନ ହେଉ ପଛେ ମୋ

 

ଅଭିଜାତ ପୁର

କବି ତୁମେ ଗଣା ଗରବ ।

ନ ପଡ଼ୁ ପଛେ ସେ

 

ଏକାଡେମୀ ଘରେ

ମୋ ନାଆଁର ଗାର ନ ପଡ଼ୁ,

ଭାନୁମତୀ ଦେଶ

 

ଉପମା ଫସଲେ

ମୋ ଭାବ ଅମାର ନ ବଢ଼ୁ ।

ଯେତିକି ପାରିବି

 

ସେତିକି ତୁମକୁ

ଯେସନେ ପାରେ ମୁଁ ଫୁଟାଇ,

ସେଥିପାଇଁ ଯେତେ

 

ପୋଲା ବାହାଦୁରି

ସବୁ ତକ ଦେଲି ଉଡ଼ାଇ ।

ଆହେ ଓଡ଼ିଶାର ଜନତା

ମୋହରି ବାଣୀରେ ଏତିକି ମାଗୁଣି

ତୁମେ ହୁଅ ଚିର କରତା ।

 

ଏକ ହୁଅ

 

କାରଖାନା, ଖଳାବାଡ଼ି, ଖାଦାନ, ବାଗାନରେ

 

ଏକ ହୁଅ

 

ଏକ ହୁଅ ତୁ ଭାରତ ଜନତା

 

ସଂଗ୍ରାମର ମଇଦାନରେ ।

 

 

 

ନାରୀ ବା ପୁରୁଷ, ତୁବା ହିନ୍ଦୁ ମୁସଲମାନରେ

 

ଭାତ, ଭୂଇଁ, ସ୍ୱାଧୀନତା

 

 

ଦାବି ତୋ ସମାନରେ

ହେଉ ପଛେ ଶତ ପାର୍ଟି, ଶତ ଅନୁଷ୍ଠାନରେ

 

ଏକ ହୁଅ,

 

 

ଏକ ହୁଅ ତୁ ଭାରତ ଜନତା

 

ସଂଗ୍ରାମର ମଇଦାନରେ ।୧।

 

 

 

ହପ୍ତାକ ଖୋରାକେ ସାରି ମାସକ ମଜୁରୀରେ

ମରନା ମରନା ତୁହି ପଡ଼ି ପାଇଁ ଝୁରୀରେ

ଗୋରା କଳା ସେଠ ଦଳ ବୁନିୟାଦ ଚୂରିରେ

ଉଠା ଉଠା ବଦ୍ଧ ମୁଠା ହାଣୁ ଆସମାନରେ

 

ଏକ ହୁଅ

 

 

ଏକ ହୁଅ ତୁ ଭାରତ ଜନତା

 

ସଂଗ୍ରାମର ମଇଦାନରେ ।୨।

କାରଖାନା, ଖଳାବାଡ଼ି, ଖାଦାନ, ବାଗାନରେ... ।

 

 

 

ଭୁଲନା ତୁ ଭୁଲନା

 

ବିପୁଳ ତୋ ଲଢ଼ାଇର ମୁକତିର ମୂର୍ଚ୍ଛନା,

ଭୁଲନା ତୁ ଭୁଲନା

 

ଯେ କୌଣସି ଜାତି ତୁଲେ

 

ହୁଏ ତୋର ତୁଳନା,

ଭୁଲନା ତୁ ଭୁଲନା

 

ବନ ଭୂମି ଜନପଦେ ରକତର ଝରଣା

ଅକାତରେ ବୁହାଇଛୁ ନ କରି ତୁ ଶୋଚନା,

ଭୁଲନା ତୁ ଭୁଲନା

 

ଧନ୍ୟ ତୋର ଜନ୍ମମାଟି ବୀର ବଳିଦାନରେ

ହେଉ ହେଲେ କେତେ ଜଣ

 

ଲୋଚା ବେଇମାନରେ

ବିଦେଶୀ ଦଲାଲ ସିଏ ଜାତି ଅପମାନରେ

ଝୁଠା ସିଏ, କୁଟାଖିଏ ମୁକତି ତୋଫାନରେ

 

ଏକ ହୁଅ

 

 

ଏକ ହୁଅ ତୁ ଭାରତ ଜନତା

 

 

ସଂଗ୍ରାମର ମଇଦାନରେ ।୩।

 

 

 

ଏ ଦେଶ ମାଲିକ ହୋଇ ରହିଲୁ ଗୋଲାମ

 

ଦର ବଢ଼ଇ ମଜୁରୀ ନ ବଢ଼େ ଛଦାମ

ଫସଲ ଫଳାଇ ଚାଷୀ ଦୁଃଖେ କାଟେ ଯାମ,

 

ଜିନିଷ ପତ୍ର ଭରିଛି ବିରଳା ଗୋଦାମ

ଭିଟାହରା କୁଳାବାଳା ମାଉଁସ ନିଲାମ

 

ମାନ୍ୟବର ସାଆନ୍ତଙ୍କ ଭୋଜି ଧୁମ୍‌ ଧାମ୍‌

ଭୋକି ତୁଣ୍ଡେ ଭରି ଦିଏ ରଘୁ ରାଜା ରାମ

ମନେ କରେ ଅନ୍ଧ ତୁ’ରେ ନାହିଁ ଆଖି କାନରେ

ନିଶବଦେ ଜଳେ ଜୁଇ

 

କୋଟି କୋଟି ପ୍ରାଣରେ ।

 

 

 

ଏସିଆର ପଥେ ଘାଟେ ମୁକତି ନିଶାଣରେ

 

କଲୋନୀର ଯୁଗଯୁଗ ରାତି ଅବସାନରେ

ଏକ ହୁଅ

 

 

ଏକ ହୁଅତୁ ଭାରତ ଜନତା

 

ସଂଗ୍ରାମର ମଇଦାନରେ ।

କାରଖାନା, ଖଳାବାଡ଼ି, ଖାଦାନ, ବାଗାନରେ ।୪।

 

 

 

ଦୁନିଆର ଜନତାରେ ଜୁହାରରେ ଜୁହାର

ମୁହାଣରେ ଲାଗିଛି ତୋ ଜୁଆରରେ ଜୁଆର

ଶାନ୍ତିର କପୋତ ଉଡ଼େ ଦୁଆରରେ ଦୁଆର

ଚାଇନା ଜନତା ମାଡ଼େ ହୋଇଲାଣି କାବାର

ଆମେରିକା ଯୁଦ୍ଧ ପେଚା ହୋଇଲାଣି ବାହାର

ତୋରି ବୁକେ ଅବଶେଷେ ଲୋଡ଼ିମରେ ଥାନରେ

ଏକ ହୁଅ....

 

 

ଏକ ହୁଅ ତୁ ଭାରତ ଜନତା

 

ସଂଗ୍ରାମର ମଇଦାନରେ ।

କାରଖାନା, ଖଳାବାଡ଼ି, ଖାଦାନ, ବାଗାନରେ.....

 

 

 

ଏ ଆକାଶ ଏହି ବାୟୁ

 

 

ଯେବେ ତୁହି ଭଲପାଉ,

 

ଏକ ହୁଅ, ଏକହୁଅ

ମଣିଷର ପରମାୟୁ

 

 

ଯେବେ ତୁହି ଭଲପାଉ,

 

ଏକ ହୁଅ, ଏକ ହୁଅ

ଶାନ୍ତିକାମୀ, ମୁକ୍ତିକାମୀ

 

 

ଏକ ହୁଅ, ଏକ ହୁଅ

ତୋ’ଭୋକିଲା ପେଟ ଡାକେ,

 

ଏକ ହୁଅ, ଏକ ହୁଅ

ତୋ ଫସଲ ଲକ୍ଷ୍ମୀ ଡାକେ,

 

ଏକ ହୁଅ,ଏକ ହୁଅ

ତୋ ଖଣି, ଖାଦାନ ଡାକେ

 

ଏକ ହୁଅ, ଏକ ହୁଅ

ତୋ ବନ ଜଙ୍ଗଲ ଡାକେ,

 

ଏକ ହୁଅ,ଏକ ହୁଅ

ତୋ କୁଟିର ରାଣୀ ଡାକେ

 

ଏକ ହୁଅ, ଏକ ହୁଅ

ତୋ କୋଣାର୍କ, ତାଜ ଡାକେ

 

ଏକ ହୁଅ, ଏକ ହୁଅ

ତୋ ସ୍କୁଲ, କଲେଜ ଡାକେ

 

ଏକ ହୁଅ, ଏକ ହୁଅ

ତୋ ବଡ଼ ଦେଉଳ ଡାକେ

 

ଏକ ହୁଅ, ଏକ ହୁଅ

ଗିର୍ଜା, ଗୁରୁଦ୍ୱାର ଡାକେ

 

ଏକ ହୁଅ, ଏକ ହୁଅ

ମନ୍ଦିର,ମସ୍‌ଜିଦ ଡାକେ

 

ଏକ ହୁଅ, ଏକ ହୁଅ

ତୋ ପିଲା କବିଲା ଡାକେ

 

ଏକ ହୁଅ, ଏକ ହୁଅ

ତୋ ଜନମ ମାଟି ଡାକେ

 

ଏକ ହୁଅ, ଏକ ହୁଅ

 

 

 

ମଣିଷକୁ ମାରିବାର ପରମାଣୁ ବାଣରେ

ଯେହୁ ଗଢ଼ି ଗଦା କରେ ମେରୁ ପରିମାଣରେ

ଅୟୁତ ଯୋଜନୁ ଯିଏ ଏ ମାଟି ଚଟାଣରେ

ମୁନାଫା ବଜାର ଲାଗି ଅସ୍ତ୍ର କରେ ଶାଣରେ

ତା’ବିନାଶେ ନିର୍ବିଶେଷେ ହୁଅ ତୁ ନିଶାଣରେ

ହେଉ ପଛେ ଶତ ମତ

 

 

ଏକ ଅଭିଯାନରେ....

ଏକହୁଅ,

 

 

ଏକ ହୁଅ ତୁ ଭାରତ ଜନତା

 

ସଂଗ୍ରାମର ମଇଦାନରେ

କାରଖାନା, ଖଳାବାଡ଼ି,ଖାଦାନ,ବାଗାନରେ.... ।

 

ଭଗବତୀ ପ୍ରିୟ ସାଥୀ

 

ଭଗବତୀ ପ୍ରିୟ ସାଥୀ

 

ସେ ଦିନ ନିର୍ଜନ ରାତି

ଆଦିବାସୀ ଛୁଆ ଘିନୁଆ ବାଣୁଆ

 

ପାରିଧିରେ ଥିଲା ମାତି ।

 

 

ପଶୁ ମହାବଳ ପଶିଥିଲା ଗୋଠେ

ମଣିଷ ରକତ ଭରି ନିଶ ଓଠେ

ମାଇଲା ଘିନୁଆ ବନ୍ଧୁକ ଚୋଟେ

ହୁକୁମ ହୋଇଲା ଦଶଟଙ୍କା ମୋଟେ

ତଥାପି ସେ ଗୋରା ପ୍ରଶଂସା ପତର

ଲେଖି ଦେଲା ହାତ କାଟି ।

 

କେତେ ଦିନ ଗଲା ବିତି

 

ମଣିଷ-ବାଘର ହୋଇଲେ ଶିକାର

 

କେତେ ଲୋକ ନିତି ନିତି ।

 

କାହା ଭୂଇଁ ଗଲା,

ଗଲା କାହା ଘର

କା’ହଳ ଫିଟିଲା

କେ ଗୋତି ଚାକର

କୁଳ ଭୂଆଷୁଣି

ଝିଅ ବୋହୂଙ୍କର

ମହତ ହୋଇଲା

ତୁଠର ପଥର

ଜଣେ ଅଧେ ନୁହେଁ

ଶହ ଶହ ଘର

ହା’ହା’କାରେ ଗଲା ଫାଟି ।

 

ସେ ଦିନ ନିର୍ଜନରାତି !

 

ଲହୁ ସର ସର ଗାମୁଛା ଗୁଡ଼ାଇ

 

ଚାଲିଛି ଘିନୁଆ ତରବର ହୋଇ

 

ପହିଲି କଚେରୀ ସକାଳ ବସଇ

 

ହାକିମ ଆସିବା ମଟର ଶୁଭଇ

 

ଜମା ହେଲେ ଲୋକେ କିଭଳି ବାଘ ସେ

 

ବାଣୁଆ ଆଣିଛି କାଟି ।

 

ହଟିଗଲେ ଲୋକେ

ଏତ ରାମ କାର୍ଜି !

କେତେ ଭୂଇଁ ବାଡ଼

ବାହୁ ବଳେ ଅର୍ଜୀ

ଥିଲା ଲୋକଟାଏ

ଥିଲା ପରି ଥିଲା

ଆବ୍‌ବା, ଆବ୍‌ବା !

କେହ୍ନେ ଏଡ଼େ କଥା ହେଲା!

ଶୁଣିବୁ ସାହେବ

କହିଲା ଘିନୁଆ

ବାଘ ମହାବଳ

ହେଲେ ପଶୁଛୁଆ

ମଣିଷ ପେଟରୁ

ଜନମି ଏ ଶଳା

ମଣିଜ ସର୍ଜନା

ନିତି ପଦା କଲା

 

 

ଶହେ ବାଘ ଠାରୁ

ଅଧିକ ଏ ଶଳା

ବଧାଇ ନ ଦେବୁ କାଟି

ଏଥର ତାଲୁକା

ଉଶ୍ୱାସ ହୋଇଛି

ଉଶ୍ୱାସ ହୋଇଛି ମାଟି ।

 

ଗରଜେ ନିର୍ଜନ ରାତି,

 

ଭଗବତୀ ପ୍ରିୟ ସାଥୀ !

 

 

ବଧାଇ ବେଳର ଘଣ୍ଟି ବାଜିଲା

ହାତ ଗୋଡ଼ ବେଡ଼ି ଛନ୍ଦ ଶୁଭିଲା

ତେଲ ସରସର ଚିକ୍‌କଣ ସେ ରସି

ବଧାଇ ପାଗଳ ସେ ବାଣୁଆ ହସି

 

 

ହସି ଛାତି ଦେଲା ପାତି,

ପେଶଳ ବୁକୁର ଶିରା ଫୁଲି ଫୁଲି

 

ଚୁମିଲା ଜନମ ମାଟି ।

 

ଗରଜିଲା ନିଶାରାତି ।

 

ବାଘର ପାରିଧି

ଆଉ ହୁଏ ନାହିଁ

କାହାର ନ ପାଏ ଛାତି

ବହୁ ଦିନ ତଳେ ଥରେ

ଫାଶି ପାଇଥିଲା

ଲେନିନ୍‌ର ଭାଇ

ରୁଷିଆର ବନ୍ଦୀ ଘରେ ।

 

 

ପୋଛି ପୁତ୍ରହରା

ଜନନୀର ଚକ୍ଷୁଲୁହ

ପୁକାରିଲା ଦମ୍ଭେ

ମଣିଷର ଶ୍ରେଷ୍ଠ ପୁଅ

ନୁହେଁ ଏଇ ବାଟ

ବଜାରେ ଦଳିତ ବାଜା

ତୋ ବୁକୁ ଲୁହରେ

ତୋ ନିଶାଣ ତୁହି ଭିଜା ।

 

 

ଜାଗରେ ସର୍ବହରା,

ହାରିବାକୁ ହେବ

ବନ୍ଧନ ଫାଶ

ଜିଣିବାକୁ ହେବ ଧରା ।

ଘିନୁଆ ଛାଡ଼ିଛି ଡାକ

ବିପୁଳ ମୋ କାନ୍ଧ

ଉପରେ ଏ ପଟେ

ମୋ ଜାତି ନିଶାଣ ଟେକ ।

 

 

ଶିଆଳର ପରି

ପଳାଉ ଶେଠଜୀ

ମରୁ ମହାରାଜା

ବିଲାତକୁ ଭଜି

ଜାତିର ସମରୁ

ଯାଇଅଛି ହଜି

 

 

କଂଗ୍ରେସୀ ବୁର୍ଜୁଆ ରଜା ।

ଆଜି ନୂଆ କରି

ଜାତି ଗଢ଼ା ହେବ

ବଜାଅ ସମର ବାଜା ।

ଭଗବତୀ ପ୍ରିୟ ସାଥୀ

ଫୁଲି ଫୁଲି ଉଠେ

ଲହୁର ଲହରି !

ତୋଳି ଏ ମହାନ୍‍ ଜାତି ।

 

ଘିନୁଆର ଏବେ ହେବ ଦିନେ ଅଭିଷେକ

ସାଥୀ ଭଗବତୀ ନୂଆ ଗପଟିଏ ଲେଖ ।

 

ହୁସେନ ରବି ଗାଂଧୀ

୧୯୪୮-

 

ଓଡ଼ିଆ ସାହିତ୍ୟରେ ନବ୍ୟ-ପ୍ରଗତିବାଦୀ କାବ୍ୟ ଆନ୍ଦୋଳନର ଅନ୍ୟତମ ଅଗ୍ରଣୀ ନାୟକ କବି ହୁସେନ ରବିଗାଂଧୀ ସାମ୍ପ୍ରତିକ ଓଡ଼ିଆ କାବ୍ୟଜଗତରେ ପ୍ରିୟ ପରିଚିତ ଜନବାଦୀ ସ୍ୱର । କବିଙ୍କ କବିତାରେ ମାନବବାଦର ଚିତ୍ର, ବାସ୍ତବତାର କରୁଣ ଚରିତ୍ର ଅତି ସରଳଭାବରେ ଉପଲବ୍‌ଧ । ଦଳିତ, ପତିତ, ଅବହେଳିତ ଓ ନିର୍ଯ୍ୟାତିତ ସମାଜ ବଳୟ ମଧ୍ୟରେ ଅହରହ ବିଚରଣ କରି ସେ’ଶବ୍ଦରେ ଆଙ୍କିଛନ୍ତି ବାସ୍ତବ ଓ କଳ୍ପନାର ସ୍ୱର ଓ ସ୍ୱରୂପ, ଯାହାକି ଜନମନରେ ବୈପ୍ଳବିକ ଚେତନା ସୃଷ୍ଟି କରିବାକୁ ଦମ୍ଭ ଓ ସାହାସ ଯୋଗାଆସୁଛି ବିଗତ ଚାଳିଶବର୍ଷ ହେବ।

 

ରବି ଗାଂଧୀ କେବଳ ଜଣେ କବି ନୁହଁନ୍ତି ସାହିତ୍ୟ ସଙ୍ଗଠନ କ୍ଷେତ୍ରରେ ମଧ୍ୟ ନିଜର ଦକ୍ଷତା ପ୍ରମାଣିତ କରି ସେ ଓଡ଼ିଶା ସାହିତ୍ୟ ଏକାଡେମୀର ସର୍ବୋଚ୍ଚ ପଦରେ ଅଧିଷ୍ଠିତ ହୋଇ ବାମବାଦୀ ସାହିତ୍ୟର ପ୍ରଚାର ପ୍ରସାର କ୍ଷେତ୍ରରେ ଅପୂର୍ବ ସୁଯୋଗ ସୃଷ୍ଟିକରି ସାହିତ୍ୟର ଧାରାକୁ କରିଛନ୍ତି ସମ୍ପ୍ରସାରିତ ।

 

ରବି ଗାଂଧୀଂକ କବିତା ସାମାଜିକ ଅଙ୍ଗୀକାରର କବିତା...ମାଟି, ମଣିଷ, ମୁକ୍‌ତିର କବିତା । ତାଙ୍କର ଆଦ୍ୟ କାବ୍ୟକୃତି ‘ମୁକ୍‌ତ ପୂର୍ବାଶା’ ଓଡ଼ିଆ କବିତାରେ ସେଦିନ ସୃଷ୍ଟି କରିଥିଲା ନୂତନ କ୍ରାନ୍ତିର କାର୍ତ୍ତିକ । ପରବର୍ତ୍ତୀ କୃତି ‘ସିଂହାସନ ଭାଙ୍ଗିବାର କାର୍ଯ୍ୟକ୍ରମ’ ସେଇ କ୍ରାନ୍ତିର କ୍ରମ ପରିଣତି ଓ ଅଭିବ୍ୟକ୍ତି । ନୂତନ କୃତି ‘ନିଅଣ୍ଟ ରାତିର ସ୍ୱପ୍‌ନ’ ତାଙ୍କ କାବ୍ୟ-ଚେତନାର ବିବର୍ତିତ ପୃଥିବୀର ବିଶ୍ୱସ୍ତ ବାର୍ତ୍ତାବହ । ଏହି ଜନପ୍ରିୟ ଜନବାଦୀ କବିଙ୍କ ଜୀବନବୃତ୍ତାନ୍ତ ବହୁ ବାଗ ଓ ବେଗ, ବହୁ ଉଠାଣି ଓ ଗଡ଼ାଣିରେ ପରିପୂର୍ଣ୍ଣ । ଏବେବି ଏହି ସଂଗ୍ରାମୀ ସ୍ରଷ୍ଟା କବିତାରେ କ୍ରାନ୍ତିଭରି ଚଳଚଞ୍ଚଳ, ସୃଷ୍ଟିଶୀଳ ।

 

ଭିଟାମାଟିର ଭୂଗୋଳରେ ମୃତ୍ୟୁର ମାନଚିତ୍ର

 

ରାଷ୍ଟ୍ରୀୟ ସମୃଦ୍ଧିର ଭୂଗୋଳ ପୃଷ୍ଠାରେ

ଅଙ୍କା ଯାଉଥିବା

ଅଳକାପୁରୀର ଶିଳ୍ପ ନଗରୀର ମାନଚିତ୍ର ପାଇଁ

ଲହୁର ରଙ୍ଗଭିଜା ତୂଳୀକୁ ତୋଳି ଧରି

ଭୋକିଲା ମଣିଷ

ମୃତ୍ୟୁର ମାନଚିତ୍ର ପାଲଟି ଯାଇଛି ।

କଳିଙ୍ଗ ନଗ୍ରରେ ଏବେ

କୁବେରଙ୍କ କଳ୍ପଲୋକ ପାଇଁ

ଶ୍ମଶାନର ସମାଧି ସବୁ

ସମ୍ମାନ ଜଣାଉଛନ୍ତି

କଙ୍କାଳର ରୋଶଣି

ଓ ମରଣର ମଶାଲ ଜାଳି

ପ୍ରଗତିର ନବବର୍ଷ ପାଳନ ପାଇଁ

ମଣିମାଙ୍କ ଆଜ୍ଞା ଅନୁସାରେ ।

 

କିଏ କହିଲା

ମଣିମାଙ୍କ ମୁଲକରେ ଦାରିଦ୍ର୍ୟର ଦ୍ରାଘିମା ସବୁ

କାଳ୍ପନିକ ?

ମାନସିକତାର ଦାରିଦ୍ର୍ୟ ଦୂରୀଭୂତ କରିବା ପାଇଁ

ପ୍ରାଚୁର୍ଯ୍ୟର ତୋରଣମାନ ନିର୍ମିତ

ମୃତ୍ୟୁର ରାଜପଥରେ ।

ଆସ, ହାତ ଛନ୍ଦାଛନ୍ଦି ହୋଇ

ମଣିମାଙ୍କୁ ମୁଣ୍ଡିଆ ମାରିବା

ନତଜାନୁ ହୋଇ

ଶିରଚ୍ୟୁତ କରି ନିଜ ଜ୍ଞାତିଜନଙ୍କର ।

 

ଏଠାରେ ବଞ୍ଚିବା ପାଇଁ ଦାବି କରିବା

ଅପରାଧ । ଏଠାରେ କେବଳ

ବାସ୍ତୁହରାମାନଙ୍କୁ

ବୈକୁଣ୍ଠ ପ୍ରାପ୍ତିର ସୁଯୋଗ ଦେଇ

ଅପ୍ରାଧ ମାର୍ଜନା କରିବାକୁ

ମଣିମା ପ୍ରଦାନିଛନ୍ତି ଆଦେଶ ।

 

ଇନ୍ଦ୍ରପୁରୀର ଇନ୍ଦ୍ରଧନୁଷୀ ବଜାୟ ପାଇଁ

ମଣିଷ ମାଂସର ମହୋତ୍ସବ,

ଇହଲୋକକୁ ସୁନ୍ଦର କରିବା ପାଇଁ

କିଛି ବଣୁଆଙ୍କର ପରଲୋକ ଯାତ୍ରା

ଏବଂ ଦାରିଦ୍ର୍ୟ ବିରୁଦ୍ଧରେ ସଂଗ୍ରାମ ପାଇଁ

ଦରିଦ୍ରଙ୍କୁ ମହାଯାତ୍ରା ପଥର

ଯାତ୍ରୀ କରାଇ

ସଂସାରକୁ ସୁନ୍ଦର କରିବାର

ମନୋରମ ପରିକଳ୍ପନା ।

 

ଲହୁରେ ଲେଖା ହେଉଛି ଲୁହର ମହାକାବ୍ୟ,

ଶିଳ୍ପର ସମୃଦ୍ଧି ପାଇଁ ବଳି ପଡ଼ୁଛି ବନବାସୀ ।

 

ମାଟିର ମମତାରେ ବନ୍ଧା

ନିର୍ବୋଧ ନିରନ୍ନମାନଙ୍କୁ

ପ୍ରାଚୁର୍ଯ୍ୟର ପ୍ରାଚୀର ଘେରା

ଶ୍ମଶାନରେ ଶୋଇବାକୁ ହେବ

ଓ ସିଂହାସନର ସୁରକ୍ଷା ପାଇଁ

କୁବେରଙ୍କ ସିନ୍ଦୁକକୁ

ସର୍ବଦା ଖୋଲା ରଖିବାକୁ ହେବ ।

ମଣିମାଙ୍କ ଜୟ ପାଇଁ

ମାଟିର ମଣିଷକୁ ମରଣର ବରଣମାଳା

ପିନ୍ଧିବାକୁ ହେବ ।

 

କୁବେରଙ୍କ ରକ୍ଷାକବଚ ସାଜି

ମଣିମା ମଣିଷଙ୍କ ବଳିର ବିନିମୟରେ

ଦିଗ୍‌ବିଜୟୀ ।

 

ମଣିମାଙ୍କର ଜୟ ହେଉ

ମଣିଷର ମୁର୍ଦ୍ଦାର ଉପରେ,

ଭିଟାମାଟିର ଭୂଗୋଳରେ

ଅଙ୍କିତ ହେଉଛି ଆଜି

ମରଣର ମାନଚିତ୍ର

ଆତ୍ମତ୍ୟାଗର ଅଲିଭା କାଳିରେ ।

 

(କଳିଙ୍ଗନଗର ମାଟିର ମମତାରେ ବନ୍ଧା ସେଇମାନଙ୍କ ପାଇଁ ଯେଉଁମାନେ ଟଳି ପଡ଼ିଲେ ରାଷ୍ଟ୍ରୀୟ ହିଂସାର ବର୍ବର ଗୁଳିକାଣ୍ଡରେ ମପଣାକୁ ଅଧିକାରର କୁରୁକ୍ଷେତ୍ରରେ ବୀର ଅଭିମନ୍ୟୁ ପରି ସମର୍ପି ଦେଇ ।)

 

ବର୍ଷା

 

ଗଲାସନ ଅନେକ ପ୍ରତୀକ୍ଷା ପରେ

ତୁମେ ଗଲ କେଉଁଆଡ଼େ

ଆଜିର ରୁଷିଆ ଭୂଇଁରୁ

ସ୍ତାଲିନୀୟ ସ୍ମୃତି ଚିହ୍ନ ପରି ।

 

ଏ ସନ ତ ଆସିଚ ଭଲରେ ଅକ୍ଟୋବର କ୍ରାନ୍ତିର

ଲୋହିତ ସେନାନୀ ପରି ସବୁ

ସାମ୍ମୁଖ୍ୟରେ

ବିଜୟର କେତନ ଉଡ଼ାଇ ।

ଆସିଚ ବି ଠିକଣା ସମୟେ

ୟେନାନର ଗିରିଗୁହା ଡେଇଁ

ମାଓର ସୈନିକ ପରି, କୋମିଣ୍ଟାଂ ଶତ୍ରୁରୂପୀ

ମରୁଡ଼ିର ଦୁର୍ଗ ସବୁ ପତନ ଘଟାଇ,

ଚୁରମାର୍‌ କରି ।

 

 

ଯଦିଓ ଭୟ ଲାଗେ ବେଳେ ବେଳେ,

ଫୁଲାଇ ନିଜ କଳେବର ତୁମେ

ମାୟାବୀ ରାକ୍ଷସ ପରି,

ହୋଇଯାଇ ପାର ପୁଣି କେଉଁଠାରେ

ପ୍ରଚଣ୍ଡ, ପ୍ରଖର, ଗୋର୍ବାଚୋଭୀୟ

ଢଙ୍ଗରେ,

ଢାଞ୍ଚାରେ ।

ପ୍ରବାହିତ କରିପାର ସମୟକୁ

ଏବଂ ତା’ସହିତ ସବୁଜ କ୍ଷେତକୁ,

ମଣିଷ ଓ ପଶୁପକ୍ଷୀ ସହ

ମହାସମୁଦ୍ରକୁ,

ହିତାକାଂକ୍ଷୀ ସାଜୁ, ସାଜୁ ତୁମର ସେ

କୁହୁକୀୟ ସ୍ପର୍ଶ, କ୍ଷତି ପୁଣି କରିପାରେ

ସୃଜି ଦେଇ କ୍ଷୁଦ୍ର କାଲାହାରୀ,

ବାଲୁକା ସାଗର,

ଶସ୍ୟମୟ କ୍ଷେତ ସୀମାପାରେ ।

ଯେପରିକି ୟେଲ୍‌ସିନ୍‌ କରିଦେଲା

ସୋଭିୟେତ୍‌ ସତ୍ତା,

ଧରଣୀରୁ ଚିହ୍ନ-ବର୍ଣ୍ଣହୀନ ।

 

ତଥାପି ବି ବିରକ୍ତ ବା

ହତାଶ ହୋଇବୁ ନାହିଁ ସାଥୀ ଆହେ

ଖଟିଖିଆ ନର !

ଗଢ଼ୁ ଗଢ଼ୁ ବେଳେ ବେଳେ କିଛି ପୁଣି

ଭାଙ୍ଗି ଯାଇପାରେ । ପାଇବାକୁ

ବଡ଼ କିଛି, ସାନ ସାନ କେତେ ପ୍ରିୟ ଚିଜ ପରା

ହରାଇ, ହଜାଇ ।

ହାରି,ଜିତି ଲକ୍ଷ୍ୟ ସ୍ଥଳେ

ପହଞ୍ଚଇ ସ୍ଥିତପ୍ରଜ୍ଞ ନର ।

 

ବନ୍ଧୁ ଆହେ, ପ୍ରାଣର ଦୋସର!

ଝରଣାରେ, ନଦୀମେଳେ ତୋଳି ଦେଇ

ସଙ୍ଗୀତ ଝଂକାର,

ସରୋବର, କୁମୁଦିନୀ ସାଥେ ନାଚି

କରିଦିଅ କ୍ଷେତମାଳ

ସବୁଜ ଶ୍ୟାମଳ । ଯେପରିକି

ହୋଇଥିଲା ଦିନେ, ହିଟଲରୀ ଧ୍ୱଂସସ୍ତୁପ

ମଧ୍ୟୁଁ, ୟୁକ୍ରେନ ମାଟିର ବୁକେ

ସ୍ତାଲିନ୍‌ର ସମସ୍ତ ରୁଦ୍ରତା ସତ୍ତ୍ୱେ

ସୃଜନର ସବୁଜିମା ଏକାନ୍ତ ସମ୍ଭବ ।

ଫୁଙ୍କି ଥିଲା ନିର୍ମାଣର ପାଞ୍ଚଜନ୍ୟ ବିଶ୍ୱକୁ ଶୁଣାଇ

ନୂଆ ଏକ ଜାତି ପାଇଁ

ବାଜିଥିଲା, ମଙ୍ଗଳ ସା’ନା ଇ ।

ବର୍ଷିଯାଅ ହେ ବରଷା

ଆକାଶର ସୀମା ଡେଇଁ

ସରହଦ ପାରି ହୋଇ ମୃତ ଏଇ

ଭୂଲୋକ ଗର୍ଭରେ, ଜୀବନର ଅମୃତ

ଝରାଇ, ପୃଥିବୀର ଶିରା-ପ୍ରଶିରାରେ

ରକ୍ତ ବିନ୍ଦୁ ହୋଇ,

ସର୍ଜନାର ସ୍ତାଲିନୀୟ, ମାଓବାଦୀ ସୀତାର ବଜାଇ ।

 

ସମ୍ବଲପୁରର ଗୋପବନ୍ଧୁ ଉଦ୍ୟାନ,

ଗୋଟିଏ ଗ୍ରୀଷ୍‌ମ ରାତି ଏବଂ ମୁଁ

 

ଅତ୍ୟଧିକ ପାଣିଚିଆ ଦୁଧର

ସଫେଦ ପରି ଜହ୍ନର ଜୋଛନା

ବିଛେଇ ଦେଇଛି ତା’ର ନରମ ବିଛଣା

ଅଧା ଧଳା,ଅଧା ସାବ୍‌ଜା ଘାସର ଚଟାଣେ ।

ଚାରିଆଡ଼େ ବିରକ୍‌ତିଆ ଗରମଟା

ମହଣେ ମହଣେ ।

ସ୍ୱେଦର ଗଙ୍ଗାକୁ ଧରି ଶିବ ସମ ନିଜ ମସ୍ତକରେ,

ଝାଳର ତ୍ରିବେଣୀ ସଙ୍ଗମ ସମଗ୍ର ଶରୀରେ ।

ଶହେ ଗ୍ରାମ୍‌ ଖୋଲା ବାୟୁ ଖୋଜି ଖୋଜି

ସମଲେଈ ପୁରେ,

ପହଞ୍ଚିଲି ନୟାପଡ଼ା ପୀରଙ୍କ ସାମ୍‌ନାରେ ।

ମଦମସ୍ତ ପୀର,

ରାବେଡି ସିରିଣୀ ଖାଇ

ଗହମ ନିଦରେ ପଡ଼ିଛନ୍ତି ଶୋଇ

ନିସ୍ତବ୍ଧ ନିଜର କବରେ,

ଘୋଡିହୋଇ ସବୁଜ ଚାଦରେ ।

 

ପୀରଙ୍କ ଆସ୍ଥାନକୁ ଅପଲକେ ଚାହିଁ,

ସତେ ଅବା ଜଗିଅଛି ନିଦ୍ରାହୀନ ହୋଇ

ଏ ଜାତିର ଶାଶ୍ୱତ ପ୍ରହରୀ ।

ତନ୍ଦ୍ରାହୀନ ଭାବେ ମହାକାଳ ଚିରି

କହିବାକୁ ଅନେକ ଅନେକ କଥା,

ଗାଇବାକୁ କରୁଣ ରାଗିଣୀ ତୁମ ମୁଖେ ଖାଲି ବ୍ୟଥା ।

ଅନିଦ୍ରିଆ କିନ୍ତୁ ଶାନ୍ତ

ମୁଖ ତୁମ ମୋତେ ଦେଖାଗଲା,

ଯଦିଓ ଧରଣୀ ବକ୍ଷେ ରୌଦ୍ରର ତାଣ୍ଡବଲୀଳା ।

 

ସେଥିରେ ଭେଜାଲ ଯୁଗ

ଭେଜାଲ ଜୋଛନା,

କହିବାକୁ ବହୁକଥା

କହିବାକୁ ତୁମେତ ଚାହୁଁନା ।

 

କିସ ବା କହିବ ? ତୈଳହୀନ ପ୍ରଦୀପରେ

ସଳିତାକୁ କିଆଁ ବା ତେଜିବ ?

ଲାଭ ନାହିଁ,ଲାଭ ନାହିଁ

ମୃତ ଏକ ଜାତିକୁରେ ସଞ୍ଜୀବନୀ

ମନ୍ତ୍ର ପଢ଼ି ଉଠାଇବା ପାଇଁ ।

ଇଚ୍ଛାକରି ନିଜ ହାତେ ନିଜଇଚ୍ଛା-ତଣ୍ଟି ଚିପି,

ଏ ଜାତିକୁ ‘ଧର୍ମପଦ’ ଶୁଣାଅନି

ନିଜ ହାତେ ପୋଛିଦିଅ ସ୍ୱରଚିତ ଲିପି ।

ତୁମ ମୂର୍ତ୍ତି ତଳେ,

କିଏ ଜଣେ ପଡ଼ି ଅଛି

ରିକ୍ତ ଏକ ମଦ୍ୟପାତ୍ର ସମ,

କଙ୍କାଳ ସଦୃଶ ମୋତେ

ଯାହା ସତେ ଦେଖାଯାଏ ଖାଲି ଅର୍ଦ୍ଧ ପ୍ରାଣ ।

 

ହୋଇଥିବ ଦୂର କେଉଁ ମଫସଲ

ଗ୍ରାମର ସେ ଭୂମିହୀନ ସୁଖବାସୀ (୧) ଗଣ୍ଡ (୨)

ଅବା ବୋଡ଼ା ସମ୍ବରର ନଅଙ୍କିଆ

ମରୁଡ଼ିଆ ଭୋଗିବାକୁ ‘ଐଶ୍ୱରୀକ ଦଣ୍ଡ’-

ପଡ଼ିଅଛି ତୁମ ପାଦ ଧରି,

ପାପ ତାର ଧୌତ ହେବ ବୋଲି କିବା

ମନରେ ସୁମରି !

 

ପଚାରିଲି ନିକଟକୁ ଯାଇ :

‘କିଏ ତୁମେ ଭାଇ ? କାହିଁକି ଏ

ନିଶାର୍ଦ୍ଧରେ,ଏଠି କିବା ତୁମ ବାସ ନାହିଁ ?’

ପରାଣେ ପରାଣେ ନାହିଁ

କହିବାକୁ ବାଣୀ,

ନିମଳିତ ଆଖି ଖୋଲି ଚାହିଁଲା ସେ ପ୍ରାଣୀ ।

 

ସତେ କିବା କ୍ଷୁଧାତୁର

ଶଙ୍କରର ତୃତୀୟ ନୟନ,

ବିଚ୍ଛୁରିତ କରିଦେଲା

ଚତୁର୍ଦ୍ଦିଗେ କ୍ଷୋଭଭରା ଅଗ୍ନି-କଣାମାନ ।

ଜାଳିବାକୁ ଧନତନ୍ତ୍ର ମୋହେ ସୁପ୍‍ତ

ଧରଣୀର ଯେ କୁବେର ପୁରୀ,

ଭସ୍ମିବାକୁ ସଭ୍ୟତାର ମୁଖାପିନ୍ଧା

ମଦନ ଓ ସହଜ ସୁନ୍ଦରୀ ।

 

ତୁମର ମୁଖଟି ସତେ ବୁଡ଼ୁଥିବା

ଜହ୍ନର ଆଲୁଏ

ଦେଖା ଗଲା କେଉଁ ଏକ

ଫରିସ୍ତା (୩) ବା ଆନ ଏକ କିଏ-

ଦେବଦୂତ, କିଂକର୍ତ୍ତବ୍ୟ ବିମୂଢ଼,

କରିସିନା ପାରୁନାହିଁ କିଛି

ମନେ କିନ୍ତୁ ଦୃଢ଼ ।

ହା’ହା’କାର ଭରା ଏଇ ଗ୍ରୀଷମ ରାତିଟି,

ଚିରିଯାଏ ସରଳିଆ ତୁମର ଛାତିଟି ।

 

ଚାରିଆଡ଼େ ଶସ୍ୟହାନୀ

ମରୁଡ଼ିର ବିକଟାଳ ରୂପ

ଶୋଷଣ ଝଞ୍ଜାରେ ନିଭେ

ଚାଷୀକୂଳ ଆଶାର ପ୍ରଦୀପ ।

 

ଗିରିଜନ ଗଣ୍ଡ ବୁଢ଼ା ମେଲି ତା’ର ତୃତୀୟ ନୟନ

କହେ ମୋତେ ଅବା ସତେ,

ଶୁଣ ସଇତାନ !

ତୁମରି ତିଆରି ଏଇ ବିଧି ଓ ବିଧାନ

ଛଡାଇଛି ସୁଖବାସୀ ଆଖିରୁ ତା’ସୁନ୍ଦର ସପନ ।

ସବୁ ନେଇ ଆମ,

ଆମକୁରେ କରି ସୁଖବାସୀ,

ଖନ୍ଦାଘର ଭରିଅଛ ତୁମ ।

ଆମରି ଶ୍ରମର ବଳେ ତୁମ ଅଟ୍ଟାଳିକା-

ଗଢ଼ି ଉଠି ହାତଠାରେ ଅମ୍ବର ତାରକା

ସର୍ବହରା ହୋଇ ଆମେ ତୁମରି ଦୃଷ୍ଟିରେ

‘ସୁଖବାସୀ’ ହେଲୁଁ ପୁଣି ଜନ ସମଷ୍ଟିରେ ।

ଏହିକି ବିଚାର ? ଉତ୍ପାଦକ ମରେ ଭୋକେ,

ମଉଜରେ ଥାଏ ସାହୁକାର !

ଆଜି ଏଇ ତପ୍ତ ରାତ୍ରେ

ଜଗତରୁ ବିଦାୟ ଘେନୁଛି,

କ୍ଷୁଧାଭାରେ ମରଣକୁ ବରଣ କରୁଛି ।

 

କିନ୍ତୁ ଆହେ ସଭ୍ୟତାର ବାହକ-ପୋଷକ

ମନେରଖ,

ମନେରଖ, ଏ ମେଦିନୀ ଫାଟିଯିବ,

ଜନ୍‌ମ ନେବ ଲଢ଼ୁଆ ପାଇକ,

ଯା’ହସ୍ତରେ ଉଡ଼ୁଥିବ ରକତ-ବୈରଖ,

ସେହି ମୋ’ର ବଂଶଧର ଗିରିଜନ

ମୁକତି ସୈନିକ ।

ମୋ ମୃତ୍ୟୁର ଦିନେ ସିଏ ନେବ ପ୍ରତିଶୋଧ

ଧନବାଦୀ ସମାଜର ଋଣ ପରିଶୋଧ-

ହେବ ସେହିଦିନ,

ଖଟିଖିଆ ମସ୍ତକରେ ବିଜୟ ଚନ୍ଦନ,

ଲାଗିବ ସେଦିନ ।

 

ସମୟର ଚକ୍ର ଦିନେ ଘୁଞ୍ଚିବ ଘୁଞ୍ଚିବ,

ମରଣର କାଳ ରାତ୍ରି ଦିନେ ତ ପାହିବ ।

ପ୍ରଭାତର ସୂଚନା ତ’ ମିଳିଲାଣି ଜାଣ,

ଆଗାମୀର ସୂର୍ଯ୍ୟୋଦୟ ହେବାର ଏ କ୍ଷଣ ।

ପାହାନ୍ତିଆ ପ୍ରହରରେ ଦଲକାଏ ବାୟୁ

ମହାନ୍‍ଦୀ ପଟୁଆସେ ଥଣ୍ଡା କରି ସ୍ନାୟୁ ।

ସ୍ୱେଦର ତ୍ରିବେଣୀ ଧିରେ ଶୁଖିଯାଏ

ଶୀତଳ ସମୀରେ,

ଆକାଶରୁ କାଳିମାଟା କଟିଯାଏ ଧିରେ

ଜନ୍‌ମ ନିଏ ଆଶାର କିରଣ

ଉଷାର ଇସତ୍‌ ଲାଲ ଉଜ୍ୱଳ-ଅମ୍ଳାନ-

ରଶ୍ମୀସବୁ କରନ୍ତି ସଙ୍କେତ,

ପରାଚୀ ବକ୍ଷରେ ଜାଣ ଉଡ଼ିବରେ ବୁଭୁକ୍ଷୁର ନେତ ।

ପୃଥିବୀର ଲୋହିତ କରଣ-

ହେବ, ଜନ୍‌ମ ନେଇ ତରୁଣ ଅରୁଣ,

ମୁକତିର ଆଷାଢ଼ ଝରିବ,

କଷଣର ଗ୍ରୀଷ୍‌ମ ସରିଯିବ ।

 

ତୁମ ମୁହଁ ସେହି ପରି ଶାନ୍ତ

କିନ୍ତୁ ଆଉ ତୁମେ ନୁହଁ କ୍ଳାନ୍ତ

କାରଣ ଯେ, ତୁମର ଅପୂର୍ଣ ଇଚ୍ଛା

ହେବ ଫଳବତୀ,

ମେଦିନୀରେ ସ୍ୱାଧିକାର ଲଭିବେରେ

ଜନ ମେହନତୀ ।

 

 

ରଘୁନାଥ ଦାସ (ଜଟାୟୁ)

୧୯୧୯-୧୯୮୪

 

ଖୋର୍ଦ୍ଧା ଜିଲ୍ଲାର ଷଣ୍ଢପୁର ଗ୍ରାମରେ ୩-ଜୁଲାଇ,୧୯୧୯ ରେ ରଘୁନାଥ ଦାସଙ୍କ ଜନ୍ମ । ବାଲ୍ୟ କାଳରେ ମାତୃ ବିୟୋଗ ଓ ହାଇସ୍କୁଲ ଶିକ୍ଷା ସମୟରେ ପିତାଙ୍କ ଦେହାନ୍ତ ହେବାରୁ ପିତୃମାତୃହୀନ କବି ରଘୁନାଥ ଆପଣା ଉଦ୍ୟମରେ ଉଚ୍ଚଶିକ୍ଷା ଲାଭ କରିଥିଲେ । ମାତ୍ର ଦଶ ବର୍ଷ ବୟସରେ କବିତା ଲେଖା ଆରମ୍ଭ କରି ପରବର୍ତ୍ତୀ ସମୟରେ ପ୍ରଗତିଶୀଳ ସାହିତ୍ୟକୁ ସମୃଦ୍ଧ କରିବା କ୍ଷେତ୍ରରେ ତାଙ୍କର ଅବଦାନ ଅବିସ୍ମରଣୀୟ ।

 

କଟକର ରେଭେନ୍ସା କଲେଜରେ ପାଠ ପଢ଼ୁଥିବା ସମୟରେ ୧୯୩୫ ସାଲରେ ବିପ୍ଳବୀ ଭଗବତୀ ଚରଣ ପାଣିଗ୍ରାହୀଙ୍କ ଦ୍ୱାରା ପ୍ରତିଷ୍ଠିତ ‘ନବଯୁଗ ସାହିତ୍ୟ ସଂସଦ’ର ଜଣେ ସକ୍ରିୟ ସଦସ୍ୟ ହେବା ସହ ସାହିତ୍ୟ ପ୍ରତି ଆକୃଷ୍ଟ ହୋଇ ମାର୍କ୍ସବାଦୀ, ପ୍ରଗତିବାଦୀ କବିତା ରଚନାରେ ବ୍ରତୀ ହୋଇଥିଲେ ।

 

ପରେ ଓକିଲାତି ବୃତ୍ତିରେ ପ୍ରବେଶ କରି ଦୀର୍ଘ ଦିନ ସାରସ୍ୱତ ସାଧନାରୁ ନିବୃତ୍ତ ରହି ଜୀବନର ଅନ୍ତିମ ବର୍ଷମାନଙ୍କରେ ପୁନରାୟ ସେ ସାହିତ୍ୟ ସାଧନାରେ ତଲ୍ଲୀନ ହୋଇଥିଲେ ।

 

ଏହି ମହାନ୍‍ ବିପ୍ଳବୀ କବିଙ୍କ ୧୯୮୪ ମସିହାରେ ଦେହାବସାନ ପ୍ରଗତି ଶୀଳ ସାହିତ୍ୟରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଥିଲେ ମଧ୍ୟ ଉତ୍ତରପିଢ଼ି ପାଇଁ ଆଜି ବି ଏହି ମହାନ୍‍ କବି ପ୍ରେରଣାର ପ୍ରଗଣାରେ ପଲ୍ଲବିତ ତରୁର ପ୍ରତୀକ ।

 

ଆମେ ଜନସାଧାରଣ

 

ଅନାହତ ପଥେ କାର ପଦଧ୍ୱନି-

ଚମକି ଚାହିଁଲା ଚକିତ ବନାନୀ,

ଚରଣ ପରଶେ ବିକାଶେ ପାଷାଣୀ

ଆମର କାହାଣୀ ପୁରାତନ ଅତି,

ରଚିଥିଲୁ ରାମାୟଣ

ଆମେ ଜନସାଧାରଣ ।

 

ଧମନୀରେ ଛୁଟେ ଯୌବନ ଉଦ୍ଦାମ,

ଏ ଧରଣୀ ହେଉ ସୁନ୍ଦର ସୁଠାମ,

ଛବିଳ ନଗର ସୁଗଠିତ ଗ୍ରାମ,

ମହାୟସୀ ଗ୍ରୀସ୍‌, ମନୋରମ ରୋମ,

ଉଷାର ସ୍ୱର୍ଣ୍ଣ ତୋରଣ

ଆମେ ଜନସାଧାରଣ ।

 

କୁଠାର ଆଘାତେ ନିପାତ ଜଙ୍ଗଲ,

ମୁଠାରେ ଲଙ୍ଗଳ, ଉଠାରେ ଫସଲ,

ଆମ ହାତେ କିଆଁ, ଜଡ଼ିତ ଶୃଙ୍ଖଳ ?

ହାଣ ଅମଙ୍ଗଳ, ଜାଗ ପ୍ରମିଥସ୍‌,

ମୁକ୍ତିର ଦୃପ୍ତ ସପନ

ଆମେ ଜନସାଧାରଣ ।

 

କେତେ ଯେ ଅମୀର ଜାର ବାଦଶାହ

କାଳସ୍ରୋତେ ଫୁଲି ବୁଦବୁଦ ପ୍ରାୟ

ଝଟକି କ୍ଷଣକେ ଫାଟିଗଲେ ହାୟ

ବିପୁଳ ପ୍ରବାହେ ଆମ ଜୀବନର

ଅବିନଶ୍ୟ ଚିରନ୍ତନ ।

ଆମେ ଜନସାଧାରଣ ।

 

ଦଳିତର ଗଣ୍ଡେ ତପ୍ତ ଅଶ୍ରୁଧାରା,

ନିରନ୍ନ ଜଠର ତୀବ୍ର ବହ୍ନିଜ୍ଜାଳା,

ବଞ୍ଚିତ ଲାଞ୍ଛିତ ଆମେ ସର୍ବହରା,

ବିଷାଦ ଜଡ଼ିତ ଜଡ଼ ବାଷ୍ଟାଇଲ

ନିଃସ୍ୱର ମହାକ୍ରନ୍ଦନ

ଆମେ ଜନସାଧାରଣ ।

 

ଶ୍ରମୁଁ ବଳି କାହିଁ ଅଛିରେ ପୁନିଅଁ ?

ମାଟିରେ ରୋପିଲା ରସାଳ ଅମୀୟ,

ଜୀବନେ ରଚିଲା କଳା କମନୀୟ

ପ୍ରଗତି ପୀଠର ପ୍ରିୟ ମହାଯାଗେ

ଅସ୍ଥିକୁ କରୁ ଇନ୍ଧନ

ଆମେ ଜନସାଧାରଣ ।

 

ଖେତେ ଖେତେ ଘନ ଶିହରଣ ଲାଗେ,

ସୃଜନର ବାଣୀ ବାଜେ ଅନୁରାଗେ,

ମୃଦୁ କଳରବେ କେହୁ କିରେ ଡାକେ !

କୋଟି ପ୍ରାଣେ ଜାଗେ ଗୋଟିଏ ସେ ଛନ୍ଦ

ବିଶ୍ୱବୁକୁର ସ୍ପନ୍ଦନ

ଆମେ ଜନସାଧାରଣ ।

 

ପ୍ରେମ-ଯମୁନାର ଆମେ ନୀଳ ସ୍ରୋତ,

ଦେଶେ ଦେଶେ ଉଡ଼େ ଶାନ୍ତି କପୋତ,

ରଣ ଓ ମରଣ କରିବୁ ବିରୋଧ,

ମାନବିକତାର ବୋଧେ ବଳିୟାର

ନାହିଁ ଚାହୁଁ ଆକ୍ରମଣ

ଆମେ ଜନସାଧାରଣ ।

 

ଆମେ ଚିକାଗୋର ଲୋହିତ ନିଶାଣ,

ଭଲ୍‌ଗା ତଟ ଛୁଇଁ ଛୁଟେ ଯେ ତୋଫାନ,

ନୂଆ ଚାଇନାର ବିପ୍ଳବୀ କିଷାନ

ଆମ ଅଭିଯାନେ ଦଳିତ ଜାତିର

ଛିନ୍ନ କରିବୁ ବନ୍ଧନ

ଆମେ ଜନସାଧାରଣ ।

 

ମାଳୟ ବଣର ପ୍ରଳୟ ଝଟିକା

କୋରିଆର ବୀର ସମର ଗୀତିକା

ଆମେ ରକ୍ତନଦୀ ଦୁର୍ଗମ ପରିଖା

ଆମେ ଲାଲଶିଖା ନବୀନ ଆଶାର,

ଏସିଆର ଜାଗରଣ

ଆମେ ଜନସାଧାରଣ ।

 

ଜୀବନପଥରେ କୋଟିଏ ପାହାଚ

ପଦେ ପଦେ ପୁଣି ନୂଆ ନୂଆ ନାଚ

ସ୍ମୃତି, ଅନୁଭୂତି, କାଲି ଲାଗି ପାଞ୍ଚ,

ବିପୁଳ ରୋମାଞ୍ଚେ ଗଢ଼ା ଆମ ପାଞ୍ଜି

ସବୁଜ ନିତ୍ୟ ନୂତନ

ଆମେ ଜନସାଧାରଣ ।

 

ଜଟାୟୁ

 

ଶିହରୁଛି ପଞ୍ଚବଟୀ

 

କାହାର ଏ ବିକଳ କ୍ରନ୍ଦନେ ?

 

ଶିହରୁଛି ବନଲତା-

ବିଶ୍ୱପିତା ଥରେ ଯଥା

 

ଆଶ୍ରିତର ଆର୍ତ୍ତ ନିବେଦନେ ।

 

 

କାହା ନେତ୍ରୁ ଝରିପଡ଼େ

 

ବିନ୍ଦୁ ବିନ୍ଦୁ ଉଷ୍ଣ ଏ ଲୋତକ ?

ପତ୍ରେ ପତ୍ରେ ରଖିଯାଏ

 

ବେଦନାର ନିଶ୍ଚିତ ସନ୍ତକ ।

କରେ କେ ଘର୍ଘର ନାଦ ଉର୍ଦ୍ଧ୍ୱନଭେ ?

 

ଅଶ୍ଳୀଳ ଶବଦ !

ପ୍ରକମ୍ପିତ କରେ ଦର୍ପେ ?

 

ବନସ୍ଥଳୀ ହେଉଛି ବିକ୍ଷୁବ୍ଧ ।

 

 

ଛୁଟିଆସେ ଉତ୍ତରରୁ

 

ପଳାତକ ପୁଷ୍ପକ ବିମାନ

ଶୋକାକୁଳା ସତୀ ସୀତା,

 

ପାଶେ ତାଙ୍କ ବସିଛି ରାବଣ ।

ଯତିବେଶେ ଲଙ୍କାପତି

 

ନେଉଛି ତ ସତୀଙ୍କୁ ଚୋରାଇ,

ଅସହାୟେ ସତୀ ଡାକେ ‘ପତି’ ‘ପତି’

 

ପତି ପାଶେ ନାହିଁ ।

ଜଡ଼ ହେଲା ପଞ୍ଚବଟୀ ?

 

ବ୍ୟର୍ଥ ଯିବ ଏତେ ଅଶ୍ରୁପାତ ?

 

 

ନଗ୍ନ ବ୍ୟଭିଚାରେ ଏଥି

 

କରିବେନି କେହି ପ୍ରତିବାଦ ?

ଆପଣାର ହୀନ ବଳେ

 

ମନେ ବୃଥା ଜାଗିଛି ସଂଶୟ

ବପୁର ଶକ୍ତି ମୋ କ୍ଷୀଣ,

 

କିନ୍ତୁ ମୋର ଆତ୍ମା ଯେ ଅଜେୟ ।

ମୁଁ ଛାର ଜଟାୟୁ ପକ୍ଷୀ

 

ପ୍ରତିପକ୍ଷ ପ୍ରବଳ ପ୍ରତାପୀ

ନୁହେଁ ତାର ସମକକ୍ଷ

 

ପ୍ରତିବାଦ କରିବି ତଥାପି ।

ପାରେ ବା ନ ପାରେ ମୁହିଁ,

 

ଅନୀତିର ରୋଧିବି ଗତିକୁ,

ସତ୍ୟ ଲାଗି ଯୁଝିବି ମୁଁ,

 

ଆଶ୍ୱାସନା ହେବ ସେ ସତୀକୁ ।

 

 

ଛୁଟିଲି ଆକାଶ ମାର୍ଗେ-

 

ଦୁରାଚାରି ! ରଥନୁଆଁ ତଳେ,

ନୋହିଲେ ରୁଧିରସିକ୍ତ

 

କରିବ ହିଁ ତୀକ୍ଷ୍ଣ ମୋ ନଖରେ ।

ଅବଜ୍ଞା କରିଲୁ ମୋତେ !

 

ରାବଣରେ ପ୍ରଥମ ଆଘାତ

କରେ ଆଜି ଶକ୍ତିହୀନ ପକ୍ଷୀ ଏକ

 

ଅଜ୍ଞାତ ଅଖ୍ୟାତ

 

କରେ ରକ୍ତସ୍ନାତ ।

 

 

ମୋ ଲାଗି ଧରିଛି ଖଡ଼୍‌ଗ ଲଙ୍କାପତି,

 

-ଏକ ପକ୍ଷ ଛେଦେ

ବିଚ୍ଛୁରିତ ହୁଏ ସତ୍ୟ-ରକ୍ତବୀଜ

 

ଆକାଶର ଖେତେ ।

ଆନ ପକ୍ଷେ ପ୍ରତିରୋଧ କରିବି ମୁଁ

 

ଛାଡ଼ିବିନି ବାଟ,

ମୋର ପଦାଘାତ ଶିରେ ତାର

 

ବହିବ ହିଁ ଲଙ୍କାର ସମ୍ରାଟ ।

ବେନିପକ୍ଷ ଛିଡିଗଲା

 

ଛିଡିଯାଉ, ନାହିଁ ମୋ ଶୋଚନା

ମୁଁ ରହିବି ଯୁଗେ ଯୁଗେ ଯୁଯୁସିୁର

 

ଜ୍ୱଳନ୍ତ ପ୍ରେରଣା ।

 

 

 

ଲେଖିବ ବାଲ୍ମୀକି,ସତୀ ଲାଗି ପକ୍ଷୀ ଏକ

 

 

ରାମ ଆଗୁଁ ଯୁଝିଥିଲା ବିଂଶବାହୁ ପ୍ରତିପକ୍ଷେ

 

ଯୁଝିଛି ଏକାକୀ ।

 

ଏକକ ସେ ସେନା

 

ପକ୍ଷେ ସତ୍ୟ, ପକ୍ଷେ ନ୍ୟାୟ

 

ଅବିନୀତ ଜଟାୟୁର ଡେଣା ।

 

 

ରାମଲକ୍ଷ୍ମଣ ଦାଶ

୧୯୨୮-୨୦୦୩

 

କୈଶୋରାବସ୍ଥାରୁ ଅନ୍ୟାୟର ଦୃଢ଼ ପ୍ରତିବାଦ କରିବା କବିଙ୍କ ପ୍ରବୃତ୍ତି । ଜଣେ ଅପ୍ରତିଦ୍ୱନ୍ଦୀ ଜନନାୟକ ଭାବେ ବେଶ୍‌ ପରିଚିତ କବି ରାମଲକ୍ଷ୍ମଣ ଦାଶ ଚାଷୀ, ମୂଲିଆ ଓ ଅଭାବ ଅସୁବିଧା ଭିତରେ ପେଶି ହେଉଥିବା ମାମୁଲି ମଣିଷଙ୍କ ଅଧିକାର ପାଇଁ ସଂଗ୍ରାମ କରି ଜେଲ ଆଉ ଜରିମାନାରେ ବିତିଛି ତାଙ୍କ ଜୀବନକାଳ । ଯୌବନର ଆଦ୍ୟ ଭାଗରୁ ସେ କମ୍ୟୁନିଷ୍ଟ ଆଦର୍ଶଦ୍ୱାରା ପ୍ରଭାବିତ ହୋଇ କମ୍ୟୁନିଷ୍ଟ ପାର୍ଟିରେ ଯୋଗ ଦେଇ ବିଭିନ୍ନ ସଭାସମିତିରେ ଆଶୁ କବି ଓ ସଂଗ୍ରାମୀ ଭାବରେ ଏବେ ବି ଜନସାଧାରଣଙ୍କ ସ୍ମରଣରେ ଉଦ୍‌ଭାସିତ ।

 

ଯଦିଓ ନିଜର ସ୍ୱାଧିନଚେତା ପ୍ରକୃତି ଯୋଗୁଁ ସେ କମ୍ୟୁନିଷ୍ଟ ପାର୍ଟିରେ ଶେଷଯାଏଁ ସଦସ୍ୟ ହୋଇ ରହି ନଥିଲେ, ମାତ୍ର ସେ ଶେଷ ନିଃଶ୍ୱାସ ତ୍ୟାଗ କରିବା ଯାଏଁ ମାର୍କସ୍ପବାଦୀ ଚିନ୍ତନରୁ ବିଚ୍ୟୁତ ହୋଇନଥିଲେ ।

 

ଅତିସରଳ,ଅମାୟିକ, ସାଦାସିଧା ଏହି ସୃଜନ ସାଧକ ସାଲିସ୍‌ବିହୀନ ସଂଗ୍ରାମୀ ମଣିଷଭାବେ ସମଗ୍ର ପଶ୍ଚିମ ଓଡ଼ିଶାରେ ସେ ଥିଲେ ବେଶ୍‌ ପରିଚିତ । ଏହି କବିଙ୍କର ୨୦୦୩ ସାଲରେ ବିୟୋଗ ହେତୁ ଓଡ଼ିଶା ଜଣେ ଶ୍ରେଷ୍ଠପୁତ୍ରଙ୍କୁ ହରାଇ ନିଜ କୋଳରେ ସାଇତିଛି ଶୋକର ସ୍ୱାକ୍ଷର ।

 

ରକ୍ତ-ସୂର୍ଯ୍ୟ

 

ବିଶ୍ୱ-ପ୍ରାଚୀ-ଗଗନ-କ୍ଷେତ୍ରେ

ରକ୍ତ-ସୂର୍ଯ୍ୟ ଉଠେ

ବିଶ୍ୱ-ଶୋଷିତ-ମନ-ସରୋବରେ

ରକ୍ତ-ପଦ୍ମ ଫୁଟେ ।

ମୁକୁଳା-କେଶର-ବିନ୍ୟାସେ ନାରୀ

ରକ୍ତ- ଓଢ଼ଣା ଟାଣି

ରକ୍ତ-ଡାଲାରେ ରକ୍ତ-ଗୋଲାପ

ପାରିଜାତ ରଖେ ଆଣି ।

 

ରକ୍ତ-ମାନସେ ହୃଦୟ-ହରଷେ

ରକ୍ତ-ଝୁଣା-ସୁଗନ୍ଧେ

ରକ୍ତ-ପ୍ରଦୀପ ଜଳାଏ ସରାଗେ

ରକ୍ତ-ନୃତ୍ୟ-ଛନ୍ଦେ ।

 

ରକ୍ତ-ନୂପୁର ବାଜି ଉଠେ ତାର

ରକ୍ତ-ବାଜଣା ଶୁଣି

ରକ୍ତ-ଲାସ୍ୟେ ରକ୍ତ-ମାନବ

ରକ୍ତ-ହୃଦୟ ଝୁଣି...

 

ରକ୍ତ-ବିଭୂତି ବୋଳି ସେ ରକ୍ତ

ତାଣ୍ଡବେ-ମାତି ଚଳେ

ରକ୍ତ-ସୂର୍ଯ୍ୟ-ରକ୍ତ-ଆଲୋକେ

ରକ୍ତ-ଅଗ୍ନି ଜଳେ ।

 

ଏକ ଶୀତାର୍ତ୍ତ ସଂଧ୍ୟାର ଷ୍ଟାଣ୍ଡାର୍ଡ କବିତା

 

ବିରଳା ନାତୁଣୀ କାନର ହଜିଛି ଦୁଲ୍‌

ଖବର କାଗଜ ହକର ଗଳିରେ ଡାକେ

ସୁନା ହଜିଗଲେ ସବୁଠି ଚହଳ ପଡ଼େ,

ମଣିଷ ହଜିଲେ କିଏ କି ଖବର ରଖେ ?

 

ଟ୍ରେନ୍‌ ପଛରେ ମଟର ମେଲିଛି ଧାଡ଼ି

ଫାଙ୍କ ପଡ଼ିଲେ ଚଲା ମଣିଷର ଭିଡ଼

ଯିବା ଆସିବାର ଗହଳି ଭିତରେ ପଶି

ଜୀବନ ଚାଲିଛି ମଣିଷକୁ କୁଦି ମାଡ଼ି-

 

ବିଡ଼ି ବୋଳା ପିଲା କାମରୁ ପାଇଣ ଛୁଟି

ସିନେମା ଟିକଟ ତରତରେ କିଣି ନିଏ

ଜୀବନ ହଜାଇ କେନ୍ଦୁ ପତର ମାଳେ

ଛବି ପରଦାରୁ ସପନ ଟିକିଏ ପାଏ-

 

ରାସ୍ତା କଡ଼ର ଅଇଁଠା ପତର ଖୁଣ୍ଟି

ଭୋକ ବିକଳେ କେ ଉଦର ପୁରେଇ ନିଏ

ମଣିଷଟି ଯାଏ ଜନ୍ତୁଟି ପଡ଼ିଥାଏ

ମଣିଷଟି ଗଲେ ଜନ୍ତୁ କିଆଁ ପଡ଼ିଥାଏ-

 

ମାଇଲ -ମାଇଲ ସମୟର ନଈବାଲି

ମଣିଷର ହାଡ଼ କୁଢ଼ କୁଢ଼ ଅଛି ଜମା

ମଣିଷତ ଆହା ହଜି ଯାଇଅଛି କାହିଁ

ହାଡ଼ ଗଦା ଡେଇଁ ଡେଇଁ ନଈବାଲି ସୀମା-

 

ରାସ୍ତାରେ ଆସେ ଜନତାର ପଟୁଆର୍‌

ସାମ୍ୟ ମୈତ୍ରୀ ପ୍ରଗତୀ ନିଶାଣ ତୋଳି

ଝଡ଼ର ଆବାଜ କଣ୍ଠୁଁ ନିରତ ଛୁଟେ

ହଜିଲା ମଣିଷ ସତେ କି ଆସିଛି ଫେରି

 

ମନ୍ତ୍ରୀ ଭବନେ ସିପାହୀ ପହରା ଦିଏ

ମନ୍ତ୍ରୀ ନବରେ ମଣିଷ ପଶିବେ କାଳେ

ମଣିଷ ରହେନା,-ମନ୍ତ୍ରୀ ରହନ୍ତି ଏଠି

କ୍ଷମତାର ତୋଡ଼େ ମଣିଷ ହଜିଛି ଦୂରେ

 

କ୍ଷମତାର ତୋଡ଼େ ମଣିଷ ହଜିଲା କିଆଁ

ଆମେ ଦେଇଛୁ ନା କ୍ଷମତା ହାତକୁ ଟେକି

ମଣିଷକୁ ଇୟେ ମଣିଷ କରିବେ ବୋଲି

ଚୁପ୍‌ କର ତୁମେ କହି ନ ପାରିବ କିଛି

 

ପାଇ ହଜିବାର ଲୁଚୁକାଳି ଖେଳ ତଳେ

ହଜାଇ ପାଇବା ମଣିଷ କରିଛି ଆଶା

ଆଶାର ସଳିତା ନିରାଶାରେ ପଛେ ମିଶୁ

ଆଶାରେ ତ ଥାଏ ମଣିଷ ମନର ଭାଷା ।

 

 

ରବି ସିଂ

୧୯୩୩-

 

ସଦ୍ୟ ସ୍ୱାଧୀନତା ପରବର୍ତ୍ତି ପ୍ରାରମ୍ଭରୁ କବି ରବି ସିଂ ପ୍ରଗତିବାଦୀ କାବ୍ୟଆନ୍ଦୋଳନର ଅନ୍ୟତମ ଅଗ୍ନିପୁରୁଷ, ମାର୍କ୍ସବାଦୀ ଓଡ଼ିଆ ସାହିତ୍ୟର ମହାନ୍‍ ମନ୍ତ୍ରଗୁରୁ । ଆଜି ବି ଚଳଚଞ୍ଚଳ, ସୃଷ୍ଟିମଗ୍ନ ।

 

ଦୀର୍ଘ ଅର୍ଦ୍ଧଶତାବ୍ଦୀରୁ ଅଧିକକାଳ ‘ନିଃସଙ୍ଗ ନିବାସ’ର ଏହି କ୍ରାନ୍ତିକାରୀ କବି ସାହିତ୍ୟ, ସାମ୍ବାଦିକତା ଓ ସମାଜସେବା କ୍ଷେତ୍ରରେ ସମସାମୟିକମାନଙ୍କଠୁଁ ଅନନ୍ୟ, ଭିନ୍ନ ଭାବନାର ଭାବଭୂଇଁରେ ବିରଳ ବ୍ୟକ୍ତିତ୍ୱ । ବାରିହୋଇପଡ଼ନ୍ତି ପ୍ରଚଳିତ ବିଧି, ବିଧାନ ଓ ବ୍ୟବସ୍ଥାର ଆରପାରିରୁ ପ୍ରତିବାଦର ପ୍ରଜ୍ଜ୍ୱଳିତ ବତୀଘର ସମ । ଭାଗ୍ୟ, ଭୋଗ, ଭଗବାନର ସମାଧି ଉପରେ ତାଙ୍କ ନିରବଚ୍ଛିନ୍ନ ସାରସ୍ୱତ ସର୍ଜନା ପ୍ରତିଘାତର ...ବସ୍ତୁତଃ କ୍ରାନ୍ତିର କବିତା । ସେ କ୍ରାନ୍ତି ଏକ ନୂତନ ସମାଜ ବ୍ୟବସ୍ଥାର .ଆଗ୍ନେୟ ଆହ୍ୱାନରେ ଜର୍ଜ୍ଜରିତ ।

 

ଦଶକ ପରେ ଦଶକ ହେଲାଣି ଅତିକ୍ରାନ୍ତ । ଓଡ଼ିଆ ପ୍ରଗତିବାଦୀ ସାହିତ୍ୟର ମଞ୍ଚରୁ କ୍ରମେ ଅନ୍ତର୍ହିତ ହୋଇଛନ୍ତି ତାଙ୍କ ସମୟର ଅନେକ ଚରିତ୍ର ଅଚାନକ । ନିରବୀ ଯାଇଛି ସେମାନଙ୍କ ଶାଣିତ ସ୍ୱର ଓ ସମ୍ଭାବନାର ସକାଳ । ବଦଳିଯାଇଛି କାହାର ନା କାହାର ପଥ ଓ ପାନିପଥ । କିନ୍ତୁ ରବି ସିଂ ସେହି ଅପରିବର୍ତ୍ତିତ ସତ୍ୟ ଓ ପ୍ରତ୍ୟୟର ସ୍ପର୍ଦ୍ଧିତ ସ୍ପୁଲିଙ୍ଗ ପରି ଆଜି ବି ଅନିର୍ବାଣ, ଆଜି ବି ଚର୍ଚ୍ଚିତ... । ଆଜି ବି ଅନେକ ତରୁଣ ସାଧକ କବିଙ୍କର କ୍ରାନ୍ତିକାରୀ କାବ୍ୟଧାରା ଓ ଧାରଣାକୁ ଧାୟୀ ଧ୍ୟାନରତ ।

 

ଜନ୍ମଗ୍ରାମ : ପ୍ରଣାମ, ପ୍ରଣାମ !

 

ଏ କବିର ଉତ୍ସଭୂମି, ଜନ୍ମଗ୍ରାମ, ହେ ନବାପାଟଣା,

ତମେ ତ ଦେଇଛ ମୋତେ ଜନ୍ମଲଗ୍ନୁଁ ରୁଦ୍ର-ଅଗ୍ନିବୀଣା ।

ଦେଇଅଛ ତ୍ୟାଗ-ଦୀକ୍ଷା,ଭୋଗବାଦ ବିରୋଧୀ-ମାନସ,

ହୃଦୟକୁ କରିଛ ମୋ ସୀମାହୀନ ଉଦାର ଆକାଶ

ଜନ୍ମ ପରେ ପୃଥିବୀର ପାଠଶାଳେ ଭର୍ତ୍ତି ଅଛ କରି,

ସେଠୁ ମୁଁ ଶିଖିଛି ମୋର ଧନୁର୍ବିଦ୍ୟା ଏକଲବ୍ୟ ପରି ।

ମଣିଷକୁ କରିଛି ମୁଁ ଜୀବନରେ ମହାଗୁରୁ ଦ୍ରୋଣ,

ଜ୍ଞାନର ଭଣ୍ଡାର ମୋତେ ଦେଇଛନ୍ତି ଜନସାଧାରଣ ।

ଦଳିତର ଦୀର୍ଘଶ୍ୱାସ ପାଲଟିଛି ମୋର ଅଗ୍ନି-ତୂଣୀ

ଦେଇଛନ୍ତି ଅଭିଶାପ ସମାଜର ଯେତେ ଜ୍ଞାନୀ, ଗୁଣୀ ।

ସେହି ଅଭିଶାପ ମୋତେ ଆୟୁଷ୍ମାନ କରିଛି ସଂଗ୍ରାମେ

ଘୂରିଛି ମୁଁ ଯାଯାବର ଜନାରଣ୍ୟେ ଗ୍ରାମେ ଗ୍ରାମେ ଗ୍ରାମେ ।

ମଣିଷକୁ ପଢ଼ିଛି ମୁଁ ଗ୍ରନ୍ଥବତ୍‌ ଆଖିର ଆଲୋକେ,

ଅନୁଭୂତି, ଅନୁଭବ ଅର୍ଜିଛି ମୁଁ ଅନଶନେ,ଉପବାସେ, ଭୋକେ ।

 

ଆଗୋ ଜନ୍ମ-ଗ୍ରାମ,

ଯୁଦ୍ଧ କରି ବୃଦ୍ଧ ହେଲି

ବହୁଦୁରୂଁ ଘେନ ମୋ ପ୍ରଣାମ ।

ଯେଉଁ ଯୁଦ୍ଧେ ଲଢ଼ୁଥିଲି

ଶେଷହୀନ ସେ ମହାସମର,

ଥିଲି ତା’ର ସେନାପତି

ଅଜେୟ ମୁଁ ବୀର ମହାବଳ ।

କୋଷବଦ୍ଧ ହୋଇନାହିଁ

ଦିନେ ହେଲେ ତରବାରି ମୋର,

ଆଜି ବି ରହିଛି ଦେହେ

ସାମରିକ ପୋଷାକ ଧୂସର ।

 

ଆଗୋ ମୋର ଜନ୍ମଗ୍ରାମ, ନିର୍ଝରର ହେ ଗିରି-ଜନନୀ,

ପଳାତକ ସ୍ରୋତ-ଶିଶୁ ମୁହିଁ ତବ, ପାରୁଛ ତ ଚିହ୍ନି ?

ପାର୍ବତ୍ୟ ଝରଣା କେବେ ଫେରେ ନାହିଁ ପର୍ବତର କୋଳେ,

ଅବିରତ ଧାବମାନ ସମ୍ମୁଖକୁ, କାୟା ସେ ବିସ୍ତାରେ ।

ବେଦନାର ଆବର୍ତ୍ତରେ ପାଲଟେ ସେ ସୁଗଭୀରା ନଦୀ,

ଆତ୍ମଦାନ କରେ ସେ ତ ସାଗରରେ ଧାଇଁ ନିରବଧି ।

ମୁଁ ସେହି ବିଶାଳ ନଦୀ, ପଳାତକ ତମରି ଝରଣା

ଆଗୋ ମୋର ଉତ୍ସଭୂମି, ଜନ୍ମଗ୍ରାମ ହେ ନବାପାଟଣା ।

 

ପିଲାଦିନେ ଯେ ଧୂଳି ମୁଠାକ-

ଧରିଥିଲି ଖେଳିବାକୁ, ତାକୁ ଆସି ସେ ରୁଦ୍ର-ବୈଶାଖ-

ଛଡାଇ ତ ନେଲା ପରେ, ଆସିଥିଲା ନୀଡ଼ଭଙ୍ଗା ଝଡ଼,

ସେ ଝଡ଼ର ପକ୍ଷପୁଟ ହେଲା ପରେ ମୋର ମାତୃକୋଳ ।

ଶିଖାଇଲା ଭାଙ୍ଗିବାକୁ ଯାହାକିଛି ସ୍ଥିତ, ବ୍ୟବସ୍ଥିତ,

ଅଶିବ ଓ ଅମଙ୍ଗଳ, ଯାହାକିଛି ଅଶ୍ଳୀଳ, କୁତ୍ସିତ ।

 

ଜନ୍ମଗ୍ରାମ,ତମେ ଅଛ ନାହିଁ ସେଠି ମୋ ପୈତୃକ ଗୃହ,

ଅଛି ତ ପୈତୃକ-ଭିଟା ସ୍ୱାଧୀନତା ସଂଗ୍ରାମର ବ୍ୟୁହ ।

ଏକସ୍ତରୀ ବର୍ଷତଳେ ସରସ୍ୱତୀ ପୂଜା ପ୍ରତ୍ୟୁଷରେ,

କୁଆଁ କୁଆଁ ରବ ମୋର ଶୁଭିଥିଲା ଏଇ ପୃଥିବୀରେ ।

ପ୍ରଭାତର ଲୋହିତ-ଭୈରବୀ ।

ବିଦ୍ରୋହର ଦୀକ୍ଷା ମୋତେ ଦେଇଥିଲା, କରିଥିବା କବି ।

 

ଶୁଣିଥିଲି ମହାଧ୍ୱନି

ଦେଖିଥିଲି କାବ୍ୟଦେବୀ ରୂପ,

ଧରଣୀର ନାଭିପଦ୍ମୁ

ଆସିଥିଲା ଛନ୍ଦର ଉତ୍ତାପ ।

ମଣିଷର କଣ୍ଠ-ଭାଷା

ହେଲା ମୋର ଭାଷାର ଭାରତୀ,

ମାନବ ଜାତିର ମୁକ୍ତି

ହେଲା ମୋର ବିଦ୍ରୋହର ଗୀତି ।

ଯୌବନ ଆସିଲା ନେଇ

ମୋ ପାଖକୁ ରକ୍ତଧ୍ୱଜ-ରଥ,

ପ୍ରଣୟ ଆସିଲା ନେଇ

ତା’ର ତୀବ୍ର ଭୀମ କଷାଘାତ ।

‘ବନ୍ଧୁ’ ରୂପେ ପ୍ରତାରକ

ଆସିଲେ ତ ହାତେ ଧରି ଛୁରା,

ଆସିଲାତ ରାଜରୋଷ

ଆସିଲାତ କାରା ବନ୍ଦୀଶାଳା ।

ଆସିଲା ତ ନିନ୍ଦା,କୁତ୍ସା

ଷଡ଼ଯନ୍ତ୍ର ପୁଣି ଆକ୍ରମଣ,

ହତ୍ୟାର ଉଦ୍ୟମ ଆସି

ପରାଜିତ ହୋଇଲା ମରଣ ।

ସବୁ ସତ୍ତ୍ୱେ ଥମିଲାନି

ମୋ ବିଦ୍ରୋହୀ ରଥର ଘର୍ଘର,

ମୋ ଅଶ୍ୱ ଇସ୍‌ପାତ ଖୁରା

ଉଖାରିଲା ପଥ କଙ୍କରିଳ ।

 

ରକ୍ତ-ପଦ୍ମାସୀନା ମୋର ଦେବୀ ବୀଣାପାଣି-

ଯୌବନେ ଦେଇଛି ମୋତେ ଅବିଜିତ ଦୁର୍ଜୟ ଲେଖନୀ ।

ଆଖିରେ ଦେଇଛି ମୋର ଆଦିକବି ବାଲ୍‌ମିକୀର ଲୁହ,

ଚେତନାରେ ଦେଇଛି ମୋ ଅସାମ୍ୟର ବିରୋଧୀ-ବିଦ୍ରୋହ ।

ସମାଜର ହୃଦୟରୁ ପୋଛିବାକୁ ଶ୍ରେଣୀ-କ୍ଷତ-ଜ୍ୱାଳା,

ବଜାଇବା ପାଇଁ ମୋତେ ଶିଖାଇଛି ଝଡ଼ର ବେହେଲା ।

ସଂଗ୍ରାମ ଦେଇଛି ମୋତେ ସାଧନାର ରୁଦ୍ର ଧ୍ୟାନ-ଗୁହା,

ମୃତ୍ୟୁକୁ କରିଛି କବି ଗୃହବଧୂ, ଭଗବାନେ ସ୍ୱାହା-

ହୋଇଛି ମୋ ହୋମକୁଣ୍ଡେ, ସୃଜିଛି ମୁଁ ନୂଆ ଭଗବାନ,

ସମାଜର ସିଂହାସନେ ପୂଜ୍ୟ ସେତ ମଣିଷର ଶ୍ରମ,

ମେହନତ-ମହାକାବ୍ୟ, ତାର ଯେଉଁ ଛନ୍ଦର ଉତ୍ତାପ,

ସାରିବାକୁ ଦୁଃଖ, ଦୈନ୍ୟ, ପୋଛିବାକୁ ଶୋଷଣର ପାପ

ମୋ ଗଦ୍ୟର ହାତୁଡ଼ିରେ ଚୁନାକରି ଅପସଂସ୍କୃତିକୁ,

କଳା ସୃଷ୍ଟି ନିହଣ ମୋ ଆଜିଯାଏ ବାଜେ ଠୁକୁଠୁକୁ ।

 

ଆଜି ବି ନ ହେଲେ କାଲି ଲୀନ ହେବ ଜାଣେ ମୋର ଦେହ,

ବସ୍ତୁର ସେ ରୂପାନ୍ତର, ସେପାଇଁ ମୁଁ ସଦା ବେପର୍ବାୟ ।

ଯୌବନର ଫୁଲଧନୁ ଫିଙ୍ଗିଛି ମୁଁ ସଂଗ୍ରାମ-ଅନଳେ,

ବିଶ୍ୱପ୍ରେମେ ମତ୍ତ କବି,ଥିଲି ଥିବି ଜନାରଣ୍ୟ ତଳେ ।

 

ଆଗୋ ମୋର ଜନ୍ମଗ୍ରାମ

ମୋର ପୂର୍ବପୁରୁଷର

ଥିଲ ତମେ ଥିଲ ଯୁଦ୍ଧଘାଟି,

ସେ ଘାଟିରୁ ଆସିଛି ମୁଁ

ଚୁମି ତାର ଝଡ଼ଧୌତ ମାଟି ।

ସେ ମାଟିର ଲୁପ୍ତ ଇତିହାସ,

ପଢ଼ିବାକୁ କେହି ନାହିଁ

ଧଡ଼ିବାଜ୍‌, ଯେତେ ବଦମାସ୍‌

ବସିଛନ୍ତି ସିଂହାସନେ

ଚଳୁ କରି ଭାଷା ଓ ସଂସ୍କୃତି,

ତାଙ୍କୁ ମୁଁ ଧିକ୍କାର କରେ

ଗଣିକାଏ ସାଜିଛନ୍ତି ସତୀ ।

 

ଆଗୋ ମୋର ଜନ୍ମଗ୍ରାମ, ତବ ସ୍ମୃତି ପଡ଼ିବାରୁ ମନେ,

ଉନ୍ନତଶିର ମୋ ନତ ହୋଇଯାଏ ନିରବେ ମଉନେ ।

ମୁଁ ତ୍ୟକ୍ତ-ଅନଳକଣା, ବୁକୁରେ ମୋ ଧରି ଦାବାନଳ,

ତମକୁ ପ୍ରଣାମ କରେଁ ଦୂରୁଁ ତମ ବିଚ୍ଛିନ୍ନ ଦୁଲାଳ ।

 

ଆଗୋ ପ୍ରେମଶୀଳା !

 

ପ୍ରେମଶୀଳା ଭୋଇ,

ଉପବାସେ ରହିରହି

ସ୍ୱାମୀ ତବ ମରିଥିଲା

ତମେ ମଲ, ପାରିଲେନି

କେହି ବି ବଞ୍ଚାଇ ।

ଜୀବନ ପାରିଲା ନାହିଁ

ମୃତ୍ୟୁ ସାଥେ କରି ମୁକାବିଲା,

ମରଣର ବେଦୀ ମୂଳେ

ଥୁଆ ହେଲ ହୋଇ ଫୁଲଡାଲା ।

ଅସହ୍ୟ ସେ ଛବି,

ସମ୍ବାଦପତ୍ରରୁ ଦେଖି ଦୀର୍ଘଶ୍ୱାସେ

ସେ କରୁଣ ଦୃଶ୍ୟ ମୁହିଁ କବି

ତମରି ଶବକୁ ଲାଗି ତମରି ସେ

ଦୁଇଗୋଟି ଶିଶୁ-ଭୋଳାନାଥ

ବସିଥିଲେ ଅସହାୟ

ଅତର୍କିତେ ହୋଇ ତ ଅନାଥ ।

ନେତ୍ରପ୍ରାନ୍ତୁ ଲୋତକର ରେଣୁ-

ଝରୁଥିଲା ତମଦେହେ

ବାଜୁଥିଲା କାରୁଣ୍ୟର ବେଣୁ ।

ନିହତର କଟାମୁଣ୍ଡ ଭଳି,

ମୃତ୍ୟୁର କୁଠାରଘାତେ

ଛିଡ଼ି ତମେ ପଡ଼ିଲତ ନାରି !

ତମରି ଅନାଥ ସେହି

ଅସହାୟ ଦୁଇଟି ଶାବକ,

କେମିତି ଅଛନ୍ତି କାହିଁ

କାନ୍ଦୁଥିବେ ହୋଇବାରୁ ଭୋକ ।

କୋଳକୁ ନେବାକୁ ଟାଣି

କେହିନାହିଁ ଶୂନ୍ୟ-ଉପତ୍ୟକା,

ଶୀତର ଲହରି ସାଥେ

ନଗ୍ନ ଦେହ ଶୋକ ଓ ବୁଭୁକ୍ଷା ।

ମଣିଷ ପଳାଉଛନ୍ତି

ପୁରପଲ୍ଲୀ ଛାଡ଼ି ଭିଟାମାଟି

ବେଛପରି ଚାଳତଳେ

ଅସମର୍ଥ ମଣିଷ କେତୋଟି ।

ବୁଢ଼ା-ବୁଢ଼ୀ, ନାରୀ, ଶିଶୁ

କଙ୍କାଳ ଓ ନିଃସ୍ୱ ସର୍ବହରା

ଦେଖି ତାକୁ ଡରିଗଲ

ନାଗରିକା ଆଗୋ ପ୍ରେମଶୀଳା ।

ଧିକ୍‌ ଆମ ‘ଗଣତନ୍ତ୍ର’ର

ଧିକ୍‌ ଧିକ୍‌ ଆମ ସ୍ୱାଧୀନତା,

ଧିକ୍‌ ରାମରାଜ୍ୟ ଆମ

ଲାଜରେ ତ ନଇଁ ଯାଏ ମଥା ।

ତମ ଅନାହାର ମୃତ୍ୟୁ

ଜାତି ପାଇଁ ମହା ଅଭିଶାପ

ଏ ଏକ ଜାତୀୟ ଲଜ୍ଜା

ଯନ୍ତ୍ରଣାର ଭୀମ ଅନ୍ଧକୂପ ।

 

ଅନାହାରେ ମରିନାହଁ, ମରିଥିଲେ ହୋଇବ ‘ତଦନ୍ତ’

ମରିଛ ଅଖାଦ୍ୟ ଖାଇ ବୋଧହୁଏ ! ଖାଉ ବଳବନ୍ତ

ସନ୍ଦେହ କରନ୍ତି ବସି ଶୀତତାପ ନିୟନ୍ତ୍ରିତ ଘରେ

‘ମଲେ କ’ଣ ଭାସିଗଲା ? ସେ କଥା କି ଅଛି କା’ହାତରେ

ବାତ୍ୟା, ବନ୍ୟା, ମରୁଡ଼ି ତ ଦୈବ ହାତକଥା

ଏତେ ପାଟିତୁଣ୍ଡ କିଆଁ ? ଧୈର୍ଯ୍ୟଧର, ବୁଝିବା ସେ’କଥା !’

ଧନ୍ୟ ପଙ୍ଗପାଳ !

ଧନ୍ୟ ତମ ରାଜନୀତି, ଦୁର୍ନୀତିର ମହାବାହୁ ଦଳ !

ଗଣ୍ଡି ନାହିଁ, ମୁଣ୍ଡ ଅଛି, ହେ ରାକ୍ଷସ ରାହୁ !

ନୀତି, ନୈତିକତା ଯେତେ ମୂଲ୍ୟବୋଧ କର ତା’ର ଭାଉ

କିଲୋ ନୁହେଁ, କୁଇଣ୍ଟାଲ ଦରେ,

କାଢ଼ିଛ ଥନ୍ତଲ ପେଟ, ଛିନ୍ନକନ୍ଥା ଦେଇଛ ଜାତିରେ,

ନିଶାଚର ହେ ପିଶାଚ, ଚୋରିକର ଶବକୁ ରାତିରେ ।

ବ୍ୟାଭିଚାର-ମଧୁଶଯ୍ୟା ପରେ ଯେତେ ଅନୀତି-ଗଣିକା,

ତମରି ଅସୀମ କ୍ଷୁଧା, ତାର ଯେଉଁ ଲେଲିହାନ ଶିଖା,

ଜାଳିଦେଲା, ଭସ୍ମକଲା ମଣିଷର ଆଶା, ଭାଷା, ଗୀତ,

ବୁଲାଇଲା କଳାକନା ଘରେ ଘରେ ବାଳକ ଅନାଥ,

ଟୋକାଙ୍କୁ ବେକାରୀ ଦେଲ,ନାରୀକୁ ତ କଲରେ କୁଳଟା

ମୁନାଫା ଲୁଟିବ ବୋଲି କ୍ଷମତାର ଯେତେ ଖଲିଚଟା ।

କଥାବାର୍ତ୍ତା କିଛିନାହିଁ ନିସ୍ତୁକ ତ ଦରକାର ମାଡ଼

ଗାଆଁ ଦାଣ୍ଡେ, ରାସ୍ତାକଡ଼େ ଛେଚା ହେବା ଚାହି ହାତଗୋଡ଼ ।

ପ୍ରହାର ଭିତରେ ପ୍ରଶ୍ନ କରିଉଠେ ମଶାଣିରୁ ହାଡ଼

ପଚାରେ ତ ଭୋକୀ, ଦୁଃଖୀ, ବୃଦ୍ଧ, ଯୁବା, ନିରନ୍ନ କଙ୍କାଳ

ଦୁନିଆର ଦେଶସବୁ ଯେ ସାହାଯ୍ୟ ବାତ୍ୟା ପାଇଁ ଦେଲା,

ଚାଉଳ, କମ୍ବଳ, ଲୁଗା, ପଲିଥିନ୍‌ କେଉଁଆଡ଼େ ଗଲା ?

କାହିଁଗଲା ଗୁଣ୍ଡଦୁଧ, ଗହମ ଓ ମାର୍କିନ୍‌ ଲହୁଣି ?

ପଚାରୁ, ପ୍ରହାର କରୁ ଖାଉଙ୍କୁ ତ ଘରୁ ଟାଣି ଆଣି ।

ବର୍ଷାହେଉ ଅବିରାମ ପ୍ରହାରର ରସ,

ତରଳିବ ଚର୍ବି, ମେଦ, ଦେଖିବ ଗୋ ହୋଇ ମୁକ୍ତକେଶ ।

ହେ ସ୍ୱର୍ଗତା ପ୍ରେମଶୀଳା ହୋଇ ଯାଜ୍ଞସେନୀ

ଥିଲ ତମେ ଆମରି ତ ଜଣେ ମାତା,ଗୋଟିଏ ଭଗିନୀ ।

ଏ ଜାତିର ଜନସିନ୍ଧୁ ହୋଇନି ଉଦବେଳ,

କ୍ଷମାକର ଏ ଜାତିକୁ, ଯାହାଥିଲା କଳିଙ୍ଗ, ଉତ୍‌କଳ ।

ପ୍ରଚୁର ସମ୍ପଦ ଥାଇ ଓଡ଼ିଶାର ହାତେ ଭିକ୍ଷାଥାଳି,

ଓଡ଼ିଆଙ୍କ ପରିଚୟ ଦାଦନ ସେ ମାଳି ଅବା କୁଲି !

ଦିଲ୍ଲୀର କରଦ ରାଜ୍ୟ, ରାଜ୍ୟବାସୀ ସମସ୍ତେ ଖାତକ

ବିହାର, ବଂଗଳା, ଆନ୍ଧ୍ର ସମସ୍ତେ ତ ଆମରି ଘାତକ ।

 

ତମ ଅନାହାର ମୃତ୍ୟୁ

ପ୍ରେମଶୀଳା ରହିଗଲା ଜମା

ତା’ର ଚକ୍ରବୃଦ୍ଧି ସୁଧ

କଡ଼ାକ୍ରାନ୍ତି ହେବ ଗୋ ତର୍ଜମା !

ଏ ଜାତି ଅନ୍ତରେ-

ଶୋକର ଦରିଆ ହୋଇ ରହିଗଲ ତମେ କାଳେ କାଳେ ।

ଜୀବନଯୁଦ୍ଧରେ ତମେ ହାରିଗଲ ପରାସ୍ତ ସୈନିକା

ମୃତ୍ୟୁ ତ ହାରିବ ଦିନେ, ଜୀବନର ସବୁଜ ପର୍ଣ୍ଣିକା

ଫସଲର ଉଦ୍‌ଗତ ଅଙ୍କୁର,

ତମ ବେଦିମୂଳେ ଅର୍ଘ୍ୟ ଢାଳିବ ସେ ତା’ର ନମସ୍କାର ।

ହେ ଭଗିନୀ, ଆଗୋ ମାତା

ଘେନ ଏଇ କବିର ପ୍ରଣାମ ।

ତମେ ନାହଁ, ତୀବ୍ର ହୁଏ

ବେଳୁବେଳ ଜୀବନ ସଂଗ୍ରାମ ।

ଆଜି ନହେଲେ କାଲି

ମରିବେ ତ କୁରୁ ଶତଭାଇ

ମାନବଜାତିର ଶେଷ-

ହାତାହାତି ଆସୁଛି ଘନାଇଁ ।

 

ତମରି ଏ ଶହୀଦତ୍ୱ ପ୍ରେମଶୀଳା ହେ ନିରପରାଧୀ ।

ବଂକାକୁ ଅଲବତ୍‌ ଦିନେ କରିବ ସେ ସିଧା ।

ତମରି ସେ ଦୀର୍ଘଶ୍ୱାସେ ସବୁକଥା ହେବ ସମାଧାନ

ମରିବତ କଂସାସୁର, ଜରାସନ୍ଧ,କୁରୁ ଦୁଃଶାସନ ।

ଆକାଶରେ ହୋଇ ରକ୍ତତାରା,

ରାତିର ଆକାଶେ ତମେ ଜଳୁଥିବ ଆଗୋ ପ୍ରେମଶୀଳା ।

ତମରି ସେ ଅକାଳ ମରଣ-

ହୋଇକମାଣର ଗୋଳା, ଭାଙ୍ଗିବ ସେ ଦୁର୍ଗର ତୋରଣ ।

ସିଂହାସନ,ସୁନାବାଡ଼ି, ପାଟଛତା ଯିବ ସବୁଜଳି

ପ୍ରତିଶୋଧ ନିଆଁ ଦିନେ ଦାଉଦାଉ ଉଠିବ ଗୋ ଜଳି,

ଅନଳ-ନନ୍ଦିନୀ ହୋଇ, ଲହଲହ କରି ନିଜ ଜିଭ,

ନିରନ୍ନର ରକ୍ତମାଂସେ ଠୁଳ ଯେତେ ବିପୁଳ ବିଭବ,

ସବୁକୁ ଲେହନ କରି ଶାନ୍ତ ହେବ, କ୍ଳାନ୍ତ ଏଇ ଜାତି

ସେହି ଯୁଦ୍ଧେ ପ୍ରେମଶୀଳା ତମେ ହେବ ତା’ର ସେନାପତି ।

 

ବ୍ୟାଘ୍ର-ପ୍ରଣାମ

 

ଗୁଳିରେ ମରିନ, ଶୂଳୀରେ ଚଢ଼ିନ, ଅଥବା ଖଡ଼୍‍ଗାଘାତେ-

ତମେ ମରିନାହଁ, ମରିଛ ନୀରବେ ଜଙ୍ଗଲୁଁ ଆସି ଏଥେ ।

ବିନା ଅପରାଧେ, ବିନା ବିଚାରରେ ଭୋଗୁଥିଲ କାରାବାସ,

ଅକାଳ-ମରଣ, ନତୁବା ହତ୍ୟା କଲା ତ ତମକୁ ଗ୍ରାସ ।

କରି ତ ନଥିଲ ମହାବଳୀ ତମେ କାହାକୁ ଆକ୍ରମଣ,

ବିନାକାରଣରେ ମହାବଳୀ ଦେଲ ଜୀବନ ବିସର୍ଜନ ।

ସ୍ୱାଭାବିକ ନୁହେଁ, ଅସ୍ୱାଭାବିକ ଏ ଏକ ହତ୍ୟାଲୀଳା

ବିଧାନସଭାରେ ସେପାଇଁ ଲାଗିଛି ଦିନଯାକ ବାଦୀପାଲା ।

ତମ ହତ୍ୟାର ପ୍ରମାଣ ମିଳୁନି, ପ୍ରମାଣ ଗାଏବ୍‌ ସବୁ,

ଫେରି ତ ଗଲେଣି ପ୍ରାଣୀ ବିଷାରଦ, ଅବାକ୍‌ ତ ଆମେ ସବୁ ।

ଅଦାଲତ ମନେ ଉଦବେଗ-ଝଡ଼, କିଛି ଆଉ ଲାଭ ନାହିଁ,

ପିଞ୍ଜରା ଆଜି ଶୂନ୍ୟ ନୀରବ, ଖୋଜେ ଶିଶୁ ମାଆ କାହିଁ

ତମେ ସିନା ହେଲ ବାଘ,

 

ଖାଦ୍ୟ ପାଇଁ କି ତମେ ତ ହିଂସ୍ର କରିବାକୁ ଉପଭୋଗ

ଦୀନ-ଦଳିତର ଅର୍ଜିତ ଧନ କରିବାକୁ ଲୁଣ୍ଠନ,

ଗଢ଼ିତ ନଥିଲ ଶାସନର କଳ, ଆଇନ, ବିଧାନ ମାନ ।

ତମେ କରୁଥିଲ ଖାଦ୍ୟ ଯୋଗାଡ ଅରଣ୍ୟେ ବୁଲିବୁଲି

ଜମାଉଁ ନଥିଲ ମୁନାଫା ପୁଞ୍ଜି କାଲିକି ଚଳିବ ବୋଲି ।

ଆମ ଏ ଦେଶରେ ଇଟା, ସିମେଣ୍ଟର ଲୁହାଛଡ଼ ଜଙ୍ଗଲ

ଖାଲି କଂକ୍ରିଟ୍‌-ଘନ-ଅରଣ୍ୟ, ତା’ଭିତରେ ମହାବଳ-

ମଉଜେ ଛନ୍ତି ହାରମଖୋରର ଦି’ଗୋଡ଼ିଆ ବାଘଜାତି

ମଣିଷକୁ ମାରି, ଦେଶଟାକୁ ସାରି, ସରିନାହିଁ ବଜ୍ଜାତୀ ।

ତାରି ଫଳେ ଆଜି ସବୁ ତ ବିକଳ, ବିକୃତ ସବୁ କିଛି,

ଜୀବନ ତ ନାହିଁ, ମରଣ ବି ନାହିଁ, ଯନ୍ତ୍ରଣା ଖାଲି ଅଛି ।

ମଖମଲଦେହୀ-ବାଘ-ବାଘୁଣୀର ଭୀମରତି ଏ ଭାରତେ-

ଚାଲିଥିଲା ବେଳେ ଦିବସ-ରଜନୀ ପ୍ରେତ-ପଟୁଆର ପଥେ,

ଭୀଷଣ-ଭାଷଣ, ଢିଲା ପଞ୍ଜାବୀ, ଚାରିଦିଗେ ସନ୍ତ୍ରାସ,

ଆଜି ବି ଆକାଶେ ଲୋଟୁଛି ଯାଜ୍ଞସେନୀର ମୁକୁଳାକେଶ ।

କୁରୁସଭା ତଳେ ବଧୂ ବିବସନା, ଧର୍ଷିତା କୁଳବାଳା,

ଉଦ୍‌ଗତ ଫସଲର ଅଙ୍କୁରେ ପଙ୍ଗପାଳର ଜ୍ୱାଳା ।

କଟାହୋଇ ଲୁଟି ହୋଇସାରିଲାଣି ଅରଣ୍ୟ ବନଭୂମି

କଂକ୍ରିଟ୍‌-ବନ ଚତୁର୍ଦ୍ଦିଗରେ ଉଠୁଛି ଆକାଶ ଚୁମି ।

ସେହି କଂକ୍ରିଟ୍‌ ବନେ-

 

ବାସ କରନ୍ତି ଯେ ନରପିଶାଚ, ଯେ ନରବ୍ୟାଘ୍ରମାନେ-

ସେମାନେ ଭୀଷଣ, ଅତି ଭୟାନକ, ଜନମରୁ ବଦ୍‌ମାସ

ଆଖିରେ ତାଙ୍କ ଯେଉଁ ନିଆଁ ଜଳେ, ସେ ନିଆଁରେ ସବୁ ଶେଷ ।

ପିଶାଚ ବୀର୍ଯ୍ୟୁଁ ଜନ୍ମ ସେମାନେ, ବାପ ନାଆଁ ନାହିଁ ଜଣା

ସେମାନେ ଦେଶର ‘ଭାଗ୍ୟବିଧାତା’ ତସ୍କରୀ ସବୁ ଜଣା ।

ବାଘ ରୁ ବଳି ବିପଜ୍ଜନକ, ସାପଠାରୁ ବିଷଧର

ସମାଜ-ଜୀବନୁ ଏମାନେ ନ ମଲେ ଶାନ୍ତି ଓ ସାମ୍ୟର

ସୂଚନା ହେବନି, ତେଣୁ ତ ୟାଙ୍କ ଶିକାର ନିହାତି ଲୋଡ଼ା

ଏଇକଥା କହେ କାଲିର ସରଣୀ, କହେ ଇତିହାସ-ବୁଢ଼ା ।

କହେ ତୋଫାନର ଭାଷା,

 

ସେ ଭାଷାକୁ ବୁଝେ ଝଡ଼ର କବି ମୁଁ ଅମାଅନ୍ଧାର ନିଶା-

କଟିବ ତ ଦିନେ ପୂର୍ବଗଗନେ ଉଦିବ ତ ନବରବି,

ଅଙ୍କିତ ହେବ ନୂଆ ଦୁନିଆର ସାମ୍ୟ-ସମାଜ ଛବି ।

ତଳଟା ଆସିବ ଉପରକୁ ଉଠି, ଉପରଟା ଯିବ ତଳେ

ଦୈତ୍ୟଭୂବନ ହେବ ଶୂନ୍‌ଶାନ୍‌ ମରଣର ମହିମାରେ ।

ହାତେ ରାଇଫଲ୍‌, ଶାଣିତ ଛୁରୀକା ଧରି ଶିକାରୀର ଦଳ

ଶିକାର କରିବେ ଯେଉଁ ବାଘ ସିଏ ଶତ୍ରୁ ତ ମଣିଷର ।

ପ୍ରାସାଦ, ସୌଧ, ଶୟନମହଲ,କଂକ୍ରିଟ୍‌ କନ୍ଦର-

ଭିତରୁ ଶୁଭିବ ବାଘମୃତ୍ୟୁର ଗର୍ଜନ, ହାହାକାର ।

ନମାରିଲେ ସେହି ବାଘ ମରିବେନି, ମରିବେ ସର୍ବହରା,

ସେ ବାଘଶିକାର ଅତି ଦରକାର, ସେ ବାଘ ଏ ଦେଶସାରା-

ଛାଇତ ଗଲେଣି ସହରେ ନଗରେ ଗ୍ରାମେ ଗ୍ରାମେ ସର୍ବତ୍ର

ସେ ବାଘ ଲାଞ୍ଜେ ଅଙ୍କା ତ ହୋଇଛି ମଶାଣିର ମାନଚିତ୍ର ।

ସେ ବାଘ ଶିକାର ଲାଗି,

 

ବିପ୍ଳବୀ ମହାଶିକାରୀ ଫଉଜ କେବେ ତ ଉଠିବେ ଜାଗି ।

ଜୀବନ ତମାମ ତାଙ୍କରି ବାଟ ଚାହିଁ ମୋ ଉମର ଗଲା,

ଆସିବେ ସେମାନେ ସ୍ଥିର ନିଶ୍ଚିତ, ଥାଏ ମୁଁ ନଥାଏ ଭଲା ।

ତମେ ଯେ ନିରୀହ ବାର ଗୋଟି ବାଘ ନୀରବେ ବନ୍ଦୀଶାଳେ,

ଟଳିତ ପଡ଼ିଲ ମୃତ୍ୟୁ ନତୁବା ହତ୍ୟାର ବେଦୀମୂଳେ,

ଏଥିରୁ ପ୍ରମାଣ ମିଳି ତ ଗଲାହେ ମଣିଷ ତମଠୁଁ ପଶୁ

ୟାଙ୍କ ମାଲିକ ଦିଗୋଡିଆ ବାଘ ଦେଶକୁ କରିଛି ଖାସୁ ।

ତମେ ତ ମହାନ୍‍ ବ୍ୟାଘ୍ର-ଶହୀଦ୍‌ ତମ ହତ୍ୟାର ପ୍ରେତ-

ମୋକ୍ଷ ହେବନି, ଗର୍ଜନ କରି ଚାଲିବ ତ ଅବିରତ ।

କଂକ୍ରିଟ୍‌-ବଣ-ବାଘର ମରଣ ଯେଦିନ ହୋଇବ ସୁରୁ

ତମ ହତ୍ୟାର ପ୍ରେତ ତା ଦେଖିବ ‘ନନ୍ଦନକାନନ’ରୁ ।

ଲୁହର ଦରିଆ କୂଳେ ହୋଇ ଠିଆ ବ୍ୟାଘ୍ରକେତନ ଧରି

ଦେଉଛି କବି ମୁଁ ତମକୁ ମେଲାଣି

ବ୍ୟାଘ୍ର-ପ୍ରଣାମ କରି ।

 

ପ୍ରତିହିଂସାର ନାମ ହେଉ ‘କ୍ଷମା’ ତମରି ସତ୍ତା କହୁ,

ଅକଲ୍ୟାଣ ଓ ଯାହାଟା ଅଶିବ ସବୁ ଜଳିପୋଡ଼ି ଯାଉ ।

 

Unknown

ଶିଖାମୟୀ

 

ହେ ମୋର କାବ୍ୟ-ଅଗ୍ନି କନ୍ୟା, ଶିଖାମୟୀ ସୁନ୍ଦରୀ,

ତମେ ମୋର ଦେବୀ, ମୁହିଁ ତମ କବି, ତମ ପାଇଁ ମହାବଳୀ ।

ଭାଷା ଭାରତୀର ତମେ ତ ରସନା

ତମେ ଛନ୍ଦର ଉତ୍ତାପ, ବୀଣା

 

ଜୀବନର ଯେତେ କ୍ଷତ, ଯନ୍ତ୍ରଣା ଭୁଲିଛି ତମରି ଲାଗି,

ତମରି ମହିମା ମନ୍ତ୍ରେ ହୋଇଛି ଭୋଗୀ ବଦଳରେ ତ୍ୟାଗୀ ।

ହରାଇବାର ତ ଦେଇଛ ଦୀକ୍ଷା ବାଲ୍ୟ-ଜୀବନ ଦିନୁ,

ଭଙ୍ଗା-ଗଢ଼ାର ଖେଳ ଶିଖାଇଛ ଜୀବନ-ରଣାଙ୍ଗନୁ

ନୈତିକତାର ଖଡ଼୍‍ଗ କୃପାଣ

ଦେଇ ଶିଖାଇଛ ଅଗ୍ରଗମନ

 

ଲଢ଼ିଛି-ହାରିଛି, ପୁଉଣି ଲଢ଼ିଛି, ବଜାଇ ମୋ ବିଷ-ବେଣୁ,

ଅଗ୍ନିଗିରିର ଘୁତ୍‌କାର ଘେନି ବିଦ୍ରୋହୀ-ଯଉବନୁ ।

ଲାଭା-ଜାହ୍ନବୀ ସ୍ରୋତ ସମ୍ମୁଖେ ପାଲଟିଛି ଭଗୀରଥ,

ସାମଜ-ବଦଳା ଅଗ୍ନି-ଶଙ୍ଖ ବଜାଇଛି ଅବିରତ ।

ଜୀବନ ତମାମ୍‌ ଝଡ଼ ଓ ତୋଫାନ୍‌

ତାହାରି ଭିତରେ ମୁହିଁ ବେଗବାନ୍‌

 

ତମେ ତ ଦେଇଛ ଅଗ୍ନି-କୂଜନ, ଦେଇଛ ସୂର୍ଯ୍ୟ-ରଥ,

ଶାଶ୍ୱତୀ ତମେ ବୀର୍ଯ୍ୟବତୀ ଗୋ, ତମେ ମୋର ସୁର୍‌,ଗୀତ ।

ଆଗୋ ଅଲକ୍ଷ୍ମୀ, ତମେ ମୋ ଲକ୍ଷ୍ମୀ, ତମେ ମୋ ଅଗ୍ନିବେଦ,

ତମେ ସିନା ମୋର ଯୁଦ୍ଧଜୟର ନବ ନବ ସମ୍ବାଦ ।

ଆଜି ସେ ଯୁଦ୍ଧ ସରି ନାହିଁ ଦେବୀ

ପୂର୍ବରେ ବାଜିନାହିଁ ଭୈରବୀ

 

ପ୍ରତିଭାର ଦୀପ ଯାଇନି ମୋ ନିଭି, ତମରି ମରାଳ-ହ୍ରଦ

ପଲ୍ୱଳେ ତମେ ରକ୍ତ-ପଦ୍ମ, ତମେ ମୋର ସମ୍ପଦ ।

 

 

 

ବ୍ରଜନାଥ ରଥ

୧୯୩୬-

 

ଆଧୁନିକ ଓଡ଼ିଆ କାବ୍ୟଧାରାକୁ ଔପନିବେଶିକ ମାନସିକତାର ଅନ୍ଧଗଳିରୁ ଉଦୀୟମାନ ଅଗ୍ନିଯୁଗର ଉତ୍ତରଣ-ପର୍ବରେ ଉପନୀତ କରାଇବା ଦିଗରେ ଯେଉଁ କତିପୟ କ୍ରାନ୍ତିକାରୀ କାବ୍ୟକାର ଆମମାନଙ୍କର ଅଗ୍ର ସ୍ମରଣୀୟ, ସେମାନଙ୍କ ମଧ୍ୟରେ କବି ବ୍ରଜନାଥ ରଥ ସୁନାମଧନ୍ୟ ସାର୍ଥକ ସ୍ରଷ୍ଟା ।

 

ବାଲିଆପାଳ ଘାଟୀ ସ୍ଥାପନର ଜନବିରୋଧୀ ଆନ୍ଦୋଳନରେ କବିଙ୍କର ପ୍ରତ୍ୟେକ୍ଷ ସମ୍ପୃକ୍ତି ଓ ସାମ୍ରାଜ୍ୟବାଦୀ-ବିରୋଧରେ କବିଙ୍କ ରକ୍ତର ରଚନା ପ୍ରଗତିଶୀଳ ସାହିତ୍ୟକୁ କରିଛି ଅତିମାତ୍ରାରେ ଶାଣିତ, ବ୍ୟାପକ ଉର୍ବର । ଦେଶ, ଜାତି ଓ ଗଣ ଜୀବନପାଇଁ କବିଙ୍କର ରହିଛି ଅର୍ଦ୍ଧଶତାବ୍ଦୀର ସାଲିସ୍‌ ବିହୀନ ସାରସ୍ୱତ ସାଧନା । ପ୍ରକାଶିତ ପ୍ରଥମ କବିତା ପୁସ୍ତକ ‘ମରୁଗୋଲାପ’ଠାରୁ ଆରମ୍ଭ କରି ‘ହେ ମୋର ସ୍ୱଦେଶ’ ପର୍ଯ୍ୟନ୍ତ ଅନେକ କବିତା ପୁସ୍ତକ ଓଡ଼ିଆ କାବ୍ୟଭୂମିକୁ କଳା ଓ କ୍ରାନ୍ତିରେ ଚେତନା ଓ ଚମକରେ କରିଛି ରସସିକ୍ତ । କବିଙ୍କ ସ୍ୱକୀୟ ଶୈଳୀ ସ୍ୱତନ୍ତ୍ର, ଯାହା ତାଙ୍କୁ ସମସାମୟିକମାନଙ୍କଠାରୁ ଅଲଗା ଭାବରେ ଉଭା କରିଥାଏ ।

 

ବୟସର ଅନ୍ତିମ ଅପରାହ୍ନରେ ଏବେବି କବି ବ୍ରଜନାଥ ରଥ ଚଳଚଞ୍ଚଳ, ସୃଜନମଗ୍ନ-ଧୂସର ମରୁରେ ସୃଷ୍ଟି କରିଚାଲିଛନ୍ତି ଅଜସ୍ର ରକ୍ତଗୋଲାପ ।

 

ପ୍ରତିବାଦ କର

 

ପ୍ରତିବାଦ କର, ପ୍ରତିବାଦ କର ବନ୍ଧୁ !

ଶୟତାନ ପାଇଁ ସ୍ତୁତିଗାନ କର ବନ୍ଦ

ପ୍ରତିବାଦେ ଥରୁ ଉଚ୍ଛଳ ଜନ-ସିନ୍ଧୁ

ପ୍ରତିବାଦ ସିନା ମୁକ୍ତିର ମଧୁଛନ୍ଦ

 

ଅତ୍ୟାଚାରକୁ ସହିବାର ନାମ ମୃତ୍ୟୁ

ଅନ୍ୟାୟ-ପଦ ବନ୍ଦନା କରେ ମୂର୍ଖ

ମୁକ୍ତିର ପଥେ ପ୍ରତିବାଦ ଚିର ସତ୍ୟ

ଭୀରୁ ମରେ ନିତି ନ କରି ଯୁକ୍ତି-ତର୍କ

 

ଦୁର୍ବଳ ସହେ ଆତ୍ମାର ଅପମାନ

ନପୁଂସକର ମୁଖେ ଝୁଲୁଥାଏ ଚାବି

କାପୁରୁଷ କରେ କ୍ଷମତାର ଜୟଗାନ

ମୁକ୍ତି ଖୋଜଇ ପାଷଣ୍ଡ-ପଦ ସେବି ॥

 

ପ୍ରତିବାଦ କରି ଜାଣେନାହିଁ ଯେଉଁ ବ୍ୟକ୍ତି

ଆଖି ବୁଜି ଯିଏ ମିଥ୍ୟାକୁ କହେ ସତ୍ୟ

ସେ କାହୁଁ ଜାଣିବ ଆଲୋକର ମହାଶକ୍ତି

ହୀନ-ସ୍ୱାର୍ଥର ସେତ ପଦସେବୀ ଭୃତ୍ୟ

 

ପ୍ରତିବାଦ ଏକ ଲୋହିତ ଅଗ୍ନିଶିଖା

ଅତ୍ୟାଚାରୀର ଦୁର୍ଗକୁ ପାରେ ଜାଳି

ଅନ୍ଧାରେ ଟାଣେ ମୁକ୍ତି-ଆଲୋକରେଖା

ଭଗ୍ନ ହୃଦୟେ ବଜାଏ ବଜ୍ର-ତାଳି

 

ଦଳିତ-ମଥିତ-ଅତ୍ୟାଚାରିତ ଯେତେ

ଭାଗ୍ୟ ଆଦରି ନୀରବେ ରହିଛ ଶୋଇ

ଝରୁଅଛ ନିତି ବିଶ୍ୱର ପଥେ ପଥେ

ପ୍ରତିବାଦ-ସ୍ୱର କଣ୍ଠେ କି ଫୁଟେନାହିଁ ??

 

ରକ୍ତ-ଚାବୁକେ ଖାଉଚ ଶକ୍ତ ମାଡ଼

ଶକ୍ତି ନାହିଁକି ଖୋଲିବାକୁ ଟିକେ ପାଟି ?

ନୁହେଁ ନୁହେଁ ଏତ ଜୀବନ ମୁକ୍ତିପଥ

ଏ ଯେ ମରଣର ଦୁର୍ଗମ ଗିରିଘାଟୀ

 

ତୁମେକି ଜାଣିନ ବୀରର ମୃତ୍ୟୁ ନାହିଁ

ଦୁର୍ବଳ ନିତି ମରଇ ଲକ୍ଷେ ଥର

ଭୀରୁର ଜୀବନେ ମରଣେ ତଫାତ୍‌ କାହିଁ ?

ଜୀଇବା ମରିବା ସବୁ ତାର ଏକାକାର

 

ସ୍ତୁତିଗାନେ କେବେ ଫିଟେନି ମୁକ୍ତିବାଟ

ନୀରବେ ସହିବା ଆତ୍ମଘାତୀର ନୀତି

ଅନ୍ଧରାଜାର ଦରବାରେ ଯେତେ ଭାଟ

ଜାଣିରଖ କେବେ ଚାଟୁରେ ପାହେନା ରାତି

 

ପ୍ରତିବାଦ କର, ପ୍ରତିବାଦ କର ବନ୍ଧୁ !

ଅନ୍ୟାୟ ଆଗେ ଶାଣିତ ଖଡ଼୍‍ଗ ତୋଳ

ପ୍ରତିବାଦେ ଥରୁ ଉଚ୍ଛଳ ଜନ-ସିନ୍ଧୁ

ଗଣସଂଗ୍ରାମେ ପ୍ରାଣ ହେଉ ଉଦବେଳ ॥

 

 

‘ସ୍ୱାଧୀନତା’ ତୁମ ହେଉ ନବ ଅଭିଷେକ

॥ ଏକ ॥

 

ତୁମକୁ ଆଜି ମୁଁ ବନ୍ଦନା କରେ

 

ସ୍ୱାଧୀନତା ମୋର ପ୍ରିୟ !

ଅଭିନନ୍ଦନ ନିଅ ତୁମେ ମୋର

 

ଅଭିନନ୍ଦନ ନିଅ ।

ଘେନ ଆଜି ମୋର ଲୋହିତ ଅର୍ଘ୍ୟ

 

ବୁକୁର ରକ୍ତ-ଧାରେ

 

ଆଖିର ଅଶ୍ରୁ-ଗାରେ ॥

 

॥ ଦୁଇ ॥

 

ମନେପଡ଼େ ମୋର ମନେପଡ଼େ ଆଜି

ପଚାଶ ବର୍ଷ ତଳେ

ସେହି ଅଗଷ୍ଟ ପନ୍ଦର ରାତି

ଘନ ଅନ୍ଧାର କୋଳେ

ମୋ ଦେଶର ପ୍ରତି ଗ୍ରାମେ ଓ ନଗରେ

ହର୍ମ୍ୟ-କୁଟୀର ଦ୍ୱାରେ

ତୁମେ ଯେବେ ଆସି କରାଘାତ କଲ

ତୁମରି ପରଶ ଲାଗି

ହିମାଳୟଠାରୁ କନ୍ୟାକୁମାରୀ

ସହସା ଉଠିଲା ଜାଗି

ଜାଗିଲା ଆକାଶ, ଜାଗିଲା ଧରଣୀ

ପବନେ ଉଡ଼ିଲା ନେତ

ସ୍ୱାଧୀନ ଭାରତ ନେତ

ପ୍ରତିଟି ମନର ନନ୍ଦନ-ବନେ

ଫୁଟିଗଲା ପାରିଜାତ

ସ୍ୱପ୍ନର ପାରିଜାତ ।

ଶତେକ ଯୁଗର ପରାଧୀନତାର

ନିଗଡ଼ ପଡ଼ିଲା ଟଳି

ଶତେକ ପ୍ରାଣର ଦିଗ୍‌ବଳୟରେ

ଆଶାର ଆଲୋକ ଜାଳି

ମୁକ୍ତିର ନୂଆ ରକ୍ତ-ସୂର୍ଯ୍ୟ

ଉଠିଲା ଉଠିଲା ଜଳି ॥

 

॥ ତିନି ॥

 

ସେହି ଅରୁଣର ଲୋହିତ କିରଣେ

ଚହଟିଲା ସାରା ଦେଶ

ଧରିଲା ନୂତନ ବେଶ,

ଗଙ୍ଗା, ଯମୁନା ଉଛୁଳି ଉଠିଲେ

ଉଛୁଳି ଉଠିଲା ପୁଣି

ଗୋଦାବରୀ ନୀଳ ପାଣି,

ଉଛୁଳି ଉଠିଲା ବ୍ରହ୍ମପୁତ୍ର,

ସିନ୍ଧୁନଦୀର ଜଳ

ମହାନ୍‍ଦୀ ଆଉ କୃଷ୍ଣା-କାବେରୀ ବେଣୀ ॥

 

 

॥ ଚାରି ॥

 

ଗଗନେ ପବନେ ମନ୍ଦ୍ରିତ ହେଲା

‘ଜୟ ସ୍ୱାଧୀନତା ଜୟ’

ବନ୍ଧନ କାଟି ଉଠିଲା ଭାରତ

ତୁଟିଲା ମନରୁ ଭୟ ।

ନବୀନ ଛନ୍ଦେ, ନବୀନ ସ୍ୱପ୍ନେ ମାତି

ନବ ଉତ୍ସାହେ ଜାଗିଲା ମହାନ୍‍ ଜାତି

ଯୁଗାନ୍ତର ଶୃଙ୍ଖଳ ତେଜି

ତେଜି ଶତ ଅବସାଦ

ଦୃପ୍ତ ଚରଣେ ନବ ଉନ୍ମାଦେ ଥରି

ବଢ଼ାଇଲା ସିଏ ଆଗକୁ ଆଗକୁ

ଆହୁରି ଆଗକୁ ପାଦ ॥

 

॥ ପାଞ୍ଚ ॥

 

ଆଜି ଏତେବେଳେ ମନେପଡ଼େ ମୋର

ପ୍ରିୟ ମୋର ସ୍ୱାଧୀନତା

ତୁମ ପାଇଁ କେତେ ବୁକୁରୁ ରୁଧିର

ଅକାତରେ ଗଲା ଝରି

କେତେ ଅଶ୍ରୁଳ ଆଖିର ଚାହାଣି

ନୀରବେ କହିଲା କଥା ।

କେତେ ‘ଇଞ୍ଚୁଡ଼ି’ ‘ଇରମ’ର ମାଟି

କେତେ ‘ଜାଲିଆନାବାଗ’

ସ୍ମୃତିର ଶୁଭ୍ର ମର୍ମ୍ମର ପରେ

ରଖିଲେ ରକ୍ତଦାଗ ।

‘ଚଷାଖଣ୍ଡ’ର ଶାନ୍ତ, ସରଳ

ଶ୍ୟାମଳ ପଲ୍ଲୀଭୂଇଁ

ଅମର ସହିଦ ବାଘା ଯତୀନର

ଶୋଣିତରେ ଅବଗାହି

ଯୁଗଯୁଗ ପାଇଁ ଗଲା ଯେ ଧନ୍ୟ ହୋଇ ।

ପ୍ରିୟ ମୋର ସ୍ୱାଧୀନତା !

ତୁମ ପାଇଁ ଜଳି ଉଠିଲା କେତେ ଯେ

‘ବାଜିରାଉତ’ର ଚିତା ।

ଆଦିବାସୀ ନେତା କେତେ ‘ଲକ୍ଷ୍ମଣ’

ଜୀବନ କରିଲେ ପାଣି

କେତେ ‘ଉଦ୍ଦାମ’ ‘ଭଗତ ସିଂହ’

କେତେ ‘ଖୁଦିରାମ’ ପୁଣି

ବକ୍ଷ ଶୋଣିତେ ରୁଧିର-ଅର୍ଘ୍ୟ ରଚି

କାଳକାଳ ପାଇଁ ଲେଖିଦେଇଗଲେ

ମହାମୁକ୍ତିର ଲୋହିତ ସୂର୍ଯ୍ୟ-ସୂଚୀ ।

 

॥ ଛଅ॥

 

ମୁଠାଏ ଲୁଣରେ ଅଧିକାର ପାଇଁ

ଦାଣ୍ଡିର ଅଭିଯାନ

ଭରିଲା ଜାତିର ଭଗ୍ନ-ହୃଦୟେ

ଜୀବନର ସ୍ୱାଭିମାନ ।

ମହାନାୟକ ସେ ନେତାଜୀର ଖର-

ଖଡ଼୍‍ଗ-କୃପାଣ ଝଳି

ସୀମାନ୍ତ ପଥେ ବିଦ୍ୟୁତ୍‌ ସମ ଜଳି

ଦୁର୍ବଳ-ଭୀରୁ ବକ୍ଷରେ ଦେଲା

ମୁକ୍ତି-ଅନଳ ଜାଳି ।

‘ସୁଦର୍ଶନ’ର ପରି

ହିମାଚଳଠାରୁ ସୀମାଚଳ ଯାଏ

ଚରଖା-ଚକ୍ର ଘୂରି

କାଟିକାଟି ଗଲା ଶତବର୍ଷର

ବିଦେଶୀ ଶାସନ ଫାଶ

ଲୁହରେ ଲହୁରେ ରଚନା ହୋଇଲା

ନୂଆ ଏକ ଇତିହାସ

ନବ ଭାରତର ମୁକ୍ତିର ଇତିହାସ ॥

 

॥ ସାତ॥

 

ସେଦିନର ସେହି ସ୍ୱପ୍ନଭିଜା ଏ

ମୁଗ୍‌ଧ ନୟନ ତୀରେ

କିନ୍ତୁ ଆଜି କି ଚିତ୍ର ଦେଖେ ମୁଁ

ପଚାଶ ବର୍ଷ ପରେ ?

ଜୀବନ-ବିଳାସୀ, ମୁକ୍ତି-ଲାଳସୀ କବି

ଦେଖେ ମୁହିଁ କେଉଁ ନବଭାରତର

ବର୍ଣ୍ଣିଳ ଚାରୁ ଛବି ?

ମୁଁ ଦେଖୁଛି ମୋର ସମ୍ମୁଖ ଭାଗେ

ଲମ୍ବି ଯାଇଛି ଦୂରେ-

ମାଇଲ ମାଇଲ ବ୍ୟାପୀ

କୂଟଚକ୍ରୀର ହୀନ ସ୍ୱାର୍ଥର

ବିସ୍ତୃତ ରାଜପଥ,

ଗଡ଼ିପାରୁନାହିଁ ଆଗକୁ ଆଗକୁ

ଜନତାର ଜୟରଥ ।

ଭ୍ରାତୃବିବାଦେ ମତ୍ତ-ବିକଳ

ରକ୍ତ-ପାଗଳ ଜାତି

ଧର୍ମ୍ମ ନାମରେ, ଗୋଷ୍ଠୀ ନାମରେ

ଅନ୍ଧ ଆବେଗେ ମାତି

ଦିନର ଦୀପ୍ତ ଆଲୋକେ ଚଳାଏ

ଭାଇରେ ଶାଣିତ କାତି ॥

 

॥ ଆଠ ॥

 

ଆକାଶଚୁମ୍ବୀ ନୀତିର ତୁଙ୍ଗ

ଦେଉଳ ପଡ଼ୁଛି ଭାଜି

ଦୁର୍ନୀତି-ନଦୀ କୂଳେ କୂଳେ ଆଜି

ଜଳୁଛି ଆତସବାଜି ।

ଶୋଷଣବାଦର ତଥାପି ହୋଇନି ଶେଷ,

ସ୍ୱଜନ ପୋଷଣେ,

ଶୋଷଣ-କଷଣେ

ମତ୍ତ ଏ ସାରା ଦେଶ ।

ଶ୍ରମର ମୂଲ୍ୟ କିଏବା ପାଉଛି

କିଏବା ଦେଉଛି କାହିଁ ?

ଲୁଣ୍ଠିତ ଧନେ କୀର୍ତ୍ତି-ମୀନାର

ଯାଉଛି ଆକାଶ ଛୁଇଁ ।

କ୍ଷୁଧାର ଖଡ଼ଗେ ବିଦ୍ଧ ଜଠର

ହୃଦୟେ ଅଗ୍ନି ଜଳେ

ଆସନ କଳିରେ ମତ୍ତ ନେତାର

ରାଜନୀତି-ପଶା ଗଡ଼େ

ମହାଭାରତର ଶୋଣିତ ସିକ୍ତ

ସ୍ନିଗ୍‌ଧ ଚଟାଣ ପରେ ॥

 

॥ ନଅ॥

 

ଆଜି ଏତେବେଳେ କୋଟି ଜନତାର

ଚିର ଈପ୍‌ସିତ ପ୍ରିୟ

ଶତ ସହିଦର ରକ୍ତେ ପଖଳା

‘ସ୍ୱାଧୀନତା’ ତୁମେ କୁହ !

କେଉଁ ଧର୍ଷିତା ଲୁଣ୍ଠିତା ନାରୀ

ଛିନ୍ନ ବସନ ତଳେ

କେଉଁ ଅନାହାରୀ ଶିଶୁ ସନ୍ତାନ

ଆର୍ତ୍ତ ଆକୁଳ ସୁରେ

ଦୂର ରାଜଘାଟ ପୁଣ୍ୟପୀଠେ ବା

ବୋଧିଦ୍ରୁମର ତଳେ

ଚପାଇ ଆପଣା ଦରଦୀ ବୁକୁରେ

ନିଖିଳ ମର୍ମଦାହ

ତୁମେକି ଢାଳୁନ ଗୁମୁରି ଗୁମୁରି

ରକ୍ତ ଅତୀତେ ସୁମରି ସୁମରି

ଆଖିର ତପ୍ତଲୁହ ? ?

 

॥ ଦଶ॥

 

ତୁମେ ଏତେବେଳେ ତର୍ଜନୀ ଚାଳି

ଦେଖାଇ ଦିଅହେ ବାଟ,

ଉତ୍ତାନପାଦେ ଆଗକୁ ଯିବାର ବାଟ

କହିଦିଅ ପୁଣି କାନେ କାନେ ଆଜି

ଭିକ୍ଷାଝୁଲିରେ କେବେ

ଚିରଦିନ ପାଇଁ ପୂରେନି କାହାରି

ଶୂନ୍ୟ-ଭୋକିଲା ପେଟ ।

‘ସ୍ୱାଧୀନତା’ ନୁହେଁ ହର୍ମ୍ୟବାସୀର ଖାଲି

ରାଜନୀତି ନୁହେଁ ସ୍ୱାର୍ଥ-ଦଲାଲି

ପୁଞ୍ଜିର ପଶାପାଲି ।

‘ମୁକ୍ତି’ ନୁହଁଇ ପୋଥିର ଗୋପନ ତତ୍ତ୍ୱ

‘ପ୍ରଗତି’ ନୁହଁଇ ନଥିର ଅଳୀକ ତଥ୍ୟ,

ଘର୍ମଜୀବୀର ସମ ଅଧିକାରେ

ଦୀନ-ଦଳିତର ଜୀବନେ ହେଉ ତା’ ସତ୍ୟ ।

ହେଉ ଏ ଦେଶର ସିଂହାସନରେ

ମହାଜନତାର ନବତମ ଅଭିଷେକ,

‘ସ୍ୱାଧୀନତା’ ତୁମେ ଅନ୍ଧାର ତଳୁ

ଆଉଥରେ ଶିର ଟେକ ॥

 

ପ୍ରସନ୍ନ କୁମାର ମିଶ୍ର

୧୯୪୧-

 

ଅସ୍ପୃଶ୍ୟ, ଅନ୍ଧବିଶ୍ୱାସ, କୁସଂସ୍କାର,ସାମାଜିକ ବୈଷମ୍ୟ, ଓ ପ୍ରଶାସନିକ ଅବିଚାର ଆଦି ବିରୁଦ୍ଧରେ ପ୍ରସନ୍ନ କୁମାର ମିଶ୍ରଙ୍କ କବିତା ସହଜ ସରଳ ଶବ୍ଦ ସଂଯୋଜନା ସମୃଦ୍ଧ । ଏହି ପ୍ରତିଷ୍ଠିତ କବି କବିତାରେ ଚରିତ୍ର ଚିତ୍ରଣରେ କେବେ ସାଲିସ୍‌ କରିନାହାଁନ୍ତି ନିଜ ସହିତ ।

 

ଶାସକ, ପ୍ରଶାସକ, ପ୍ରସନ୍ନଙ୍କ କବିତାରେ ଲହୁଲୁହାଣ ହୋଇଥିବାୟବେଳେ ଚାଳ, ଚୂଲି, ଚାଉଳ ସନ୍ଧାନରେ ଡହଳ ବିକଳ ହେଉଥିବା ନିରୁପାୟ ମଣିଷଙ୍କ ଅବସାଦ, ଜମି ଜଳ ଜଙ୍ଗଲ ଲୁଟ୍‌ପାଟରେ ଉଜୁଡ଼ି ଯାଉଥିବା ପ୍ରକୃତିର ଶ୍ମଶାନି ଦୁଃଖ, ଶିଳ୍ପବିକାଶ ଅନ୍ତରାଳେ ବିନାଶର ଘଟଣା ପ୍ରବାହ -ତାଙ୍କ ସର୍ଜନାରେ ଅତି ସ୍ପଷ୍ଟ ଓ ସଫଳ ଭାବରେ ସଂଯୋଜିତ । ଏହା ପ୍ରଗତିଶୀଳ ସାହିତ୍ୟକୁ ଅଧିକରୁ ଅଧିକ କରିଛି ସ୍ପଷ୍ଟ ଓ ପରିଷ୍କାର ।

 

କେବଳ କବିତାରେ ସୀମାବଦ୍ଧ ନୁହଁନ୍ତି କବି, ଆଧୁନିକ ଓଡ଼ିଆ ନାଟକ, ଉପନ୍ୟାସ ରଚନା ସହିତ ଶିଶୁସାହିତ୍ୟ ପାଇଁ ତାଙ୍କ ଅବଦାନ ଅତୁଳନୀୟ । ବହୁମୁଖୀ ପ୍ରତିଭାର ଅଧିକାରୀ କବି ପ୍ରସନ୍ନ ମିଶ୍ର ଏବେ ମଧ୍ୟ ସ୍ୱପ୍ନବିଭୋର ଓ ସୃଜନମଗ୍ନ ।

 

ସନାତନକୁ ରକ୍ତ ଦିଅ

 

ଭାଇ ! ଶୁଣିପାରୁଚ ତ ବୁଟ୍‌ର ଆୱାଜ୍‌ ?

ରାଇଫେଲ୍‌ ବଟ୍‌ର ଉଚ୍ଚାରଣ

ଲୁହବୁହା ସେଲ୍‌ର ପଛେ ପଛେ

ବନ୍ଧୁକର ଧମକ-ଶୁଣି ପାରୁଛ ତ ଭାଇ ?

 

ସନାତନ ଉପରେ ପୁଣି ଏକ ଆକ୍ରମଣ ।

 

ଆଜି ଆଉ ପଛରେ ଲୁଚି ରୁହନା

ବଟଗଛକୁ ଆଶ୍ରା ମାଗନା

ଜଉତିଷକୁ ହାତ ଦେଖାଅନା

ଆଜି ରେ-ରେ-କାର କରିବାକୁ ହେବ ।

 

ସେମାନେ ସନାତନର ରକ୍ତ ନେବେ

ଆମକୁ ସନାତନକୁ ରକ୍ତ ଦେବାକୁ ହେବ ।

ନ ହେଲେ ଚକରା ବିଷୋଇ ପରି ସେ ମରିଯିବ

ବକ୍ସି ପରି ବନ୍ଦୀ ହେବ

ଜୟୀ ପରି ଫାଶି ପାଇବ

ପଡ଼ିରହିବ ସନାତନର ଶବ ।

 

ନା ଭାଇ ! ଆଜି ସେମିତି ହେବନି

କସ୍ମିନ୍‌ କାଳେ ହେବନି

ସେମାନେ ସନାତନର ମୁଣ୍ଡ ନେଲେ

ଆମେ ନିଜର ମୁଣ୍ଡ ଲଗେଇ ଦେବା ସନାତନର କାନ୍ଧରେ

ଜଣ ଜଣ କରି ।

ଆସ ମୋର ଝୁମ୍ପୁଡ଼ିବାସୀ ଭାଇମାନେ !

ଆସ ମୋର ଶୁଷ୍କ-ବିଲର ମୂଲିଆମାନେ

ଖଣିରୁ ଆସ, ଖଳାରୁ ଆସ

ବଣରୁ ଆସ, ପାହାଡ଼ରୁ ଆସ

ଗାଁରୁ ଆସ, ନଗରରୁ ଆସ

ଆସ ଉତ୍ତରରୁ, ଦକ୍ଷିଣରୁ, ପୂର୍ବରୁ, ପଶ୍ଚିମରୁ

ଆସ ଆଫି୍ରକାରୁ, ଅଷ୍ଟ୍ରେଲିଆରୁ, କାମ୍ପୁଚିଆରୁ

ଆସ ଆସ, ଆସ ଆସ ।

 

ଦଳ ଦଳ ଆସ

ପାହାଡ଼ରୁ ନିର୍ଝର ଝରିବା ପରି ଆସ

ଲଞ୍ଜାତାରା ଖସିବା ପରି ଆସ

ଝଞ୍ଜା ବହିବା ପରି ଆସ

ଆଜି ସନାତନକୁ ରକ୍ତଦେବାକୁ ହେବ ।

 

ଅବୁର୍ଦ ଅର୍ବୁଦ ବାହୁରୁ ରକ୍ତ ନେଇ

ଅର୍ବୁଦ ଅର୍ବୁଦ ମୁଣ୍ଡ ଲଗେଇ

ଠିଆହେବ ସନାତନ

ଦୁର୍ଜୟ ନଶାଣ ।

 

ଆସ ଭାଇ! ତୁମର ରକ୍ତ ମିଶାଇ ଦିଅ

ସନାତନର ଧମନୀରେ ।

ଆସ ମା ସ୍ତନ୍ୟ ଦିଅ ସନାତନକୁ

ଆସ ଭଉଣୀ ! ଦିଅ ତୁମର ଗୁମ୍ଫିତ କ୍ରୋଧ

ସନାତନର ଛାତିକୁ ।

ଦିଅ ଦିଅ

ଦିଅ ଦିଅ

ଲକ୍ଷେ ମଶାଲ ଦିଅ

ସନାତନର ହାତକୁ ।

 

ସନାତନ ଆମର ବିଶ୍ୱ

ତା’ର ଛାତି ଆମର ଛାତି

ଆମେ ଭାଇ ! ସନାତନର ଭାଇ

କୌଣସି ଆକ୍ରମଣକୁ କେବେ ସନାତନ ଡରିନାହିଁ

ଆମେ ବି ଡରିବା ନାହିଁ ।

 

ବହିଯାଉ ଲାଲ ରକତ

 

ଭାଇରେ କଲୁ କି ଶପଥ, ହଟିବୁ ନାହିଁ ତୁ ପଛକୁ

ଢାଳି ଦେବୁ ପଛେ ରକତ ।

ଧୋବଧାଉଳିଆ ଆସିବେ

ହସି ହସି ପାଖେ ବସିବେ

କେତେ କଥା ଦେବେ ଶିଖେଇ

ବନେଇ ଚୁନେଇ ମନେଇ

ତୋର ଭିଟାମାଟି ନେଇଯିବେଟି

ତୋତେ ଥାନାକୁ ପଠେଇ ଦେବେଟି ।

ଥାନାରେ ଥିବରେ ପୁଲିସି

ଖାଉଥିବ ମାଛ ଇଲିସି

ଲାଛି ଦେବ ତୋତେ ପେଟରେ

ଧୋବଧାଉଳିଆ ବଗୁଲା

ସବୁତ ପୁଲିସି ପଟରେ

ଖାଇଯିବେ ତୋତେ ମିଶିକି

ଉଠେଇ ଦେବେରେ ଫାଶୀକି

ତୁ ଆଉ କିସ କରିବୁ

ଯଦି ତେଣ୍ଟା ନ ଧରୁ ହାତରେ

ଯଦି ଟାଙ୍ଗିଆ ନ ଥାଏ କାନ୍ଧରେ

ବିନା ଦୋଷେ ସିନା ମରିବୁ ।

ତେଣୁ କାହାରି ଆଦେଶ ନ ମାନି

କରି ନେ ଭାଇ ଶପଥ,

ମୂଲ ଲାଗି ମୂଲ ଲାଗିବୁ

ଭିଟାମାଟି ନାହିଁ ଛାଡ଼ିବୁ

ପଛେ ବହିଯାଉ ଲାଲ୍‌ ରକତ ॥

 

ହିସାବ କର

 

ହିସାବ କର,

 

ଆଜି ହିସାବ କର, ମାଲିକ ହେ....

 

ଲାଭରେ ଅଛି ଆମ ଅଧିକାର ।

 

ମୁଣ୍ଡ ଝାଳ

ଆମେ ତୁଣ୍ଡେ ମାରି

କରୁଁ ଉତ୍ପାଦନ,

ମିଥ୍ୟା ଅଭାବର

ମିଛ ହିସାବ

କରି ଉଦ୍ଭାବନ

 

ହେଉନି ଲାଭ ବୋଲି ଘୋଷଣା କର ।

ୟେ’ କି କାରବାର ? ମାଲିକ ହେ....

ଆଜି ହିସାବ କର ... ।

ଚଳାଇ କଳ ଆମେ ସାରିଲୁ ବଳ

ବଢ଼ିଲା ତୁମ ଧନ ଅଚଳାଚଳ,

ଖଟି ଖଟି ଆମେ ହେଲୁ ଦୁଃଖୀ ମଳୁ

ଆମର ଲହୁ ତୁମେ କରିଲ ଚଳୁ ।

ପିନ୍ଧି ବୁଲ

ରତ୍ନ ହାର

ଦିଶେ ଚମତ୍କାର.....

ୟେ’କି କାରବାର, ମାଲିକ ହେ...?

ଆଜି ହିସାବ କର... ।

ଧନ ବଳେ ନେଲ କେତେ ମୁଣ୍ଡ କିଣି

ବଡ଼ ବଡ଼ କାଗଜର ତୁଣ୍ଡ କିଣି

ଆମ ପାଉଣା ଦେଇ ଅନ୍ୟ ହାତେ

‘ଧନ୍ୟବାଦ’ ତୁମେ କିଣ ଯେ କେତେ,

ତୁମ କରମର,

ତୁମ ଧରମର,

କାହିଁ ପଟାନ୍ତର ? ମାଲିକ ହେ

ଆଜି ହିସାବ କର.... ।

ପରିବାର ଧରି ସୁଖେ ଆକାଶେ ଉଡ଼

ଦୂର ସମୁଦ୍ରରେ ଯାଇ ପକାଅ ବୁଡ଼

ପୋଷୁଚ ବଣୀ, କେତେ ଦେଉଳ ଗଢ଼

ଆମକୁ ଦେବା ବେଳେ ଆଇନି କାଢ଼

କେତେ ଆଇନି କାଢ଼

ଖୋଇ ପୋଲିସି ମାଡ଼,

ଦୂରକୁ ତଡ଼,

ଖାଲି ପକାଅ ବାଡ଼-ମାଲିକ ହେ

ଆଜି ହିସାବ କର.......

ଖବର କାଗଜ କରେ ତୁମକୁ ବଡ଼

ଲୋକ-ସେବକ,ଆମେ ନିପଟ ମୂଢ଼

ଆମର ଦାବୀ ଶୁଣି ତୁମେ ଯେ କାଲ

ଜାଣିରଖ ଆମେ ନୋହୁଁ ମେଣ୍ଢା ପଲ

ନୋହୁଁ ଖତର କୁଢ଼

ମାଗୁ ଉଚିତ ମୂଲ,

କର ପ୍ରତିକାର-ମାଲିକ ହେ

ଆଜି ହିସାବ କର... ।

ପଙ୍କେ ଫୁଟେ ବୋଲି ପଦ୍ମ ଫୁଲ

ତୁମେ କହି ତ ବୁଲ

ଭାଷଣ କର ଆମ ମୂଲିଆ କୁଳ

କାଳେ ଧରମା ତୁଲ ।

ମାନୁଚୁ ଆମେ ଏଇ ପଙ୍କେ ଥାଉ

ଉଚିତ ମୂଲ ଲାଗି ରଙ୍କ ହେଉ,

ଫୁଟାଉ ଆମେ ଯେତେ ପଦ୍ମ ଫୁଲ

ଗଣି ଗଣି ଗୋଟି ଗୋଟି ତୁମେ ଇ ତୋଳ

ଲାଭର ବେଳ

ହେଲେ ଚାବୁକ୍‌ ଧର

ୟେ’ତ ଚମତ୍କାର- ମାଲିକ ହେ

ଆଜି ହିସାବ କର...... ।

 

ପ୍ରସନ୍ନ କୁମାର ପାଟଶାଣୀ

୧୯୪୪-

 

ଛାତ୍ର ଜୀବନରୁ ଜନସେବା ଓ ଛାତ୍ରରାଜନୀତି ସହିତ ଜଡ଼ିତ ଥାଇବି ଅନେକ ଉଚ୍ଚକୋଟୀର କବିତା ରଚନା କରି ପ୍ରଗତିଶୀଳ ସାହିତ୍ୟର ପରବର୍ତ୍ତୀ ପିଢ଼ିର ପ୍ରମୁଖ ପୁରୋଧା ଭାବରେ ପ୍ରସନ୍ନ ପାଟଶାଣୀଙ୍କର ରହିଛି ସ୍ୱତନ୍ତ୍ର ପରିଚିୟ ।

 

ଚିଲିକା ହ୍ରଦର ମନଲୋଭା ପ୍ରାକୃତିକ ଦୃଶ୍ୟ ଓ ବାଲୁଗାଁ-ବାଣପୁରର ପର୍ବତ, ଜଙ୍ଗଲ ଏବଂ ଏହି ପରିବେଶରେ ବାସକରୁଥିବା ଦୀନଦରିଦ୍ର ମତ୍ସଜୀବୀ ଓ ବନବାସୀଙ୍କ ସଂସ୍ପର୍ଶରେ ଆସି ସେ ନିଜର ପୂର୍ବପୁରୁଷ ତଥା ୧୮୧୭ର ଖୋର୍ଦ୍ଧାର ଐତିହାସିକ ପାଇକ ବିପ୍ଳବର ଅନ୍ୟତମ ସେନାପତି କୃତ୍ତିବାସ ପାଟଶାଣୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସଶସ୍ତ୍ର କ୍ରାନ୍ତି ଦିଗକୁ ଆକର୍ଷିତ ହୋଇଥିଲେ । ଦୀର୍ଘଦିନଧରି ନକ୍ସଲବାଦୀ ଜନ ଆନ୍ଦୋଳନ ଓ ପ୍ରଗତିବାଦୀ କାବ୍ୟ ଆନ୍ଦୋଳନର ପୁରୋଭାଗରେ ରହି ପ୍ରକାଶିତ କରିଥିଲେ ‘ବେଳା’ ନାମକ ପତ୍ରିକା । ଏହି ପତ୍ରିକା ସେତେବେଳେ ନକ୍ସଲବାଦୀ ଆନ୍ଦୋଳନକୁ ସମର୍ଥନ କରୁଥିବା ସମସ୍ତ ସାହିତ୍ୟ-ସ୍ରଷ୍ଟାଙ୍କୁ ଗୋଟିଏ ମଞ୍ଚରେ ଏକତ୍ରିତ କରାଇ ସେବେଠାରୁ କ୍ରାନ୍ତିକାରୀ ସାହିତ୍ୟର ଭବିଷ୍ୟତ ପାଇଁ ସେ ସୃଷ୍ଟି କରିଥିଲେ ନୂଆ ପଥ, ଯାହା ‘ଅବଧୂତଗୋଷ୍ଠୀ’ ନାମରେ ନାମିତ ।

 

ଅଦ୍ୟାବଧି ପ୍ରାୟ ୬୦ଟିରୁ ଅଧିକ ପୁସ୍ତକର ସ୍ରଷ୍ଟାଭାବେ କବି ପ୍ରସନ୍ନ ପାଟଶାଣୀ ସାମ୍ପ୍ରତିକ ଓଡ଼ିଆ ଜନବାଦୀ ସାହିତ୍ୟରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନ ନିର୍ମାଣ କ୍ଷେତ୍ରରେ ସେ ଅନନ୍ୟ । ସମ୍ପ୍ରତି ସେ ଭୁବନେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀରୁ ୪ର୍ଥଥର ପାଇଁ ସାଂସଦଭାବେ ନିର୍ବାଚିତ ହୋଇଛନ୍ତି । ଏହା ତାଙ୍କର ଅସୀମ ଲୋକ ପ୍ରିୟତାକୁ ପ୍ରମାଣିତ କରେ । ଓଡ଼ିଆ, ଇଂରାଜୀ ଓ ହିନ୍ଦୀ ଭାଷାର ସେ ଜଣେ ପ୍ରଗଳ୍‌ଭ ବାଗ୍ମୀ ଏବଂ ଜାତିସଂଘର ସାଧାରଣ ଆସେମ୍ବ୍ଲି ସମେତ ପୃଥିବୀର ୧୧୦ଟି ଦେଶରେ ନିଜର ଭାଷଣ ପ୍ରଦାନ କରି ବିଶ୍ୱବାସୀଙ୍କୁ ଚମତ୍କୃତ କରାଇ ଅଗଣିତ ଓଡ଼ିଆଙ୍କର ସେ ହୋଇପାରିଛନ୍ତି ପ୍ରିୟ ପ୍ରବାଦ ପୁରୁଷ ଓ ସାରସ୍ୱତ ଜଗତର ଶାଣିତ ସନ୍ନ୍ୟାସୀ ।

 

ରକ୍ତ ପଥ

 

ଅଚାନକ ଆଖିର ବନ୍ୟାରେ ଡୁବିଯାଏ

ମୋ କ୍ଳାନ୍ତ ଚେହେରା । ଏକ ଭୟଙ୍କର ପରିଣାମ

ଯାହା କ୍ରମଶଃ ଆଚ୍ଛନ୍ନ କରେ, ତୁମ ହୁକୁମ ବିରୁଦ୍ଧେ

ସବୁଜ ଶସ୍ୟର ଗମ୍ବୁଜ ଉପରେ ଠିଆ ହୋଇ

ଅସ୍ତ ସୂର୍ଯ୍ୟର ଲାଲ କଂକିଟିଏ ଘୋଷଣା କରେ

ଲକ୍ଷ ପ୍ରଜାପତିର ଶୋଭାଯାତ୍ରା ବେଆଇନ୍‌, ନୋଟିସ୍‌

ଝୁଲୁଥାଏ ଉଦାସୀନ ଅସରନ୍ତି ମାଇଲ ଖୁଣ୍ଟିରେ

ପରାଜିତ ସୂର୍ଯ୍ୟର ମହିମା ପକ୍ଷୀର କ୍ଳାନ୍ତ ପରକୁ ଚୁଚୁମ୍ବେ

ଅଗ୍ନିଗର୍ଭା ମାଟିର ବାସ୍ନା ବାରୁଦେ ଚହଟେ

ଅମଳ ଋତୁ ହିଁ ଲୋଟେ ବିଷାଦର ନୀଳ ତଇଲାରେ

ରକ୍ତଜବା ହୋଇ ଫୁଟେ ଜ୍ୟୋତିର୍ମୟ ବିଭାବରୀ

ସୁଦୃଶ୍ୟ ତୁମ ଆଖିର ନୀଳ ଆଇନାରେ

ଛକି ଦେଖେ ଆରେକ ପୃଥିବୀ ମୁହିଁ କ୍ଷୁଧାରେ ମଳିନ ନିଷ୍ପ୍ରଭ ।

 

ନିଦାରୁଣ ମହାକାଳ ସଂକୁଚିତ ହୋଇ

ଶତାବ୍ଦୀ ମୁଠାରେ ବନ୍ଦୀ । ଠିକ୍‌ ଯେମିତି

ସମୟ ଏକ କଇଁଚର ବେକ, କଠିଣ କଠୋର

ବର୍ଷର ଠୋଲାରେ ପଶିଗଲା ଭଳି

କରାଳ ନଈକୁ ସତ୍ୟତା ଯାଉଛି ପହଁରି

କର୍କଶ ଦିବସ ସବୁ ପଶିଯାଏ ଧିରେ

କର୍କଶ ନିଶିଥ ସବୁ ପାହିଯାଏ ଧିରେ

କାକୁସ୍ଥ କାଳର ଗର୍ଭରେ ନିଶ୍ଚିହ୍ନ ବାଲିବେଳା ଦେହେ

ଢେଉସବୁ ଯାଉଛି ମିଳେଇ, ଶଙ୍ଖ ଓ ଶାମୁକା ଫିଙ୍ଗି

ହାତିଦାନ୍ତ ଭଳି ସୂର୍ଯ୍ୟଟା ପଡ଼ିଛି ଓହଳି

ଆକାଶ ଶୁଣ୍ଢରୁ ପାଣି ସମୁଦ୍ରକୁ ଯାଉଛିରେ ଲମ୍ବି

ବତାସ ଏକ ମତ୍ତଗଜର ପ୍ରବାହ ଥୋମଣୀ ହଲାଇ

ଅରଣ୍ୟର ସଂଖ୍ୟାହୀନ ଗଛକୁ ଦେଉଛି ଓଟାରି ।

ଦାରିଦ୍ର୍ୟର ଉକିଟ ପିଡାରେ ସନ୍ତୁଳିତ ହୃଦୟ

ଗରୀବ ସୂର୍ଯ୍ୟର ଉଦୟ ଯନ୍ତ୍ରଣାର ନିଶ୍ୱାସ ହାବୁକା

ଖାଏ ନରମ କଲିଜାର ବାଲିଚଡ଼ା ଡେଇଁ

ଧକ୍‌କା ଖାଇ ଅସ୍ତବ୍ୟସ୍ତ କରେ ଜୀବନ ସ୍ନାୟୁର ଶାମୁକା

ଫାଳ ଫାଳ ହୁଏ ଶ୍ୱେତଶଙ୍ଖ ଖୋଳ

ଜିକ୍‌ ଜିକ୍‌ ହୀରା ସୁନା ତାରାରେ ଭର୍ତ୍ତି

ଅନ୍ଧକାରର ଚିତ୍ରିତ ବଖରା

ସମୟର ବେଳାଭୂମି ଧାରେ ଖାଇଛି ଅତଡ଼ା

ଜୀବନ ଏକ ମୃତ ବନ୍ଦର, ଅସଂଖ୍ୟ ଶବର ଜାହାଜ ନେଇଛି ଆଶ୍ରୟ

ଶତାବ୍ଦୀ ଏକ ବତୀଘର ଆଖି, ସମଗ୍ର ବିଶ୍ୱ ସାକ୍ଷୀ

ହିଂସାର କାଠଗଡ଼ା ଭିତରେ ବନ୍ଦୀ ଦେଶର ସଂହତି

ଦିଏ ବରମାଲ୍ୟ ଶୋକ, କ୍ଷୁଧା, ବ୍ୟାଧିର ଗଳାରେ

ମଣିଷ ମୁକ୍ତିର ନାରୀହତ୍ୟା ସପ୍ତାହ ପାଳନ ଚାଲେ

 

ଝରା ଫୁଲର ଓଠରେ ମୃତ୍ୟୁ ଫୁଟେ ପୁର୍ନଜନ୍ମ ହୋଇ

ଜରାର ଶେଯରେ ଘୁମାଏ କୁଶୁମିତ ମରଣର ଅର୍ଘ୍ୟ

ଜନନୀର କ୍ରୋଧ ହୁଏ ସ୍ୱାର୍ଥର ଲାଳସାରେ ବନ୍ଦୀ

ଭଗ୍ନୀର ମମତା ହୁଏ ସ୍ୱାର୍ଥର କାରାଗାରେ ନିସଙ୍ଗକଇଦୀ

ପତ୍ନୀର ପ୍ରଣୟ ହୁଏ ସ୍ୱାର୍ଥର ଅଭିମାନେ ନୀଳ ବିଷଜ୍ୱାଳା

ଭାତୃତ୍ୱର ସୋହାଗ ହୁଏ ସ୍ୱାର୍ଥର ନିବିଡ଼ ନରକ

ପିତୃତ୍ୱର ସମ୍ପର୍କ ହୁଏ ସାର୍ଥକ ନିରୋଧ ମୁଣୀରେ ଅଟକ ।

 

ଏଇ ମୋର ବ୍ୟର୍ଥ ସନ୍ତାନର ନିରର୍ଥକ ବିଳାପର ଧ୍ୱନି

ଏଇ ମୋର ବ୍ୟର୍ଥ ପ୍ରୀତିର ନୀରବ ରଜନୀ

ଏଇ ମୋର ବ୍ୟର୍ଥ କବିତାର ନିହତ ସୃଜନୀ

ତୋର ଶବାଧାର ଧରି ଚାଲିଛି ମୁଁ କବି

ଆଙ୍କିବାକୁ ଧିରେ ମାନବ ସଭ୍ୟତାର ଛବି ।

 

ବିଂଶ ଶତାବ୍ଦୀର ମଣିଷ, ଧ୍ୱଂସର ମୁଖାମୁଖି

କୌଣସି ଗ୍ରାମାଞ୍ଚଳ ନାଟକର ଶେଷ ଅଙ୍କ

ହୀରୋ ଯଦି ହୁଏ ଟିଣ ଖଣ୍ଡାରେ ଆହତ

ହୁଇସିଲରେ ପର୍ଦ୍ଦା ପଡ଼ିଯାଏ, ଶେଷ ଯବନୀକା ଭଳି

ଦର୍ଶକର ଚିନ୍ତା ନାହିଁ, ଚେତନାରେ ଜଙ୍କ୍‌ ଲାଗେ

ଆଦର୍ଶର ଅଭିନୟ କାଠ ବନ୍ଧୁକରେ ‘ଫେୟାର୍‌’ ଭଳି

ବିପ୍ଳବ ଛଳନାର ମନୋହରୀ ଟ୍ରଙ୍କରେ ସାଇତା

ଆମଦାନୀ ବହିର ମଲାଟେ ଉଇ ଯାଏ ଚରି ।

ବିଚ୍ଛିନ୍ନ ସ୍ୱପ୍ନର ମଶାଣୀରେ ଦୁଃଖର ଦାହ

ଗତାୟୁ ସୁଖର ମଶିଣାରେ ଅଭୁଲା ସ୍ମୃତିର ମୋହ

ସବୁ ପୋଡ଼ିଯାଏ, ହଳଦୀ ମଖା ବିବାହ ଡାଲାରେ

ହୋମର ଗନ୍ଧ ଛିଣ୍ଡା କୁଲା ଜୁଇରେ ନ ଥାଏ

ଭୁଲିହୁଏନା ଅପୋଡ଼ା କାଠର କୋହ, ଫମ୍ପା ମାଠିଆରେ

ବାଷ୍ପ ହୋଇ ଶୂନ୍ୟତାରେ ମିଶେ ।

 

ତୁମେ ସବୁ ଯନ୍ତ୍ରଣାର କୋକେଇରେ ମିଥ୍ୟାର ଖଈବିଞ୍ଚ

ସୁଦୂର ମଶାଣୀ ପାରିହେବାର ଅହମିକାରେ ସ୍ତବଧ୍‌

ଭୂତଭୟରେ ଧୂଳିସାତ ସୂର୍ଯ୍ୟାସ୍ତର ଅପଚୟ

ନୀଳ ସ୍ୱପ୍ନରେ ଆବୃତା କବିତାର ଛାଇ ଚରିଯାଏ ତୁମ ଦେହ ।

 

 

ତମେ ବା ଜାଣିବ କେବେ

 

ତମ ନିଜକୁ

 

ପ୍ରଥମେ ନିଜକୁ ଚିହ୍ନ, ତମ ନାକ ଦେଇ ଯାଉଥିବା

ନିଃଶ୍ୱାସକୁ ଚିହ୍ନିଛ କି ତୁମେ

ଦେଖିଛ କି କେବେ ପବନକୁ

ଦେଖିଛ କି କେବେ ତୁମେ

ତୁମ ନିଜର ମନକୁ

ଦେଖିଛ କି କେବେ ତୁମର ଆତ୍ମାକୁ

ଦେଖିଛ କି କେବେ ତୁମର ବିବେକକୁ

ସେମିତି ତମେ ଦେଖିନାହଁ

ତମର ସେଇ ନିଃଶ୍ୱାସକୁ

ଯାହା ପ୍ରତି ମୁହୂର୍ତ୍ତରେ

ତୁମ ନାକ ପୂଡ଼ା ଦେଇ

ଗତି କରେ ସହସ୍ରାରୁ ମୂଳାଧାରକୁ ।

 

ତୁମେ ଜାଣିନାହଁ

ତୁମେ କେଉଁ ଦିଗକୁ ଚାଲିଛ

ତୁମେ ଜାଣିନାହଁ ତମ ନିଜ ଘରର କୋଣକୁ

କେଉଁଠି କ’ଣ ବା ଅଛି । ତମେ ଦେଖିନାହଁ

ତମ ନିଜ କୋଠରୀରେ ବୁଢ଼ୀଆଣୀ ବାନ୍ଧିଛି ବସା

ତମେ ଦେଖିନାହଁ ତୁମ ଚାଳତଳେ

କେମିତି ରହେ ତେଲୁଗୁଣୀ

ତମେ କିନ୍ତୁ କହିପାରିବନି ଗଣି

ତମ ପେଟରେ କେତେ ବା ଅଛି

ଜିଆ ବା କେଞ୍ଚୁଆ

ତମେ ବି ପାରୁନ ଜାଣି

ତମର ଘା’ରେ ବସନ୍ତି କେତେ ବା ମାଛି

ତମ ପୁଜ ରକ୍ତ ଉଡ଼େ ବାୟୁ ମଣ୍ଡଳରେ

ନା ତୁମେ ଦେଖି ପାରୁଛ, ନା ତୁମେ ଗଣିପାରୁଛ ।

ତମେ ବା କେମିତି ପାରିବ ଦେଖି

ମଣିଷମାନଙ୍କୁ ଯେଉଁମାନେ

ଖାଇବାକୁ ପାଆନ୍ତିନି

ଦୁଇ ବେଳା ଦୁଇ ମୁଠା ଆହାର

ଯେଉଁମାନଙ୍କୁ ମିଳେନାହିଁ ପିଇବାକୁ ପାଣି ।

ତମେ କେମିତି ବୁଝିବ, ବୁଝିବାକୁ ବା ବେଳ କାହିଁ

ସେମାନଙ୍କ ଜୀବନର ମୂଲ୍ୟ ।

ତମେ ତ ଦଉଡ଼ ନିତି

ଦିଲ୍ଲୀରୁ ଭୁବନେଶ୍ୱର, ସରେନାହିଁ ତେଲ ।

ଯେତେ ତେଲ ପିଇଲେ ବି

ତମର କିଛି ହୁଏନାହିଁ ରୋଗ

ତମ ପାଇଁ ଅଛନ୍ତି ଡାକ୍ତର

ତମ ପାଇଁ ଅଛି ଔଷଧ, ଗୁଣି ବା ଗାରେଡ଼ି

ଡର ନାହିଁ ଭୟ ନାହିଁ, ତମର କାହାକୁ ବା ଡର ।

ହେ ଶାସକ, ତୁମ ସିଂହାସନର ଆୟୁଷ

କେବେ ହେବ ଶେଷ

ତାହା ଜାଣିଥାଏ, ଚଉକିର ଖୁରା

ଅବା ମାଟିତଳ କେବେ ଯିବ ଦବି

ଜାଣିଛନ୍ତି ସବୁ ଗଛ ଚେର ।

 

ନୀରବ ଶବ୍ଦର ସ୍ୱର

 

ପୋଖରୀ ପାହାଚ ତଳେ ବେଙ୍ଗର ପ୍ରଳାପ

ଡାକିଆଣେ ଅରଣ୍ୟ ଶିଳାର ଗାତରୁ ବର୍ଷାର ପାପ

ତମେ ଦିନେ ଡାକି ଆଣିଥିଲ ପାପକୁ

ଅନ୍ଧାର ରାତି ଡାକେ ତାରାକୁ ଅନନ୍ତ ନୀରବରେ

ଡାକେ ଜହ୍ନ ସମୁଦ୍ରକୁ ସଙ୍ଗମର ଜୁଆରରେ ।

ଡାକେ ନଦୀ ଅସଂଖ୍ୟ ମାଛକୁ,ଗଭୀର ସ୍ରୋତରେ ସ୍ୱପ୍ନ ଡାକେ

ନିଦକୁ ମନର ଅତଳ ବିବରେ ।

 

ମୋର ଶବ ଭାସିଯାଏ ନିଶ୍ୱାସର ଅତଳ ଭେଳାରେ

ରକ୍ତର ଶଙ୍ଖ ତଳେ ଆତ୍ମା ମୋର ଛନ୍ଦିହୁଏ,

ତୁମ ଉଷ୍ମ ଚେତନାର ନରମ ନାଡ଼ୀରେ ।

 

ଡାକେ ବିଲ ସବୁଜ ଶସ୍ୟକୁ, ପବନ

ଡାକେ ଲୋମ ଝାଳକୁ କାଖତଳେ

ତମେ ଶୋଇପାର ନାହିଁ ପ୍ରବଳ ଗ୍ରୀଷ୍ମରେ

କୃଷ୍ଣଚୂଡ଼ା ଫୁଟେ ତୁମ ଖରାର ବେଣୀରେ

ଘିମିରି ଭଳି ନରମ ପିଠିରେ,

 

କ୍ଷୁଧା ଡାକେ ତାୱାର ରୁଟିକୁ, ଲାଳ ଡାକେ ପାଟିତଳେ ଜିଭକୁ

ନୀରବ ଶବ୍ଦର ସ୍ଳୋଗାନରେ

ପ୍ରେମ ଡାକେ ଚିଠିକୁ ଖୋଲି ନୀଳ ଲଫାପା

ଚୂଲି ଡାକେ ଭାତକୁ ଧୂଆଁ ବୋଳି ଆଟିକା

ଡାକେ ଶୋଭା ଯାତ୍ରାକୁ ପତାକା ।

 

 

ଭଗବାନ ମହାପାତ୍ର

୧୯୪୪-

 

ନବ୍ୟ ପ୍ରଗତିବାଦୀ ଓଡ଼ିଆ ସାହିତ୍ୟର ଅନ୍ୟତମ ସାରସ୍ୱତ ସାଥୀ ଭଗବାନ ମହାପାତ୍ର ସାହିତ୍ୟ ସର୍ଜନା ସହିତ ସମ୍ପାଦନା ଓ ସଙ୍ଗଠନ କ୍ଷେତ୍ରରେ ବେଶ୍‌ ପରିଚିତ । ଓଡ଼ିଶା ପ୍ରଗତିଶୀଳ ଲେଖକ- ଶିଳ୍ପୀ-ବୁଦ୍ଧିଜୀବୀ ସଂଘର ସେ ହେଉଛନ୍ତି ଅନ୍ୟତମ ଆଦ୍ୟ ଉଦ୍ୟୋକ୍ତା । ସମଗ୍ର ଓଡ଼ିଶାରେ ଏକ ସାଂସ୍କୃତିକ ସଚେତନତା ଉଦ୍ଦେଶ୍ୟରେ ସାମାଜିକ ବୈଷମ୍ୟ, ଅସ୍ପୃଶ୍ୟତା, ଅସମାନତା ବିରୁଦ୍ଧରେ ଜନ ଆନ୍ଦୋଳନର ନେତୃମଣ୍ଡଳୀ ମଧ୍ୟରୁ ଅନ୍ୟତମ ସଦସ୍ୟ ହେଉଛନ୍ତି ଏହି କବି ହେଉଛନ୍ତି ଅନ୍ୟତମ ସଦସ୍ୟ ।

 

ପାରାଦ୍ୱୀପ ବନ୍ଦର ଓ ଶିଳ୍ପ ନଗରୀରେ ପ୍ରଗତିଶୀଳ ସାହିତ୍ୟର ପ୍ରାଣ ସଞ୍ଚାର କ୍ଷେତ୍ରରେ ତାଙ୍କର ରହିଛି ତିରିଶ ବର୍ଷର ଆପ୍ରାଣ ଉଦ୍ୟମ । କେବେ ପୀତାମ୍ବର କେବେ ପ୍ରେମାନନ୍ଦ ଏହି ସ୍ପର୍ଶରେ ଏବେ କ୍ରାନ୍ତିକାରୀ କବିତା ସର୍ଜନାରେ ସଫଳତାର ଶୀର୍ଷରେ ଉଭୟେ ଉତ୍ତୀର୍ଣ୍ଣ ।

 

‘ହୋସେନ୍‌ ମୋବାରକ୍‌’ ଛଦ୍ମ ନାମରେ ସେ ଲେଖିଛନ୍ତି ଅନେକ ଗଳ୍ପ, ଆଲୋଚନା ଆଉ ନିଜ ନାମର ସ୍ୱାକ୍ଷର ରଖି ଓଡ଼ିଆ ସାହିତ୍ୟକୁ ତାଙ୍କର ଅବଦାନ ଅବିସ୍ମରଣୀୟ । ତାଙ୍କ କବିତାର ଗର୍ଭ ଗୃହରେ ରହିଛି ସମାଜ ପାଇଁ ଅଙ୍ଗୀକାରବଦ୍ଧତା, ଈଶ୍ୱର ବଦଳରେ ମଣିଷର ଶ୍ରେଷ୍ଠତା । ରହିଛି ମେହନତି ଜନତା ପାଇଁ ସମବେଦନା, ଶ୍ରଦ୍ଧା । ରହିଛି ବଞ୍ଚିବା ଦାୟରେ ସଂଗ୍ରାମର ସତ୍ୟପାଠ, ଦୁର୍ବାର ଶପଥ । ସମ୍ପ୍ରତି ସରକାରୀ କର୍ମକ୍ଷେତ୍ରରୁ ଅବସର ନେଇଥିଲେ ବି ଏବେ କବି ଭଗବାନ ମହାପାତ୍ର ‘ଆରୋହଣ’ ପତ୍ରିକାର ସମ୍ପାଦକ ଭାବରେ କାର୍ଯ୍ୟରତ ।

 

କଳାହାଣ୍ଡି

 

ତୋ’ର ଚିରହରିତ ଯୌବନକୁ ପଳ ପଳ କରି

ଲୁଟି ନେବା ପରେ

ଆଜି ଯେଉଁମାନେ ତୋ ପାଇଁ ଆଖିରୁ

ଅସ୍ରା ଅସ୍ରା ଲୁହ ଝାରୁଛନ୍ତି

କସ୍ତା କେଇଖଣ୍ଡ କି କମ୍ବଳ କେଇଟା ଦେଇ

ଆଜି ଯିଏ ତୋର ପରିତ୍ୟକ୍ତ ଫୁଙ୍ଗୁଳା ଦେହକୁ

ଢାଙ୍କିବାର ଅପଚେଷ୍ଟା କରୁଛନ୍ତି

ତାଙ୍କ ଆଖିକୁ ଥରେ ନିରେଖି ଚାହଁ ତ,

ଦେଖିବୁ ସେଠି

ସେଇ ଜାନ୍ତବ ତୃଷାନଳ

ଏବେ ବି ଜଳୁଚି ଲହ ଲହ ହୋଇ

ତୋର ଯୌବନର ଅବଶେଷକୁ

ଏକାନ୍ତରେ ଶୋଷିନେବା ପାଇଁ ।

 

ତୋ’ର ବଣ ମୁଲକରେ ଅନ୍ନଛତ୍ର ଖୋଲିଚି ତ

ଉଦରଭରି ଖାଇବୁ କେତେ ଖାଇ ଯା’

ଖୁଦ ମଳୁଖ ଯାହା ମିଳୁଚିତ

ଗଣ୍ଠିଲି ଭରି ନେଇ ଯା’

ଋଣ କେତେ କୋଡି ମିଳୁଚିତ

ଅଣ୍ଟାରେ ଖୋସି ଚାଲି ଯା’

ଦିନ କେଇଟାରେ କେଇ ସରା ମହୁଲିରେ

ସରିଯିବ ତୋ ମୂଳଧନ ।

 

ତୋ ମୂଳଧନ ସରିଯିବ ଯୋଉଠି

ସେଠି ଜାଲ ପାତିଥିବ କୋଉ ଦୁଷ୍ମନ୍‌

ତୋ ମହୁଲି ସରା ଶୁଖିଯିବତ

ତାକୁ ଭରିଦେବାକୁ ଚାହିଁରହିଥିବ

କା’ର ଅଦେଖା ହାତ

ତୋ ମନ ମରିଯିବ ଯୋଉଠି

ମୂର୍ଚ୍ଛିତ ହେଇଯିବ ତୋ ଚତୁଃପାର୍ଶ୍ୱରେ

କେଉଁ ଅନାଦି କାଳର

ପ୍ରାଣମୟ ଅପୂର୍ବ ସଙ୍ଗୀତ ।

ତୋ ବଣ ମୁଲକର ଅନୂଢ଼ା କିଶୋରୀଙ୍କ

ଥମ୍‌ ଥମ୍‌ ପାଦର ମଧୁର ଛନ୍ଦରେ

ଅବଶ ପାଦଗୁଡ଼ା ଛନ୍ଦି ହେଇଯିବ କିଛିକାଳ,

ବାଦ୍ୟ ନାଦର ଉଚ୍ଚାଟନରେ

ସ୍ପନ୍ଦିତ ହୋଇଯିବ ତୋ’ର ତନୁମନ

ତୁ କାହିଁ ଜାଣିବୁ ଯେ

ତୋ ଅଲକ୍ଷ୍ୟରେ ଲମ୍ବିଯାଇଥିବ

ତୋ ବୁଭୁକ୍ଷାର ଅସୁମାରି ଦିନ ।

 

ତୋ ବୁଭୁକ୍ଷାର ଇତିହାସ ଲେଖିଲେତ

ଥରି ଉଠିବ ଲେଖକର ହାତ

ବାରମ୍ବାର

ତୋ କଷଣ’ର ଚିତ୍ର ଆଙ୍କିଲେତ

ଶିହରି ଉଠିବ ନିଶ୍ଚେ

ଯେ କେହି ଦରଦୀ ଚିତ୍ରକର ।

 

କଳାହାଣ୍ଡି ଲୋ !

ସ୍ୱାଧୀନତାର ଦୀର୍ଘ ପଦଯାତ୍ରାରେ

ତୁ ହିନିକପାଳୀଟେ ଯେ

କେତେବାର ଧର୍ଷିତା ହେଲୁ ଓ

କିପରି ଭିକାରୁଣୀ ସାଜି

ଦ୍ୱାର ଦ୍ୱାର ହାତ ପାତି ଘୂରିବୁଲିଲୁ

ସେ କଥା ତୁ ଆଜି

ଥରେ ମାତ୍ର ହେଜିବୁ ତ ହେଜ୍‌,

ତୋ ଜୀବନ ଯାତ୍ରାର ସବୁ

ଅବ୍ୟକ୍ତ ଅଲୋଡ଼ା କାହାଣୀକୁ

ଆଉ ଥରେ ପଢ଼ିବୁ ତ ପଢ଼ିନେ

ଆଗାମୀ ଦିନର ମୃଗତୃଷ୍ଣାମାନଙ୍କୁ

ଆଖି ପୂରେଇ ଚିହ୍ନିପାରିବୁ ତ ଚିହ୍ନିନେ

ହେଲେ ନିଦେଇ ଯାଆନା ଏଥର ।

 

ଆଜି ତୋ ନିଜ କଥା ତୁ ଭଲକରି ଥରେ ହେଜିବୁ ତ

ନିଜେହିଁ ଉଠିଆସିବୁ

ତୋ ଧନୁ, ତୀର,ଟାଙ୍ଗିଆ ପଜେଇ

ନିଜେ ହିଁ କହିବୁ ତୋ ନିଜ କଥା

ଧରିତ୍ରୀ ଓ ଆକାଶ କମ୍ପାଇ ।

 

ମହାମୁକ୍ତି

 

ସ୍ୱଚ୍ଛନ୍ଦ ଭାବରେ ଆମେ କଅଣ କେବେ

ଗଢ଼ିପାରିଛୁ ଯୁଗଯୁଗର ପ୍ରତିଷ୍ଠିତ

ଆମର ତଥାକଥିତ ଶୃଙ୍ଖଳା !

 

ଶୃଙ୍ଖଳାର ରଙ୍ଗୀନ ରିବନରେ

ଆମର ଏହି ବିସ୍ତୃତ ଜୀବନର ଫାଇଲ୍‌ ଯେ

କାଳକାଳ ବନ୍ଧା ପଡ଼ିଚି

ଓ ସମାଜପତିର ଟେବୁଲ ଉପରେ

ଯତ୍ନ ସହକାରେ ରଖାଯାଇଚି

ଆମର ସକଳ ଅନିଚ୍ଛା ସତ୍ତ୍ୱେ,

ଏକଥା କଦବା ହୁଏତ

ଆମର ଅବବୋଧକୁ ସ୍ପର୍ଶ କରିଛି ।

 

ଆମେ ବରାବର ମୁକ୍ତିର ଡାକରା ଦେଇଆସିଚେ

ଅଥଚ କୌଣସି ନା କୌଣସି ଶୃଙ୍ଖଳାର ଚାଖୁ

ପଜେଇ ରଖିଚେ ଠିକ୍‌ ତା ପାଖେ ପାଖେ

ଏ ବିଷୟରେ ଆମେ କେତେ ସଚେତନ

ତାହା ନିଜକୁ ପଚାରିବାର ଜରୁରତା

ନିଶ୍ଚୟ ରହିଚି କାଳକାଳ ।

 

ଗୋଟିଏ ନିର୍ଦ୍ଧିଷ୍ଟ ମୁହୂର୍ତ୍ତରେ

ସମାଜଟା ଗଢ଼ି ଉଠିଥାଆନ୍ତା ତ

ତା’ରି ଅଭିଲେଖାଗାରରେ

ଯାବତୀୟ ବିଧାନମାନ ସାଇତା ହୋଇ ରହିଥାନ୍ତା

ଯାହା ଗୋଟେ ଭିନ୍ନ କଥା ହେଇଥାନ୍ତା

କିନ୍ତୁ ସେପରିତ ଘଟିନାହଁ

ଆମ ଜ୍ଞାତସାରରେ କି

ସଭ୍ୟତାର କୌଣସି ଦୃଶ୍ୟ ପଟରେ

ବରଂ ଗୋଟେ ସୁଦୃଶ୍ୟ ସୌଧରେ ଲାଗିଥିବା

ଇଟାଖଣ୍ଡ ପରି ସବୁ କିଛି ବିଧାନ

ଆମେ ତିଆରିଚେ ଧିରେ ଧିରେ

ଶୃଙ୍ଖଳାର ତାଡନାରେ

ଖୁବ୍‌ ସାବଧାନ ଭାବରେ

ଯେପରି ଆମର ଅଭିସନ୍ଧିକୁ ଚିହ୍ନିବାକୁ

କାହାର ବି ବହପ ନଥିବ ।

 

ତଥାପି, ସେହି ଶୃଙ୍ଖଳାର

ଗୋଟେ ଗୋଟେ ଗଣ୍ଠି ଫିଟିଯାଏ,ସମୟକ୍ରମେ

ଜଣେ ଜଣେ ସକ୍ରେଟିସ୍‌, ବ୍ରୁନୋ

କୁର୍ବାନି ହେବାପରେ ଓ

ଜନ ସମୁଦାୟଙ୍କ ମହାମୁକ୍ତି ପାଇଁ

ଜନ୍ମିଥିବା କି ଜନ୍ମିବାକୁ ଥିବା

ବୀର ପୁରୁଷମାନଙ୍କୁ ଅବଜ୍ଞା କରିବାର

କେତେ ଯୁଗ ଅତିକ୍ରାନ୍ତ ହେବାପରେ ।

 

ବର୍ବରତାରୁ ଜନ୍ମିଥିବା ସଭ୍ୟତା

ଆଜି ପୁଣି ବର୍ବରତାକୁ ଜନ୍ମ ଦେବା

(ଜରିର ଖୋଳ ଭିତରେ)

କୋଉ ସଭ୍ୟତା ଯେ !

କୁହ ତ ପ୍ରତିମୁହୂର୍ତ୍ତରେ

ପ୍ରତିଟି ସୂର୍ଯ୍ୟସ୍ନାତ ସକାଳରେ

ଏ ସଭ୍ୟତା, ଏ ସମାଜ ତା’ର ପ୍ରତିଟି ପଦପାତରେ

ଦିଗ୍‌ଭ୍ରଷ୍ଟ, ପଥଚ୍ୟୁତ ହୋଇଯାଏ କାହିଁକି

ଭୟଙ୍କର ଭାବେ ନଷ୍ଟ ଲଗ୍ନ, ସ୍ୱପ୍ନ ଭଙ୍ଗରେ

କବଳିତ ହୁଏ କାହିଁକିଁ

ପ୍ରତିଟି ଘଟଣାର ମୋଡ଼ରେ

ପ୍ରତିଟି ଦୃଶ୍ୟର ଆରମ୍ଭରେ

ଯଥୋଚିତ ମନ୍ତ୍ର ପାଠ, ସତ୍ୟ ପାଠ ସତ୍ତ୍ୱେ ।

ମୁକ୍ତିର ସମସ୍ତ ବାତାୟନ ଅବରୁଦ୍ଧ କରି

ମୁକ୍ତିର ମହୋତ୍ସବ ମନେଇବାରେ

ଆମେ କେତେଯେ ପାରଙ୍ଗମ

ତାହା ତ ଦିନେ ଆମକୁ ଚେତେଇ ଦେବ

ଆମର ନିରପେକ୍ଷ ସମୟ

ମୁକ୍ତି ପ୍ରୟାସୀ ମଣିଷ

ଆମ ଗାଲରେ ଚାପୁଡା ପରେ ଚାପୁଡା କଷି ଦେଇ ।

 

ଏଇ କଥାଇଁତ ଆମକୁ ଆଜି

ଖାସ୍‌ କରି ବୁଝିବାକୁ ହେବ !!

 

 

ସଦାଶିବ ଦାଶ

୧୯୪୫-

 

ନବ୍ୟପ୍ରଗତୀବାଦୀ କାବ୍ୟଚିନ୍ତନର ଅନ୍ୟତମ ପ୍ରଭାବଶାଳୀ ସ୍ରଷ୍ଟା ଓ ‘ଅବଧୂତ’ ଗୋଷ୍ଠୀର କ୍ରାନ୍ତିକାରୀ ପଞ୍ଚସଖାର ପ୍ରମୁଖ ସଦସ୍ୟ କବି ସଦାଶିବ ଦାଶ ଦଳିତ, ଅବହେଳିତ, ନିଷ୍ପେସିତ ଜନଗଣଙ୍କର ପ୍ରିୟ ପରିଚିତ କବି ଭାବରେ ଖ୍ୟାତ । ଦୀର୍ଘ ଚାରିଦଶନ୍ଧିରୁ ଊର୍ଦ୍ଧ୍ୱ ହେବ କବିଙ୍କ କବିତାରେ ଜନଗଣଙ୍କ ସ୍ୱର ଅତି ତୀବ୍ରଭାବରେ ସଂଯୋଜିତ ହୋଇ ପ୍ରଗତିଶୀଳ ସାହିତ୍ୟକୁ ସମୃଦ୍ଧ କରିବା ସହ ପରବର୍ତ୍ତୀ ପିଢ଼ି ପାଇଁ ପ୍ରଦାନ କରିଛି ଉନ୍ମୁକ୍ତ ଭାବ ଓ ଭାବନାର ଉର୍ବର କାବ୍ୟଭୂମି । ଯେଉଁଥିରେ ରହିଛି କ୍ରାନ୍ତିର କଢ଼, ରକ୍ତରଶସ୍ୟ... ଏହାହିଁ କବିଙ୍କ କବିତା ପୁସ୍ତକମାନଙ୍କରେ ଅତି ପ୍ରାଞ୍ଜଳ ଭାବରେ ରସୋତ୍ତୀର୍ଣ୍ଣ ।

 

କବି ନିଜେ ହିଁ କୃଷକ, ନିଜେ ହିଁ ଫସଲ କଟା ଗୀତରେ ବିଭୋର । ସେହି ବିଭୋରତା ଭିତରେ ଭେଟିଛନ୍ତି ରକ୍ତଓଦା କଳିଙ୍ଗ ନଗର, କେବେ କନ୍ଧମାଳ । କେବେ ଭୋକ ବିକଳ କାଶୀପୁର, କେବେ ନିୟମଗିରିରେ ବେନିୟମର ବିସ୍ପୋରଣ । ଭେଟିଛନ୍ତି କପାଚାଷି ଆତ୍ମହତ୍ୟାର ହାହାକାର, ବିସ୍ଥାପନର ଉକିଟ ଆକଳନ । ତେଣୁ କବି ସଦାଶିବ ଦାଶ ମାଟି ମୁହଁର ମହକିତ କବି, ମୁଖ୍ୟତଃ ବିପ୍ଳବ ଓ ବିଦ୍ରୋହର ବେସାଲିସ୍‌ କାବ୍ୟକାର ।

 

ସମ୍ପ୍ରତି ଚିତ୍ରୋପିଳା ପ୍ରକାଶନ ସଂସ୍ଥାସହ ଜଡ଼ିତ ଥାଇ ଓଡ଼ିଶାର ପୁସ୍ତକ ଆନ୍ଦୋଳନର ଏହି ଅଗ୍ରଣୀ ନିୟାମକ ଅନେକ ଯୁବକବିଙ୍କର ପ୍ରଥମ ପ୍ରକାଶକ ଓ ପ୍ରେରଣାର ଉତ୍ସ । ଏହି ସଂଗ୍ରାମୀ ସାହିତ୍ୟିକ ସାହିତ୍ୟକୁ ଜୀବନର ବ୍ରତଭାବେ ଗ୍ରହଣ କରି ତୁଚ୍ଛ କରିଛନ୍ତି ସରକାରୀ ପଦ ପଦବୀ ଓ ରାଜନୀତିର କ୍ଷମତାମୋହ । ସେ ଏବେ ମଧ୍ୟ କବିତାରେ କ୍ରାନ୍ତିଭରି ଚଳଚଞ୍ଚଳ ଓ କବିତାରେ ତଲ୍ଲୀନ ।

 

ସ୍ୱାଧୀନତା

 

ଆମକୁ ଦିନେ ମଧ୍ୟରାତ୍ରୀରେ

ମିଳିଥିଲା ଯୁଦ୍ଧକ୍ରାନ୍ତ ସାମ୍ରାଜ୍ୟବାଦୀମାନଙ୍କଠାରୁ

ଦାନସୂତ୍ରରେ ସ୍ୱାଧୀନତା ।

ବିନା ରକ୍ତପାତରେ,

ଅହିଂସାର ଧୋବଧାଉଳିଆ ସରଳତାରେ

ଚରଖାର ଦନ୍ଥରା ସୂତା ପରି ବଳି

ହୋଇଯାଇଥିଲା ଜୀବନ ।

 

ଗୁଳି, ଲାଠି, ବୋମା ମାଡ଼ରେ ଲଢ଼େଇ କରିଥିବା

ଅନେକ ମୃତ ଆହତ ଲୋକେ

ପୋଛି ହୋଇ ଯାଇଥିଲେ ଇତିହାସର ଲୋହିତ ଚକ୍ରବାଳରୁ ।

ସ୍ୱାଧୀନତାର ଭାବାବେଗରେ ଆଣ୍ଠେଇ ପଡ଼ିଥିଲା

ସହସ୍ରବର୍ଷର ଅଧିନସ୍ଥ ସଭ୍ୟତା ।

ଧର୍ମ,ଶୋଷଣ,ନ୍ୟାୟ ଅନ୍ୟାୟର କୁହୁଡ଼ି ପହଁରୁଥିବା

ଅବହେଳିତ, କଂକାଳସାର, ଆହତ ସାମାଜିକତା ।

 

ସ୍ୱାଧୀନତା ଆଣିଦେଇଥିଲା

ବିବଶ ଲୋକଙ୍କ ହାତରେ ଗଣତନ୍ତ୍ରର ଦଣ୍ଡି ବଟକରା ।

ଅନ୍ଧ ନ୍ୟାୟ ଦାନର ଶୃଙ୍ଖଳିତ ଖସଡ଼ା ।

ଭାଗବଣ୍ଟୁଆରା ହୋଇଥିବା ମାଟି

ଧର୍ମ, ଭାଷା, ଜାତିର, ପ୍ରାଦେଶିକତାର ବିଭତ୍ସ ରଙ୍ଗରେ ।

ବର୍ଷ ପରେ ବର୍ଷ, ଭୋଟ ପରେ ଭୋଟ

ଗାଡ଼ି ଉପରେ ଚକାର ଚଳ ଉପରେ ଗାଡ଼ି ପରି

ଗଡ଼ି ଚାଲିଥିଲା ସ୍ୱାଧୀନତାର ଅଷ୍ଟବକ୍ର ବୁନିଆଦ ।

କଣ ମିଳିଲା ଏଇ ସ୍ୱାଧୀନତାର ଚକ୍ରବ୍ୟୁହରୁ

କାବାରେର ପାନଶାଳାରେ ନୃତ୍ୟରତା ଥିଲେ ଭାରତମାତା ।

 

ଧର୍ମର ଅଭକ୍ଷ ଅନ୍ଧାରରେ ପେଶୀ ହେଉଥିଲା ଭାରତୀୟତା ।

କଳା ହାକିମ ମାନଙ୍କର ଲାଲଆଖିରେ

ଟକମକ ଫୁଟୁଥିଲା ପ୍ରଜାମାନଙ୍କର ରକ୍ତ ।

ଅଧାପେଟରେ ଅଛାଆଣି ଚାଳରେ ଅପାଠୁଆ,

ତରସ, ମଦମାତ୍ସର୍ଯ୍ୟରେ ସଢ଼ୁଥିଲେ ଅଶୀକୋଟି ଜନତା ।

ଆଉ ଥୋକେ ଅୟସରେ ‘ଭାରତଉଦୟର’ ସ୍ୱପ୍ନ ଦେଖୁଥିଲେ ।

ସ୍ୱାଧୀନତା ର ନିଲାମ ହେଉଥିଲା

ୟୁରୋପରେ...ଋଷରେ....ଆମେରିକାରେ

ପୃଥିବୀର ନୂଆ ଜମିଦାରମାନେ

ଗଢ଼ୁଥିଲେ ଗଣତନ୍ତ୍ରର ନୂଆ ଜାଗିରାଦାରମାନଙ୍କୁ ।

 

ଯୁବକମାନେ ମସ୍ତଥିଲେ କ୍ୟାସେଟର ଉଦଣ୍ଡ ନୃତ୍ୟରେ

ନାରୀମାନେ ବିଚ ବଜାରରେ ନିଲାମ କରୁଥିଲେ ଦେହ ।

ଏରକାବଣର ସଂସାର ଭିତରେ ସ୍ୱାଧୀନତା

ଶୋଇଥିଲା ଅନନ୍ତ ଶୟନ ତାର ପ୍ରତୀକ୍ଷାରେ ।

କିଛି ଲୋକେ ମାଇନ୍‌ର ଶେଯ ବିଛାଇ ଥିଲେ

ଆଉ ଦଳେ ବୋମା, ଗୁଳି, ରକ୍ତପାତ କରୁଥିଲେ

କିଛି ଲୋକେ ମସଜିଦ ଭାଙ୍ଗୁ ଥିଲେ, ମନ୍ଦିର ଗଢ଼ୁଥିଲେ

 

କେତେକ ଧର୍ମ ବଦଳାଉଥିଲେ, ଧର୍ମକୁ ପୋଡ଼ୁଥିଲେ ।

ସମସ୍ତେ ସହୁଥିଲେ, ଏଇ ମଲାଙ୍ଗବାଦୀ ସ୍ୱାଧୀନତା

କଣ ଦେଇଛି ଏଇ ଦେଶକୁ, ସମାଜକୁ, ଉତ୍ତର ପୁରୁଷକୁ ?

ଗୋଟାଏ ବିରାଟ ଅମଲାସାହୀର ଠିକାଦାର

କଳା ବେପାରୀଙ୍କ ଶୋଷଣ ତୋଷଣ

କଳ କାରଖାନାର ପିଙ୍ଗଳ ଧୂଆଁ, ପରମାଣୁର ଧ୍ୱଂସଲୀଳା ।

ୟେ ସବୁ କୁଆଡ଼େ ଏକବିଂଶର ନବ ସୂର୍ଯ୍ୟୋଦୟ ?

 

କୁହ ! କେଉଁ କାମରେ ଲାଗିବ ଆମର ଏଇ ସ୍ୱାଧୀନତା

ଯିଏ ମେଣ୍ଟାଇ ପାରେନି ଦେଶର କ୍ଷୁଧା

ଦେଇ ପାରେନି ସମସ୍ତଙ୍କୁ ନ୍ୟାୟ ।

ବାଣ୍ଟି ପାରେନି ସାମାଜିକ ସାମ୍ୟ

ଖଣ୍ଡେ ଘର, ମୁଠାଏ ଭାତ,ନିଜସ୍ୱ ପରିଚୟ ।

 

କେବେ ଫେରିବ ସମରେନ୍ଦ୍ର

 

ଟିକେଟ କାଟି ସାରିଲଣି ସମରେନ୍ଦ୍ର

ପୁଣି ଫେରିଯିବାକୁ ତୁମ କର୍ମକ୍ଷେତ୍ର...‘ତର୍ଲା କୋଟାକୁ’ ।

କହୁଥିଲ ଦେହ ଟିକେ ଭଲ ହେଲାଣି

ଏବେଯାଏ ଛାତି ଭିତରୁ ଅପସରିନି ରୋଗର କଳାଛାଇ

ସଳଖ ହୋଇ ଠିଆହେବାର ଶକ୍ତି ଆସିନି ତୁମ ଭିତରେ

ତଥାପି ଏତେ ସାହସ ଆସିଲା କେଉଁଠୁ ଯେ

ଏକା ଏକା ଫେରି ଯିବାକୁ ବସିଛ ସେଇ ଅନ୍ଧାରି ମୂଲକକୁ ।

 

ତମେ ତ ରାସ୍ତାରେ ସଳଖ ଚାଲିବାଲୋକ

ସୋରିଷ ବର୍ଣ୍ଣର ସକାଳ ପରି ତୁମର ଆକାଂକ୍ଷା

ବନସ୍ପତିର ଆକୁଳ ସବୁଜିମା ପରି ତୁମର ଇଚ୍ଛାଶକ୍ତି

ଝରଣାର କାଚକେନ୍ଦୁ ପାଣି ପରି ନିର୍ମଳ ବ୍ୟକ୍ତିତ୍ୱ

କେଉଁ ଅଚିହ୍ନା ବନ ଫୁଲର ମହକ ପରି ତୁମର ଭବିଷ୍ୟତ ।

 

ଏଥର ଯେତେବେଳେ ବସରୁ ଓହ୍ଲାଇ ପଡ଼ିବ ‘ତର୍ଲା କୋଟାରେ’

ଅନୁଭବିବ ସଂଗ୍ରାମର ଏକ ନୂଆ ଅନୁଭବ

ଯେପରି ବଦଳି ଯାଇଛି ମୋ ଦେଶ, ମାଟି, ମୁଲକ, ରାତାରାତି

କଣ ପାଇଁ ମାଟି ସାରା ବିଛାଡ଼ି ହୋଇପଡ଼ିଛି

ରକ୍ତର ଦାଗ, ଟୁକୁରା ଟୁକୁରା ମାଂସ

ପବନ ସାରା ଦୋଳି ଖେଳୁଛି ବାରୁଦର ଗନ୍ଧ

ପ୍ରତିଧ୍ୱନୀତ ହେଉଛି ଗୁଳି ଗୁଳାର ପିଛିଲା ଆୱାଜ ।

‘ତର୍ଲା କୋଟା’ରୁ ‘ବାଳିମେଳା’

‘ବାଲିମେଳାରୁ’ ‘ମୋଟୁ’

ସବୁତ ପାଖାପାଖି, ଦେହର ଶିରା ପ୍ରଶିରା ପରି

ଭାବିବ, ବୁଲି ଆସିବ, ଦେଖିଆସିବ

ତମର ସେଇ ପ୍ରିୟ ଅଞ୍ଚଳକୁ

ଆଉଥରେ ମନପୁରା ଗାଧୋଇବ ସାବେରୀ ଜଳରେ

ଭକ୍ତ ମନୋରଥ କାଳିଦାସ ପରି

ଚିଠି ଲେଖିବ ରାମଗିରିରୁ ।

ଖୋଜିବ ବନସ୍ପତିର କ୍ଷୀଣ ହସରୁ

ସରଳ ମଣିଷର ଜୀବନ ଚର୍ଯ୍ୟା,

ଏଥର ଅନୁରୋଧ ରଖିବ ସମରେନ୍ଦ୍ର ।

ଯାଉଛତ ଯାଅ,ଯିବାତ ତୁମର ଅବଧାରିତ, ନିଷ୍ଠୁର ସତ୍ୟ

ଜୀବନତ ତୁମର ରକ୍ତନଦୀ ସନ୍ତରଣର ମୂଲ୍ୟବୋଧ

ସମୟତ ବୈପ୍ଳବିକ ସଂଗ୍ରାମର ସୂଚୀପତ୍ର ।

 

ଯେପରି ହେଉ, ଯେତେ କଷ୍ଟ ବା ପାଅ

ଯେତେ ବା ରକ୍ତ ନିଗିଡ଼ି ପଡ଼ୁ ତୁମ ଛାତିରୁ

ତଥାପି ଖୋଜିବ ସେଇ ମୃତକମାନଙ୍କୁ

ଯେଉଁମାନଙ୍କର ଗୁଳିବିଦ୍ଧ ଶରୀର କେଉଁଠି ପୋତା ଯାଇଛି

ତାର ଖବର ଭାରତବର୍ଷ ଜାଣେ ନା

କାହିଁକି କିପରି ମଲେ ତାର ହିସାବ ମିଳେନା ।

 

ଏଠି ଯେଉଁମାନଙ୍କ ରକ୍ତର ମୂଲ୍ୟ ଦିଆଯାଏ,

ଯେଉଁମାନଙ୍କର ମୁଣ୍ଡରେ ହାତୀ ସୁନାକଳସ ଢାଳେ,

ସେମାନେ କାହାର ରକ୍ଷା କବଚ,

ଏଇ ଅନ୍ଧ ଧୃତରାଷ୍ଟ୍ରମାନଙ୍କର ?

 

ତୁମକୁ ଅପେକ୍ଷା କରିଛି

ଶହେ କୋଟି ନଥିଲା ବାଲାଙ୍କ ଭାରତବର୍ଷ

ସେଇମାନେ ଜାଣିବାକୁ ଚାହାଁନ୍ତି ଅଗ୍ରଜମାନଙ୍କର ନାମ,

ସେଇମାନେ କ୍ରମେ ଯୁଝିବାକୁ ପ୍ରସ୍ତୁତ ହେବେ

ଶ୍ରେଣୀ ଯୁଦ୍ଧର ଆଗ୍ନେୟ ଲଢ଼େଇରେ

ଏଇ ଶତାବ୍ଦୀରେ ।

 

ଲଢ଼େଇର ଟିକେଟ କାଟି ସାରିଛ ସମରେନ୍ଦ୍ର

ତର୍ଲାକୋଟା ଠୁ ବାଲିମେଳା କି ମୋଟୁ

ସବୁତ ସଂଗ୍ରାମର କୁରୁକ୍ଷେତ୍ର ।

ତମେ କେବେ ଫେରିବ ଭୁବନେଶ୍ୱର କି ଦିଲ୍ଲୀ

ସେଇ ଦିନକୁ ଅପେକ୍ଷା କରେ

ଏଇ ନଙ୍ଗା, ଭୁଖା, ପରାଶ୍ରୟୀ ଭାରତବର୍ଷ ।

 

ଜନ ଗର୍ଜନ ଶୁଭିଲାଣି

 

ଅନ୍ଧ ରାଜାର ରାଜଧାନୀ ପ୍ରାନ୍ତେ

ରଣ ଦୁନ୍ଦୁଭି ବାଜିଲାଣି,

ଜନ ଗର୍ଜନ ଶୁଭିଲାଣି ।

 

ବନସ୍ତୁ ଆସନ୍ତୁ ମାଡ଼ି

ଲାଗିଛି ସେଠାରେ ନିଆଁ

ଏଇଠୁ ଲିଭିଲେ କାହିଁ ଯାଇ ଜଳିଲାଣି

ଦଳିତ ମଥିତ ହୃଦୟ କାରାରୁ

ଜନ ଗର୍ଜନ ଶୁଭିଲାଣି ।

 

ଶୋଇଛନ୍ତି ଏଠି ଅଚିନ୍ତା ନିଦ ମନ୍ତ୍ରୀଠୁ କଟୁଆଳ

ଯେତେ ତାଙ୍କ ବଚସ୍କର

ଯନ୍ତ୍ରୀ, ଅମାତ୍ୟ,ଜ୍ୟେଷ୍ଠୀଠୁ ବୈଶ୍ୟ

ହରତା କରତା ଦଇବ ବିଧାତା

ମଣିଷ ନାମର ଥିଲାବାଲା ପଙ୍ଗପାଳ ।

ଆଖି ଥାଇ ତାଙ୍କୁ କିଛି ଦିଶେନାହିଁ

ଅୟସୀ ଗଭାରେ କେତକୀ ମହକ

ନୂଆ ସ୍ୱାଧୀନତା ବିଚାର ବ୍ୟବସ୍ଥା

ଭେଦଭାବଶୂନ୍ୟ ସମାଜ ତିଆରି ପାଇଁ

ନବ ଜାଗରଣ ଆସିଲାଣି

ଶୋଷକ ରାଜାର ଅଭିସାର କକ୍ଷେ

ଜନ ଗର୍ଜନ ଶୁଭିଲାଣି ।

କବିର କବିତା ଏଠି ମୁକମୌନ

କ୍ୟାସେଟରେ ନାଚେ ଉଦଣ୍ଡ ଯୌବନ

ଭାଷାରେ ରାଜୁତି କରୁଛି ଫିରଙ୍ଗୀ

ଧର୍ମର ନାମେ ଖୋଲୁଛି ଡାକ୍ତରଖାନା

ଭେଜାଲଟା ସାରା ଦେଶ

ବଣିଆ ତନ୍ତ୍ରର ସ୍ୱାଧୀନତା ଆଜି

ଅଘୋରୀର ପଚା ମାଂସ ।

କିଏ ସେ ଆସୁଛ ସୃଜନର ମହାଧାରା

ହସି ଉଠେ ଏଠି ବନ ପର୍ବତ

ଶୋଷିତ ସଶାଗରା

କୋଟି କଣ୍ଠେ ଆଜି ନୂଆ ସଂଗ୍ରାମର

ବାଜିଲାଣି ଶଂଖଧ୍ୱନୀ

ମହାଭାରତର ନବ୍ୟ ଇନ୍ଦ୍ରପ୍ରସ୍ଥେ

ଜନ ଗର୍ଜନ ଶୁଭିଲାଣି ।

ନୂଆ ରାଇଫେଲ, ନୂଆ ଗୁଳି ଗୁଳା

ସଜଡା ହେଲାଣି ତୁମ ପାଇଁ

ଅନ୍ଧ ରାଜାର ଅନ୍ଧାରୀ ଫଉଜ

ହେଲେଣିତ ସଜବାଜ

ଲାଗିବ ଭୀଷଣ ରଣ

ଏକ ପକ୍ଷେ ନବ୍ୟ କୌରବ ବାହିନୀ

ତୁମେ ପାଣ୍ଡୁ କେଇଜଣ ?

 

ଜାଣେନା ମୁଁ ସଖା ଏଇ ଗର୍ଜନ

ଶୋଷିତ ଗଣଙ୍କ ମହାଜାଗୃତିର ସ୍ୱର

ରାଇଜ ସାରାତ ଅପାଣ୍ଡବା ମହି

ମଣିଷ ଉପରେ ମଣିଷ ସଇସ ଆଜି

ସରବରାକାରୀ ପଶ୍ଚିମୁଁ ଘାରିଲାଣି

ଏଇ ମୋ ମାଟିର ଆହତ ଆତ୍ମାରୁ

ଜନ ଗର୍ଜନ ଶୁଭିଲାଣି ।

 

 

ବିବେକାନନ୍ଦ ନାୟକ

୧୯୪୫-

 

‘ଅବଧୂତ’ରୁ ‘ଅଭିଯାତ୍ରୀ’ ଓ ‘ବହ୍ନିଶିଖା’ ଦେଇ ବିବେକ ନାୟକ ପ୍ରଗତିବାଦୀ ଓଡ଼ିଆ ସାହିତ୍ୟର ସକ୍ରିୟ ସାଧକ । ବାମପନ୍ଥୀ ଛାତ୍ର ଆନ୍ଦୋଳନରୁ ଉତ୍ତରଣ ଘଟେ କବିଙ୍କର । ପୁଞ୍ଜିବାଦୀ ସମାଜ ବ୍ୟବସ୍ଥାର ଦୃଢ଼ ବିରୋଧ କରି କବିତାକୁ ଅସ୍ତ୍ରଭାବେ ବ୍ୟବହାର କରନ୍ତି ଶ୍ରୀ ନାୟକ ।

 

ଶୋଷଣ,ଅତ୍ୟାଚାର, ଅମଲାତାନ୍ତ୍ରିକ ଅବିଚାରରେ ସନ୍ତୁଳିତ ହେଉଥିବା ସମାଜର ନିମ୍ନବର୍ଗୀୟମାନଙ୍କ ଦୁଃଖ ଦୈନ୍ୟ ଦୁର୍ଦ୍ଦିନକୁ ଆଧାର କରି କବିଙ୍କ କବିତା ବିବାଦର ନୁହେଁ, ବିଦ୍ରୋହର ସ୍ୱର ଉତ୍ତୋଳନ କରେ । କବିଙ୍କ ‘ଲୋହିତ ଦିଗନ୍ତ’ ସେଥି ମଧ୍ୟରୁ ଅନ୍ୟତମ ।

 

ସଦା ପ୍ରଚାରବିମୁଖ ବିବେକ ନାୟକ ଆଧୁନିକ ସାମ୍ୟବାଦୀ ଓଡ଼ିଆ କବିତାର ଜୟଯାତ୍ରାରେ ଦୀର୍ଘ ଚାରି ଦଶନ୍ଧି ଧରି ନିଜକୁ ସାମିଲ୍‌ କରି ଜଣେ ଅଗ୍ରଗଣ୍ୟ ସାଲିସ୍‌ ବିହୀନ କବି ଭାବରେ ଏବେ ମଧ୍ୟ ଶବ୍ଦ ରୋପଣରେ ସୃଜନ ମଗ୍ନ ।

 

ଦାସୁ ମାଲେକା

 

ତୁମେ କୁହ, ‘ଗୋଟିଏ ଭାରତ ବର୍ଷ

ଗୋଟିଏ ପୃଥିବୀ’

ଅନୁଭୂତି କହେ ‘ଆଖି, କାନ, ମନ

ଏକନୁହେଁ, ଦୁଇ’ !

ସେଥିପାଇଁ ମନୁଷ୍ୟତ୍ୱ ବଶବର୍ତ୍ତୀ ହୋଇ

ଭୋଟ ଅବା ମୁଦ୍ରାର ମୁନାଫା ଭିନ୍ନ

ମାନ୍ୟବର ଭାବମୂର୍ତ୍ତି ନ ଦିଅନ୍ତି ପାଦ

ତରାଜୁର ହଡ଼ିକାଠେ ଯେବେ

ଖଟିଖିଆ

କୋଇ, କନ୍ଧ ଇତ୍ୟାଦି ଇତ୍ୟାଦି

ବ୍ୟବସ୍ଥାର ଅଖାବନ୍ଦ ଦୀର୍ଘଶ୍ୱାସେ

ଝୁଣା, ଲାଖ, କଚଡ଼ା, ମହୁଲ...

ପ୍ରତାରିତ ‘ଦ୍ୱିତୀୟ ଦୁନିଆଁ’

ଲେଖିବ, ଲେଖିବ ହୁଏ ଇତିହାସେ ନାଁ ।

 

ଲାଲ୍‌ ଟକ୍‌ ଟକ୍‌ ‘ଦିଲ୍ଲୀର ଦୟା’ ଆମ୍ବ

ସ୍ୱାଦ, ସୁଗନ୍ଧ ସମ୍ବନ୍ଧେ ଯା’ର

କୁମୁଟିର ଅର୍ଥନୀତି ବିଶାରଦେ

ଲେଖନ୍ତି ନିବନ୍ଧ

ଖବର କାଗଜେ ଫୁଟାଇ

ସରକାରୀ ବିଜ୍ଞାପନର ଅସଂଖ୍ୟ କଦମ୍ବ

ପୂର୍ବଘାଟ ପାଦଛୁଇଁ, ଦୁର୍ନୀତି ଜୋକତ୍ୱ ଯାଦୁ

ପାଲଟିଲେ ଟାକୁଆର ଖିରି

‘ଯୁଗ ଯୁଗ ଜୀଓ’ ବାବୁଙ୍କ ପାଇଁ

‘ଜନତା ସ୍ଳୋଗାନ୍‌ର ସୁଖ’ କାମଧେନୁ

ମାନନୀୟ ଦୁଃଖର ‘କେବିକେ’ ବାଇଗଣ ବାଡ଼ି !

ଭୋକକୁ ମହୁଲି ଟୋପେ

କାନଖୋସା ଖଣ୍ଡିଆ ପିକାରେ ଭୁଲି

ଧାଙ୍ଗଡ଼ ସ୍ୱାଧୀନତା

ଗୋତିର ଦୁଃଶ୍ଚିନ୍ତା ଦୋଷ

ଏ ଖୁଣ୍ଟୁ ସେ ଖୁଣ୍ଟ ହୋଇ

‘କାମକର କାମ’

ଜନ୍ମ ଆଗୁ ଗୋସବାପା କୁଆଡ଼େ ପରା

ନେଇଥିଲା ତୋ’କାମର ଆଗତୁରା ଦାମ୍‌ !

 

ସବୁସୁଖ,ଦୁଃଖ କରି ସମଭାଗେ ଭାଗ

ସଭ୍ୟତା ବର୍ଦ୍ଧିତ ସମ୍ପର୍କର ସ୍ୱର୍ଗ

ସାମଗ୍ରିକ ମୁକ୍ତି ଖୋଜି, ପାଦମାନେ

ସେ’ରାସ୍ତାରେ ପଡ଼ିଲେ ଆଗକୁ

ସାମ୍‌ନା ସାମ୍‌ନି ମୁନାଫା ପାହାଡ଼,

କବିଟିଏ, ଅନାମର ବର୍ଣ୍ଣମାଳା

ଆଖି, କାନ,ହୃଦୟର ବିକଳ୍ପ ଚିନ୍ତନେ

ଡିନାମାଇଟ୍‌ ଡଟପେନ୍‌

ବିଦ୍ଧକରି ଆଦିମ ଅନ୍ଧାର...

କିଏରେ ତୋଳିଲା ଝଡ଼

ଏ’ ନିସ୍ତରଙ୍ଗ ହ୍ରଦେ, ଡେଇଁ ପଡ଼ି

‘ମହାଜନ, ଗୋତି’ର ନିଷିଦ୍ଧ ଲକ୍ଷ୍ମଣରେଖା

ଭୋକିଲାକୁ ରକ୍ତ-ଲହୁଣି ମଖା

କବିତା ରୁଟିରେ, ସେ’ ଦାସୁ ମାଲେକା.... ।

ଜନତାର ନୂଆ ଯୀଶୁ

ଚାପୁଡ଼ାଟେ ଖାଇ ଆନଗାଲ ଦେଖାଉଥିବା

ମାନବତା ବିବର୍ଜିତ

ପବିତ୍ର ବସମ୍ବଦତାର ଅନ୍ଧାରିଯୁଗ ଅବସାନେ

ପିନ୍ଧା ଆଗୁ ସର୍ବଶେଷ କଣ୍ଟାର ମୁକୁଟ,

କହିଥିବ ସେ’ ହୁଏତ ଆହୁରି ପ୍ରାଞ୍ଜଳେ

ଶୁଣିଯେଉଁ ପଦ୍ମତୋଳା

କିସତାର ଭାଷା ଆଉ ଭାବ

ମେଲୁଛି ବିସ୍ତୀର୍ଣ୍ଣ ଫଣା

ପୃଥ୍ୱୀଭାରା ମୁଣ୍ଡେ ଟେକିବାକୁ

ଘର୍ମର ବାସୁକୀ,ତାର ଯୁବା ନାଗ

ଆମେ ଯେବେ

‘କୋଳି ମଞ୍ଜି ମାଙ୍କଡ଼’ ଉପାଖ୍ୟାନ

ଡିଆଁମାରୁ ଉପରେ ଉପରେ

ମଧ୍ୟବିତ୍ତ ‘ଭାନୁମତୀ’ ଉପମା ଫସଲେ !

ଦାସୁ ମାଲେକା ..........

ନୂଆପୃଥ୍ୱୀ ଶିଳାନ୍ୟାସ ପାଇଁ

ମେହନତି ସ୍ୱରସହିଦ ଗଳା

ଜୀବନ ଯନ୍ତ୍ରଣା ଆତ୍ମା,ଅରଣ୍ୟ ଆଙ୍ଗିକେ

ଶବ୍ଦର ଲୋହିତ କିମିଆଁ !

 

‘ତୁଠ ପଥର’ର ପ୍ରାଣେ ‘ପର୍ବତ’ ଚେତନା ଭରି

ତା’କଥାରେ

ଯୁଗ ଯୁଗ ବସମ୍ବଦ ହେଲାଣି ଉଚ୍ଚାଟ

ପୁରୁଣା ଚଳଣି ସଙ୍ଗେ

ଛିନ୍ନକରି ସମସ୍ତ ସମ୍ପର୍କ

ମାଲିକର ନାଲିଆଖି, ନ’ ହେବାକୁ

ବ୍ୟବସ୍ଥା ମୁଲିଆ ।

କୋଇ, କନ୍ଧ, ପାଣେ

ମନ୍ଦିର, ମସ୍‌ଜିଦ୍‌, ଗୀର୍ଜା, ଯୁଦ୍ଧ ଯେବେ ଜମେ

ଗୋଳିଆ ଜଳର କାଷ୍ଟ୍‌-ସାର୍ଟିଫିକେଟ୍‌

ଶୋଷଣର ଅନ୍ୟତମ ‘ବିଭେଦ’ ଢାଲ୍‌

ସେ’ଗୋଷ୍ଠୀ ଦ୍ୱନ୍ଦ୍ୱ ଅବସାନେ

ଦାସୁ ମାଲେକା......

ଲୋହିତ ନୃତତ୍ତ୍ୱ ବ୍ୟାଖ୍ୟା

ଗଢ଼ିବ,ଗଢ଼ିବ ନିଶ୍ଚେ ମଣିଷ ଏକତା !

ପୁଞ୍ଜିପତି କାରଖାନା ହେବାକୁ ଗଢ଼ା

ଅରଣ୍ୟ ପାହାଡ଼ ଲୋଡ଼ା

ବିଦ୍ୟୁତ୍‌ ପାଇଁ ନଦୀବନ୍ଧ

ଭୂମିପୁତ୍ରେ ଉଦ୍‌ବାସ୍ତୁ ଅନ୍ଧାର,

ପରଜୀବି ପଙ୍ଗପାଳ

ଚରିଚୁରା ଚାରିଆଡ଼ୁ ‘ଏସ୍‌ଇଜେଡ଼୍‍’ ଭୂତ

କ୍ଷେପେ ଆମ ସୁନାଶିରି ବିଲେ

ମାଆ ପେଟ ଖଣିଜ ବିଦାରେ, ସେଥିପାଇଁ

ସମ୍ପଦର ସାର୍ବଜନୀନ ଅଧିକାର ଦାବୀ

ମୁଣ୍ଡ ଟେକେ ଶେଷ ଆନ୍ଦୋଳନ ।

ଅସଂଖ୍ୟ ଉପସର୍ଗ ବର୍ଣ୍ଣନାନ୍ତେ

ସିଧାସିଧା ପ୍ରେସ୍‌କ୍ରୀପ୍‌ସନ୍‌ .....

ସମାଜଟା ‘ହିଡ଼’ ରୋଗୀ, କବି ଜଣେ

ସୁମହାନ୍‍ ଶିକ୍ଷକ, ବୈଦ୍ୟ

ଜନ୍ମିଥାଏ ହେବା ପାଇଁ ସହିଦର କଣ୍ଟାଟିଏ

‘ମାଲିକାନା ଦୁଃଖ’ର କଫିନେ

ବିପ୍ଳବ ଇଲାଜ୍‌ ଲେଖି ଶେଷ ଉଚ୍ଚାରଣେ ।

ରାଜପଦେ ନ ଭଣି କବିତା

ନଲୋଡ଼ି ରୋଗଶଯ୍ୟା,ଔଷଧର ବ୍ୟକ୍ତିସୁଖ

କରିବାକୁ ବିଶ୍ୱେ ରୋଗମୁକ୍ତ

ଯା’ଈଶ୍ୱର ମହତି ଇଚ୍ଛାର କେହି

ସମସ୍ତଙ୍କ ସୁଖ, ଦୁଃଖେ ଥାଇ ...

ଏ ଯୁଗର ଦୀନକୃଷ୍ଣ, ଭୀମ, ଭଗବତୀ

ଜନ୍ମଲେକି ନୁଆ ରୂପ ନେଇ !

‘ପୃଥିବୀକୁ ଅସୁନ୍ଦର ଗଢା ଷଡ଼ଯନ୍ତ୍ରେ

ସବୁନାଟ ‘ବ୍ୟକ୍ତି ମାଲିକାନା’

ନ ଥିଲେ ନ ଥିବ ଆଉ ଅଶାନ୍ତି, ଅନ୍ୟାୟ,

କେଡ଼େ କଥା କହିଲାରେ ମୋ’ ଦାସୁ ମାଲେକା

ବାଧାର ପାହାଡ଼ଟାକୁ ଅତିକ୍ରମବେଳେ

ମାପୁ ମାପୁ ଜୀବନ ଝରଣା ଜଳ

ନାଚିଥିବେ କେବେ କମନୀୟେ, ତା’କଥାରେ

ପୂର୍ବଘାଟ ଧାଙ୍ଗଡୀ, ମୟୂରୀ !

ପୃଥିବୀକୁ ଦେଖିବାର ନୂଆ ଆଖି

ଭାବୁ ଭାବୁ ନୂଆ ନାଲି ମନେ

ବନବାସୀ ଏକଲବ୍ୟ କଟାହାତୁ

ବିଷରୁ ଅମୃତ ଗଢ଼ି

ଇତିହାସ ରକ୍ତ ଦରିଆ କୂଳେ, ନୀଳକଣ୍ଠ

ଭୂମିଗତ ଶ୍ରେଣୀ- ଘୃଣା ପ୍ରେମେ !

ଛିଡ଼ାଇ ମଧ୍ୟବିତ୍ତ ସଭାକବି ପାପ ଉତ୍ତରୀୟ

ଯେଉଁମାନେ, ଗର୍ଭବେଦନା ଭିନ୍ନ

ପ୍ରସବନ୍ତି ପ୍ରତିକ୍ରିୟା ଫଳ ମହାକାଳ

ସଂସଦ ଭବନୁ କାଢ଼ିନେବ କହିଥିଲା

‘ଘୋଡ଼ା ବେପାର’ ଖୋଜାଙ୍କ୍‌ ଚେୟାର୍‌

ଅମଲା ଓ ଠିକାଦାର ମୁହେଁ ବୋଳି

ବାରୁଦର କଳା

ତେଣୁ ତା’ପାଇଁକି, ଶ୍ରୀରାମଚନ୍ଦ୍ର ଭବନେ ପଦେବି

ଉଚ୍ଚାରିତ ହେଲାନାହିଁ ‘ଆହା’!

ହଜାର ହଜାର ବର୍ଷ

ଏ’ ଭାରତ ସଭ୍ୟତା ଉଦ୍ୟାନ ଫୁଲ

ଓଡ଼ିଶାର ମହାବାତ୍ୟା ଉପକୂଳ ପରି

ଉଡ଼େ ଯେବେ ସର୍ବଶେଷ ମନୁଷ୍ୟତ୍ୱ ଚାଳ

‘ମୋର ମୋର’ ସ୍ୱାର୍ଥ ଲିପ୍‌ସା

ମନସ୍ଲେଟ୍‌ରୁ ଉଭାନ୍‌ ସମ୍ବିତ୍‌ ଅକ୍ଷର

ଦାସୁ ମାଲେକା ମୋ’ଭାଷା ଭଗିରଥ

ଅହରହ ସେ’ଦଗ୍ଧ ସୃଜନୀ ପାଇଁ

କ୍ରାନ୍ତି ଜାହ୍ନବୀ ଜଳେ ମହତି ଶପଥ !

ଯୌବନ ଉଦ୍ଦିଷ୍ଟ ନୁହେଁ, ଫୁର୍ତ୍ତି ଫେସନ

ଆଧୁନିକ ପାର୍କ, ରେସ୍ତୋରାଁ

‘ମେଣ୍ଢାବାଳ ଜଡ଼ାତେଲ’ ବର୍ଷାର ବୁକୁରେ

ନୁହେଁ-ବିତ ଚବିଶଘଣ୍ଟା

ଧାଙ୍ଗଡ଼ୀ ଗଭାଭର୍ତ୍ତି ଅଳସିର ଫୁଲେ...

ସମୟ କହିଲା ଏଣୁ ‘ହେ ଯୁବକ !

ହୁଅ ଚିରଞ୍ଜୀବି’

ବନବାସୀ ହୃଦୟର ଆଉଜଣେ ଲକ୍ଷ୍ମଣ ନାୟକ

ନିରୂପଣେ ସମସ୍ୟାର ମୂଳଉତ୍ସ

ପୁଣିଥରେ ନ ହଜାଇ ବାଡ଼ି

ମହତି ପ୍ରାପ୍ତିର ଆଡ଼େ

ଖଣ୍ଡଖଣ୍ଡ ଦଧିଚିର ହାଡ଼େ ।

ଅନାଗତ ସେ’ଆନନ୍ଦ ବ୍ୟବସ୍ଥା ପାଇଁ

ଜନତାର ଅନ୍ତରୁ ନେତୃତ୍ୱ

ପୁଞ୍ଜିର ପାର୍ଲାମେଣ୍ଟ୍‌, ରାଷ୍ଟ୍ରପତି ଭବନ ମାନେ

ସାରା ବିଶ୍ୱେ ତା’ଆଣ୍ଠୁ ପର୍ଯ୍ୟନ୍ତ !

ଇତିହାସ ପରୀକ୍ଷା ଗାରେ, ସେ’ ବାସ୍ତବ

ଯୌବନ ଭାବର ପ୍ରବାହ

ନିଜଇଚ୍ଛା ଯହିଁ, ବହୁଲାଗି ନ ହୁଏ ଗୃହୀତ

ଦାସୁ ମାଲେକା ......

ଅନାଗତ ବେଳର ବିନ୍ଧାଣି

ମହାକାଳ ସୂଚନା ଭବନେ, ଟାଙ୍ଗି ପ୍ରତିଚ୍ଛବି

ସଲାମଟେ ଦେଲି !

 

ଗୃଧ୍ର

 

କିଏ ଦେଲା ଦାନ ଇତିହାସେ ଦର୍ଶନ ଓ ରାଜନୀତି

ଚାରୁ ମଞ୍ଚ ତଳେ

କିଏ ଦେଲା ରୋଗୀକୁ ଔଷଧ

କିଏ ଲେଖେ ମହାକାବ୍ୟ ଶିଳ୍ପୀ ଆଙ୍କୁଛି ଛବି

କିନ୍ତୁ ହାୟ,

ଏମାନେ ବା ଦେଇଯାନ୍ତି କିସ ?

ଜନ୍ମ, ମୃତ୍ୟୁ-ତା ମଧ୍ୟେ ଜୀବନ ଅର୍ଥ

ବଂଶ ବୃଦ୍ଧି ଏବଂ ଟଙ୍କା ଗଣା

ଭୁଲି ଗଲେ ଢେର ଲୋକ

ଶୁଝିବାକୁ ମାଟିର ପାଉଣା !

ଗୃହରେବି ପଡ଼ିଥିଲେ

ଜିଭେ ସିଏ ସାଉଁଟେ ପଇସା

ଅର୍ଥ ତାର ନିଶା ଆଉ ପେଶା ।

ଶାଗୁଣା ଆକାଶେ ଉଡ଼େ

ଆଖି ରଖି ନିମ୍ନ ନର୍ଦମାରେ

ଅର୍ଥ ଗୁଧ୍ର ଟଙ୍କା ଖୋଜେ

ଆଦର୍ଶର ଛିନ୍ନ ଛତ୍ର ତଳେ,

ହସର ପତାକା ଟଙ୍ଗା

ବେଙ୍କ୍‌ ବାରଣ୍ଡାରେ ମନୁଷ୍ୟର ସଂଜ୍ଞା ହଜେ

ପଶୁତ୍ୱର ଜୟଯାତ୍ରା କାଳେ ।

ମଣିଷଟା ମୂଲ୍ୟହୀନ

‘ପକେଟ୍‌’ ଚଢ଼େ ଘୋଡ଼ା

ନୂତନ ପୋଷାକ ପିନ୍ଧେ ଗତକାଲି ମଡ଼ା ।

ଟଙ୍କା ଛାଇରେ ଢାଙ୍କେ

ସୂର୍ଯ୍ୟ, ଚନ୍ଦ୍ର, ଗ୍ରହ ଓ ନକ୍ଷତ୍ର

ଜରାଜୀର୍ଣ୍ଣ ବୃକ୍ଷଟିଏ

ଚେର କିନ୍ତୁ ବହୁ ଅଭ୍ୟନ୍ତରେ

ଆଲୋକର ନିତି ବେକ ମୋଡ଼େ ।

ନାଟକର ହେ ସମ୍ରାଟ !

ଧୋଇଯିବ ଧିରେ ଧିରେ

ସଂଧ୍ୟାର ପେଣ୍ଟିଂ

ତୁମେ ସେଇ ଦରିଦ୍ର ଲୋକଟେ

ତିନିଟଙ୍କା ବେତନରେ

ଯାତ୍ରାର ଏ ରାତି ସଂଳାପେ ।

ଗଜନୀର ସୁଲ୍‌ତାନ୍‌ ମାମୁଦ୍‌

ଶୂନ୍ୟେ ଅଣ୍ଡାଳି ବୁଲେ

ନିଶ୍ୱତାର ହୀରା ଜହରତ୍‌

ଫମ୍ପା ଏକ ହୁଇସ୍କି ବୋତଲେ

ରଙ୍ଗିନ୍‌ ପାନୀୟ ସବୁ ଶେଷ ହେବା ବେଳେ ।

ଜୀବନକୁ ଜାବୋଡ଼ିଛି ଏଠି ଅକ୍‌ଟୋପାଶ୍‌

ଚାଲିଯିବା ଦେଖିବାକୁ ଏ ରାତିର ଶେଷ ।

 

 

ଗୌନ୍ତିଆ ମହମ୍ମଦ ଜମିଉଲ୍ଲା

୧୯୪୬-

 

ଓଡ଼ିଆ ଜନବାଦୀ କବିତାର ସର୍ଜନାତ୍ମକ ଧାରାରେ ଧ୍ୟାନମଗ୍ନ କବି ମହମ୍ମଦ ଜମିଉଲ୍ଲା ସପ୍ତମ ଦଶକ ପ୍ରାରମ୍ଭରୁ ଯୁଗଯନ୍ତ୍ରଣା ଓ ଜୀବନ ଜଞ୍ଜାଳର ଜର୍ଜ୍ଜରିତ ଦିଗ ଓ ବିଖଣ୍ଡିତ ସମାଜ ବ୍ୟବସ୍ଥାର ବାସ୍ତବ ଚିତ୍ରରେ ବିବ୍ରତ । ଏହି ବିବ୍ରତ ତାଙ୍କ ପାଇଁ ପରବର୍ତ୍ତୀ ଅବସ୍ଥାରେ ଆଣିଥିଲା ସୃଜନ କଳାର ବିଶେଷଗୁଣ, ସେ ଗୁଣରେ ଆଜି ଜମିଉଲ୍ଲା ଗରିୟାନ୍‌ ।

 

ସେ ନିଜ ପିତା, ବିଶିଷ୍ଟ ସଙ୍ଗୀତଜ୍ଞ, ଲୋକନାଟ୍ୟକାର ଏବଂ ଶିକ୍ଷାପ୍ରେମୀ ମହମ୍ମଦ ଖଲିଲ ଗୌନ୍ତିଆଙ୍କ କଳାତ୍ମକ ପ୍ରବୃତ୍ତିଦ୍ୱାରା ବିଶେଷ ପ୍ରଭାବିତ ହୋଇ ଜମିଉଲ୍ଲା ଜଣେ ବର୍ଣ୍ଣିଳ ବ୍ୟକ୍ତିତ୍ୱ ଏବଂ ବହୁମୁଖୀ ପ୍ରତିଭା ସମ୍ପନ୍ନ କବି, ଲେଖକ, ନାଟ୍ୟକାର ଏବଂ ପତ୍ରିକା ସମ୍ପାଦକ ରୂପେ ସୁଖ୍ୟାତି ଲାଭ କରିଛନ୍ତି ।

 

ଓଡ଼ିଆ ବ୍ୟତୀତ ହିନ୍ଦୀ ଏବଂ ଇଂରାଜୀରେ ତାଙ୍କର ଅନେକ କୃତି ପ୍ରକାଶିତ ଓ ପ୍ରଶଂସିତ । ଆନ୍ତର୍ଜାତୀୟତାବାଦୀ ବିଶ୍ୱ ଦୃଷ୍ଟିକୋଣ, ପ୍ରଗତିଶୀଳ ସାମାଜିକ ସଚେତନତା ଏବଂ ରୋମାଂଟିକ ସୌଂଦର୍ଯ୍ୟବୋଧ ଯୋଗୁଁ ତାଙ୍କର ଅଭିବ୍ୟକ୍ତ ରେ ମାନବୀୟ ସମ୍ବେଦନା, ବ୍ୟଙ୍ଗ ଓ ବିଦ୍ରୋହ ସହିତ ପ୍ରେମର ସୁନ୍ଦର ସମନ୍ୱୟ ତାଙ୍କୁ ଭିଡ଼ ଭିତରୁ ଭିନ୍ନ କରିଥାଏ । ବିଶେଷତଃ ସରଳ ଶବ୍ଦ ପ୍ରୟୋଗ ଏବଂ ସ୍ୱଚ୍ଛତା ତାଙ୍କର ସୃଜନାତ୍ମକ ମୌଳିକତାର ପରିଚାୟକ ।

 

ଅନୁଭୂତି

 

ତୁମେ କଣ ଜାଣିବାକୁ ଚାହୁଁଛ ସତରେ

ଦୁଃଖ କ’ଣ, ଭୋକ କ’ଣ, ଶୋକ କ’ଣ,

ଦାରିଦ୍ର୍ୟ କ’ଣ ?

ଦୁଃଖ ବିଷୟରେ ପଚାରନା ଷଣ୍ଢ କି ସନ୍ନ୍ୟାସୀକୁ

ଭୋକ ବିଷୟରେ ପଚାରନା ବିଲାତୀ କୁକୁର

କି ମୁରବୀ କୁ ତା’ର

ଶୋକ ବିଷୟରେ ପଚାରନା ବେଶ୍ୟା

କିମ୍ବା ବାୟା ଚଢ଼େଇକୁ

ଆଉ ଦାରିଦ୍ର୍ୟ ବିଷୟରେ ପଚାର ନା ମନ୍ତ୍ରୀ

କି ମହନ୍ତକୁ ।

ଯେମିତି ମେଘ ବୁଝେ ନା ଲୁହ ଝରିବାର ମାନେ

ସମୁଦ୍ର ଜାଣେନା ଶୋଷ

ପର୍ବତ ଅନୁଭବି ପାରେ ନାହିଁ ଭୋକିଲା ପେଟର ଦାଉ

ଆଉ ପବନ ପାରେ ନା ଶୁଙ୍ଘି ଉଦ୍‌ଭିଦର ଗନ୍ଧ ।

 

ସେମିତି ଛାଡ଼ିଦିଅ ଯିଏ ଯାହା ରହୁଛି ଯେମିତି

ଯଦି କିଛି ଜାଣିବାକୁ ଚାହୁଁଛ ସତରେ

ତାହେଲେ ପଚାର ମା କୁ, ମାଟିକୁ

ନିଜର ଆଖି ଆଉ ଛାତିକୁ ।

 

ନିଜ ସକାଳ

 

ରହ୍‍ମାନ ଦାଦା ଆଶ୍ୱସ୍ତ କରେ ନିଜକୁ

ଅନ୍ଧାର କଟିଯାଉ ସକାଳ ଆସିବ

ତା’ର କୁକୁଡ଼ା ଡାକରେ ।

 

କାରଣ ସେ ଜାଣେ ନାଇଁ

ରାତ୍ରିଭୋଜିରେ ହିଁ ତା’ର କୁକୁଡ଼ାଟିକୁ

ସେମାନେ ମଦ ସହିତ କରି ସାରିଛନ୍ତି ଉଦରସ୍ଥ

ତାର ବାପ ମା ଛେଉଣ୍ଡ

ଏକମାତ୍ର ମ୍ୟାଟ୍ରିକଫେଲ ନାତିକୁ

ଚାକିରୀଟିଏ କରାଇ ଦେବାର ପ୍ରତିଶ୍ରୁତି ସହ ।

 

ଅବଶ୍ୟ ରହମାନ ଜୀବନରେ ଦେଖିଛି ଅନେକ ସକାଳ

କେବେ ବର୍ଷାଭିଜା,କେବେ ଶୀତୁଆ ଶୀତୁଆ

ଆଉ କେବେ କିଛି ଫର୍ଚ୍ଛା,କିଛି ଧୂଆଁଳିଆ

ତଥାପି ପ୍ରତ୍ୟକ୍ଷା ତା’ର ସରେ ନାଇଁ ।

 

ଏପରି ଏକ ସକାଳଟିଏ ପାଇଁ

ଯାହା ଜମିଦାର ସାହେବଙ୍କ ମହଲ ଛାତ ଉପରେ ନୁହେଁ

ବରଂ ଆସିବ ତା’ର ଚାଳ ଛପର ଉପରେ ।

 

ଜୀବନ୍ମୟ

 

ସକାଳୁ ସକାଳୁ କବାଟରେ ଖଟ୍‌ ଖଟ୍‌ ହୁଏ

ମୁଁ କବାଟ ଖୋଲି ଦେଖେ

ସୂର୍ଯ୍ୟ ହସୁଛି ଖିଲି ଖିଲି ପୂର୍ବ ଆକାଶରେ ।

ସୂର୍ଯ୍ୟର ଉଷ୍ମ କିରଣରେ ଚହଟି ଯାଉଛି

ଫୁଲେ ଫୁଲେ ପତ୍ରେ ପତ୍ରେ ତାରୁଣ୍ୟର ଉଷ୍ମତାରେ

ପରିପୂର୍ଣ୍ଣ ଜୀବନର ସତେଜ ରଙ୍ଗ ଆଉ ଗନ୍ଧ

କିନ୍ତୁ ଅନ୍ୟପାଖେ ରାସ୍ତାକଡ଼ରେ ପଡ଼ିଥାଏ

ମୃତପ୍ରାୟ ଭୋକିଲା ମଣିଷଟିଏ

ଆଉ ତା ପାଖରେ ଶୋଇ ଶୋଇ ଧକଉଥାଏ

ଏକ ହାଡ଼ୁଆ କୁକୁର ।

ମୋ ଭିତରେ ହଠାତ୍‌ ଜାଗିଉଠେ ବୁଦ୍ଧତ୍ୱର ସମ୍ବେଦନା

ଅଥଚ ଛୁଇଁପାରେନା ମତେ ବୈରାଗ୍ୟ ଭାବନା

ଆଉ ମୁଁ ଚାହିଁରହେ ବିକ୍ଷୁବ୍ଧ ସିଦ୍ଧାର୍ଥଟିଏ ପରି

ନିଜ ଅର୍ଥରେ ସିଦ୍ଧ ହୋଇ ବଞ୍ଚିରହିବାର

ଜୀବନ୍ମୟ ଦୃପ୍ତ କାମନାରେ!

 

ପାହାଡ଼ଚଢ଼ା

 

ମା’ର ଉଷୁମ କୋଳ ଛାଡ଼ି

ବାପାଙ୍କର ହାତୀ ପରି କାନ୍ଧରେ

ବସି ବୁଲିବା ଦିନଠୁଁ

ମୁଁ ଦୂର ପର୍ବତର ନିଳ ଦୃଶ୍ୟକୁ

ଏତେ ଭାବରେ ଉପଭୋଗ କରିଥିଲି ଯେ

କେବେହେଲେ ପଚାରି ନଥିଲି ବାପାଙ୍କୁ

ପାହାଡ଼ ଚଢ଼ିବାକୁ ହେଲେ

କେମିତି କଣ କରିବାକୁ ହେବ ମତେ !

କିନ୍ତୁ ବାପା କେବେ କେବେ କହୁଥିଲେ

ପାଖରୁ ନ ଦେଖିଲେ ଜଣେ କେବେ ବି

ବୁଝି ପାରିବନି ପାହାଡ଼ର ଅଲଂଘ୍ୟ ଆହ୍ୱାନକୁ,

 

ଅବଶ୍ୟ ମୁଁ ଏବେବି ବୁଝିପାରୁନି

ବାପା ଆଖି ଆଗରୁ ସବୁଦିନ ପାଇଁ

ଉଭେଇଯିବା ପରେ

ଏଇଟା ତାଙ୍କର ସ୍ମୃତିର ଆକର୍ଷଣ

କି ପାହାଡ଼ର ଆହ୍ମାନ କେଜାଣି କଣ

ମୁଁ ବାରମ୍ବାର ଚଢ଼ିଚାଲିଛି ପାହାଡ଼କୁ

କେତେବେଳେ ଖସି ପଡ଼ୁଛି ତ

କେତେବେଳେ ଝୁଣ୍ଟି ପଡ଼ୁଛି,

ତଥାପି ଚଢ଼ିଚାଲିଛି ଉପରକୁ ଉପର

ଆଉ ଛାଡ଼ି ଦେଇଯାଉଛି ବାଟଟିଏ

ମୋ ପରେ ଆସୁଥିବା ଛଢ଼ାଳିମାନେ ଯେପରି

ପାହାଡ଼ ଚଢ଼ିବାକୁ ନହେବେ କୁଣ୍ଠିତ ।

 

 

ଆଶୁତୋଷ ପରିଡ଼ା

୧୯୪୬-

 

ବିଂଶଶତାବ୍ଦୀର ଶେଷ ଦୁଇ ଦଶନ୍ଧି ନବ୍ୟପ୍ରଗତିବାଦୀ ଓଡ଼ିଆ କବିତାରେ ଗଣଜୀବନର ଦୁଃଖ ବିଗଳିତ, ନିମ୍ନବିତ୍ତ ମଣିଷର ମୂଲ୍ୟାୟନ, ଦଳିତ ଚିତ୍ରଣର ନୂଆ ମାର୍ଗର ପ୍ରତିଫଳନ କ୍ଷେତ୍ରରେ କବି ଆଶୁତୋଷ ପରିଡ଼ାଙ୍କ ପ୍ରବେଶ ପରବର୍ତ୍ତୀ ପିଢ଼ି ପାଇଁ ବାମବାଦୀ ଦର୍ଶନର ଦରମେଲା ଦରଜାକୁ ସମ୍ପୂର୍ଣ୍ଣ ଖୋଲି ସେ ପାଲଟିଛନ୍ତି ଅନନ୍ୟ, କ୍ରାନ୍ତିକାରୀ କାବ୍ୟପୁରୁଷ ।

 

ସାମାଜିକ ଦାୟବଦ୍ଧତାରେ ପରିପୂର୍ଣ୍ଣ ‘ଚଣ୍ଡାଳ’ ଠୁ ‘ଅଙ୍ଗାରଗାର’ ପରି କେତେକ କବିତା ସଙ୍କଳନ ଆଜି ପ୍ରଗତିଶୀଳ ସାହିତ୍ୟର ପାଲଟିଛି ଲୋହିତ ସ୍ୱାକ୍ଷର । ଏଥିରେ ସାମ୍ୟବାଦ ସ୍ୱର ଓ ସ୍ୱରୂପ ଅତି ସାର୍ଥକ ଭାବରେ ସାବ୍ୟସ୍ତ । ଯାହା ଅଶୀ ପରବର୍ତ୍ତୀ ପ୍ରଗତିଶୀଳ ଚିନ୍ତା ଚେତନାର ଦୁର୍ବଳ ସମୟ, ସ୍ୱର ଓ ଶରୀର ପାଇଁ ସମର୍ପିଛି ଅଧିକ ଆଣ୍ଟପଣ, ଏହା ଆଜି ବ୍ୟାପକ ଓ ବହୁବର୍ଣ୍ଣରେ ବିକଶିତ ।

 

କବିଙ୍କ ସମକାଳର ସତୀର୍ଥମାନେ ନିଜ ନିଜ କକ୍ଷପଥ ପରବର୍ତ୍ତନ କରି ପ୍ରଗତିବାଦରୁ ପ୍ରୟୋଗବାଦର ମାୟାବୀ ମହୁମୁହାଣରେ ମୁହଁ ଦେଇଥିବାବେଳେ କବି ଆଶୁତୋଷ ସେହି ‘ରକ୍ତବର୍ଣ୍ଣ ବାଲି’ ପରି ଏବେ ମଧ୍ୟ ଅପରିବର୍ତ୍ତୀତ ।

 

ଭୂମି

 

ଏ କ’ଣ ସେଇ ସ୍ଥାନ ଯେଉଁଠି

କା’ର କଟାମୁଣ୍ଡରୁ ଝରିପଡ଼ିଥିଲା ରକ୍ତ

ରୂପାନ୍ତରିତ ହୋଇ

ଏକ ବିଷାକ୍ତ ସୂର୍ଯ୍ୟାସ୍ତରେ ?

ଯେଉଁଠି

ଛଟପଟ ହୋଇ ଡେଇଁଥିଲା ଗୋଟେ କବନ୍ଧ

ଅସ୍ପୃଶ୍ୟ ଇଚ୍ଛାମାନଙ୍କ ତପସ୍ୟା ଉପରେ

ଓ ଶତାବ୍ଦୀ ଭିତରକୁ

ଲମ୍ବି ଯାଇଥିଲା ଗୋଟେ ପ୍ରଶ୍ନବାଚୀ

ଆଜ୍ଞା ଆଉ ଅବଜ୍ଞାର ପ୍ରାଚୀର ମଝିରେ ।

 

ମୋ ଛଡ଼ା ଆଉ କିଏ

ଜନ୍ମ ନେଇଥିଲା ଏଇ ଭୂମି ଉପରେ ?

ମୋ ଛଡ଼ା ଆଉ କିଏ

ବଳି ପଡ଼ିଥିଲା ଏଇ ଭୂମି ଉପରେ ?

 

ଚାବୁକ୍‌ ତଳେ ଶୋଇ ରହି

ଫାଟି ଯାଇଥିଲା ଗୋଟେ ପିଠି,

ପଦାଘାତରେ ଦଳିହୋଇ

ଲୋଟି ଯାଇଥିଲା ଗୋଟେ ପ୍ରତିବାଦ,

ଓ ମାଟି ଉପରେ ଦି’ଗଡ଼ ହୋଇ

ପଡ଼ି ଯାଇଥିଲା ଗୋଟେ ମଣିଷ ।

କିଏ ଅଧିକାର ସାବ୍ୟସ୍ତ କରିଥିଲା

ଏ ମାଟି ଉପରେ ?

କିଏ ରକ୍ତରେ ଭିଜାଇ ଦେଇଥିଲା

ମହାଦ୍ରୁମଙ୍କ ଚେରମୂଳ ?

କିଏ ଘୃଣାରେ ବୁଡ଼ାଇ ଦେଇଥିଲା ବିଶ୍ୱାସ ?

ଦସ୍ୟୁ ବା ଦେବତା-

କିଏ କେଉଁ ନାମରେ ଚିହ୍ନିତ କରିଥିଲା

ଏ ଭୂମିକୁ ?

 

ଏବେ କିଏ ଗାତ ଖୋଳୁଛି ଏଠି

ପ୍ରତ୍ନତତ୍ତ୍ୱରୁ ଓଟାରି ଆଣିବାକୁ

ଈଶ୍ୱରଙ୍କ ବାସ୍ନା,

ଯେଉଁଠି ଖୋଳିଲେ ବି ସେଠୁ

ବାହାରିବ ମୋର ହାଡ଼ ଓ ଖପୁରୀ

ବାହାରିବ ସବୁ ପ୍ରାଚୀନ ଅପରାଧଙ୍କ ହତିଆର

ବାହାରିବ

ଯୁଗଯୁଗରୁ ଜଞ୍ଜିରରେ ବନ୍ଧା

ମୋର ବିବର୍ଣ୍ଣ ପଞ୍ଜର ।

 

ଏ ଭୂମି ମୋର,

କେଉଁ ରାଜାର ନୁହେଁ ବା ଦେବତାର ।

 

ଉତ୍ସବ

 

ଉଜ୍ଜ୍ୱଳ ଆଲୋକରେ

ଏବେ ସଜାଇ ଦିଅ ତୁମ ଉଦ୍ୟାନ

ସଂଗୁପ୍ତ ସୁଖମାନଙ୍କୁ ମୁକ୍ତ କରିଦିଅ

ଓ ସମ୍ପୂର୍ଣ୍ଣ ନିରାବରଣ, ଦର୍ଶନୀୟ ହୋଇ

ବାହାରି ଆସ,

ଉତ୍ସବ ଆରମ୍ଭ ହୋଇଛି ତୁମର ।

 

ଆଜିଠାରୁ

ମହାଜନମାନେ ଆଉ

ଟଙ୍କା ଗଣିବେ ନାହିଁ ଘର ଭିତରେ

ଦଲାଲ୍‌ମାନେ ଚୁପ୍‌ ଚୁପ୍‌

କାନରେ କହିବେ ନାହିଁ କଥା

ସମସ୍ତେ ନିମନ୍ତ୍ରିତ ହୋଇ ଆସିବେ

ମୁକ୍ତ ପ୍ରାଙ୍ଗଣକୁ

ସମସ୍ତେ ବି ହସିବେ, ନାଚିବେ

ସମସ୍ତେ ଏ ଆଲୁଅ ଭିତରେ

ତୁମ ସହିତ ଏକ୍‌ ହୋଇଯିବେ ।

 

ଏବେ

ପ୍ରତ୍ୟେକ ପାପୁଲିରେ କଅଁଳିବ

ଛଅଟି ଆଙ୍ଗୁଳି

ପ୍ରତ୍ୟେକ ଧାନ ଭିତରୁ ବାହାରିବ

ଦୁଇଟି ଚାଉଳ

ସବୁ ନର୍ଦ୍ଦମାରେ ବହିବ ସୁଗନ୍ଧ ଜଳ

ପୁରୀଷ ଭିତରୁ ବାହାରିବ ସୁନା

ଓ ତୁମ ସହ

ଶୂନ୍ୟରେ ଝୁଲି ରହିବ ସଫଳତା ।

ତୁମେ ଜଳାଇଥିବା ଆଲୁଅରେ

ଏବେ ଚକ୍‌ମକ୍‌ ଦିଶିବ ମାଟିର କାନ୍ଥ

ଜରି ପରି ଝଲ୍‍ମଲ୍‌ କରିବେ

ସବୁ ଛିଣ୍ଡା ଓଢ଼ଣା

ମୁକ୍ତା ପରି ଝଲ୍‌ସି ଯିବେ

ସବୁ ଲୁହର ବିନ୍ଦୁ

ତୁମ ଖାଦ୍ୟର ବାସ୍ନାରେ ଏଣେ

ଅଧା ହୋଇଯିବ ଭୋକ

ତୁମ ଭବିଷ୍ୟବାଣୀରେ ପୁଣି

ଦ୍ୱିଗୁଣିତ ହୋଇଯିବ ଆୟୁଷ!

 

ଏ ଉତ୍ସବ ତୁମର

ଭାଟଠାରୁ ଭିକାରିଯାଏ

ସମସ୍ତେ ତୁମର

ବେଶ୍ୟାଙ୍କଠାରୁ ବିଶାରଦଯାଏ

ସମସ୍ତେ ତୁମର

ଲୋଭଠାରୁ ଲାଭଯାଏ

ସବୁ ତ ତୁମର ।

 

ତୁମେ ଅପେକ୍ଷା କରିପାର ଏବେ

ଫଳିବାଯାଏ ତୁମ କାଗଜର ଗଛ

ଓ ଚାଲୁ ରଖିପାର ଏ ଉତ୍ସବ

ଅନ୍ତତଃ କାଲି ପର୍ଯ୍ୟନ୍ତ ।

 

ବୃତ୍ତାନ୍ତ : ମନୋହରପୁର

 

ସେଇ ରାତିରେ ହୁଏତ

ନିଘଞ୍ଚ ଅରଣ୍ୟ

ଘନ ଅନ୍ଧାରର ହାତ ଧରି ନାଚିଥିବ

ତା’ପରେ ବର୍ଷିଥିବ ନିଦ

ଟିପି ଟିପି ଶିଶିର ସହିତ,

ଓ ସମସ୍ତେ ଶୋଇ ଯାଇଥିବେ

ଗଛବୃଚ୍ଛ, ମଣିଷ ।

 

ସେଇ ରାତିରେ ହୁଏତ

କେଉଁ ଅଜ୍ଞାତ ବିଳ ଭିତରେ

ସଭା କରିଥିବେ ସଇତାନମାନେ

ମନ୍ତ୍ର ପଢ଼ିଥିବ ବ୍ରହ୍ମରାକ୍ଷସ

ଓ ମାଟି ବିଦାରି ବାହାରି ଆସିଥିବ

ଏକ ଭୀଷଣ ସରୀସୃପ

ଆଖିରେ ନେଇ ମାରାତ୍ମକ ନିଆଁ

ଛାତିରେ ଧରି ବିଷ ।

 

ତା’ ପରେ ଗୋଟେ ଭୟାର୍ତ୍ତ ଶୀତରାତି

କମ୍ପି ଉଠିଥିବ ହିଂସ୍ର ଆଘାତରେ,

କିଏ ଦେଖିଥିବ ମଣିଷର

ସେଇ ଜୀଅନ୍ତା ପୋଡ଼ିଯିବାର ଦୃଶ୍ୟ

ନିଷ୍‌ପାପ ଶିଶୁମାନଙ୍କ ଛଟପଟ ଦେହ

ନିଆଁର ଦାନ୍ତରେ ଖିନ୍‌ଭିନ୍‌ ହେବାର ଦୃଶ୍ୟ ?

 

ପର ଦିନକୁ

ଆଖି ଫୁଟିଯାଇଥିବ ସକାଳର

ଆକାଶରେ ସୂର୍ଯ୍ୟ ଦିଶୁଥିବ କଳା

କଳା ଦିଶୁଥିବେ ଗଛପତ୍ର

ସବୁ ହୃଦୟ ପାଲଟି ଯାଇଥିବ ଅଙ୍ଗାର,

କିଛି ଦେଖିବାକୁ ନଥିବ

ଶୋକର ଶୁଷ୍କ ଆଖି ଡୋଳାରେ

ସେଇ ରାତିର ଅନ୍ଧାରରେ

ପୋଡ଼ିଯାଇଥିବ ତ୍ରିକାଳ ।

 

କିଛି ଉତ୍ତର ଦେବାକୁ ନଥିବ

ମଣିଷକୁ, ମହାକାଳକୁ

ସବୁ ବିବୃତି ଓ ପ୍ରତିଶ୍ରୁତି ପରେ,

ଅନ୍ଧ ଦେଶର ଧ୍ରୁତରାଷ୍ଟ୍ରମାନେ

ମିଛ ମିଛ ଲୁହ ଢାଳୁଥିବେ

ଜତୁ ଗୃହର ପୋଡ଼ା ମୁର୍ଦ୍ଦାର ଉପରେ ।

 

ଏକ ଆତତାୟୀ ଘୃଣା ଘୂରି ବୁଲୁଥିବ

ହସ୍ତିନାରୁ ବାରୁଣାବନ୍ତ

ଓଡ଼ିଶାରୁ ଗୁଜରାଟ

ଓ ମହାଭାରତର ପୃଷ୍ଠାରେ

ଲେଖା ହେଉଥିବ ଆଉ ଏକ ଜଘନ୍ୟ ବୃତ୍ତାନ୍ତ ।

 

 

ଅମରେଶ ପଟ୍ଟନାୟକ

୧୯୪୮-

 

ସମକାଳର କ୍ରାନ୍ତିକାରୀ ସ୍ରଷ୍ଟା ଅମରେଶ ପଟ୍ଟନାୟକ ଓଡ଼ିଶା କମ୍ୟୁନିଷ୍ଟ ଆନ୍ଦୋଳନର ଅନ୍ୟତମ ବଳିଷ୍ଠ ସ୍ତମ୍ଭ, ବିପ୍ଳବୀ କବି ଅନନ୍ତ ପଟ୍ଟନାୟକଙ୍କ ଦ୍ୱିତୀୟ ପୁତ୍ର । କିନ୍ତୁ ପିତାଙ୍କ ପୁତ୍ରଭାବେ ନୁହେଁ, ନିଜସ୍ୱ ସ୍ୱତନ୍ତ୍ର ପରିଚୟ ବହନ କରନ୍ତି ସେ ସାମ୍ପ୍ରତିକ ଓଡ଼ିଆ କାବ୍ୟ ଜଗତରେ । ତାଙ୍କର କାବ୍ୟକଳା ସମ୍ପୂର୍ଣ୍ଣ ତାଙ୍କର ।

 

ମଣିଷ-ମାଟି, ବିଶ୍ୱ-ବ୍ୟକ୍ତି, ବାତ୍ୟା-ମରୁଡ଼ି-ବନ୍ୟା-ବିସ୍ଥାପନ, ବିପର୍ଯ୍ୟୟ ଇତ୍ୟାଦି ଘେନି ଆତ୍ମିକ ଭାବରେ ଯଥା ସମ୍ଭବ ଯଥାଯୋଗ୍ୟ ସୁନିର୍ଦ୍ଧିଷ୍ଟ ଶବ୍ଦ ଓ ଶୈଳୀରେ ସାଧାରଣ ପାଠକର ଚିତ୍ତ-ଚେତନା ସ୍ପର୍ଶ, ସେମାନଙ୍କ ଚିନ୍ତନ ନିମିତ୍ତ ବିନମ୍ର ଅଥଚ ଶାଣିତ ଶବ୍ଦ ସୃଷ୍ଟି ପାଇଁ ସେ ଅଙ୍ଗୀକାରବଦ୍ଧ । କଳାହାଣ୍ଡି, କନ୍ଧମାଳ, କଳିଙ୍ଗନଗର, ପ୍ରିୟ ସହର କଟକ ଓ ଉଜୁଡ଼ା ଏରସମା ଅମରେଶଙ୍କ କବିତାରେ ଅତି ଜୀବନ୍ତ ଭାବରେ ପର୍ଯ୍ୟବେଶିତ । ଯଥା ସମ୍ଭବ ଶବ୍ଦସଂଯୋଜନାରେ ସଂଯତ, ଶୈଳୀରେ ସୀମିତତା ହେଉଛି ତାଙ୍କର ବିଶେଷ ଗୁଣ ।

 

ସାତଖଣ୍ଡି ମୌଳିକ କବିତା ସଂଗ୍ରହ, କିଛି ଅନୁବାଦ, ଗୋଟିଏ ଉପନ୍ୟାସ ଓ ପିତା ଅନନ୍ତ ପଟ୍ଟନାୟକଙ୍କ ରଚନା ସମଗ୍ରର ସମ୍ପାଦନା କରିଥିବା ଅମରେଶ ଓଡ଼ିଆ ପ୍ରଗତିବାଦୀ କବିତା-ଆକାଶର ଆମ ଦୃଷ୍ଟିରେ ନିଶ୍ଚୟ ନକ୍ଷତ୍ର । ଏବେବି ମଣିଷର ଭାଷା ପାଇଁ ଅହରହ ଶବ୍ଦ ଅନ୍ୱେଷଣରେ ବ୍ରତୀ ଥିବା ସେ ନୀରବରେ କାବ୍ୟ-ସାଧନାରେ ତଲ୍ଲୀନ ।

 

ଆକାଶ ଭାସି ନ ଯାଉ...

 

ଭାବର ଭେଳିକିରେ ଭଳି

ପୋଷାକି ସିଦ୍ଧିରେ ଢଳି

ଆପଣା ସଂସାର ଜାଳି

କେତେ କାଳ

ନାରଙ୍ଗୀ ରଙ୍ଗକୁ ନେଳି

ମନରେ ଅଞ୍ଜନ ବୋଳି....

 

 

ଆଜି ବି ଆକାଶକୁ

ସୂର୍ଯ୍ୟ ଚନ୍ଦ୍ର

ମେଘକୁ ପବନକୁ...

ଆଶ୍ରାକରି

ଜଳ ଜଳ

ବନ୍ୟା ମରୁଡ଼ି ବାତ୍ୟା

ଭୂମିକମ୍ପ ପ୍ରକୋପକୁ ....

 

ଆଜି ବି ଯିବାକୁ ପଡ଼େ

ରାଏପୁର ସୁରଟ

ଆକୁମାରୀ କାଶ୍ମୀର

ଦାଦନ ଖଟିବାକୁ

ବଞ୍ଚି ରହିବାକୁ...

 

ଆଜି ବି ଅଥଚ....

ଗ୍ରହର ଚଳନ ଫଳାଫଳ

ଭାଗ୍ୟର କପାଳର ବଳ ....

ସିନ୍ଦୂର ସାଲୁକନା

ବୃକ୍ଷତଳ

ବାପାମାଆ ଅଧିଆର ସ୍ଥଳ... ।

ଆଜି ବି

ଗଲାପୁତ୍ର ବାହୁଡ଼ି ନୋଇଲା...

 

ସାଧବାଣୀ ଫେରିନ୍ତି ପଥକୁ ଚାହିଁ

ଚାହିଁ ଚାହିଁ ....

ଅଫେରା ଫଗୁଣ

ସେ

ବାଇଆଣୀ

ହୃଦୟର ରାଣୀ....

 

ଦୁଆର ଟପିଲେ-

‘ଏଡ୍‌ସ’...

ନଟପିଲେ-

ଆନ୍ତ୍ରିକ ଅନାହାର

ହୁଏତ ବା ଯକ୍ଷ୍ମା... ।

ଗୋଡ଼େ ଗୋଡ଼େ-

ଛକାପଞ୍ଝା

ମହନ୍ତ ମହାଜନ ମସ୍ତାନ....

ସମ୍ମୁଖରେ

ନଙ୍ଗଳା ପେଟଫୁଲା

ଭୋକିଲା ଭବିଷ୍ୟତ....

ବେଳୁଁ ବେଳ ଅଣାୟତ୍ତ

ଅଥଚ କଳେବଳେ କୌଶଳେ

ସିଂହାସନ-

ଯେପରି କରାୟତ୍ତ

ସୁରକ୍ଷିତ...

 

ଝାଇଁ ଝାଇଁ ଝାଞ୍ଜି

ପିଚ୍‌ ପିଚ୍‌ ଲାଲେଲାଲ୍‌

ଜଗତ ମଣ୍ଡଳ....

 

 

ପିଚ୍‌ ପିଚ୍‌ ପେଟ୍ରୋଲ୍‌ କିରୋସିନ୍‌

ହୁତ୍‌ ହୁତ୍‌ ଜଳନ୍ତା ଗାଁ ଗଣ୍ଡା ସହର....

ଅଥଚ

ଧ୍ୟାନ ମୁଦ୍ରାରେ

ନିର୍ଲିପ୍ତ ନିର୍ବିକାର

ମହାମହିମ ଈଶ୍ୱର.... ।

 

କାହାକୁ କେଉଁ ପ୍ରଶ୍ନ

କାହାର ସୁରକ୍ଷାଏ...

କେଉଁ ଜାତି କେଉଁ ଧର୍ମ

କେଉଁ ସଭ୍ୟତାର...

 

ମଣିଷ ଯେଉଁଠି ଶତ୍ରୁ ମଣିଷର...

ମଣିଷ ଯେଉଁଠି ବନ୍ଦୀ ମଣିଷର...

ମଣିଷ ଯେଉଁଠି ସ୍ୱପ୍ନ ମଣିଷର...

ତଥାପି ଏ ମୂଳଦୁଆ-

ଅନନ୍ତ ଗଭୀର.... ।

 

ତଥାପି ବିମୁକ୍ତ ହଂସ

ଉଲଂଗ ଅଚ୍ୟୁତ ରାସ

ଅନ୍ୱେଷା ଉନ୍ମେଷ

ଅମରତ୍ୱର

ଅତିମାନସର ....!

 

ହଁ

ମଣିଷ ଏବେ ବି ସ୍ୱପ୍ନ

ମଣିଷର....!

 

Unknown

ସୂର୍ଯ୍ୟବନ୍ଦନା

 

ମେଘ ଭିତରେ ପାଣି,

ପାଣି ପାଇଁ

ସୂର୍ଯ୍ୟ

ଓହ୍ଲାଇ ଆସନ୍ତି ପୃଥ୍ୱୀକୁ

ଲୋମର ରନ୍ଧ୍ରକୁ ।

ରନ୍ଧ୍ରତଳେ ନିବିଡ ଅନ୍ଧାର ।

ଅନ୍ଧାରରେ

ଯଦି କେହି

ଧର୍ମାନ୍ଧ ବ୍ୟତୀତ

ତା’ହୁଏତ ବିତ୍ତ !

ହୁଏତ ଭବିଷ୍ୟତ ।

 

ଏବେ ଏଠି ଅଭାବ

ରକ୍ତର, ପେଟ୍ରୋଲର, ଆଲୁଅର,

ଅଥଚ ରକ୍ତ ସବୁ ଧୁଆହୁଏ

ପେଟ୍ରୋଲରେ ।

ପେଟ୍ରୋଲ-

ଅଗ୍ନିରେ

ଆଗ୍ନେୟ ଅସ୍ତ୍ରରେ

ନୈଷ୍ଠିକ ପ୍ରାଜ୍ଞ

ଅଥଚ ଅଶୋକ ହେବାର ନଥାଏ

କି ବିନ୍‌ ଲାଡେନ୍‌ ।

ଅଥଚ ହୁତ୍‌ ହୁତ୍‌ ଧୀରେ ଧୀରେ

ସମଗ୍ର ଜଗତ ।

ମହାକାଳ କାନି କୋଣେ

କେତେ କ୍ଷଣ କାହାର ରାଜତ୍ୱ ।

ଦଳବଳ

ମାଟିଠାରୁ ଯେତେକ ବିଚ୍ୟୁତ୍‌ ।

ମୁହୂର୍ତ୍ତ ପ୍ରତିଟି ଯେ-

ଈର୍ଷା ହିଂସା ପ୍ରତିହିଂସା

କୁମ୍ଭୀରର ଶୋକ....

ରାତିରୁ ସକାଳ

ସକାଳରୁ ସଞ୍ଜ...

ଝାଞ୍ଜ ମୃଦଙ୍ଗ

ଯଦି

ଭୁଲାଇ ପାରୁଥାନ୍ତା

ଅଭାବର ଭୋକ.... ।

 

ଏଠି ନାଇଁ,ନାଇଁ ନାଇଁ-

ବଞ୍ଚିବା ସାହସ ନଥାଏ କି

ମରିବା କି-

ବିଞ୍ଚି ହୋଇ ଜାତିର ନିର୍ମାଲ୍ୟ-

ମହାତୃଷ୍ଣା-

ମହାକ୍ଷୁଧା-

ଆହାର ପ୍ରତିଟି ପାଇଁ

ହେବାର ସାମର୍ଥ୍ୟ...

 

ତଥାପି ସେ ଥିଲା, ଅଛି...

ଯେଉଁଭଳି

ଭିନ୍ନ ଭିନ୍ନ ମାଛ

ଭିନ୍ନ ଭିନ୍ନ ବନ୍‌ସି ଖଡ଼ା

ଭିନ୍ନ ଭିନ୍ନ ବଂଶୀସ୍ୱନ

ଭିନ୍ନ ଭିନ୍ନ ଲୋଭନୀୟ

ଆକର୍ଷଣ ଉପଗତ

ହଂସ.... ।

ଅଥବା ଅକର୍ମା ଅକ୍ଷମ ଯେପରି-

ବିଶ୍ୱାସ ।

ହଁ

ପାଣିର ଭିତରେ ସୂର୍ଯ୍ୟ

ସୂର୍ଯ୍ୟ ଥା’ନ୍ତି

ଆକାଶରେ

ଲୋମର ରନ୍ଧ୍ରରେ ........

 

ଅଥଚ ପ୍ରବଳ କ୍ରୋଧ ଯଦି

‘ହ୍ୱାଇଟ୍‌ ହାଉସ୍‌’ ‘ନାଟୋ’

ଗିଳିଦ୍ୟନ୍ତି ସୂର୍ଯ୍ୟ ଯଦି

ପ୍ରବଳ ଭୋକରେ-

ପୁଣି ହନୁମାନ କି ?

 

ତଥାପି ଥିବ ସେ ଥିବ

ହିମାକୃତ ....?

କ୍ଳୋନ୍‌ ....?

ତଥାପି ହସୁଥିବ ସେ ମଣିଷ

ଓଠରେ ତା’ଆଜିପରି

ନିର୍ବିକାର ହସ... ।

ହାଃ ଜଗନ୍ନାଥୀ ଦେଶ

ଜଗନ୍ନାଥୀ ବିଶ୍ୱ !

 

ମହାରାସ ଏରସମା....

 

॥୧॥

କିଏ ....

କୁଆଡ଼େ

କାହିଁ...

 

ସେ କେବଳ ସେ

 

ନିର୍ବାସ...

ନଙ୍ଗଳା...

ହୁଏତ ନାରୀ ଟିଏ ...

 

ଆକାଶମୟ ଶୂନ୍ୟତା

ପାଣିମୟ ଜଗତ

ଅନ୍ଧାରମୟ ବର୍ତ୍ତମାନ ...

 

ଧର୍ମ ଜାତି ବର୍ଣ୍ଣ-

ବିବର୍ଣ୍ଣ...,

 

ଭାବ ଅଭାବ ବିଭବ-

ନିଶ୍ଚିହ୍ନ...,

 

ଆପଣାର କ’ଣ ପରର ...

 

ପହର ପରେ ପହର

ନା ସୂର୍ଯ୍ୟ ନା ଚନ୍ଦ୍ର

ନା ପାଣି ନା ଆହାର

ଘଣ୍ଟା ପରେ ଘଣ୍ଟା

ଛ’ ବା’ର ବାଆସ୍ତୋରୀ...

ଅନେଶୋତ...

ନିର୍ବାକ

ନିର୍ଭୋକ

ନିଶୋକେ

ନିଶ୍ଚଳ ନିଡ଼ର

ବିଜଡ଼ ଥର ଥର...

 

॥୨॥

 

ଆଖି ସାମ୍ନାରେ

ଅପଲକ ପଲକରେ....

ଧର ଧର..

ଧରୁ ଧରୁ ...

ସ୍ୱାମୀ ଶ୍ୱଶୁର

ବାପା ଭାଇ

ଆତ୍ମୀୟସ୍ୱଜନ

ଦି’କୁଳର

ଏପରିକି କୋଡ଼ପୋଛା...

କୋଳର...

ଡୋରି ଯା’ ସମ୍ପର୍କର...

(ବିଚ୍ଛିନ୍ନ...)

ଡାଳରୁ

ମୂଳରୁ

 

ମଥାନରୁ (ଚାଳରୁ) ଚୂଳରୁ

ଚୂଡ଼ାରୁ ମୂଳ ଦୁଆରୁ

 

ଉଡ଼ି ଉଡ଼ି

ବୁଡ଼ି ବୁଡ଼ି...

ଆଃ ଭିଟା ଢିଅ କ୍ଷେତ ଗାଁ...

ପାଟି ଭିତରେ ଆଇସ୍‌କ୍ରିମ୍‌....?

 

॥୩॥

 

ଏବେ ସେ

ନା ମୃତ ନୁହେଁ କି ଜୀବିତ ...

ନାରୀ ନୁହେଁ କି ପୁରୁଷ...

ପଶୁ ନୁହେଁ କି ମଣିଷ...

ମାଟି ନା ପ୍ରାଣୀ ନା କାଳର ଏ

ଗ୍ରହ ଦୋଷ..

ମହାରୋଷ...?

ମହାଗ୍ରାସ-

କବଳରୁ ମୁକ୍ତ ... ।

[ଅଥଚ ମୁକ୍ତ ଗହଣରେ ବନ୍ଦୀ... ]

ଅକ୍ଷତ ତଥାପି ତା’ର ଆୟୁଷ...

ବିରଳ ଦୃଷ୍ଟାନ୍ତ

ଅନନ୍ୟ ତା’ର

ଆତ୍ମବିଶ୍ୱାସ....!

ସେ (ଯେ)-

ଶିବର ଶକ୍ତି ....?

ଶକ୍ତିର ପରମ ପୌରୁଷ ...!

 

 

ବିଜୟ ଉପାଧ୍ୟାୟ

୧୯୫୦-

 

କୈଶୋରରୁ ସାହିତ୍ୟ ସାଧନାରେ ମଗ୍ନରହି ବାମଦର୍ଶନରେ ଅନୁପ୍ରାଣିତ ବିଜୟ ଉପାଧ୍ୟାୟଙ୍କ ଜୀବନକାଳ ନାନାଘାତ ପ୍ରତିଘାତରେ ପରିପୂର୍ଣ୍ଣ । କେବଳ କଳ୍ପନାରେ ନୁହେଁ ବାସ୍ତବ ଜୀବନରେ ଏହି କବି ମୁକ୍ତିକାମୀ ମଣିଷ ମାନଙ୍କର ସାଥୀ ସାରଥୀ ଭାବରେ ଏବେ ମଧ୍ୟ ସଂଗ୍ରାମରତ ।

 

ଜରୁରୀକାଳ କାରାନାମାର କଳାଦିନ ବିରୋଧରେ ସ୍ୱର ଉତ୍ତୋଳନ କରି ଲାଲ୍‌ ପତ୍ରିକା ‘ମୁକ୍ତିକାମୀ’ ପୃଷ୍ଠାମାନଙ୍କରେ ଆହ୍ୱାନ ଆଣି ଦୀର୍ଘ ଏଗାର ମାସ ଭୁବନେଶ୍ୱରସ୍ଥିତ ଝାରପଡ଼ା ଜେଲରେ ଭାରତ ରକ୍ଷା ଆଇନଦ୍ୱାରା ଅଟକହେବା ଘଟଣା ଆଜି ମଧ୍ୟ ଆଣେ ଶିହରଣ । ସେହି ସମୟରେ (୧୯୭୪) ସେ ନବଯୁଗ ସାହିତ୍ୟ ସଂସଦର ପୁନର୍ଗଠନ ପ୍ରକ୍ରିୟାରେ ସଂଶ୍ଲିଷ୍ଟ ହୋଇ ପରେ ଗଣମୁକ୍ତି ଲେଖକ ସାମୁଖ୍ୟର ପ୍ରତିଷ୍ଠା କ୍ଷେତ୍ରରେ ନିଜର ସାଙ୍ଗଠନିକ ଦକ୍ଷତାକୁ ପ୍ରତିପାଦିତ କରିଛନ୍ତି ।

 

କବିଙ୍କର ପାରଦର୍ଶିତା ପରବର୍ତ୍ତୀ ସମୟଯାଏଁ ପ୍ରଲମ୍ବିତ, ତଥା ବାଲିଆପାଳ କ୍ଷପଣାସ୍ତ୍ର ଘାଟୀ ଆନ୍ଦୋଳନର ନେତୃତ୍ୱ ଆଗରେ ଅଗ୍ରଣୀ ନାୟକ, ଅବିଭକ୍ତ କୋରାପୁଟର ଶ୍ରମିକ ଆଦିବାସୀ ଆନ୍ଦୋଳନର ସଂଗ୍ରାମୀ ସାଥୀ ଭାବରେ ତାଙ୍କର ସ୍ୱତନ୍ତ୍ର ପରିଚୟ ମନେରଖିଛନ୍ତି ଜନସାଧାରଣ । ତାଙ୍କ କବିତା କର ବା ମର ଆହ୍ୱାନରେ ଅଭିମନ୍ତ୍ରିତ । କବିଙ୍କ କବିତାରେ ଅଛି ଦମ୍‌, ଦିମାକ୍‌, କଦମ୍‌ ପରେ କଦମ୍‌ ।

 

ମୃତ୍ୟୁହୀନ ମୁଁ କ୍ରାନ୍ତି

 

ଫୁଲମାଳ ପାଇଁ କେବେ ପାତି ନାହିଁ

କାହା ଦୁଆରେ ମୁଁ ହାତ

ଚାଲି ଶିଖିବାଠୁ ଚାଲିଛି, ଖୋଜିନି

ଆଶ୍ରୟ କାହିଁ ଛାତ ।

 

କଣ୍ଟକ ତା’ର ସଖା ସହଚର

ହୋଇଛନ୍ତି ମୋ ସାଥୀ

ରକ୍ତସ୍ରାବ ଓ ରକ୍ତସ୍ରାବରେ

ବିତିଛି ମୋ ଦିନ ରାତି ।

 

ମୁଣ୍ଡ ଉପରେ ଉଠିଛି ନାଚି ମୋ

ବିଦ୍ୟୁତ-କରବାଳ

ବିଦାରି ଆକାଶ ଛିଡ଼ିଛି ବଜ୍ର

ଘାତକ ମେଘର ମାଳ ।

 

ସଢିଛି ଲଢ଼ିଛି ବଢ଼ିଛି ଆଗକୁ

ପଢ଼ିଛି ଗତିର ବେଦ

ରଖିନି ହିସାବ ଝଡ଼ିଛି ହାଡ଼ରୁ

ପଳ ପଳ କେତେ ମେଦ ।

 

ବଲମ ବଂଶୀ ଏକାଠି ସଜାଇ

କଲମର ବୁକୁ ତଳେ

କବି ମୁଁ ଧୋଇଛି କାଦୁଅର ଛିଟା

ଆପଣା ରକ୍ତଜଳେ ।

 

ବୋହିଛି ବ୍ୟଥାର ବୋଝ ଯେତେ ତମ

ଆହାର ନିଦ୍ରା ଭୁଲି

ଚାହିଁନି ସିଆଡ଼େ କାନ୍ଦୁଥିଲେ ବି

ଅଜଳା ରହି ମୋ ଚୂଲି ।

 

ସୁଖ ପାଇଁ ନିଜ ସୁବିଧାବାଦର

ମୁକୁଳା ଦୁଆରଦେଶେ

କହ କହ କେବେ ହୋଇଛି କି ଠିଆ

ହାତ ପାତି ଦୀନ ବେଶେ ?

 

ମୋହିବାକୁ ମନ ଶାସକର କେବେ

ଲେଖିଛି କବିତା ଗୀତ

କହ କହ ଭାଇ ସ୍ତୁତି ଗାଇ କେବେ

ସାଧିଛି ମୁଁ ନିଜ ହିତ ?

 

ଜରାସନ୍ଧୀୟ ସ୍ଥିତାବସ୍ଥା ଓ

ସମାଜ ବ୍ୟବସ୍ଥାର

ସପକ୍ଷେ ଯଦି ଭୁଲରେ କାହିଁ ବି

କାଟିଛି କଲମଗାର ।

 

ଦେଖାଇ ଦିଅ ତା ଦେବି ଏ କଲମ

ରଖ ଚିରଦିନ ପାଇଁ

ଚୂଲିକି ଯାଉ ମୋ ସ୍ୱର ଓ ସାଧନା

ଲୋଡ଼ା ନାହିଁ ଲୋଡ଼ାନାହିଁ ।

 

କିନ୍ତୁ ମୁଁ ବେଶ୍‌ ଜାଣେ

ହୋଇନି କଳଙ୍କିତ ମୋ କଲମ

ଏଯାଏଁ କେବେ ବି ଜ୍ଞାନେ ।

 

ମସୀମଣ୍ଡିତ କରି ଆସିଛି ମୁଁ

ବିଦ୍ରୋହୀ ମାନବତା

କହିଛି ନିଷ୍କପଟେ ନିଷ୍ଠାର

ସହିତ ତମରି କଥା ।

 

ଲହୁଲୁହାଣ ମୋ ଛାତିର ଆଲୋକେ

ମହୁମୁହାଣ ତ ନିତି

ହୋଇଛି ସାମ୍ୟ ସମ୍ଭାବନା ଓ

ପ୍ରୀତି ପ୍ରଗତିର ଗୀତି ।

 

ବିସ୍ମୟକର କଥା

ତମେ ହିଁ ଛନ୍ଦି ଦିଅ ମୋ ଜୀବନେ

ମାଂସସୀ ବିଷଲତା !

ଯେଉଁଠି ରହେ ମୁଁ ସେଇଠି ତମର

ଆଘାତ ଛୁଏଁ ମୋ ବୁକୁ

ରକ୍ତ ଝରେ ମୋ ସୁକୁମାର କବି

ହୃଦୟ ଆତ୍ମା ମୁଖୁ ।

 

ଜନତା-ଜନାର୍ଦ୍ଦନ!

ଭୁଲ୍‌ ବୁଝନାହିଁ ସବୁ ଉଦ୍ଧ୍ୱର୍ରେ

ତମେ ତମ ବଡ଼ପଣ ।

 

ସର୍ବହରା ମୋ ସରସ୍ୱତୀର

ତମେ ହିଁ ଆଖିର ତାରା

ତମେ ହିଁ କାବ୍ୟ ମହାକାବ୍ୟର

ଛନ୍ଦ-ଛବିଳ ଧାରା ।

 

ତମରି ପାଇଁ ମୋ ଆରାଧନା ଆଉ

ଏକକ ରୁଦ୍ରତପ

ବିପରୀତ ସ୍ରୋତପଥରେ ଯାତ୍ରା

ବିପ୍ଳବ ନାମଜପ ।

 

ମରେ ଯଦି କେବେ ତମରି ହାତେ ମୁଁ

ଲଢ଼ୁ ଲଢ଼ୁ ତମ ପାଇଁ

ସେଇଥିରେ ମୋର ଆନନ୍ଦ ସିନା

ଦୁଃଖ ତ ତିଳେ ନାହିଁ ।

 

ଗୋଟିକ ଭିତରୁ ଲିଭିଲେ କୋଟିକ

ଭିତରେ ମୁଁ ଦେବି ଦେଖା

ପୁଉଣି ଲେଖିବି ତିମିରବିରୋଧୀ

ସୂର୍ଯ୍ୟୋଦୟର ଲେଖା ।

 

ଆଲୋକଅଶ୍ୱ ଧରି ଓଗାଳିବି

ପୁଣି ମୁଁ ପୃଥିବୀ ବାଟ

ନକ୍ତଚାରୀ ଓ ରକ୍ତରୁଣୀକୁ

ମାରିବି ମରଣଛାଟ ।

 

ମୃତ୍ୟୁହୀନ ମୁଁ କ୍ରାନ୍ତି,

ମଣିଷକୁ ଦିଏ ଇପ୍ସିତ ତା’ର

ସାମ୍ୟ ସକାଳ ଶାନ୍ତି ।

 

ଭାରତ ବର୍ଷ

 

ତୁ କ’ଣ ସତରେ ସେଇ ଆହତ ସଭ୍ୟତା, ମା’

ଯିଏ କିଛି ରାହା ପାଉନି

ରାସ୍ତା ଚାଲିବାକୁ

ପାରିହେବାକୁ ଷଡ଼ଯନ୍ତ୍ରର

ଦୁସ୍ତର ପାରାବାର ?

 

ତୋ ସନ୍ତାନ ମାନେ କ’ଣ

ବୁଦ୍ଧିର ଆହୁଲା

ଓ ଲଢ଼େଇ ସଙ୍ଗୀତର ଅଭାବରେ

ଏତେ ଅପାଂକ୍ତେୟ ପାଲଟି ଯାଇଛନ୍ତି ଯେ

ଦ୍ୱିଧା ଓ ଅଟକର ଅନ୍ୟନାମ ରୂପେ

ତୋତେ ଜଗତ ଜାଣୁଚି ?

 

କୁଆଡ଼େ ହଜେଇ ଦେଲୁ

ଏଯାବତ ତୋ ହାତରେ ଥିବା

ପ୍ରଚଣ୍ଡ ଜୀବନବାଦର ମଙ୍ଗ

ଥରେ ଅଟକି ଗଲେ ତ ପଛେଇଯାଏ ମଣିଷ

ମଗ୍ନରହେ ଅତୀତ ଆବର୍ତ୍ତେ

ଓ ଅବାକ୍‌ ଅନେଇ ଥାଏ

ଭୀଷଣ ବେଗରେ

ହଲିଦୋହଲି ଆଗେଇ ଚାଲୁଥିବା ବିଶ୍ୱଆଡ଼େ ।

 

ଏଠି ଗଣତନ୍ତ୍ର ? ସେତ ବହୁଦୂର

ଭାତ ମାଗ ? ଗୁଳିତ ପ୍ରଚୁର

ଏଠି ନିଲାମ ଖାଲି ନିଲାମ

ଭିଟାହରା ରଇତର ଭୂଇଁ ଯେ ନିଲାମ

ବସ୍ତ୍ରହୀନା ଯୁବତୀର ମାଉଁସ ନିଲାମ

ଶ୍ରମିକର ଅନ୍ନଦାତା କାର୍ଖାନା ନିଲାମ୍‌

ଶିଶୁଙ୍କର ସମ୍ଭାବନା ଓ ସ୍ୱପ୍ନ ନିଲାମ

ପାଣି ନିଲାମ୍‌, ଲୁଣ ନିଲାମ୍‌

ଖଣି ନିଲାମ୍‌, ପଥର ନିଲାମ୍‌

କବିର କଲମ ବି ନିଲାମ୍‌

ମୁନାଫା ପାହାଡ଼ ଖାଲି ଭରିଦିଏ ମାଲିକ ଗୋଦାମ୍‌ ।

 

ମା’ମା’! ଦୁଃଖିନୀ ମା’ଟି ମୋର

ଅଟକର ସଂକଟରୁ ପରିତ୍ରାଣ ପାଇଁ

କିଏ ତୋତେ କରିବାକୁ କହେ

ନରମେଧ ଯଜ୍ଞ ଆୟୋଜନ ?

 

ନିଜ ପାଇଁ କୋମଳ କଫିନ୍‌ ?

ସେଇମାନେତ ବିଛେଇ ଦେଇଛନ୍ତି ବ୍ୟାଧର ନିର୍ମମ ଜାଲ

ସ୍ତିମିତ ନିସ୍ପନ୍ଦ କରିଛନ୍ତି ଗତି

ଏବଂ ଏକ କମନୀୟ କଫିନ୍‌ର ମସୃଣ ଗର୍ଭରେ

ଥାପି ତୋତେ, ଇତିହାସ ଅନ୍ଧାର ମଧ୍ୟକୁ

ଠେଲି ଦେବାର ପୁଣ୍ୟ ଆୟୋଜନ

ରଚୁଛନ୍ତି ଦିନ ରାତି ଦିନ !

 

ତଥାପି ଆଶ୍ଚର୍ଯ୍ୟ ତୁ ରହିଛୁ ଅକ୍ଷୁଣ୍ଣ !

ମା ତୁ ଥରେ ଛଡ଼େଇ ନେ ସେମାନଙ୍କ ମୁଠାରୁ ନିଜକୁ

ଉପରକଣ୍ଟା ତଳକଣ୍ଟା କରି

କବର ଦେ ସେମାନଙ୍କୁ ! ତୋର ଆତୁର ଆତ୍ମା

ସ୍ପନ୍ଦିତ ହୋଇଉଠୁ ନନ୍ଦିତ

ମହିଷାସିନୀର ମୁଦ୍ରାରେ / ନାଚିଉଠୁ ପାଦ ଦୁଇ ତୋର

ଛିନ୍ନଭିନ୍ନ କରି ସବୁ ଷଡ଼ଯନ୍ତ୍ରଜାଲ୍‌

ଲଂଘି ଯାଆ କ୍ଷୁବ୍ଧ ପାରାବାର ।

 

ନେ ନେ କାତ ନେ ଆହୁଲା ନେ

ଜୀବନକୁ ବାଜି ଲଗେଇଥିବା

ପୁଅମାନଙ୍କୁ ନେ

ଚାରିକାନ୍ଥ ତମିସ୍ରାକୁ ନାତ୍‌ ମାରି

ବାହାରି ପଡ଼ିଥିବା ଝିଅମାନଙ୍କୁ ନେ

ଲଢ଼େଇର ଝନତ୍‌କାରରେ

ତୁ ଚମକାଇଦେ ଜଗତ୍‌କୁ

ଝଳକାଇଦେ ଧରିତ୍ରୀ ଆକାଶ

ବିଶ୍ୱଦେଖୁ ଅବାକ୍‌ ଆଖିରେ!

ତୁ ବିଦିତା ହୋଇଉଠ ବନ୍ଦିତା

ସ୍ପନ୍ଦିତା ହୋଇଉଠ ନନ୍ଦିତା !

 

ସମରେନ୍ଦ୍ର ନାୟକ

୧୯୫୦-

 

ପ୍ରଗତିଶୀଳ କାବ୍ୟ-କବିତାର ଅନ୍ୟତମ କର୍ଣ୍ଣଧାରଭାବେ କବି ସମରେନ୍ଦ୍ରଙ୍କ କବିତା ଯେପରି ଆଦୃତ, ତାଙ୍କ ସଂଗ୍ରାମ ସେହିପରି ସ୍ମରଣୀୟ ।

 

ସମାଜସେବା ସହିତ ସାରସ୍ୱତ ସାଧନା କ୍ଷେତ୍ରରେ କବିଙ୍କର ଉତ୍ସର୍ଗିତ ଜୀବନର ଅତୀତ ଗୋଟିଏ ରକ୍ତତୀର୍ଥ, ତାଙ୍କ ପାଦତଳର ଭୂଇଁତକ ରଣାଙ୍ଗନ ପ୍ରତି ସମୟ ଶ୍ରେଣୀ ସଂଗ୍ରାମର ସାଲିସ୍‌ ବିହୀନ ସ୍ୱର ହୋଇ ସେଇଠି ଶେଷ ହୁଏ, ଯେଉଁଠି ଥାଏ ନିମ୍ନବିତ୍ତ ଜନଜୀବନର ଅଧିକାର ପାଇଁ ସାମ୍ନା ସାମ୍ନି ଲଢ଼େଇର ଅଗ୍ରଭାଗ ।

 

ମୁକ୍ତିକାମୀ ଜନତାର ଏହି ପ୍ରିୟ କବି କବିତାରେ ଯେପରି କ୍ରାନ୍ତିକାରୀ, ଜୀବନର ମଇଦାନରେ ସେହିପରି ଲୋହିତ ସଂକ୍ରାନ୍ତି । ନୀଳଗିରିରୁ ମାଲ୍‌କାନ୍‌ଗିରି... ଏହି କବି ଓ କମ୍ରେଡ଼ଙ୍କ କର୍ମସ୍ଥଳୀ ବହୁ ଘଟଣା ଓ ରକ୍ତରଚନାରେ ପରିପୂର୍ଣ୍ଣ । ତଥାପି ତାଙ୍କର ସତ ହୋଇନାହିଁ ସ୍ୱପ୍ନ ଓ ସଂକଳ୍ପ । ଏବେ ମଧ୍ୟ ସୃଜନ ମଗ୍ନ, ସଂଗ୍ରାମ ରତ ।

 

କୋରାପୁଟ

 

ପର୍ବତ

କଳାଜ୍ୱର

ଓ ବାଘ-

ଏ ତିନି ଜଣ ଥିଲେ କୋରାପୁଟର ବିଶ୍ୱସ୍ତ ଜଗୁଆଳ ।

 

ଉଦ୍ଧତ ପର୍ବତ ମାନେ

ହାତକୁ ହାତ ଛନ୍ଦି

ପ୍ରବେଶ ପଥରେ

କେଉଁଠି ନାଚୁଥିଲେ ଉଦ୍ଦଣ୍ଡ ନାଟ ତ

ଆଉ କେଉଁଠି

ଠେଲା ଠେଲି ଟଣା ଟଣି

ଧସ୍ତା ଧସ୍ତି କୁସ୍ତି କସରତ୍‌ !

ସମୁଦ୍ର ମନ୍ଥନ ରତ ଦେବତା ରାକ୍ଷସ !

ଅରଣ୍ୟର ଘଞ୍ଚ ଗଛମାନେ

ଟୋପେ ସୂର୍ଯ୍ୟାଲୋକ ପାଇଁ ଅଣଶ୍ୱାସୀ ହୋଇ

ଆକାଶ ଆଡକୁ ଲମ୍ବାଇ ଚାଲୁଥିଲେ

ଆପଣାର ବାହୁ ।

 

କଳାଜ୍ୱର

ହାଡ଼ରୁ ଶୋଷି ନେଉଥିଲା ଶସ

ଦେହରୁ ଦୀପ୍ତି

ଜ୍ୟୋତି କାଢ଼ି ନେଉଥିଲା ଆଖିରୁ

ଓ ଆତ୍ମାହୀନ ଏକ ସାଇତାପଣକୁ

ଫୋପାଡ଼ି ଦେଉଥିଲା

ଘାଟି ସେ ପାରିକୁ ।

 

ମହାବଳ ବାଘର କଦର

କାହାକୁ ବା ନଜଣା ?

ଏପରିକି

ଡୁରୁକା-

ବିଜାଫୁଲିଆ

ଓ ଗଧବାଘମାନେ ବି

ଶିକାର ଧରୁ ଧରୁ ତୋଟି କଣା କରି

ପିଇ ଯାଆନ୍ତି ରକ୍ତ-

କେତେ କେତେ ଅକାମ୍ୟ ବାଟୋଇ

ଅନାହୁତ ରାସ୍ତାରେ ପାଦ ଦେଇ

ପ୍ରାଣ ଓ ପରିଚିତି

ହରାଇ ନାହାନ୍ତି ବାଘର ପେଟରେ ?

 

ଇଏ ସେଇ ଘାଟି

ସେଇ ଡଙ୍ଗର

ସେଇ ପରବତ୍‌

ଯିଏ ଅରଣ୍ୟ

କଳା ଜ୍ୱର

ଓ ବାଘଙ୍କର ରାଜା ।

ଯାହାକୁ ଡରି

ବାହୁଡ଼ି ଯାଇଥିଲା ସାଇବ ଫଉଜ ।

ଶହେ ବର୍ଷ ଧରି

କୋରାପୁଟ ଥିଲା ଅପରାହତ ।

 

ହେଲେ ଚାଲାକ୍‌ ଦିକୁ

ପଦ୍ମ ତୋଳା ଗାଇ

ମଣ କଲା ପର୍ବତ

ତାଙ୍କରି ଜମିରେ ?

 

କାନ୍ଧ ଝାଡ଼ି

ଟାଙ୍ଗିଆ ତୁଣୀର ଓ ଧନୁତୀର ହାତରେ

ଛିଡ଼ା ହୋଇ ପଡ଼ିଲା ଘିନୁଆ !

ବଡ଼ ଅସହ୍ୟ !

ହେ ବଡ଼ ଦିଶାରି,

ବରିଆନ୍‌ ୱାଡ଼େ,

ଆକାଶରେ ଯୁଯା ନକ୍ଷତ୍ରର ଯୋଗ

ଆଣିଦିଅ ଆମକୁ

ଆଣିଦିଅ ଫିତୁର୍‌ର ଯୋଗ

ଆଣିଦିଅ ଉଲୁ ଗୁଲାନ୍‌ !

ଟୁଣୁ ହୁୟାମ୍‌ !

 

ଆଉ ନୁହେଁ

ବେଣ୍ଟ୍‌ ପରବ ସମୟ ଆଖର

ଢେମ୍‌ସା ଓ ମାଦଲ୍‌ ବାଜି ଉଠିଲାଣି ।

ଟୋକିମାନେ ଛି ଛି କହି

ତଅଣେ ଗାଇ ଗାଇ

ଗୋବର-କାଦୁଅ ଟେଳା ଫିଙ୍ଗି ଚାଲିଲେଣି ।

 

ଅଣ୍ଡିରା ପିଲାଙ୍କ ହାତେ ସିଙ୍ଗା,

ଆଉ ସେଇ ସିଙ୍ଗାର ଶବଦେ

ମାଲକାନ୍‌ ଡଙ୍ଗରମାଳ ହେଲାଣି ଅସ୍ଥିର ।

 

କାନ୍ଧ ଝାଡ଼ି ଝାଡ଼ି

ଟାଙ୍ଗିଆ ତୁଣୀର ଏବଂ ଧନୁତୀର ହାତରେ

ଛିଡ଼ା ହୋଇ ପଡ଼ିଲେ ସହସ୍ର ଘିନୁଆ,

ଟିକ୍ରାଜାନି,ଟଡ୍‌ପା ଓ ଶୁକ୍ରା ମାଡ଼କାମି !

ତାମାଦୋରା ଘଡ଼ଘଡ଼ି ହୁଙ୍କାର ସହିତ

ମିଶିଗଲା ସୀତାରାମା ରାଜୁର ଟଙ୍କାର

ଓ ଇଲାଦାଗିଆ

ଲକ୍ଷ୍ମଣ ନାୟକଙ୍କର ଭୀଷଣ ହେଣ୍ଟାଳ !

 

ବେଣ୍ଟ୍‌, ବେଣ୍ଟ୍‌, ବେଣ୍ଟ୍‌

ମହାବେଣ୍ଟ୍‌

ଯୁ ଯୁ ହାନେ

ଟୁଣୁ ହୁୟାମ୍‌

ଯୁ ଯୁ ହାନେ !

 

ଚାହିଁ ଦେଖ !

ଆକାଶରେ ଯୁଧ୍‌ ନକ୍ଷତ୍ରର ଯୋଗ ।

 

ବର୍ଷାରେ ମାଲକାନଗିରି

 

ମୋର ଶବ୍ଦ ସବୁ ମିଳେଇ ଯାଆନ୍ତି

ମାଲକାନଗିରିରେ,

ସଫେଦ୍‌-ଆଞ୍ଚଲ୍‌ ପରି

କୁହୁଡ଼ିଆ ମେଘ ହୋଇ

ସେମାନେ ଚରି ଯାଇଛନ୍ତି

ବନ-ଲତା ପାହାଡ଼-ପର୍ବତ,

ପୂର୍ବଘାଟ କି ଦଣ୍ଡକ-ଅରଣ୍ୟ

କିଛି ହେଲେ ଦିଶେନାହିଁ ଯେତେ ଖୋଜିଲେ ବି ।

 

ନଦୀ ସବୁ ମହାନ୍‍ଦୀ

ମଲାନଦୀ ଅହୀଫେନ୍‌ ତେଜେ

ମୋର ଛନ୍ଦୋମୟ ସ୍ୱପ୍ନ ସବୁ

ବୋହି ଚାଳିଛନ୍ତି

ଦୂର ପଥ ଗୋଦାବରୀ

ସମୁଦ୍ରରୁ ମହା-ସମୁଦ୍ରକୁ ।

 

ଦବିଯାଏ ଘାଟି ରାସ୍ତା ଆସ୍କା-ଚିତ୍ରକୋଣ୍ଡା

ରାଜଧାନୀ-ମୋଟୁ

ରାଜଧାନୀ-ବାଲିମେଳା ବସ୍‌ ମାନେ

ଅଟକି ଅଛନ୍ତି ସପ୍ତଧାରାରେ ।

ଏବେ ବିଚ୍ଛିନ୍ନ ଟାପୁ ଏ ମାଲକାନଗିରି ।

 

ଇଚ୍ଛା ଥାଉ କି ନଥାଉ

ମୁଁ ଆଉ ଫେରି ପାରୁନି ଅତୀତକୁ

ମୋତେ ବେଢି ଦେଇଚି

ମୁଁ ନିଜେ ଆମନ୍ତ୍ରିଥିବା

ମୋର ଈପ୍‌ସିତ ପଟୁମାଟି

କଳ୍ପିତ ପ୍ରଳୟ,

 

ମୋର ଶବ୍ଦମାନେ

ଅହର୍ନିଶୀ ଆକାଶରୁ ଝରି ଆସନ୍ତି

ବର୍ଷା ହୋଇ

ମୋର ଛନ୍ଦୋମୟ ସ୍ୱପ୍ନମାନେ

ନାଚି ନାଚି ଛୁଟି ଚାଲନ୍ତି

ଝରଣାରୁ ଝିନ୍‌-ସିନ୍ଧୁ ଅକାତ-ସରଣୀ

ଆଉ ମୁଁ ଆଦିମ ଅଧିବାସୀଟିଏ ହୋଇ

ଲଜ୍ଜାରଖି କୌପୀନ ଜଡାଇ

କାନ୍ଧରେ ମୋ ଧର୍ମଜାଲ

ଥୁରୁ ଥୁରୁ ଓଦା-ସରପଟ୍‌

ସଭ୍ୟତାର ମୀନ ଖୋଜେଁ

ମହାକାଳ ପ୍ରଳୟ- ଘୂର୍ଣ୍ଣିରେ ।

 

ମୁଁ କବିଟିଏ

ଆପଣା ଇଚ୍ଛାରେ ବନ୍ଦୀ

ମାଲକାନଗିରିରେ,

ଶବ୍ଦମୋର ଝରିଆସେ ବର୍ଷାହୋଇ

ମୋର ଛନ୍ଦୋମୟ ସ୍ୱପ୍ନସବୁ

ନାଚି ନାଚି ଗୀତଗାଏ ପ୍ରଳୟ ପାଣିରେ ।

 

 

ହରପ୍ରସାଦ ପରିଛା ପଟନାୟକ

୧୯୫୩-

 

ହରପ୍ରସାଦ ପରିଛାପଟନାୟକ ଓଡ଼ିଆ କବିତାରେ ଏକ ବହୁଚର୍ଚ୍ଚିତ ଓ ଆଲୋଚିତ ବିରଳ ବ୍ୟକ୍ତି । ଛାତ୍ର ଜୀବନରୁ କବିତା ପ୍ରତି ଆଗ୍ରହ, ପରବର୍ତ୍ତୀ କାଳରେ ତାଙ୍କ ପ୍ରତିଭା ବିକଶିତ ହୋଇ ସେ ଜନଗଣଙ୍କର ପ୍ରିୟ ପରିଚିତ କବି ଭାବରେ ପ୍ରତିଷ୍ଠିତ । ତାଙ୍କର ଅନେକ ଇଂରାଜୀ ଗ୍ରନ୍ଥ ପ୍ରକାଶିତ ହୋଇ ଜାତୀୟ ତଥା ଆନ୍ତର୍ଜାତିକ ସ୍ତରରେ ଓଡ଼ିଆ କବିତା ପାଇଁ ଯଥେଷ୍ଟ ଖ୍ୟାତି ଆଣି ପାରିଛି ।

 

କବିଙ୍କ ଅନେକ କବିତା ସାମ୍ୟବାଦୀ ସ୍ୱରରେ ଭରପୂର । ସହଜ, ସରଳ ଶବ୍ଦ ରୋପଣରେ ସିଦ୍ଧହସ୍ତ କବି ହରପ୍ରସାଦ ଭୋକିଲା ମଣିଷର ସଂସାର ଭିତରୁ ଉଠାଇ ଆଣନ୍ତି ଦୁଃଖ, ଦୈନ୍ୟ, ଦୁର୍ଦ୍ଦିନର ବାସ୍ତବ ଚିତ୍ର । ସମବେଦନାରେ ସଜାଡନ୍ତି ତାଙ୍କର ସର୍ଜନା...ନୀରବତାର ସ୍ୱର, ଏକା ଏକା ସନ୍ନ୍ୟାସୀ, ଅଥୟସୂର୍ଯ୍ୟ, ଆୟୁଷ୍ମାନ ସମୟ, ସବୁ ଅନ୍ଧାର ଆଜି ରାତିରେ, ସୂର୍ଯ୍ୟତୃଷ୍ଣା, ଜୀବନ ଯଜ୍ଞ, ଅରଣ୍ୟରେ ଯେତେ ଦିନ, ଇତ୍ୟାଦି କବିତା ସଂକଳନ । ଏହା ପ୍ରକାଶିତ ହୋଇ ସାମ୍ପ୍ରତିକ ଓଡ଼ିଆ ପ୍ରଗତିଶୀଳ କବିତା ସହିତ ପ୍ରୟୋଗବାଦୀ ତଥା ରୋମାଂଟିକ କବିତାକୁ ଏକ ନୂଆ ମୋଡ ଦେବାରେ କବିଙ୍କ ସୃଜନ ଶ୍ରମ ଅତୁଳନୀୟ ।

 

ବାଗ୍ମୀ ଗୌରୀକୁମାର ବ୍ରହ୍ମାଙ୍କ ପରେ ସର୍ବାଧିକ କାଳ ଓଡ଼ିଶା ସାହିତ୍ୟ ଏକାଡେମୀ ପରି ଏକ ମର୍ଯ୍ୟାଦାବନ୍ତ ସାରସ୍ୱତ ଅନୁଷ୍ଠାନର ସଚିବ ପଦ ମଣ୍ଡନ କରି ଓଡ଼ିଆ ଭାଷା ସାହିତ୍ୟର ପ୍ରଚାର ପ୍ରସାର କ୍ଷେତ୍ରରେ ନିଜ ପାରଦର୍ଶିତାର ସ୍ୱତନ୍ତ୍ର ସ୍ୱାକ୍ଷର ରଖିଛନ୍ତି କବି ହରପ୍ରସାଦ ପରିଛା ପଟନାୟକ ।

 

ଶୋଷ ମାରିବାକୁ ଯାଉଛି ମା

 

ଉଷୁମ ରକତ ଥନ ଖିରଠୁ

ଆହୁରି ସୁଆଦ ଲୋ ମା, ଯାଉଛି

ଆଜି ଭାରି ଶୋଷ ହେଉଛି ।

ଦେଖ୍‌ ମୋର ଦା’କିପରି ଦାଢ଼ୁଆ ଦିଶୁଛି

ଦେଖ୍‌ ମୋର ଟାଙ୍ଗି, ନିଃଶ୍ୱାସର ନିଆଁ,

ଜୁହାର ଗୋଟେ ରଖ ପାଖରେ ମା, ଯାଉଛି ।

 

ଜନମେଇଛୁ, ବାଘ ପଞ୍ଝା ପରି ପାଦ ମୋର

ଗଛ ପର୍ବତ ନଈ ନାଳ ସାଙ୍ଗେ ନିତି କଥା ମୋର

ଜଙ୍ଗଲର ମାଟି ଶୁଙ୍ଘିଲେ ମାତାଲ ହୁଏ ମୁଁ ମା

ଡେରି ହେଲାଣି ଯାଉଛି,ରାତିରେ ଫେରିବି ।

 

ଏଇ ଡଙ୍ଗର ଡେଇଁଲେ ପଡ଼ିବ ହରି ସାହୁର ଘର

ବିଲ, ଧାନ, ସୋରିଷ, ମହୁଲ, ମୂଲ

ସବୁ ଛଡାଇ ନେଲା ସେ ସାରା ଗାଁର

ପେଟ, ଆଖି,ହାତ,ହତିଆର ତାର

କେଡ଼େ ଚିକ୍‍କଣ ଦିଶୁଛି ମା

ଏବେ ଖାଲି ଚାରିଆଡ଼େ ଶୁଭୁଛି

ସେ ଆମର ଦେବତା, ଖାଲି ସାହୁକାର, ସାହୁକାର ।

 

କେତେ ସୁଆଦ ନଥିବ ତା କଲିଜା, କାନ

କେଡ଼େ ଉଷୁମ, ତା ରକତର ଧାର ମା, ଯାଉଛି ।

 

ଜୁଆନ୍‌ ଗାଲରେ ପ୍ରଥମ ବ୍ରଣ ପରି

ଅଡ଼ୁଆ ଲାଗେ ଗାଁ ମୁହଁରେ ହରିର ଘର

ତାର ଲମ୍ବା ହାଇ ଭିତରେ ହଜିଯାଏ

ଗାଁର, ଅରଣ୍ୟର, ଆକାଶର ସ୍ୱର ।

ହରି ହସିଲେ ବଣରେ ନିଆଁ ଲାଗେ ମା

ଗୁମୁଟି ଖୋଲି ଦେଖିଲେ ବଣ ଦିଶେ ଟାଙ୍ଗରା

ଗୁମ୍‌ ରହିଲେ ସିଏ ଲାଗେ ପେଟି ହେବେ ଗାଁ ଝିଅ

ବର୍ଷା ହେବ ଭୟ,ଅତ୍ୟାଚାର, ହାହାକାର

ତାର ଆଖି ଭିତରେ ହଜିଯିବ ଆମର ସଂସାର ।

 

ଏବେ ଆକାଶରେ ତାରା ଦିଶୁନି, ଜହ୍ନ ଦିଶୁନି ମା

ଏବେ ଏତେ ଭୋକ, ଶୋଷ ଯେ ଖାଲି ହାଡ଼ ଥରୁଛି

ଏବେ ରକ୍ତ ନାଚୁଛି, ମାତି ଉଠୁଛି ନାଁ ଶୁଣିଲେ ତାର

ଏବେ ଆମ ଭିତରେ ବାହାରେ ବୁଣି ହୋଇଯାଉଛି ଅନ୍ଧକାର ।

 

ଆମେ କ’ଣ ଜନ୍ମ ହୋଇଛେ ଗୋତି ହେବାକୁ

ଖାଲି ସହି ନେବାକୁ ଶୋଷଣ, କଷଣ, ଧର୍ଷଣ

ଜୀବନ ସାରା, ଭାଗ୍ୟ ସାରା, ବର୍ଷ ବର୍ଷର ?

 

ଆମ୍ବ ଟାକୁଆ, କନ୍ଦା, ପଥର ପାତି

ସାଇତି ଦେଇଛି ଘର କୋଣରେ,

ଶିକାରେ ଲୁଚାଇ ରଖିଛି ଠେକିଏ ମହୁ,

ହାଣ୍ଡିଆ ରଖି ଦେଇଛି ମାଟି ତଳ ମାଠିଆରେ,

କାନ୍ଥ ଠଣାରେ ଘୋଡ଼ାଇ ରଖିଛି

ମଲା ବାପାର କୋହ, ବଞ୍ଚାଇ ରଖିଛି ସ୍ମୃତି,

ଶୁଖିଲା ପାଉଁଶ ଗଦାରେ ଜଗିଛି ପ୍ରତିଶୋଧର ପଣ,

ନଫେରିଲେ ଖୋଜିବୁନି ଆଉ

ଖାଇବୁ, ବଞ୍ଚିଥିବୁ ମା, ଯାଉଛି ।

ଯାଉଛି, ହରି ସାହୁର ସଜ ମୁଣ୍ଡ ଧରି ଫେରିବି

ରାତିରେ ହାଣ୍ଡିଆ ପିଇବା, ନାଚିବା, ଗାଇବା

ଦୁଲକାଇ ଦେବା ଧର୍‌ତାର ମନ, ହଲିଯିବ ପବନ

ଗାଁ ସାରା ନୀରବତାକୁ ଭରି ଦେବା

ଲୁହରେ, ହସରେ, ଦିଶାରୀ ଆଗରେ ।

ଉଷୁମ୍‌ ରକତ ଥନ ଖିରଠୁ

ଆଉରି ସୁଆଦ ଲୋ ମା, ଯାଉଛି

ଆଜି ଭାରି ଶୋଷ ହେଉଛି

ଥା’ବଞ୍ଚିଥା,ଜଗି ବସିଥା

ଏବେ କାନରେ ମୋର ହରି ସାହୁ ହରି ସାହୁ

ହୁରି ପଡ଼ୁଛି, ଦା’ କହୁଛି ଯା,ଟାଙ୍ଗି କହୁଛି ଯା’

ଯାଉଛି ଡେରି ହେଲାଣି, ପିଣ୍ଡାରେ ଜଗି ବସିଥା ।

 

 

ବାଘ ମାତିଛି

 

ବାଘ ମାତିଛି, ବାଘ ।

 

ମାଘ ମାସ ଶୀତ ରାତିରେ

ଗୋଟିଏ ବାଘର ଗର୍ଜନ

କୋଟିଏ ମଣିଷର ଡାକକୁ

ଡୁବାଇ ଦେଉଛି ।

 

ଆଖପାଖ ଗାଁରେ

ତାଟି କବାଟ ବନ୍ଦ ରହୁଛି

ଚୁଲି ଜଳୁନି,ଆଖି ପଡ଼ୁନି

ଲାଗୁଛି ପଛପଟେ ବାଘ ଠିଆ ହୋଇଛି ।

 

ବାଘର ଆଖି ଦେଖିଛ

ଘିନୁଆର ଆଖି !

ଗୋବିନ୍ଦ ଜିଭ ଦେଖିଛ

ଅଗ୍ରୱାଲ୍‌ର ଜିଭ !

 

ବାଘ ମାତିଛି, ହୁସିଆର୍‌, ବାଘ ।

 

କେଉଁଠି ବାଘର ଘର

ଗନ୍ଧମାର୍ଦନ, ଭୁବନେଶ୍ୱର, କାଶ୍ମୀର

ନା ଗସ୍‌ମାର ଗଭୀର ଅନ୍ଧାର ?

ହିମବନ୍ତର ଶିଖର ନା କୁମାରୀକାର

ନିସ୍ତେଜ ଜଳ ସ୍ତର ?

ସେ ଘର କ’ଣ ସଭ୍ୟତାର ବିକାଶର

ନା ଭଙ୍ଗା ଛିଣ୍ଡା ମଣିଷଙ୍କ ସମାବେଶର ?

ଏ ବାଘ ନୁହେଁ ଟିଭି ପରଦାର

ବା ସର୍କସ୍‌ର ବା ନନ୍ଦନକାନନର ।

 

ଏ ବାଘର

ପଞ୍ଝା ସୁନ୍ଦର, ନଖ ସୁନ୍ଦର, ନିଶ ସୁନ୍ଦର

ଚମ ସୁନ୍ଦର, ଛାତି ସୁନ୍ଦର

ଦାନ୍ତ ସୁନ୍ଦର, ଜିଭ ସୁନ୍ଦର

ସବୁ ସୁନ୍ଦର, କେତେ ଭୟଙ୍କର !

 

ଘନ ଘୋର ଅନ୍ଧକାରେ

ନିଆଁ ଭଳି ଜଳୁଛି ତା ଆଖି

ନିୟମଗିରି ତୀଖରେ,

ଧାନ କ୍ଷେତରେ, ମୀନ ଆଖିରେ

ଚିର ସବୁଜ ପାନ ବରଜରେ ।

 

ଏ ବାଘକୁ ଦେଖିଲେ ଲାଗେ ସତରେ

ଧୂମକେତୁଟିଏ ଠିଆ ହୋଇଛି

ମୁଣ୍ଡ ପାଖ ଆକାଶରେ

ଆଉ ଆଖି ତରାଟି ଚାରିଦିଗ ଚାହୁଛି ।

ଖିଆଲି ବାଘଟିଏ ନିଶ୍ଚୟ,

କେତେବେଳେ ହସୁଛି ତ କ୍ଷମା କରି ଦେଉଛି

କେତେବେଳେ ରାଗୁଛି ତ ରକ୍ତ ଶୋଷି ନେଉଛି,

ରକ୍ତ ଶୋଷିଲାବେଳେ ଏ ବାଘର ମୁହଁ ଦେଖିଛ ?

 

ଗୋଟିଏ ଲମ୍ପ ମାରି ଏ ପାହାଡ଼ରୁ ସେ ପାହାଡ଼

ଏ ନଈରୁ ସେ ନଈ ଏ ଗାଁରୁ ସେ ଗାଁ

ଡିଆଁ ମାରୁଛି, ବଣ ନିଆଁ ପରି ମାଡ଼ି ଚାଲୁଛି ।

 

ହୁସିଆର,

ଆଜି ମାଟିରେ ବାରମ୍ବାର ଲାଞ୍ଜପିଟି ଏ ବାଘ ମାତିଛି ।

 

ଆକାଶ ମାଟି

 

ଏ କାହାର ରକ୍ତ ଛିଟିକି ପଡ଼ିଛି

ସୋରିଷ ଫୁଲରେ, ସଲପ ପତ୍ରରେ ?

ଦୁଇ ଅନ୍ଧାର ସାମନାସାମନିର ବେଳ

ରକ୍ତ ରକ୍ତର ଖେଳ ।

ବୋଧେ ଯୀଶୁ ପୁଣି ଜନ୍ମ ହେବାର ସକାଳ

ବିଶ୍ୱରୂପ ପ୍ରକଟିତ ହେବାର କାଳ ।

 

ଆମେ ସାଉଁଟି ନେବା

ଶୁଖିଲା ଶାଳ ପତ୍ରର ଗହଳେ

ଶୋଇଥିବା ଘାସମାନଙ୍କ ସ୍ୱପ୍ନକୁ,

ଉଜୁଡ଼ି ଯାଇଥିବା ଫଟା କାନ୍ଥରେ

ଲେପିଦେବା ସାନ୍ତ୍ୱନାର ଚନ୍ଦନ କର୍ପୂର ।

 

ଏ ଯାଏଁ ଖୋଜି ପାଇ ନଥିବା

ମଣିଷମାନଙ୍କୁ ଉଦ୍ଧାରି ଆଣିବା

କଳିଙ୍ଗା ପାହାଡ଼ର ଉପତ୍ୟାକାରୁ ।

 

କିଏ କାହାକୁ ମାରେରେ ମୂର୍ଖ ମଣିଷ !

ଦପ୍‌ ଦପ୍‌ ହେଉଥିବା ହୃଦୟର

ଜାତି ଥାଏ ନା ଧର୍ମ ଥାଏ ?

କେଉଁ ଜାତିର ଏ ଆକାଶ

କେଉଁ ଧର୍ମର ଏ ଦୀପ୍ତ ତାରା

ଯାହା ଝଲସାଇ ଦିଏ ଆଖିକୁ, ଆତ୍ମାକୁ !

ଗୋଟିଏ ବର୍ଷାରେ ସବୁ ଧୋଇ ହୋଇଯାଏ

ଧୂଳି,ରକ୍ତ, ଈର୍ଷା ଓ ଅନ୍ଧତ୍ୱ

ଶୁଖିଯାଏ କଟାଦାଗ, ଘା’,

ଓ ଦୀର୍ଘ ଦିନର ଦହନ ।

ଆରେ ବାୟା ଆସ

ଶୁଣିବା ଶୁଆସାରୀଙ୍କ ଗୀତ

ଦେଖିବା ହଳଦୀବସନ୍ତର ଉଡ଼ାଣ

ଲେଖିବା ଆଦିମ ମଣିଷର ଅକ୍ଷର ।

କେତେବେଳେ ମେଘ ସାଙ୍ଗେ ଉଡ଼ିଯିବା ତ

କେତେବେଳେ ଝରଣାର ସ୍ୱଚ୍ଛ ଧାରରେ ବହିଯିବା ।

 

ଆମ ପାଇଁ ଘରଟିଏ

କେଉଁ ଦିନରୁ ତିଆରି ସରିଛି

ତାହା ଈଶ୍ୱରଙ୍କର

ସେ ଜଗନ୍ନାଥ ହୁଅନ୍ତୁ କି ଯୀଶୁ ହୁଅନ୍ତୁ ।

 

ଦେ ଫୋପାଡ଼ି ଦେ

ବନ୍ଧୁକ ତୋର, ଶାବଳ ତୋର,

ଦା’, କାତି, ଟାଙ୍ଗିଆ ତୋର

ମାଟି ମା’କୁ କଷ୍ଟ ହେବରେ,କଷ୍ଟ ହେବ ।

ବିଚାର କର ।

 

କୁଳମଣି ଜେନା

୧୯୫୪-

 

ଏକଦା ‘ଅଗ୍ନିବୀଣା’ ପତ୍ରିକାର ସମ୍ପାଦକ, ଓଡ଼ିଶା ପ୍ରଗତିଶୀଳ ଲେଖକ ଶିଳ୍ପୀ ବୁଦ୍ଧିଜୀବୀ ସଂଘର ଅନ୍ୟତମ ପ୍ରତିଷ୍ଠାତା, ମାର୍କସବାଦୀ ଚିନ୍ତନର ବଳିଷ୍ଠ ବାଖ୍ୟାକାର କବି କୁଳମଣି ଜେନା ଓଡ଼ିଆ ସାହିତ୍ୟରେ ପ୍ରଗତିବାଦୀ ଧାରାର ଅନନ୍ୟ ଅଗ୍ରଦୂତ ।

 

ଭାବବାଦ ଓ ବିଜ୍ଞାନର ଲଢ଼େଇରେ ଉତ୍ତୀର୍ଣ୍ଣ କବି ଶ୍ରୀ ଜେନାଙ୍କର କବିତା ଓ ପ୍ରବନ୍ଧ, ସମାଲୋଚନା ଆଦି ମାର୍କସବାଦୀ ବିଜ୍ଞାନର ଯାଥାର୍ଥ୍ୟକୁ ପ୍ରତିପାଦିତ କରି ସାଂସ୍କୃତିକ ସଂସ୍କାର ପାଇଁ ପଥ ପରିଷ୍କାର କରିଛି, ଯେଉଁପଥ ଉପରେ ଜାରିରହିଛି ନବ୍ୟପ୍ରଗତିବାଦୀ କାବ୍ୟ ଆନ୍ଦୋଳନର ଆଲୋକିତ ଉଦ୍ଦେଶ୍ୟ, ବିପୁଳ ବିଶ୍ୱାସ ।

 

ଜନବାଦୀ ସାହିତ୍ୟର ଏହି ଶ୍ରେଷ୍ଠ ସାଧକଙ୍କର ତତ୍ତ୍ୱଭିତ୍ତିକ ଉଚ୍ଚକୋଟିର କବିତା ପୁସ୍ତକ ‘ମୃତ ଈଶ୍ୱର’ ପାଠକମାନଙ୍କ ଦ୍ୱାରା ଆଦୃତ ଓ ପ୍ରଂଶସିତ । ଏହି କବିଙ୍କର କାବ୍ୟଧାରା ନବ୍ୟପ୍ରଗତିବାଦୀ ଆନ୍ଦୋଳନକୁ କରିଛି ସୁଦୃଢ଼ ଓ ସମ୍ପ୍ରସାରିତ ।

 

ସମ୍ପ୍ରତି ପୁସ୍ତକ ଆନ୍ଦୋଳନର ଅନ୍ୟତମ ସ୍ରଷ୍ଟା, ମେହନତି ମଣିଷର ମୁଖପତ୍ର ‘ଆରୋହଣ’ ପତ୍ରିକାର ପରାମର୍ଶଦାତାଭାବେ କବିଙ୍କର କାର୍ଯ୍ୟଶୈଳୀ ସ୍ୱତନ୍ତ୍ର ଓ ସ୍ମରଣୀୟ । ଏବେବି ସୃଜନ ମଗ୍ନ ଓ ସାଂସ୍କୃତିକ ବିଚାର ବିମର୍ଶର ଜଣେ ଶ୍ରେଷ୍ଠ ବିଚାରକ ଭାବେ କାର୍ଯ୍ୟରତ ।

 

ରକ୍ତଛୁରି

ଦେଇକି ପାରିବ ମୋତେ ଏକ ରକ୍ତଛୁରି

ସୂର୍ଯ୍ୟର ତନିମା ଢାଳି

ପୂର୍ବାଶାର ବୁକୁ ଚିରି

ଉଦୟର ସେ ଲାଲ୍‌ ବାଛୁରୀ ।

 

ଆକାଶ ପୃଥିବୀ

ନିଘଞ୍ଚ ବନାନୀ

ଆମେ ଯେତେ ଆରଣ୍ୟକ ପ୍ରାଣୀ

ହରାଇଛୁ ନିଜର ଉଆସ

ନିଜ ଗୃହେ ନିଜେ ବନ୍ଦୀ

ଆତତାୟୀ ଶୋଷଣର ବିଷ

କୋରିଖାଏ ଶାଣିତ ଧମନୀ

ଶ୍ରମ କରି ଝାଳ

ଲହୁ ଲୁହ ଏକାକାର

ପରାଜିତ ବିବେକର ଲାଲ୍‌ ତଲୁଆର ।

 

ଦେଇକି ପାରିବ ମୋତେ

ଏକ ରକ୍ତଛୁରି

କାଠୁରିଆ କାଠର କଟୁରି

ହାଣିବାକୁ ଶୋଷଣର ଗଣ୍ଡି

ଜାଳିବାକୁ ଯାତନାର ହାଣ୍ଡି ।

ସେଇ ଛୁରି ଯା’ର ଅଗ୍ରଭାଗେ

ଅଗଣିତ ଶ୍ରମଜିବୀ ଶୋଣିତର

ଶାଣିତ ବିବେକ

ହାଣିପାରେ ସୁତୀକ୍ଷ୍‌ଣ ଆଘାତ

ଅଭାବ ଓ ଦୁଃଖ ଶୋକ ଯାତନା ସଂଘାତ

ଭାଙ୍ଗିଦେଇ ଶୋଷଣର ଛାତ ।

 

ସେଇ ଛୁରି ସେଇ ରକ୍ତଛୁରି

ଉଣେଇଶ ସତରରେ

ଋଷିଆର ଜାର ବୁକୁ ଚିରି

ବଜାଇଲା ମୁକ୍ତିର ମହୁରି

ମେହନତି ମଣିଷର ଭେରୀ ।

 

ସେଇ ଛୁରି ସେଇ ରକ୍ତଛୁରି

ସାଂଘାଇର ବୁକୁ ପରେ ମାରିଥିଲା

ଚ୍ୟାଂ କାଇଶେକେ

ହଟିଥିଲା ଜାପାନୀ ଜାହାଜ

ଭାଙ୍ଗିଥିଲା ଅଫିମର ନିଦ

ଯୁଗେ ଯୁଗେ ତାହାରି ସଂବାଦ ।

 

ସେଇ ଛୁରି ସେଇ ରକ୍ତଛୁରି

ଘୂରି ଘୂରି ଘୂରି

ବହୁଦେଶ, ବହୁପଥ, ବହୁତ ମଣିଷ

ଅତିକ୍ରମୀ ସମୟର ସ୍ରୋତ

ଯାତ୍ରା ତାର ହୋଇନାହିଁ ଶେଷ ।

ସେଇ ଛୁରିକା ଅଗ୍ରଭାଗେ

ରକ୍ତ ଶୋଷ ମଣିଷର ଦଳ

ବାରଂବାର ଫିଂଗିଛି ପଥର

ଲଭିନାହିଁ ତଥାପି ତା’ ଶାଣଦିଆ ଧାର ।

 

ବକ୍ଷେ ବହି ପବିତ୍ର ସେ କ୍ରୋଧ

ହିଂସାର ଅନଳ

ଜାଳିପାରେ ପୋଡ଼ିପାରେ

ରଚିପାରେ ଅଗ୍ନିର ଭୂଗୋଳ

ନିପୀଡ଼ିତ ମଣିଷର ଦଳ ।

 

ସେଇ ଛୁରି ଏକ ରକ୍ତ ତାରା

ସମୁଦ୍ରରୁ ଲମ୍ଫମାରି ବାଛିନିଏ

ଆକାଶରୁ ମାଟିର ବଖରା

ଢାଳିଦିଏ ଆଲୋକର ଧାରା

ମୁକ୍ତିର ପ୍ରଜନ୍ମ ଯେଣୁ ଲୋଡା ଆଜି ଲୋଡ଼ା

ସେଇ ଛୁରି ଏକ ରକ୍ତ ତାରା ।

 

କବିତାରେ କେବେ ବିପ୍ଳବ ଆସେ ନାହିଁ

 

କବିତାରେ ଯେଣୁ ଫୁଟିତ ପାରୁନି ବୋମା

ତେଣୁ ମୁଁ ଧରିବି ହାତେ ରାଇଫେଲ୍‌ ଏକ

ସତକୁ ସତ ସେ ଅଗ୍ନି ଟ୍ରିଗାର ଟିପି

ଫିଙ୍ଗି ଦେବି ଏ ଭାବ-ବିନୋଦିଆ ଭେକ ।

 

ଅନେକ କବିତା ହେଲାଣି ତ ଏଠି ଲେଖା

ଏଣୁ ମୁଁ କବିତା ଲେଖିବିନି ଆଉ ଜମା

କେଉଁଠି କାହିଁକି ପରିବର୍ତ୍ତନ ଢେଉ

ଛୁଇଁ ପାରୁନାହିଁ ସୂର୍ଯ୍ୟୋଦୟର ସୀମା ?

 

ପଚାରିଲି ମୋ’ର ପୂର୍ବଜ କବି ଗଣେ

କହ ଅଗ୍ରଜ କହରେ କାହିଁକି ଏଠି

ତମ କବିତାର କାରୁକାର୍ଯ୍ୟରେ କେହି

ଶୋଷଣର ତୁଲେ ଉଠାଇଲା ନାହିଁ ଲାଠି ?

 

ନିତି ମୁଁ ଦେଖୁଛି ମଣିଷ ମରୁଛି ହାୟ

ମଣିଷର ତୁଲେ ମଣିଷ ଖଟୁଛି ବେଠି

ନିତି ମୁଁ ଦେଖୁଛି ଗରିବର ଦେହ ଝାଳେ

ଭିଜି ଯାଉଅଛି ବସୁନ୍ଧରାର ମାଟି ।

 

ତଥାପି ନିରବ ଏଇ ପୃଥିବୀର ମନ

ତଥାପି ନୀରବେ ଆଖିରୁ ଢାଳୁଛି ଲୁହ

କେଜାଣି କାହିଁକି ଅଟକି ଯାଉଛି କହ

ବନ୍ଧ୍ୟା ତାହାର ଉଷ୍ମ ଶୋଣିତ କୋହ ?

 

ଉତ୍ତର ତମେ ଦେଇପାରିଲନି କବି

କାରଣ ତମର କବିତା ଛଳନାମୟୀ

ଜୀବନ ଯାହାର ପ୍ରାଚୁର୍ଯ୍ୟ ତୂଲେ ଗଢ଼ା

କବିତାରେ ତାର ‘ବିପ୍ଳବ’ଆସେ ନାହିଁ ।

 

କବିତାରେ କେବେ ‘ବିପ୍ଳବ’ ଆସେ ନାହିଁ

ଜୀବନରେ ଯଦି ‘ବିପ୍ଳବୀ’ ଆଚରଣ

ପାଳନ ନ କର ତମ କବିତାରେ କେହି

‘ବିପ୍ଳବ’ ପାଇଁ କରେ ନାହିଁ ସଂଗ୍ରାମ ।

 

ଏଇକଥା ଯେଣୁ ବୁଝି ମୁଁ ପାରିଛି ଆଜି

ଗୋଟାଏ ହାତରେ ଫିଙ୍ଗିବି ଏକ ବୋମା

ଆର ହାତେ ମୋର ଅଗ୍ନି ବର୍ଚ୍ଛା ସମ

କରିଯିବି ମୁହିଁ କବିତାର ସର୍ଜନା ।

 

ଭାରତବର୍ଷ

 

॥ କ ॥

 

ସ୍ୱାଧୀନତାର ଚାଳିଶ ବର୍ଷ ପରେବି

କିମ୍ଭୁତ କିମାକାର ଯାହାର ପରିବେଶ

କିମ୍ଭୁତ୍‌ କିମାକାର ଯେଉଁ ଦେଶ ।

 

॥ ଖ ॥

 

ଯାହାକୁ ଡକାଯାଏ ମା

ତା କୋଳରେ

କଳାହାଣ୍ଡି ପରି ଏକ ଛୁଆ ।

 

॥ ଗ ॥

 

ଯେଉଁଠି ଦେଖିବ ଦୁର୍ନୀତି

ସେଇଠି ଭାରତବର୍ଷର ସ୍ଥିତି

ଯେଉଁଠି ଦେଖିବ ଧର୍ମ

ସେଇଠାରେ ଭାରତବର୍ଷର ନାମ ।

 

॥ ଘ ॥

 

ଭାରବର୍ଷ !

୭୦ କୋଟି ଲୋକଙ୍କ ପେଟରେ

ଯେଉଁଠି କ୍ଷୁଧା

ଦୁଇ ଲକ୍ଷ ବର୍ଗମାଇଲ ଅଞ୍ଚଳରେ

ଯେଉଁଠି ମରୁଡ଼ି

୨୪ ଘଣ୍ଟା ଯେଉଁଠି ଅନ୍ଧାର ।

 

॥ ଙ ॥

 

ଭାରତବର୍ଷ !

ନାରୀ ଧର୍ଷଣରେ

ଦୁର୍ନୀତିରେ

ଅନାହାର ମୃତ୍ୟୁରେ

ସବୁଠାରୁ ଉପରେ ଯାହାର ନାଁ ।

 

॥ ଚ ॥

 

ଇଲେକ୍‌ସନ୍‌ ଆସିଲେ

ଏଠି ଚାଲେ ଭୁରି ଭୋଜନ

ନ ଆସିଲେ ଯାଏ ଆସେବା କ’ଣ

କେହି ତା’ର ଦେଇ ପାରନ୍ତିନି

ଉତ୍ତର ।

 

॥ ଛ ॥

 

ମଧ୍ୟବିତ୍ତ ଏଠି ହାଇ ମାରେ

ସର୍ବହରା ଶୋଣିତ ନିଗାଡ଼େ

ଶୋଷକ ଏଠି ଗଦି ସଜାଡ଼େ ।

 

॥ ଜ ॥

 

ଦଲାଲମାନେ ଏଠି

ଦିବ୍ୟ ପୁରୁଷ

ଦସ୍ୟୁମାନେ ଏଠି ଦେବତା

ମୁର୍ଖମାନେ ଏଠି ମହା ପଣ୍ଡିତ

ଭାଟମାନେ ଏଠି ମହାକବି

ବିବେକୀମାନେ ଏଠି ବୋକା ।

 

॥ ଝ ॥

 

ଭାରତବର୍ଷ !

କବିଗୁରୁଙ୍କର ଦେଶ

ବୁଦ୍ଧ ବାପୁଜୀଙ୍କର ଦେଶ

ଏଠି ମୁଷ୍ଟିବଦ୍ଧ ହୋଇଗଲେ ହାତ

ଉର୍ଦ୍ଧ୍ୱକୁ ଉତ୍ତୋଳିତ ହେଲେ

ରକ୍ତ ନେତ

କିଛି ଲୋକଙ୍କୁ ମାଡ଼ିବସେ

ପୂର୍ବସୂରୀଙ୍କ ଭୂତ ।

 

॥ ଞ୍ଜ ॥

 

ଭାରତବର୍ଷ !

ଯାହାର ନାଗରୀକ ମାନଙ୍କ

ରକ୍ତରୁ

ନିଗାଡ଼ି ନିଆଯାଇଛି

ନିଆଁ

ପାଟିରୁ ଶବ୍‌ଦ

ହାତରୁ ଶକ୍ତି

ନିର୍ବାକ ନିସ୍ପନ୍ଦ ଏକ

ପାଳଭୂତ ।

 

 

ଗିରିଜା କୁମାର ବଳୀୟାରସିଂହ

୧୯୫୪-

 

ଉତ୍ତରଅଶୀ ଓଡ଼ିଆ କବିତା କ୍ଷେତ୍ରରେ ପରିବର୍ତ୍ତନ ସମୟର ଅୟମାରମ୍ଭ, ଥିଲା ଗୋଟେ କ୍ରାନ୍ତିର କାର୍ତ୍ତିକ ସକାଳ । ମନୁବାଦୀଙ୍କ ସଇତାନି ସଂସ୍କୃତି, ସାହୁକାରଙ୍କ ସୁଧଖୋର ଶୋଷଣ, ସରକାରୀ ଶାସନର ଅଜଗରୀ ଅବିଚାର, ସାମାଜିକ ବୈଷମ୍ୟ ଓ ସାମ୍ରାଜ୍ୟବାଦ ବିରୁଦ୍ଧରେ ସେହି କ୍ରାନ୍ତିର ସକାଳ ଥିଲା ଗୋଟେ ମନ୍ତ୍ରମୁଗ୍ଧ ମୁକ୍ତିର ମହାଡାକ । ଏତିକିବେଳେ କବି ଗିରିଜା କୁମାର ବଳୀୟାରସିଂହଙ୍କ ରକ୍ତର ରାଣ, ହାଡ଼ର ହଲପରେ ଲେଖାହୁଏ ‘ଭାରତବର୍ଷ’ର ପ୍ରଥମ ପର୍ବ । ପ୍ରାୟ ପଚିଶ ବର୍ଷର ବୈଶାଖ ଅତିକ୍ରାନ୍ତ ପରେ ସେହି ବହୁଚର୍ଚ୍ଚିତ କବିତା ସଂଗ୍ରହ ଭାରତବର୍ଷ ଓଡ଼ିଆ ପ୍ରଗତିବାଦୀ କବିତାର ଧାରା ଓ ଧରାକୁ ଦେଇଛି ନୂଆମୋଡ଼, ଦିଗ୍‌ଦର୍ଶନ ।

 

ଶବ୍ଦ ଓ ଶୈଳୀର ଶ୍ରେଷ୍ଠ ସନ୍ନ୍ୟାସୀ କବି ଗିରିଜା ବଳୀୟାରସିଂହ ଅଶୀଉତ୍ତର ଓଡ଼ିଆ ଆଧୁନିକ କବିତାର ଅନ୍ୟତମ ଅଗ୍ରକବି ଜନବାଦୀ କାବ୍ୟସ୍ୱର ଭିତରେ ତୃଣ ଓ ତୀରର ଅପୂର୍ବ ସମନ୍ୱୟ ହେଉଛି ତାଙ୍କ ସାଧନାର ଶୀର୍ଷତମ ସୂତ୍ର । ପ୍ରାଞ୍ଜଳ ଅଥଚ ପ୍ରଲମ୍ବିତ, ବାସ୍ତବ ଅଥଚ ଅବ୍ୟର୍ଥ, ଗୈରିକ ଅଥଚ ଗୁରୁଗମ୍ଭୀର ହେଉଛି ଗିରିଜାଙ୍କ ଚାରିଦଶଦ୍ଧିଧରି ତାଙ୍କ ସାଧନାର ସାରସ୍ୱତ ଭୂମି ।

 

କ୍ରୋଞ୍ଚ ମିଥୁନର ମାନଚିତ୍ରରୁ କୌରବ ପୀଡ଼ିତ ଭାରତ ବର୍ଷର ଭୀଷ୍ମଶଯ୍ୟା ପର୍ଯ୍ୟନ୍ତ ନିଜସ୍ୱ କାବ୍ୟଭୂମିରେ ଏବେ ବି କବି ସ୍ୱପ୍ନବିଭୋର, ସୃଜନମଗ୍ନ ।

 

ଭାରତବର୍ଷ

 

କୁରୁକ୍ଷେତ୍ର

କି କରୁଣ କୁରୁକ୍ଷେତ୍ର ! କାହାଂତି ବା କ୍ରୁଦ୍ଧ କୌରବେୟ ?

ପଡ଼ିରହେ ପୁରାଣର ପରିତ୍ୟକ୍ତ ପୃଥକ୍‌ ପୃଥିବୀ .......

କାହିଁ ଧନୁ ? କାହିଁ ଗଦା ? କାହିଁ କୁଂତ ? କୌଣସି କୌଂତେୟ?

କପଟପଶାର କାଠି ବୋଲ ମାନେ ଯଦିଚ ଆଜି ବି !

 

କାହିଁ ରଥୀ ? ମହାରଥୀ ? ସାରଥିର ସୁଦର୍ଶନ ଚକ୍ର ?

କୁଂଡଳିତ କାଳଗର୍ଭେ କୃତବୀର୍ଯ କର୍ଣର କବଚ ......

ନଳବନେ ନୀଳନାଗ ....... ନଷ୍ଟ ନଗ୍ରେ ନରକର ନକ୍ର

ପଦାତିର ପାଦଟୀକା ପାସୋରିଛି ପାଂଶୁଳ ପାବଚ୍ଛ !

 

କାହିଁ ତୂରୀ ? କାହିଁ ଭେରୀ ? କାହିଁ ବାଦ୍ୟ ? କାହିଁ ପାଂଚଜନ୍ୟ ?

ବିବସନା ବିଷକନ୍ୟା ...... ବିବାସିତା ବିଧବା ବିଧାତ୍ରୀ ...

ସ୍ୱପ୍ନର ଏ ସାନୁଦେଶେ ଜାନୁଭଂଗ ଜଘନ୍ୟ ଜଘନ୍ୟ

ଯଦିଚ ଆଜି ବି ନଏଁ ଦ୍ରୌପଦୀର ଦୀର୍ଘକେଶା ରାତ୍ରି !

 

କରୁଣ ଏ କବରରେ କାଂଦି ମରେ କେଉଁ କାଳିଜହ୍ନ ?

ଘୂର୍ଣ୍ଣିର ଘୋଷଣାନାମା ଘୋଷିହୁଏ ଘଞ୍ଚ ଘାସବଣ ॥

 

କ୍ଷତ୍ରିୟର କ୍ଷତ

ଦୀର୍ଘ ହୁଏ ଦୁଃଖସବୁ .........ଦୁଃସ୍ୱପ୍ନର ଦୁରଂତ ଦ୍ରାଘିମା .....

କାହିଁ ଦ୍ରୋଣ ? କାହିଁ ଭୀଷ୍ମ ? ଭ୍ରଷ୍ଟ ସବୁ ଭସ୍ମର ଭକ୍ଷାଂଶ

କାହିଁ ଗୃହ? କାହିଁ ବ୍ୟୁହ ? କାହିଁ ଦୁର୍ଗ ? ଦିଗଂତର ସୀମା ?

ଆଶାସବୁ ଅକ୍ଷୌହିଣୀ ! ଅତୀତଟା ଆହତ ଅକ୍ଷାଂଶ !!

 

କାହିଁ ଅଶ୍ୱ ? କାହିଁ ହସ୍ତୀ ? ସିଂହନାଦ ଶୁଭୁନି ଟିକିଏ

ଶତବକ୍ର ରଥଚକ୍ର .......... କଙ୍କରିତ କବନ୍ଧ, କଂକାଳ

କ୍ରୋଧର ସେ କ୍ରୋଡପତ୍ର କୀଟଦଂଷ୍ଟ ! କାହିଁକି ବା କିଏ

ପୃଥୁଳ ପୋଥିର ପୃଷ୍ଠା ପଢ଼ି ପଢ଼ି, ସାରିବ ସକାଳ ?

ବିଜୟ ନା ବିଲୟ ନା ବ୍ୟାସୋକ୍ତି ନା ବ୍ୟାଜୋକ୍ତିର ବ୍ୟାପ୍ତି

ସିଂହାର ନା ସିଂହାସନ ? ସଂଗ୍ରାମ ନା ସଂଦିଗ୍ଧ ସ୍ୱଗତ ?

ଦ୍ୱଂଦ୍ୱର ଏ ଦୁଂଦୁଭିରେ ବଂଶ ପରେ ବଂଶର ବାଜ୍ୟାପ୍ତି

ସଂଯୁଗୀନ ସଭ୍ୟତାର ସତ୍ୟ ଖାଲି - କ୍ଷତ୍ରିୟର କ୍ଷତ !

 

ବାକି ସବୁ ବିପ୍ରଳାପ ......... ବିଡଂବିତ ବୀରତ୍ୱର ବ୍ୟଥା

କରୁଣ ଏ କୁରୁକ୍ଷେତ୍ର କହିଯାଏ କୁହୁଡ଼ିର କଥା ॥

ବଂଶଭାରତ

ହେ ବଂଶଭାରତବର୍ଷ ! ବସୁମାତା ଭୃଣହତ୍ୟା କରେ

କନ୍ୟା କୁମାରିକା କୂଳେ କୁଳବର୍ଗ କୁଳାଂକୁରକାମୀ

ଗୋପର ଗୋହତ୍ୟା ଏବଂ ବଦ୍ରିକାର ବ୍ରହ୍ମହତ୍ୟା ପରେ

ଦିଅ ମତେ ଫାଶୀଦଂଡ - ମୁଁ ତୁମର ଆଜନ୍ମ ଆସାମୀ !

 

କବଜରେ କପିଧ୍ୱଜ । ଏ କବଚ କୁଂଡଳ କାହାର ?

ମୋ’ ଶରବର୍ଷାର ଋତୁ ଭୋଗୁଚି ମୁଁ ଭଂଗାଧନୁମେଳେ

ଅକ୍ଷମ ଏ ଅକ୍ଷୌହିଣୀ ଆସୁରିକ ଆଁ’ର ଆହାର

ମୁଁ ଖୋଜୁଚି କୁଟାଖଂଡେ ଘଟଗାଆଁ ଘରପୋଡ଼ିବେଳେ !

 

ମୋ’ କୁଳର କୋକେଇକୁ କୁଟୁଂବରୁ କାଂଧେଇବ କିଏ ?

ସହଳ ମୁଁ ଶୋଇପଡ଼େ, ଶେଷଥର-ହେ ଶିଆଳୀଲଟା,

ମୋ’ ମାୟାସଂଧ୍ୟାର ମୃତ ମୁହୂର୍ତକୁ ମାଫି ମାଗିନିଏ

ତୁଂଡର ଏ ତିରଣ ନା ମୁଂଡର ସେ ମୟୂରଚୂଳଟା ?

 

ହେ ବଂଶ ଭାରତବର୍ଷ ! ଅଂଶର ଏ ଅବତାର ଅଧା .....

ଖାଂଡବର ଖାତକ ମୁଁ ଖରକୁଚି ଖୋଲା ଖତଗଦା !

ଧଳା ତାରିଖର ତରା

ହେ ତରା ତମକୁ ଦିନେ ଧରା ଦେବି ଧଳା ତାରିଖରେ

କାଦୁଆ ମୋ’ କଟକରେ କାଂଦୁଥିବ କଦଂବ କଦବା

ଅହ୍ୟସୁଲକ୍ଷଣୀମାନେ ଆଶା କରେ ଭଲ ଥିବେ ଘରେ

ଅଗନାଗ୍ନି ଅରଣ୍ୟରୁ ଆସୁଥିବେ ଅଯୋନିସମ୍ଭବା !

 

ହେ ତରା ତମର ଗାଆଁ ସତେଇଶ ସଉତୁଣୀ ସାହି

ଅପସରା ଅପଂତରା : ଅସହଣୀ ଅସତୀ ବସତି

ନଖ ବି ଉଷୁମ୍‌ ହେଲେ ଉଆଁସର ଉଁ’ ଚୁଁ’ ନାହିଁ

ଚଉରାଶି ଚର୍ମଚର୍ଯ୍ୟା - ଚଉଷଠି ଯୋଗିନୀଂକ ପ୍ରତି !

 

ହେ ତରା ତରକୁଅଚି ଆଖି ଆଗେ ଅଧୁନା ଅନ୍ଧାର

ଜରିପୋଷାକରେ ଜଳେ ଜନ୍ମଦିନ ଜରାଜର୍ଜରିତ

ଚଂଦ୍ରର ଏ ଚରିତ୍ରଟା କଳଂକରେ କେଡ଼େ ଚମତ୍କାର

ନବରସ୍ଥ ନବନାରୀ - ଏବଂ ଦଶକୁମାରୀ ଚରିତ !

 

ହେ ତରା ତମେ ମୋ’ ଅନ୍ଧ ପୁଟୁଳିକୁ ଫିଟାଇବ ଆସ

ଚିରିଦିଏ ଚିତ୍ତବୃତ୍ତି ଚାହୁଁଚାହୁଁ ଚାରୁ ଚାଂଦ୍ରମାସ !

 

 

ପ୍ରଶାନ୍ତ ମିଶ୍ର

୧୯୫୫-

 

ପ୍ରଗତିବାଦୀ କାବ୍ୟ ପରମ୍ପରାରେ କବି ପ୍ରଶାନ୍ତ ମିଶ୍ରଙ୍କ ପ୍ରବେଶ ଓ ତାଙ୍କର ସୃଜନ ଅବଦାନ ‘ଶିଖା ସ୍ୱାକ୍ଷର’ ଠୁ ‘ବହ୍ନି ବର୍ଣ୍ଣମାଳା’ ପର୍ଯ୍ୟନ୍ତ ପ୍ରକାଶିତ କେତେକ କବିତା ପୁସ୍ତକ ଉଲ୍ଲେଖନୀୟ ।

 

ଉପେକ୍ଷିତ, ନିପୀଡ଼ିତ, ଭୂମିହୀନ ମଣିଷଙ୍କ ବିପର୍ଯ୍ୟସ୍ତ ବଞ୍ଚିବା ବିଷୟ, ଚାଷୀର ଉଜୁଡ଼ା ଫସଲ କ୍ଷେତ ଓ ଆତ୍ମାହତ୍ୟା ପ୍ରସଙ୍ଗ, ଅଧିବାସୀଙ୍କ ଅଧିକାର ଆଦି କବିଙ୍କ ଶାଣିତ ସର୍ଜନାର ଛତ୍ରେ ଛତ୍ରେ ଅତି ସାର୍ଥକ ଭାବରେ ସଂଯୋଜିତ । ସମକାଳର ସାମାଜିକ ନ୍ୟାୟ ପାଇଁ ଉଦଘୋଷଣାରେ କବିତା ହେଉଛି ଅସ୍ତ୍ର, ଏଥିରେ ଘୋର ବିଶ୍ୱାସୀ କବି ପ୍ରଶାନ୍ତ ମିଶ୍ର ।

 

‘ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀ’ର କାର୍ଯ୍ୟକାରୀ ସଭାପତିଭାବେ କବିଙ୍କର ସାଙ୍ଗଠନିକ ଦକ୍ଷତା ଓ ବିଭିନ୍ନ ଗଣ ସଙ୍ଗଠନରେ ସକ୍ରିୟ ସମ୍ପୃକ୍ତି ବାମମାର୍ଗୀୟ ଚିନ୍ତା ଚେତନାକୁ ବିସ୍ତାର କରାଇବା କ୍ଷେତ୍ରରେ ଯଥେଷ୍ଟ ସାହାଯ୍ୟ କରୁଛି । କବି ଏବେ ବି ଅଛନ୍ତି ସଂଗ୍ରାମ ସହିତ ସାଧନାରତ ।

 

ରକ୍ତସ୍ରାବର ଛନ୍ଦ

 

ହେ ମୋର ପ୍ରଥମ ପ୍ରେମ

ହେ କବିତା ମଣିଷର ଭାଷା !

ହେ ଜାଗ୍ରତ ଅବସ୍ଥାର

ସ୍ୱପ୍ନ ମୋର ବିଶ୍ୱାସ ଓ ଆଶା !

 

ନିରନ୍ତର ନିଦ୍ରାହୀନ

ହେ ଜୀବନ ଜିଜୀବିଷା ମୋର !

ହେ ସଂଗ୍ରାମ ହେ ସଂଘାତ

ଶିଖାୟିତ ସ୍ୱେଦର ସ୍ୱାକ୍ଷର !

 

ହେ ବିଦ୍ରୋହୀ ମାନବତା

ମୁକ୍ତିକାମୀ ମଶାଲର ନିଆଁ !

ଚୁକ୍ତିର ବିରୋଧୀ ପକ୍ଷ

ହେ ଚିନ୍ତାର ଲୋହିତ ଦରିଆ !

 

ବିପଦ ଆପଦ ଭରା

କଣ୍ଟକିତ ଚଲାପଥେ ମୋର!

ତମକୁ ମୁଁ ପାଏ ନିତି

ତମେ ଛନ୍ଦ ମୋ ରକ୍ତସ୍ରାବର !

 

ସାଥୀ

 

ଜହର ଥିଲା ଜହର ଖାଲି

ଜଗତ ଏକ ଜ୍ୱାଳାରେ ଭରା

ଜୀବନ ମାନେ ବୁଝି ମୁଁ ଥିଲି

ରୁଦ୍ରଋତୁ ଜ୍ୟେଷ୍ଠ ଖରା ।

 

ଜାହ୍ନବୀ ଗୋ ଆସିଲ ତମେ

ଆସିଲ ଦିନେ ଅକସ୍ମାତ

ମୁଖର କରି ଶୁଷ୍କ ମାଟି

ଶୂନ୍ୟ ନଭ ଶପ୍ତ ପଥ ।

 

ଆନ୍ଦୋଳିତ ସହସା ହେଲା

ଧୂର୍ଜଟିର ଜଟିଳ ଜଟା

ଶୀତଳ ଜଳତରଙ୍ଗର

ଶାନ୍ତ ଏ କି ସ୍ପର୍ଶଛଟା ।

 

ଅଦ୍ଭୁତ ଏକ ବିସ୍ମୟରେ

ଅନାଇଲି ମୁଁ ଦୃଷ୍ଟି ତୋଳି

ସମ୍ମୁଖେ ମୋ ଜାହ୍ନବୀ ଗୋ

ହୋଇଛ ଠିଆ ମୟୂଖ ବୋଳି ।

 

କ୍ଳାନ୍ତ କ୍ରୂର ପ୍ରତୀକ୍ଷାର

ଅନ୍ତ ତମ ନୟନେ ଲେଖା

କହିଲ ତମେ-“ସ୍ୱପ୍ନ ହେଲା

ସତ୍ୟ ଆଜି ପାଇଲି ଦେଖା ।

 

ଯୋଦ୍ଧା କବି ଗଭାରେ ମୋର

ଜ୍ୱାଳାର ଜବା ଦିଅ ହେ ଖୋସି

କହେ ମୁଁ କଥା ତମରି ସ୍ୱରେ

ପୁଷ୍ପାସବ ପୀଡ଼ାରୁ ଶୋଷି ।

 

ତାହା ହିଁ ହେଲା ଗାଇଲ ତମେ

ମୋ ସହ ମିଶି ଯାତନାଗୀତା

ନିଝୁମ୍‌ ରାତି ମଧ୍ୟ ଯାମେ

ଜଳିଲା ତମ ସୁଖର ଚିତା ।

 

ବିପଦ ହେଲା ସମ୍ପଦ ଗୋ

ଯାତ୍ରା ପଥେ ତମରି ପାଇଁ

ତଥାପି ତମେ ଯାଇନ ଦବି

ବୁଲାଇ ମୁହଁ ଚାହିଁନ କାହିଁ ।

 

କଲମ ଥୋଇ କୃପାଣ ତୋଳି

ସଲାମ୍‌ କରେ ତମକୁ କବି

ତମେ ମୋ ସାଥୀ ସୈନିକା ଗୋ

ଅନିର୍ବାଣ ତମରି ଛବି ।

 

Unknown

ଭୋର୍‌ ଆକାଶର ତାରା

 

ଭଗତ୍‌ ସିଂର ଦାୟାଦ ତମେରେ

ଭୋକୀ ଭାରତର ଦୁର୍ଜୟ ଲାଲସେନା

ପାଦରେ ତମର ପାବକ ଛନ୍ଦ

ହାତରେ ତମର ସର୍ବହରାର

ରକ୍ତ-ଲୋହିତ ବାନା ।

 

କ୍ରାନ୍ତିର ତମେ ଶିଳ୍ପୀ ସାଧକ

ତମେ ବିପ୍ଳବୀବଂଶୀବାଦକ

ହାହାକାର ପୋଛି ହୁଂକାର ତମ

ହୁତାଶନ ସମ ଜଳେ

ନକ୍ତଚର ଓ ରକ୍ତରୁଣୀର

ନାଆଁ ଲେଖ ତମେ

ହତିଆରେ ହତିଆରେ ।

 

ବନ୍ଧନ ଡେଇଁ କ୍ରନ୍ଦନ କାଟି

ଚନ୍ଦନଟିପା ଲେଖେ ବିଶ୍ୱାସ

କପାଳରେ ତମ ଗୁଳି

 

ଲଢ଼ୁଆ ଓ ମେହନତୀ ମଣିଷର

ତମେ ବନ୍ଧୁ ଓ ସଖା ସହୋଦର

ନିଃଶ୍ୱାସେ ତମ ନବ୍ୟ ଏଇ ଏ

ତୋଗଲକରାଜ ମୋଗଲତନ୍ତ୍ର

ଇମାରତ ପଡ଼େ ଟଳି ।

 

ଦୁର୍ଗମଗିରି ଘନବନ ବୁକେ

ଗୋପନ ଆବାସେ ତମ

ରନ୍ଧା ତ ହୁଏ ବାରୁଦଚୂଲିରେ

ଏ ଦେଶ ଜାତିର ମୁକ୍ତିଅନ୍ନ

ଆନନ୍ଦ ଅନୁପମ ।

 

ମୃତ୍ୟୁକୁ ମାରି ଦମନକୁ ଦଳି

ଦାବାନଳ ଶିଖା ତମେ ଉଠ ଜଳି

ଏଠି ମଉଳିଲେ ସେଇଠି ତମର

ଶିଖାର ପଦ୍ମ ଫୁଟେ

 

ତାମସୀ ନିଶିର ତମସା ବିଦାରି

ଜନଚେତନାର ଅହିରାଜ ଫଣା

ଅନଳ ଭଗାରି ଉଠେ ।

 

 

ଦୁଃଶାସନର ଦରବାରେ ପଡ଼େ

ଦୁର୍ଭାବନାର କରାଳ ଇଗଲ ଛାଇ

କୌଣସି ସ୍ଥାନ ଏଇ ପୃଥିବୀରେ

ନିରାପଦ ନୁହେଁ

ସଂଗ୍ରାମଶୀଳ ମହାଜନତାର

ଶତ୍ରୁ ଲୁଚିବା ପାଇଁ ।

 

ଏଇ କଥା କହେ ତମ ରାଇଫଲ୍‌

ତମ ସାମରିକ ପୋଷାକେ ଶୋଭିତ

ବୁଲେଟ୍‌ର ଉପବୀତ

 

ଏଇ କଥା କହେ

ଅସନ୍ତୋଷର ବଜ୍ର ବିଜୁଳି

ଶ୍ରେଣୀଯୁଦ୍ଧର ଅଙ୍ଗନେ ଠିଆ

ଶୋଷିତ ମଣିଷ ହିତ ।

 

ଭଗୀରଥ ତମେ ଚାଲ ଆଗେଆଗେ

ପଛରେ ତମର ମୁକ୍ତି-ପାଗଳ

ଗଣଗଙ୍ଗାର ଧାରା

 

ଉନ୍ମାଦ ନୁହଁ ଉଗ୍ର ତମେରେ

ଆଗାମୀ ଭାଷାରେ ମୁଁ ତମକୁ କହେ

ସୂର୍ଯ୍ୟୋଦୟର ସଙ୍କେତବାହୀ

ଭୋର୍‌ ଆକାଶର ତାରା ।

 

ଦିନେ ଦିନେ

 

ଦିନେ ଦିନେ ଇଚ୍ଛା ହୁଏ

ମୋ ନାଁ ରେ ତମେ ପରିଚିତ ହୁଅନ୍ତ

ଦିନେ ଦିନେ ଇଚ୍ଛା ହୁଏ

ବଦଳେଇ ଦିଅନ୍ତି ନିଜ ନାଁ

କାହିଁକିନା ଲୋକେ ଜାଣନ୍ତି

ସୁହାସିନୀ, ମାନେ ଗଙ୍ଗଶିଉଳି ଫୁଲ

ସୁହାସିନୀ, ମାନେ ଓଠରେ ସରିଯାଉଥିବା ସିଗାରେଟ୍‌

ସୁହାସିନୀ, ମାନେ ବର୍ଷ ବର୍ଷ ଧରି

ଫସଲ କଟାଯାଉଥିବା କ୍ଷେତ ।

 

ଦିନେ ଦିନେ ଇଚ୍ଛା ହୁଏ

ତମକୁ ହୋଟେଲରେ ଖୁଏଇ ସାରି

‘ବିଲ୍‌’ର ପଇସା ଦିଅନ୍ତି ମୁଁ

ଦିନେ ଦିନେ ମୋ ଆବଶ୍ୟକତା

ବୁଝେଇ ଦେବା ଲାଗି

ହଜିଯାନ୍ତି କିଛିବେଳ ।

 

 

ରୋଷେଇ ଘରେ ଲୁହ ଝାଳରେ

ଭିଜି ଯାଇଥିବା ବୋହୁଟିକୁ

ମିସ୍ତ୍ରୀ ପାଖରେ ମସଲା ଘାଣ୍ଟୁଥିବା

ମୁଲିଆଣୀକୁ

ସେଇ ଏକା ପରାଧୀନତାର କଥା ପଢ଼ିବାକୁ

ସ୍କୁଲ, କଲେଜ୍‌ ଯାଉଥିବା ଝିଅମାନଙ୍କୁ କହନ୍ତି

ତମ ଜୀବନର ଭାଗ ମାପ ତମର

କେବଳ ତମର ।

ଶତାବ୍ଦୀ ଶତାବ୍ଦୀ ଧରି ନାରୀକୁ

ଚିତ୍ରଣ କରୁଥିବା ବିଦଗ୍‌ଧ କବିମାନଙ୍କୁ କହନ୍ତି

ଫେରେଇ ନିଅ ତମର ସମ୍ବେଦନା

ଆହୁରି କିଛି ସମୟ ଦରକାର

ଲୋକେ ବୁଝିବାକୁ ଯେ

ନମ୍ରତାର ଅର୍ଥ ଦୁର୍ବଳତା ନୁହେଁ

କି ଲଜ୍ୟା, ପାପ ଢାଙ୍କିବାର ବସ୍ତ୍ର ନୁହେଁ

ଶ୍ରଦ୍ଧା, ମାଗି ଆଣିବାର ଚିଜ ନୁହେଁ

କି ଅଧିକାର କେବେ ଜନ୍ମଗତ ନୁହେଁ ।

 

ଦିନେ ଦିନେ ଇଚ୍ଛାହୁଏ

ଅବକାଶହୀନ ଗୂଢ ବ୍ୟଥାର ଅନ୍ଧାରରୁ

ମୁକ୍ତ କରନ୍ତି ନିଜକୁ

ଶୂନ୍ୟତାଠୁ ତୋଳି ଆଣନ୍ତି

ମୁଠା ମୁଠା ସ୍ୱଚ୍ଛ ସକାଳ ।

 

ଦିନେ ଦିନେ ଇଚ୍ଛା ହୁଏ, ଏଥରକ

ଦର୍ପଣ ବଦଳରେ ତମେ ଉପହାର ଦିଅନ୍ତ

ଜୀବନର ଗୋଟେ ସୁନ୍ଦର ଛବି

ଦିନେ ଦିନେ ମୁଁ ନିଜକୁ ଛିଡ଼ା କରାନ୍ତି

ତମ ଛାଇ-ବ୍ୟତୀତ ଜାଗାରେ ।

 

ବଡ଼ଦାଣ୍ଡ

 

ସବୁ କିଛିର ଶେଷରେ

ଏକ ବିପନ୍ନ କାଣ୍ଡ ଭଳି ଲମ୍ବା

ଏ ରାସ୍ତା ବଡ଼ ଦାଣ୍ଡ ।

 

ଇଏ ଏକାଗ୍ରଭାବେ

ଆଙ୍କୁଛି ମନ୍ଦିର ଚୂଡ଼ାର ଛବି

କିଏ ବାସ୍ନା ସାବୁନ

କିଣି ନେଉଛି ପାଖ ଦୋକାନରୁ

ଶହ ଶହ ମଣିଷଙ୍କର କଥାବାର୍ତ୍ତା

ହସାହସି ଭିତରୁ

ଉଠି ଆସୁଛି ମୃତ୍ୟୁଭଳି

ପରାଜୟ ଭଳି ନିସ୍ତବ୍‌ଧତା ।

 

ମୁଁ ମୋ ଶୂନ୍ୟତାଠାରୁ ଚାଲିଆସିଛି

ତଥାକଥିତ ମୁକ୍ତି ପାଖକୁ

ଧୂପ ଅଗୁର ବାସ୍ନା ଭର୍ତ୍ତି ହେଉଛି

ବିଷଣ୍ଣ ଧୂଳି ପବନରେ

ଆକାଶସାରା ଭୋକିଲା କାଉଙ୍କର

ରା ରା ସ୍ୱର ଶୁଣାଯାଉଛି

ଲଗାତର ଘଣ୍ଟା ଧ୍ୱନି ସତ୍ତ୍ୱେ ।

 

ଆଗକୁ ଚାହିଁଲେ ଶ୍ରୀମନ୍ଦିର

ପଛରେ କୁଷ୍ଠରୋଗୀର ଶୁଖିଲା କାଶ

ଖାଲି ପାଦରେ ପିଲାଟିଏ ଧାଇଁ ଆସୁଛି

ମୋତେ ବିଡ଼ାଏ ସଳିତା ଯାଚିବାକୁ

ତା ଆଖିରେ ଭକ୍ତି ବଦଳରେ

ପ୍ରଚ୍ଛନ୍ନ ଅଭିମାନ

ମୋ ଅର୍ଚ୍ଚନାରେ କେବେ ସତ ହେବନି

ତା’ସ୍ୱପ୍ନ ।

 

ଅନେକଥର ଅନେକଦିନ ଧରି

ମୁଁ ଚାଲିଛି ଏ ରାସ୍ତାରେ

ଚପଲ ଫିତା ଛିଡ଼ିଛି

ବୁଢା ମୋଚି ଆଡ଼କୁ ମୁଁ ବଢ଼େଇ ଦେଇଛି ପାଦ

ସେତେବେଳେ ଲାଗିଛି ମୁଁ ମୋଚି

ସେ ପଥଚାରୀ, ସେ କଳାଠାକୁର

ମୁଁ ତା ପାଖକୁ ଅପହଞ୍ଚ ବାଟଟିଏ

ଅବକିଳ ଏ ବିସ୍ତୃତ ରାସ୍ତାଭଳି ।

 

ଥରେ ଥରେ ଲାଗେନା

ମଣିଷର ଅଜସ୍ର ଲୁହ

ଓ ଆକାଙ୍‌କ୍ଷା ଧରି

ଏ ରାସ୍ତା ଯେମିତି ପହଞ୍ଚି ପାରିନି

ଶ୍ରୀମନ୍ଦିର ପାଖେ ।

 

 

ବସନ୍ତ ମୁଦୁଲି

୧୯୫୫-୧୯୮୬

 

ଓଡ଼ିଆ କ୍ରାନ୍ତିକାରୀ କାବ୍ୟ ସାହିତ୍ୟକୁ ସ୍ୱକୀୟ ପ୍ରତିଭାର ମହନୀୟତାରେ ସୁସମୃଦ୍ଧ କରିଥିବା କୀର୍ତ୍ତିମାନ ସ୍ରଷ୍ଟାମାନଙ୍କ ମଧ୍ୟରୁ ବିଦ୍ରୋହୀ କବି ବସନ୍ତ ମୁଦୁଲି ହେଉଛନ୍ତି ଅନ୍ୟତମ, ସେ ସମୟର ତରୁଣ ସ୍ରଷ୍ଟା । ଦୁଃଖ, ଦୈନ୍ୟସହ କଥାବାର୍ତ୍ତା ଥିଲା ତାଙ୍କ ଜୀବନର ପରିଧି.ପ୍ରତିବାଦ ଥିଲା ତାଙ୍କ କାବ୍ୟଉଚ୍ଚାରଣର ମୌଳିକ ମନ୍ତ୍ର ।

 

ମାକ୍ସର୍ସବାଦ ଚିନ୍ତା ଓ ଚେତନାର ଲୋହିତପ୍ରବାହ ‘ଅବଧୂତ’ଗୋଷ୍ଠୀର ପରବର୍ତ୍ତୀ ପିଢ଼ିଭୁକ୍ତ ଏହି କବି ହେଉଛନ୍ତି ପ୍ରଗତିବାଦୀ କାବ୍ୟ ଆନ୍ଦୋଳନର ସାଲିସ୍‌ବିହୀନ ସାଥୀ ଓ ସାରଥୀ । ସେ ଥିଲେ ମେହନତି ମଣିଷର ସନ୍ଧାନୀ କାବ୍ୟକାର । ସାଧାରଣ ଜନତାର ପୁଞ୍ଜିଭୂତ ଅସନ୍ତୋଷ, ଶ୍ରମ, ସ୍ୱେଦ ଓ ସଂଘର୍ଷ ହେଉଛି ଏହି ଯୁବକବିଙ୍କ ସାରସ୍ୱତ ସର୍ଜନାର ଶକ୍ତି ଓ ଶୈଳୀ ।

 

ଦୁଃଖର ବିଷୟ ! ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମାତ୍ର ୩୧ ବର୍ଷରେ କବି ବସନ୍ତ ମୁଦୁଲି ଆମ ଗହଣୁ ବିଦାୟ ନେଇଥିଲେ ବି ଆଜି ମଧ୍ୟ ତାଙ୍କ ଦୁଇଗୋଟି ଦୁର୍ବାର କବିତା ପୁସ୍ତକ ‘ବସନ୍ତ ବର୍ଣ୍ଣମାଳା’ ଓ ‘ବିଭୋର ବସନ୍ତ’ ଜୀବନ୍ତ ଦ୍ରୁମ ପରି ଓଡ଼ିଆ ଭାଷାସାହିତ୍ୟ ଜଗତରେ ସଦମ୍ଭରେ ଛୁଇଁଛି ମାଟିରୁ ଆକାଶ । ଏବେବି ଝଙ୍କୃତ ହୁଏ କବିଙ୍କ ବହୁଚର୍ଚ୍ଚିତ ଜନବାଦୀ କବିତାର ପଂକ୍ତିଏ ଅମରବାଣୀ-

 

‘ଯେତେ ଗୁଳି ଅଛି କୁଢ଼େଇ ଦିଅ ମୋ ଛାତିରେ

ଯେତେ ପ୍ରେମ ଅଛି ଅଜାଡ଼ି ଦିଅ ଏ ମାଟିରେ ।’

 

ରାଜଧାନୀ

 

॥ ଏକ ॥

 

ଅମାନବିକତାର ଅନ୍ଧାରରେ

ଅସତ୍ୟର ଜୟଗାନ କରି

ତୁ ଠିଆ ହୋଇଛୁ ମୂକସାକ୍ଷୀ ପରି

ଅଥଚ ହିଂସ୍ର ଆତଙ୍କରେ କମ୍ପି ଉଠୁଛି ତୋ’ର ଧମନୀ ।

କାହାର ଶାଣିତ ତରବାରିର ଝଣତ୍କାରରେ

ତୁ ଥରଥର ପାଦରେ ନାଚୁଛୁ ରାଜଧାନୀ !

ନା କେଉଁ ଦୁର୍ଦ୍ଦାନ୍ତ ପ୍ରେମିକର ଆଗମନ ଅପେକ୍ଷାରେ

ତୋର ଏ ମୌନ ଆଗମନୀ !!

 

ହଜାରବାର ତୋର ଦ୍ୱାରସ୍ଥ ହୋଇଛି ମୁଁ

ଦାଣ୍ଡରେ ଠିଆହୋଇ ଡାକିଛି ଆପଣାର ପରି

ଲୁହରେ ପଖାଳି ଦେଇଛି ଏରୁଣ୍ଡି ବନ୍ଧ

ରକ୍ତରେ ଭିଜେଇ ଦେଇଛି ତୋର ସିନ୍ଥି / ମାଟି

ଶବ୍ଦରେ ପ୍ରକମ୍ପିତ କରିଛି ଆକାଶ ।

 

ହେଲେ ସବୁଥର ଶବ୍ଦ ସବୁ ପ୍ରତିଧ୍ୱନି ହୋଇ

ଫେରି ଆସିଛି ମୋର ଶୂନ୍ୟ ଅଞ୍ଜଳିକୁ

କେହିକେବେ ବନ୍ଦ ଦ୍ୱାର ଖୋଲି

ଶୁଣିନି ମୋର ମୁକ୍ତିର ସଙ୍ଗୀତ

କିମ୍ବା ଆହା ବୋଲି ପଦେ ଉଚ୍ଚାରିନି କାହା ତୁଣ୍ଡ ।

ଗୋଲାମ ସହରର ଗୋଲାମ

କେବେ କଣ ସହ୍ୟକରିବ ମୋର ଉପସ୍ଥିତି

କେବେ କଣ ହଜମ କରିପାରିବ

ମୋର ଶବ୍ଦର ନିଆଁକୁ

ତାର ଚେରହୀନ ଗଣ୍ଡିରେ

ଚେତନା ରହିତ ଦୁର୍ବଳ ଚିନ୍ତାରେ !!

 

॥ ଦୁଇ ॥

 

ଆଖିରୁ ମୋର ଛଡ଼ାଇ ନିଆ ଯାଇଛି ସ୍ୱପ୍ନ

ମାଟିରୁ ଛଡ଼ାଇ ନିଆଯାଇଛି ଦାନା

କଲମରୁ ଛଡ଼ାଇ ନିଆଯାଇଛି ସୃଜନୀ

କବିତାରୁ ଛନ୍ଦ, ହୃଦୟରୁ ପ୍ରେମ ।

ମୋର ବିଶ୍ୱାସ ମାନଙ୍କୁ ଭାଙ୍ଗି ରୁଜି

ତୋଷି, ଶୋଷି ଫିଙ୍ଗି ଦିଆଯାଇଛି

ଯେମିତି ମାଦଳ ଜଗନ୍ନାଥ ।

 

ହେଲେ ମୋର ପ୍ରତିବାଦର ସ୍ୱରକୁ

ତୁ ବନ୍ଦ୍‌ କରି ପାରିନୁ ଏଯାବତ୍‌ ।

ଆଉ ସେଇ ଶବ୍ଦର ଯୋର ନେଇ

ମୁଁ ତୋତେ ଫିଙ୍ଗିଦେଇ ପାରିବି ମହାଶୂନ୍ୟକୁ

ଗୋଟି ଗୋଟି ହିସାବ କରିନେବି ଦେଣା ପାଉଣା

ଆଉ ତୋର ଗୁପ୍ତ ଭଣ୍ଡାରର ଲୁଣ୍ଠିତ ଧନକୁ

ମୁଁ ବାଣ୍ଟିଦେବି ସେମାନଙ୍କ ଭିତରେ

ଯେଉଁମାନଙ୍କ ହାଡ଼, ମାଂସର ମେହନତି ଉପରେ

ଠିଆହୋଇଛି ତୋର ଅହଙ୍କାରୀ ପ୍ରାଚୀର ।

 

ସବୁଥର ପରି ଏଥର କିନ୍ତୁ ମୁଁ ଆସିନି

ଫେରିଯିବାକୁ ଶୂନ୍ୟହସ୍ତରେ

ଭଳିଯିବା ପାଇଁ ଆସିନି ତୋର ମୋହିନୀ ରୂପରେ

ଡ଼ରିଯିବା ପାଇଁ ଆସିନି

ତୋର ବାଳାମାନଙ୍କ ନାଲିଆଖିରେ

ମେଣ୍ଢା ବନିଯିବାର କିମ୍ବା ତୋର ମୃତ୍ୟୁ ଦଣ୍ଡାଦେଶରେ ।

ଏଥର କିନ୍ତୁ ମୁଁ ଆସିଛି ଆହତ ସିଂହ ବିକ୍ରମରେ

ତୋତେ ସାମନା କରିବାକୁ

ଛଡ଼େଇ ନେବାକୁ ମୋର ସ୍ୱପ୍ନ, ମୋର ଭାଗ୍ୟ

ଅଗଣିତ ଅସହାୟ ମଣିଷର

ନ୍ୟାଯ୍ୟ ଅଧିକାର ।

ମୁଁ ଆସିଛି ତୋତେ ବ୍ୟବଛେଦ କରିବାକୁ

ମୋର କଲମରେ, ପ୍ରେମରେ ଅବା ଯୁଦ୍ଧରେ ।

 

॥ ତିନି ॥

 

ପିଚୁ ରାସ୍ତା ପରି

ତୋର କଦାକାର ଚେହେରା ଉପରେ

ଧଳା ରଙ୍ଗର ବାର୍ଣ୍ଣିସ୍‌ ମାରି ଯେତେ ସଜେଇ ହେଲେବି

ତୋର ଅସଲ ରୂପକୁ

ମୁଁ ଜାଣେ ରାଜଧାନୀ, ମୁଁ ଜାଣେ ।

 

ଅପସଂସ୍କୃତିର ଭେଜାଲ୍‌ ରଙ୍ଗରେ

ପାଲିସ୍‌ କରା ତୋର ବିଭତ୍ସ ରୂପର

ଗରାଖ ମୁଁ ନୁହେଁ

କିମ୍ବା ତୋର ବସ୍ତି ତଳି ଅନ୍ଧାରରେ

ଦେହ ଦରଜକୁ ଶସ୍ତା ଦାମରେ

ଶାନ୍ତ କରୁଥିବା ଈଶ୍ୱର ବି ମୁଁ ନୁହେଁ ।

 

ମୁଁ ଏକ ଜ୍ୱଳନ୍ତ ଅଗ୍ନିପିଣ୍ଡ

ଜଳିଯିବ ଅବା ଜାଳିଦେଇ ପାରିବି

ତୋର ହିଂସ୍ର ଅନ୍ଧାରକୁ ମୋର ସାମାନ୍ୟ ସ୍ପୁରଣରେ ।

ତୋର ପ୍ରତି ବର୍ଗଇଞ୍ଚ୍‌ ଦେହରେ ଦେଖ୍‌

କେମିତି ଲେଖାହୋଇ ରହିଛି

ତୋର ଅଭୟ ଆଶ୍ରୟରେ ବଞ୍ଚି ରହିଥିବା

ରକ୍ତପାୟୀ ଅମଣିଷଙ୍କ ଦ୍ୱାରା

ଅଗଣିତ ମଣିଷଙ୍କ ଶୋଷଣର ଇତିହାସ ।

କୁଆଁ କୁଆଁ କରୁଥିବା ଶିଶୁ ଦରୋଟିରୁ

ମଶାଣିକୁ ବୋହା ହେଉଥିବା ଶବର ଓଠରୁ

ଶୁଣ୍‌, ତୋର ଗୋଲାମମାନଙ୍କ ଉପରେ

କେମିତି ଅଗ୍ନିବର୍ଷୀ ଅଭିଶାପ ।

ଆତ୍ମାର ଅଭିଶାପ

କେବେ ନିଷ୍ଫଳା ହୁଏନି ରାଜଧାନୀ ।

ବିଦ୍ରୋହର ନିଆଁକେବେ ଫୁର୍ସିଯାଏନି

କେତୋଟି କବିଙ୍କ ମୃତ୍ୟୁରେ ।

 

ମନେରଖ, ଏଇ ଅଭିଶାପରୁ

ଶାମ୍ବର ଗର୍ଭ ସଞ୍ଚାର

ଯଦୁବଂଶର ପୂର୍ଣ୍ଣଛେଦ ।

 

॥ ଚାରି ॥

 

ତୋର ବର୍ବରୋଚିତ ଆକ୍ରମଣକୁ

ମୁଁ ଖାତିର କରେନା ରାଜଧାନୀ

ଜମା ଖାତିର କରେନା ସିଂହାସନକୁ

ଯେତେବେଳଯାଏ କଣ୍ଠରେ ମୋର

ଭଙ୍ଗା ଥାଳର ଜୟଜୟକାର ।

ଏବେ ଏଇ ରାଜଧାନୀର

ରାଜରାସ୍ତା ଉପରେ ଠିଆହୋଇ

ସଦର୍ପ ମୁଁ ଘୋଷଣା କରିଛି ନିଜକୁ

ଧିକ୍‍କାର କରୁଛି ତୋର ପଚା ମେଦକୁ କାମୁଡ଼ି

ପଡ଼ି ରହିଥିବା ନର ଖାଦକ ମାନଙ୍କୁ ।

ସାହସ ଅଛିତ

ସାମନା କର ମୋର ଶବ୍ଦକୁ

ଶହିଦ କରିଦିଅ ମୋର ବିଦ୍ରୋହୀ ପୁରୁଷାକାରକୁ ।

 

ଟାଙ୍ଗର ପାହାଡ଼ରେ ମାଟି ନଥାଏ

ନ ଥାଏ ହୃଦୟର ଉଷ୍ମତା

ଆଉ ପୁଳାଏ ମଲା ସ୍ୱପ୍ନ ଓ ପଚା ଶବଙ୍କ ଉପରେ

ଗଢ଼ିଉଠିଥିବା ତୋର ସାମ୍ରାଜ୍ୟରେ

ହୃଦୟ ଟିଏ ମିଳିବ କେଉଁଠୁ ?

 

ହୃଦୟ ଦେଖିବୁତ ଆ

ଦେଖ୍‌, ମୋର ବତିଶି ଇଞ୍ଚ ଚଉଡ଼ା ଛାତିରେ

କେମିତି ସମାବିଷ୍ଟ

ତିନିକୋଟି ଅସହାୟ ମଣିଷର ହୃଦୟ ।

ଏବଂ ମୋ ପଛରେ

ଅଗଣିତ ମଣିଷର ପଟୁଆର ।

 

 

ଗୋଟିଏ ଶବ୍ଦର ତାତିରେ

ମୁଁ ତୋତେ ଜାଳି ଦେଇପାରିବି ରାଜଧାନୀ,

ଗୋଟିଏ ବିନ୍ଦୁ ରକ୍ତରେ

ମୁଁ ପୁଣି ତିଆରି କରିଦେଇ ପାରିବି

ରକତର ମହା ପ୍ଳାବନ ।

 

॥ ପାଞ୍ଚ ॥

 

ଇତିହାସ ବଦଳାଇଦେବାର କୌଶଳ

ମୋତେ ଜଣାଅଛି ରାଜଧାନୀ

ବିବର୍ଣ୍ଣ ମାନଚିତ୍ରକୁ ରଙ୍ଗେଇ ଦେବାର

କ୍ଷମତା ମୋର ଅଛି ।

 

ତ୍ରିରଙ୍ଗୀ ପତାକା ତଳେ

କୁଢ଼ କୁଢ଼ ଶବର ଫସିଲ୍‌କୁ ଆଡ଼େଇ ଦେଇ

ସତ୍ୟର ବିହନ ମୁଠି ବୁଣିଦେବାର

ଓ ହାଡ଼ୁଆ ମୁହଁରେ ହସର ଝଲକ

ଖେଳେଇ ଦବାର

ପାଗଳ ବିସ୍ପୋରଣ ବି ମୋର ଅଛି ।

 

ତେଣୁତ କହୁଛି, ସମୟ ଅଛି

ଆ, ମୁକୁଳି ଆ : ଦାନବର ଇନ୍ଦ୍ରଜାଲରୁ

ଅଗଣନ ମଣିଷର ବାହୁବେଷ୍ଟନୀକୁ

ଅପସଂସ୍କୃତିର ନାଗଫାଶରୁ

ହୃଦୟର ଉଷ୍ଣ ପ୍ରସବଣକୁ

ଆ. ମୁକୁଳି ଆ.

କାଗଜ ବାଘର ମୁହଁରୁ ରାଜରାସ୍ତାକୁ

ଭିକାରୀର ଶୂନ୍ୟଥାଳକୁ ।

 

ମେଘ ହୋଇ ମୁଁ

ମେଣ୍ଟେଇ ଦେବି ତୋର ତୃଷା

ସ୍ୱପ୍ନ ହୋଇ ମୁଁ ହରିନେବି ତୋର କ୍ଳାନ୍ତି

ଝଡ଼ ହୋଇ ମୁଁ ଉଡ଼େଇ ନେବି

ତୋର ବର୍ବରତାର ଚିହ୍ନ ବର୍ଣ୍ଣ

ଆଉ ଯଦି ଦରକାର ହୁଏ

ଗଙ୍ଗାକୁ ବୁହାଇ ନେବି ତୋର ଚାରିପାଖେ

ଶଂଖ ଫୁଙ୍କି ଫୁଙ୍କି ।

ତୋର ଅହଂକାରୀ ଗୁମ୍ଫା ଉପରେ

ସ୍ଥିର ହୋଇ ଯାଇଥିବା

ମଖମଲି ଜାତୀୟ ପତାକାଠାରୁ

ମୋ ହାତରେ

ଶସ୍ତା କନାର ଜାତୀୟ ପତାକା

କେମିତି ଫର୍‌ ଫର୍‌ ହୋଇ ଉଡ଼ୁଛି

ଦେଖ୍‌ ରାଜଧାନୀ

ଦେଖ୍‌ କେମିତି ଶୁଣେଇ ଚାଲିଛି

ପରମ୍ପରାର ସାମ୍ୟବାଣୀ

ତାର ସନ୍ତାନ ମାନଙ୍କୁ

ଆଉ ଦେଖ୍‌

ଶବ୍ଦର କଟାମୁଣ୍ଡରେ ହସୁଛି ସକାଳ

ତୋର ବିଭତ୍ସତା ଓ କ୍ରୂରତାକୁ

ଖାତିର ନ କରି ।

 

ପୀତାମ୍ବର ତରାଇ

୧୯୫୯-

 

ସାହିତ୍ୟ, ସମାଜସେବା, ସାମ୍ବାଦିକତାର ତ୍ରିପାଦ ଭୂମିରେ କବିଙ୍କ ଉତ୍ସର୍ଗୀତ ଜୀବନ ସବୁଠି ସବୁସମୟରେ ଛୁଇଁଛି ଜନଜୀବନର କୁଢ଼ କୁଢ଼ ଦୁଃଖର ଦ୍ୱି’ପହର, ଶୋକର ଶ୍ରାବଣ, ଭୋକର ଭାଦ୍ରବ.... ଏହା କବିଙ୍କ କବିତାରେ ପାୟେ ଜୀବନ୍ୟାସ ।

 

ପ୍ରଗତିଶୀଳ କବିତାରେ ନୂତନ ସ୍ୱର, ନିର୍ଦ୍ଧିଷ୍ଟ ଶୈଳୀ ଆଣି ଶବ୍ଦ ରୋପଣରେ ଚମକ ଓ ଚତ୍ମକାର ସୃଜି ଏହି ସୃଜନ ସ୍ରଷ୍ଟା ଉତ୍ତର ଆଧୁନିକ କାଳଖଣ୍ଡର ପ୍ରମୁଖ କବିମାନଙ୍କ ଭିତରୁ ବାରି ହୋଇ ପଡ଼ନ୍ତି ସ୍ୱକୀୟ ଶୈଳୀରେ ସର୍ଜନାତ୍ମକ ସୃଷ୍ଟିପାଇଁ ।

 

କବିତା ଭୋଗର ନୁହେଁ ତ୍ୟାଗର, କୌଶଳର ନୁହେଁ କୁଶଳର, ବିବାଦର ନୁହେଁ ବିଦ୍ରୋହର ବୋଲି ପୀତାମ୍ବରଙ୍କ କବିତା ସେହି ବିଶ୍ୱାସରେ ବର୍ଣ୍ଣିତ ହୋଇ ଜନବାଦୀ ଚେତନାରେ ସମୃଦ୍ଧ । ଏଥିରେ ରହିଚି ତାଙ୍କ ସୃଜନଶ୍ରମର ସଂକଳ୍ପ, ସାରସ୍ୱତ ସଂଗ୍ରାମର ସତ୍ୟପାଠ ଓ କାବ୍ୟକର୍ମର ରାଗ ରୁଦ୍ରାକ୍ଷରୀ ବିଗତ ତିରିଶି ବର୍ଷର ।

 

ଜମି, ଜଳ, ଜଙ୍ଗଲର ସୁରକ୍ଷା ସହିତ ଅଧିବାସୀଙ୍କ ଅଧିକାର ପାଇଁ ପାରାଦ୍ୱୀପ ଓ କୁଜଙ୍ଗ ଅଞ୍ଚଳର ବୃହତ୍ତ ଗଣ ସଙ୍ଗଠନ ‘ଭୂମିପୁତ୍ର’ ଆନ୍ଦୋଳନର ଆଦ୍ୟ ପ୍ରବର୍ତ୍ତକ କବି ପୀତାମ୍ବର ଓଡ଼ିଆ ସାହିତ୍ୟରେ ଦଳିତର ସ୍ୱର ଓ ସ୍ୱରୂପ ତୋଳି ନୂତନ କାବ୍ୟଭୂମି ନିର୍ମାଣର ସେ ହେଉଛନ୍ତି ଅନ୍ୟତମ ସୃଜନ ଶିଳ୍ପୀ । କବିଙ୍କ ‘ଇତର’ ଓ ‘ଅଭାଜନ’ ଏହି ଦୁଇକବିତା ପୁସ୍ତକ ଓଡ଼ିଆ ଦଳିତ ସାହିତ୍ୟକୁ କରିଛି ସୁଦୃଢ଼ ଓ ଶ୍ରୀମଣ୍ଡିତ ।

 

ଅସୁର ଅକାରଣ

 

କଥା କଅଣ କି ନବଘନ, ଏତ କାହିଁ ବିଭୋର ଦିଶୁଛି ମୁହଁ !

 

କିଏ ଖୋଳିଦେଲା କି ଅପାଣିଆ କପାଳରେ

ସୁଖର କେନାଲ

ଯେଉଁଠୁ ମାପଚୁପ ପାଣିପରି ଥାଏ ଗୋଟେ ମୂଳଚେର

ଭେଦର ରହସ୍ୟ, ହୁଏତ ସେଥିରେ ଭେଦୁଥାଇପାରେ

ଦିନଅଧେ ଛାତିର ଟାଙ୍ଗର ବିଲ

ଯଦି ବୋଧ ଦେଉଛି ବିଶ୍ୱାସ, ତେବେ କରିପାରୁ

ଆଶା ଆକାଂକ୍ଷାର ରୁଆ ବେଉଷଣ

ମନେହୁଏ, ଆଜି ନ ହେଲେ କାଲି ପସ୍ତେଇବୁ ନବଘନ

ଯେତେବେଳେ ଫେରୁ ନ ଥିବ ମୂଳଧନ ବୋଇଲେ

ବିଶ୍ୱାସର ବିହନ ମୁଠାକ ।

 

ଜାଣେ, ହାତ ପାହନ୍ତରେ ଅଛି ଭୂଗୋଳ-ଧର୍ମନିରପେକ୍ଷ ଦେଶ

ଅଛି ମନ୍ଦିର ପ୍ରବେଶ ପାଇଁ ସର୍କାରୀ ଆଦେଶ,

ବି.ପି.ଏଲ୍‌.କାର୍ଡ ଭୋକପାଇଁ ଦି’ଟଙ୍କାରେ କିଲେ ଚାଉଳ

ମୁଣ୍ଡ ଗୁଞ୍ଜିବାକୁ ଖଣ୍ଡେ ଇନ୍ଦିରାଆବାସ

କାହିଁରେ କେତେ ସୁବିଧା ସୁଯୋଗ-ସବୁଥିରେ ସ୍ଥାନ ସଂରକ୍ଷଣ

ନବଘନ, ଏ ଦୟା ନା ଦାନ ! ତୋତେ ଲାଗୁଥିବ

ଅପାଳକ ଜୀବନରେ ମେଘମଲ୍ଲାର,ମୋତେ ଲାଗୁଛି

ଇଏ ଗୋଟେ ମଲାଜହ୍ନ, ସୌଦାଗରୀ ଚାଲ୍‍ ।

 

କହ,ଯାହା ଯାହା ପାଇବାର ଥିଲା ପାଇଲେ କି ପୂର୍ବପୁରୁଷ !

 

ଯେମିତି ଏଯାଏ ଆମ ଖୁଆଡ଼ର ହାତପଇଠ ହେଲାନାହିଁ

ପାରିଜାତ,ଐରାବତ, ଇନ୍ଦ୍ରାସନ ଥୋପାଏ ପୀୟୁଷ

ଏମିତିକି ବିଷ,ସାଗର ମନ୍ଥନରୁ ମିଳିଲା କି ଭାଗ !

ସୁଖ ସୌଭାଗ୍ୟର ସମୃଦ୍ଧି ଶ୍ରେଷ୍ଠ ଫସଲର ଅମଳଗଣ୍ଡାକ-

ଅମରାବତୀ ତାଙ୍କର

ଝଡ଼ି ବଢ଼ି ମରୁଡ଼ି ଭୋକ ଶୋଷର କଣ୍ଠା ଅଗାଡ଼ିର-

କଳାହାଣ୍ଡି, କାଶୀପୁର ଆମର ।

 

ଆମର କହିଲେ କାହିଁ କେତେ ବର୍ଷ ବର୍ଷର ପରିତ୍ୟକ୍ତ-ରେତ, ମୂତ

ରକ୍ତର ଦୁର୍ଗନ୍ଧପରି ଅଳ୍ପ ଆୟୁଷର ବାସନ୍ଦ ଜୀବନ

ହେୟ ହେଳା ହଇରାଣର ଗୋଟେ ଗୋଗଚ୍ଛ ବଣ,ସବୁ ଆମର

ଆମ ଭିତରୁ କେହି କେହି ମୁଣ୍ଡ ଟେକିଲେ ସିଏ ଅସୁର

ନିପାତ ପାଇଁ ଆରମ୍ଭ ହୁଏ ଛଳ ଛଦ୍ରମ

ମାୟା ମୋହିନୀର ମନ୍ଦ ବୁଦ୍ଧି ଖେଳ

ଅପବାଦ ଅପଯଶ ପାଇଁ ଲେଖାହୁଏ ଚାରି ବେଦ

ପ୍ରତିପୃଷ୍ଠାରେ ଆମେ ସବୁ ଅକ୍ଷର ଆଶ୍ରିତ ବେଧଫଳ ।

 

ନବଘନ ! ଏବେ ଅଛୁତ, ଇତର, ଅସୁର ଭିତରେ ଫରକ କଅଣ

ନିଜକୁ ପଚାର ।

 

ଆର୍ଯ୍ୟାବର୍ତ୍ତ ଭାରତବର୍ଷ ! ଏଠି ମାଛ କଇଁଚ ଘୁଷୁରୀ ଯୋନୀରେ

ଜନ୍ମ ନିଅନ୍ତି ମହାପ୍ରୂ ଧନ୍ୟଧନ୍ୟ !

ଦେଶସାରା ଗଙ୍ଗାପାଣି ବେଦବାଣୀ ରାମ କାହାଣୀ

ବିଦେଶୀ କମ୍ପାନି ହରିବୋଲ !

ଆଜି ଯାହା ଚର୍ଚ୍ଚିତ ଚଉକି କାଲିଥିଲା ଇନ୍ଦ୍ରାସନ

କାଲିଯାହା ସ୍ୱର୍ଗପୁର ଆଜିତାହା ବିଧାନସଉଧ, ସଚିବାଳୟ

ଯିଏଥିଲେ ପ୍ରତିପକ୍ଷ ଆଜି ଆସନରେ ମୁନିବ, ହାକିମ,ମାମଲତକାର

ଆଉ ବାଟନାହିଁ !

ପାଟିଖୋଲିଲେ ବିଶ୍ୱବ୍ୟାଙ୍କ ଋଣ, ବିସ୍ଥାପନ । ତ୍ରାହି ତ୍ରାହି !

ନବଘନ, ଫାନ୍ଦ ଫନ୍ଦ ଫନ୍ଦିର ଘଟଣାବର୍ତ୍ତରୁ ମୁକ୍ତି କାହିଁ !

ଏବେ କହିପାରୁ,ମୁକ୍ତିପାଇଁ ଲେଖା ହେଲାଣି କିଆକେତକୀ

ବଦଳରେ କାହିଁରେ କେତେ ନିଆଁର କବିତା

ପାଦପାଖ ନାଖରାଦୀରେ ପହଞ୍ଚି ସାରିଛି ସାଧବ ବୋହୂପରି

ଶହେ ସରିକି ଏନ୍‌ଜିଓ ସଂସ୍ଥା

ପିଠିରେ ପଡ଼ିବାକୁ ତୟାର ଅଛି ଦଳିତସଂଘର ନେତା, ଧେତ୍‌

ନବଘନ, ସବୁ ରାଜାଙ୍କ ରକ୍ଷିତା !

ଆମେ କେମିତି ଜାଣିପାରୁନେ କେବେଠୁ ଛିଡ଼ା ହେଲେଣି

ଯେମିତି ଛିଡ଼ା ହୋଇଥାଏ ମାଲିକର ମାହଲ ମାହଲ

ଧାନ କିଆରୀରେ ପାଳଭୂତ, ମାହାଳିଆରେ ଟେକିଛି ହାତ

 

ଆମର କେମିତି ମନେପଡ଼ୁନି କେଉଁଠି ଛିଡିପଡ଼ିଛି କଟାମୁଣ୍ଡପରି ସପକ୍ଷର ମୂଳ ବିଷୟ

ରହି ଯାଇଛି ଅଧେ ଯୁଦ୍ଧ, ଉମର ପରେ ଉମର ପିଠିରେ ଥିବା କ୍ଷତ

ଏହା ବିସ୍ମରଣ ନା ବିକଳରେ ବଞ୍ଚିରହିବାର ଅନ୍ୟ ଏକ ସଂସ୍କରଣ

ଏଥିରେ କଅଣ ସତୁସତ ବଞ୍ଚିହୁଏ ନବଘନ ! ନିଜକୁ ପଚାର !

 

ଇସ୍ପାତ କମ୍ପାନି

 

ଆମେ ବି ଜାଣୁ ମଞ୍ଜିର କରାମତି, ପାଗ ଯୋଗ ଜାଣି

ପୋତି ଥିଲି ବୋଲି ତ ଏବେ ଲେମ୍ବୁ ଗଛରେ

କାହିଁରେ କେତେ କଢ଼

ଚାଳମଥାନରେ ମାନିଛି ବେଶ୍‌ ଶାଶୁର ନୋଳି ପରି

ନାଉଫୁଲ, ହୁଡାରେ ନଇଁ ପଡ଼ୁଛି ସଜନାଭର୍ତ୍ତି ଡାଳ

ପୂବେଇ ପବନରେ ଲହଡି ଭାଙ୍ଗୁଛି ଉଦାରକ୍ଷେତରେ

ସାରଦଫସଲ, ଏଥିରେ ଅଛି କି ନାହିଁ ଉଜଗ ଉଜାଗର

ରକ୍ତର ରାଣ, ହାଡ଼ର ହଲପ

ମୋ’ଠୁ କିଏ ଅଧିକ ଜାଣେ, କୃଷିମନ୍ତ୍ରୀ ନା ଗ୍ରାମ ସେବକ !

 

କେମିତି ଫଳେଇ ହୁଏ ଦୁଃଖର ବିହନରୁ ସୁଖର ସପନ

ବିନାଶର ବାରମାଣିଆରେ ବିକାଶର ବାସୁମତୀ ଧାନ

ଜାଣିଛି ବୋଲି ତ ନଇଁ ପଡ଼ିଥିବା ଅଣ୍ଟା ସଳଖକରି ଭୁଲିଗଲୁଣି

କିଏ ହଡ଼ପ କରିଥିଲେ ରିଲିଫ୍‌ ଚାଉଳ, କସ୍ତା, କମ୍ବଳ

ଏହା ବି ସତ,ଭୁଲି ସାରିଛି କାହିଁକି ନାଉନି ମଥାରେ ସିନ୍ଦୂର ।

 

ଦୁଃଖ ଗଅଁଠକର ସ୍ୱାଭିମାନ ଥାଏ ବୋଲି ଗରିବ ଗୁରୁବାଠୁଁ

ଆଉ କିଏ ଅଧିକ ଜାଣେ ! ଦେଖୁ ନାହାଁନ୍ତି-

ସୁଅର ବିପରୀତରେ ପହଁରି ପହଁରି ପାଇଛି ଘାଟ

ଜିଆଁଇଛି ଜିଅଁଳ ପରି ଘଟ

ସଜେଇଛି ନଣନ୍ଦ ଟୋକିର ଗାଲପରି

ଭଙ୍ଗା ଦଦରା ଘର, ଆପଣା ଉଦାସୀ ପଣ, ଖାଁ ଖାଁ ଛାତି ତଳ

ଯେତେଯାହା ଖୁଣ ଖୁମାଣ ଖାଲ ଢିପ ଗଲା ପାଞ୍ଚ ବର୍ଷରେ

ହାତେ ହାତେ କରିଛି ପୁରଣ ।

ଅସଜଡା ଭିଟାମାଟି ଅରାକର ଯେଉଁ କଇଁ କଇଁ କାନ୍ଦଣା

ମୋ’ଠୁ କିଏ ଅଧିକ ଜାଣେ !

କର ଖଜଣା ଅସୁଲ କରୁଥିବା ସରକାରୀ ଲୋକ

ନା ପୁଲିସ୍‌ ପ୍ରଶାସନ, ବାଣୁଆ ବଣିକ

ମାଟିକି ମା’ମଣି ବଞ୍ଚିବା ଆମର ଅଭ୍ୟାସ ବୋଲି

ଗଲା ପାଞ୍ଚବର୍ଷରେ ଥରଟେ ଚାହିଁନି ନରଜନମରୁ

ମୁକ୍ତି ମୋକ୍ଷ, ବଞ୍ଚିବା ଦାଉରୁ କ୍ଷମା

ମାଟିରେ ମାଟି ହେଲି ବୋଲିତ ଫେରି ପାଇଲି

ବାତ୍ୟା ଉଜୁଡା ଭିତରୁ ପୁଣି ସ୍ୱାମୀଙ୍କ ଛାତି ପରି

ସୁଖ ଦୁଃଖର ମୂଳଜମା, ସ୍ମୃତିର ଏରସମା ।

 

ଆଉ ଉଣା କଅଣ ! ଏଣିକି ଯାହା ବଞ୍ଚିବା କଥା

ଯେତେବେଳେ ମରଣ ବୁଲୁଥିଲା ମନ ମରମର ଗହିର ପାଟ

ଓର ଉଣ୍ଡି ନସରପସର ହେଉଥିଲା ଦେହ କଷଣରେ

ସେତେବେଳେ ଆସାମ,ସୋନାଗାଛି କି ସୁରଟ ଯାଇନି

ଏବେ କାହିଁ କି ଯିବି, ମହାବାତ୍ୟାଠୁ କ’ଣ ଏତେ ବଡ଼

ଦେଶୀ ବିଦେଶୀ ଇସ୍ପାତ କମ୍ପାନି !

 

ଆମେ ଜାଣୁ,ଶାଳ ପିଆଶାଳ ଗଜା ପରି ମୁଣ୍ଡ ଟେକିଲେ

ଆମ ବଞ୍ଚିବା ବିଷୟ

ଛଳ ଛଟକରେ ଛେଦନ ହୁଏ ଚେର ମୂଳ, ବେଦଖଲ ହୁଏ

ଭାଗ୍ୟ ଭୋଗର ଭୁଇଁ, ଏଣୁ ଆମେ କାଳେକାଳେ ଅସ୍ଥାୟୀ

ଆମର କେଉଁ ଥାଏ ଯେ’ଠଣା ଠାଣି ଠିକଣା

ଆଜି ଏଠି ତ କାଲି କେଉଁଠି ମାଟିକୁ ମା’କହୁ

ମାଟିରେ ମାଟି ହୋଇ ନିଜକୁ ଗଢ଼ୁ,ପୁଣି ଆଦେଶନାମାରେ

ଭାଙ୍ଗି ଯାଉ, ବିସ୍ଥାପିତ ହେଉ ।

 

କେଉଁ ଯୁଗରୁ କେଜାଣି,ମୁନିବଙ୍କ ମର୍ଜି ମିଞ୍ଜାସ ମଜଲିସ୍‌ର

ଶିକାର ହେଉଥାଏ ଆମର ପ୍ରଜ୍ଞା ପ୍ରତିଜ୍ଞା

ଚିଲିକା ଚିଙ୍ଗୁଡି ପରି କେବଳ ବଞ୍ଚିବା ପାଇଁଏତେ ସବୁ

ନିଉନ ନିକୁଛ ବେଶ, ପିଢ଼ି ପରେ ପିଢ଼ି କହି ଚାଲିଛୁ ଡରିହରି

ହଁ, ହଜୁର, ଆଜ୍ଞା । ପ୍ରଣାମ ଘେନ ।

 

ଗଢ଼ା ହୋଇଛି ରାଜବାଟୀ ରାଜଧାନୀ, ମନ୍ଦିର ମାଳିନୀ

ସବୁଥିରେ ଆଗ ଆମର ପାଳି, ବସିଛି ଶିଳ୍ପ ପଡ଼ିଛୁ ବଳି

ସ୍ଥାପନ ହୋଇଛି ଗୁଳିଗୋଳା କାରଖାନା ଘାଟି

ଆମ କାନ୍ଧରେ ପଡ଼ିଛି ଜୁଆଳି

ଦଳ କନ୍ଦଳ,ଦଙ୍ଗା ହଙ୍ଗାମାରେ ଆମ ଛାତିରେ ଗୁଳି

କେବେକେବେ ଦାନ ଦକ୍ଷିଣାରେ ଯାଏ ମୁଣ୍ଡ, ବୁଢାଙ୍ଗୁଳି

ଦେଖାଯାଉ, ଏଥର କାହାର ପାଳି କାହାର ଭାଙ୍ଗୁଚି କମର

କାହା କପାଳରେ ଲାଗୁଚି ପାହାର ।

 

ଭଲଲୋକ ତ ଆପଣ

 

ହଜୁରେ ! କାନ୍ଥରେ ଟଙ୍ଗେଇଚ ଯୋଉ ଫଟୋ ଖଣ୍ଡିକ,

ମୋ ଝିଅର ଓହ୍ଲେଇ ଦିଅ ।

 

ମା’ ପେନୁର ଦାନ ଛାତି ଉପରେ ହାଡ଼ଫୁଲ, ଗାଲରେ ପାଣିଭଉଁରୀ ଦାଗ

କଳାମୁହଁର ସୁନ୍ଦରକୁ ବଢ଼େଇଛି ଆହୁରି ବାରଗୁଣ

ଦେଖୁନ, ଯୋଡ଼େ ନୟନରୁ ଯେମିତି ଡେଇଁପଡ଼ୁଚି କନକନ ନିରୀହମୃଗ

କେଶଗଣ୍ଠିରେ କେରେ କୁରେଇଫୁଲ, ଓଠ ଉଠାଣିରେ ଚନ୍ଦ୍ରହାସ

ସଭିଏ କହିଲେଣି ଇଏ ତମରି ଝିଅ, ଆସିଚ ତ ସାଙ୍ଗରେ ନେଇଯାଉନ ।

 

ବଢ଼େଇକୁଢ଼େଇ ଏଡୁଟିଏ କଲି, କେମିତି ଜାଣିବି ନାହିଁ ଇଏ ମୋ

ରକ୍ତରୁ ଜାତ ହାଡ଼ ମାଉଁସର ମାଈମଣିଷ, ନାଁ ଗୁରୁବାରୀ ଗୋଟେ ବୋଲି ଝିଅ

ଜାଣ ଏତିକି ଦୋଷ, ଝରଣାପାଣି କି ବାୟାଣୀ ବୋଲିତ ଜାଣିପାରେନାହିଁ

କେବେଠୁ ହେଲାଣି ସିଏ ପୂନେଇଁ ଜହ୍ନ

କିକଲ କିକଲ, ଓଦାସରସର ଅଧାଲଙ୍ଗଳା ଚଇତିଦେହ ଆଲୁରାପଣ

ଛାର ସଉକପାଇଁ ଘରକାନ୍ଥରେ ଟଙ୍ଗେଇଦେଲ, ବାଃ ଭଲ ଲୋକତ ଆପଣ ।

 

ଗଲାସନ ବଣମୁଲକରେ ପକେଇଥିଲ ପାଦ, କହୁଥିଲ କି ଚମତ୍‌କାର

ପାହାଡ଼ପର୍ବତ ଜଙ୍ଗଲଦେଶ ! ବେଳୁବେଳ ବିଭୋର ହୋଇପଡ଼ୁଥିଲ

ଆଖି ହଳକରେ ଯେମିତି ସଂଚୁଥିଲ ଶ୍ୟାମଳ ଦୃଶ୍ୟମାନ, ଡଙ୍ଗର, ଦିଗ୍‌ବଳୟ

ଆପଣଙ୍କ ଭାବପ୍ରବଣତା ଜଣେଇ ଦେଉଥିଲା ଯେମିତି କେଉଁ ଗୋଟେ

ଧାଙ୍ଗିଡ଼ି ଯୋନିରୁ ଜନ୍ମହୋଇ ଆରଜନ୍ମରେ ଆମ ସ’ ଭୁଞ୍ଜିବ ମାଣ୍ଡିଆପେଜ

ପି’ ମହୁଲମଦ ନାଚିବ ମାଦଲ୍‌

 

କେବେକେବେ ଜରବାଧିକାରେ ପଡ଼ି ଯୌବନକାଳରେ ବୁଢ଼ା ଦିଶୁଥିଲେ ବି

ଆମ ସ’ ତାଳଦେଇ କହୁଥିବ ଜଙ୍ଗଲ ଜମି ଜଳ ଆମର

ଆମଭଳି ପୁଲିସ୍‌ ଖାତାରେ ସାଜିଥିବ ମାଓବାଦୀ ନକ୍ସଲ, ସଜ୍ଜା ଭୋଗୁଥିବ ।

ଓଃ, ଅପାଣଙ୍କ ଭବାପ୍ରବଣତା ଜମ୍ମାକ୍ଷଣିକ ବିୟର ବ୍ରୟଲର ବଣଭୋଜିସମ!

ଜାଣିଲାବେଳକୁ ଖେଳିସାରିଲଣି ଆମ ଜୀବନସହିତ ହରାମୀଖେଳ

ବର୍ବାଦର ବ୍ୟଥା ବାର୍ଷିକୀରେ ଲୁହ ଲହୁ ଢାଳୁଥିଲାବେଳେ ଆପଣ ମାନ୍ୟଗଣ୍ୟ

ବ୍ୟକ୍ତିବିଶେଷ, ବିବୃତିରେ ପୋତିପକଉଚ ଜନ ସମ୍ମେଳନ, ଟିଭି, ଖବରକାଗଜ ।

 

ବାଃ, ଭଲଲୋକ ତ ଆପଣ ! ଆମ ହାତରେ ଧରେଇଦେଲ ପାଦ୍ରି, ପୁରୋହିତ

କଳିମଂଜି,ଆମେଆମ ମାଟିରେ ପୋତି ହିଂସା କ୍ରୋଧ ଈର୍ଷାର ଖତସାର ଦେଇ

ବଢ଼େଇ ସାରିଚୁ ହୁଷ୍ଟପୁଷ୍ଟଗଛ

ଡାହିଡାଳରେ ଫୁଟୁଚି ଭାରଭାର ରକ୍ତଫୁଲ, ଥରୁଟେ ମୁଣ୍ଡକୁ ନିଅ

ନାଇଁନାଇଁ, ଚାଲିଗଲ ଭୁବନେଶ୍ୱର ।

 

ବିଜ୍ଞାପନ ବ୍ୟାନର ଭିତରେ ଥାପିଦେଇଚ ଆମ ଧେଡ଼ି ପିଲାଙ୍କଠି ସ୍କୁଲବ୍ୟାଗ୍‌

ମାଈକିନିଆ ଓଠରେ ଉଦୟ ସୂର୍ଯ୍ୟର ସୁନାହସ

ମୋ ହାତରେ ଗୋଟେ ଟ୍ରାକ୍ଟର ଗୋଛେ ଧାନଗଛ, ଲେଖିଦେଇଚ ଭାରତନିର୍ମାଣ

ତେଣେ କାଟିନେଲଣି ଭଉଣୀ ସ୍ତନ, ବାପର ଜିଭ, ଭାଇର ପାପୁଲି

ରାତାରାତି ଭିଟାମାଟି ଉପରେ ଛିଡ଼ା କରେଇଚ କାର୍ଖାନା ପାଚେରୀ ।

 

କହିବ କି, ଯିଏ ଅକାଳରେ ପଚାରକ୍ତ ହୋଇ ବୋହିଗଲେ ମାଟିରୁ ନଈକି

ଟ୍ରକ୍‌ଡାଲାରେ ଲଦାହୋଇ ଚାଲିଗଲେ ଏ’ଠୁ ଅନ୍ୟଠିକି

ଯିଏ ନିଆଁପାଉଁଶ ହୋଇ ମିଶିଗଲେ ପବନଠି, କେଉଁସୂତ୍ରରୁ କେହି ଜଣେହେଲେ

ଆପଣଙ୍କ ରକ୍ତସମ୍ପର୍କୀୟ, ଖୋଦ୍‌ ଔରସରୁ ଜାତ କହିବ କି !

 

ଜବାବଦିଅ, ନାଇଁତ ଆମ ଲହଲହ କ୍ରୋଧ ଆପଣଙ୍କ ବେଦରେ ଭଣିତ

ଗୋଟେ ମହାପାପ ବେଇ ପକେଇବ

ମୁଇଁବି ଦେଇପକେଇଚି ପୁଅର ନାଁ ନାରାୟଣ,

ନର୍କଫର୍କରୁ ବାପର ଉଦ୍ଧାରବିଷୟ ବୁଝିବାର କଥା ବୁଝିବ ।

 

 

କୁମାର ହସନ୍‌

୧୯୬୦-

 

ପ୍ରୟୋଗବାଦୀ କାବ୍ୟଭୂମିରେ ମୁର୍ଦ୍ଧନୀ କବିଗଣ ମିଥ୍‌, ବିମ୍ବ ଓ ମୃତ୍ୟୁଚେତନାର ପିଠିରେ ଉତ୍ତରଆଧୁନିକତାର ମୋହର ମାରି ମାୟାବୀ ମୋହରେ ମାତୁଥିବା ବେଳେ, ସେଥିରୁ ନିଜକୁ ମୁକ୍ତ ରଖି କବି କୁମାର ହସନ୍‌ ନିଜ କବିତାରେ ସାମାଜିକ ପ୍ରଥା ଓ ଆର୍ଥିକ ବ୍ୟବସ୍ଥା, ଅସ୍ପୃଶ୍ୟତା, ଅମାନବିକତାର ପ୍ରତିରୋଧମୂଳକ ଚିନ୍ତନ ତୋଳି ସିଧାସଳଖ ପାଠକମାନଙ୍କର ହୋଇଛନ୍ତି ନିକଟତର ।

 

ଭୂମିସୁରକ୍ଷା ଓ ଭୂମିପୁତ୍ରମାନଙ୍କ ଅଧିକାର ପାଇଁ ପ୍ରାରମ୍ଭରୁ କବି ଲେଖନୀ ମାଧ୍ୟମରେ ସଂଘର୍ଷରତ । ଜଗତୀକରଣରୁ କରୁଣଦିଗ, ବିଶ୍ୱଶିଳ୍ପାୟନରୁ ଶ୍ମଶାନି ଦୃଶ୍ୟ, ବିସ୍ଥାପିତ ଜନସମସ୍ୟାର ସ୍ୱର, ମନୁବାଦୀ ସଂସ୍କୃତିର ଶୋଷଣ ଓ ଧର୍ମର ଧ୍ୱଜାଧାରୀଙ୍କ ବିଭେଦୀକରଣର ବିଭତ୍ସ ଚିତ୍ର ବିରୋଧରେ କୁମାର ହସନ୍‌ କଲମକୁ କରିଛନ୍ତି ତଲ୍‌ୱାର, ଶବ୍ଦକୁ କରିଛନ୍ତି ଶାଣ ଓ ନିଜେ ହେଉଛନ୍ତି ଜୀବନର ମଇଦାନ୍‌ରେ ଜଣେ କ୍ରାନ୍ତିର କାବ୍ୟକାର ।

 

ମନୀଷା ଇଣ୍ଟରନ୍ୟାସନାଲ୍‌ ନାମକ ଏକ ସାରସ୍ୱତ ସଙ୍ଗଠନ ଗଠନ କରି ବିଶ୍ୱର ଜନବାଦୀ ସାହିତ୍ୟ ଆନ୍ଦୋଳନ ସହ ଓଡ଼ିଆ ଜନବାଦୀ ସାହିତ୍ୟର ସମନ୍ୱୟ ସ୍ଥାପନ କରି ସେ ପ୍ରଶଂସନୀୟ, ସମ୍ପ୍ରତି ଦୈନିକ ସମ୍ବାଦପତ୍ର ‘ସମାଜ’ର ସମ୍ବଲପୁର ସଂସ୍କରଣର ସହସମ୍ପାଦକଭାବେ କାର୍ଯ୍ୟରତ ।

 

ମ୍ୟାଜିକାଲ ଚେୟାର

 

ମ୍ୟାଜିକାଲ ଚେୟାର ଚାଲିଯିବା ପରେ

ପୁତ୍ତଳିକା ପ୍ରକୃତିସ୍ଥ ହୁଏ

ପୁଣି ଅନାହାର ମୃତ୍ୟୁ କଥା ଉଠାଏ

ଓପାସୀ ମୁହଁରେ ଢୋକ ନ ଦେଇ

ଭାଷଣ ଶୁଣାଏ

କଂକାଳସାର ଜନତାର ଛବିରେ

ଭର୍ତ୍ତି ହୋଇଯାଏ ଖବର କାଗଜର ପୃଷ୍ଠା,

 

ଆସ ଦାରିଦ୍ର୍ୟ ଦେଖିବାର ଅଛି ତ

ଓଡ଼ିଶାକୁ ଆସ

ଆମର କଳାହାଣ୍ଡି ଅଛି କୋରାପୁଟ ଅଛି

ଭୋକରେ ମରୁଥିବା ଆଦିବାସୀର

 

ହାଡ଼ୁଆ ଧୁଡ଼ୁଧୁଡ଼ୁ ଚମ ଅଛି

ସୋମାଲିଆ ଯାଇ ପାରୁନ ତ

ଓଡ଼ିଶା ଆସ

ଇଥିଓପିଆ ବହିର ନୂଆ ସଂସ୍କରଣ,

 

କିଛି ଗରିବ ଲୋକ ରହିବା ଦରକାର, କିଛି ଗାଁ

ସେମାନଙ୍କ ପିଲାପିଲିଙ୍କୁ ବିକିବା ଦରକାର

କିଛି ଯୁବତୀ ପେଟ ପାଇଁ

ଦେହ ବିକିବା ଦରକାର

କିଛି ଲୋକ ଭିଟାମାଟି ଛାଡ଼ି ପଳାଇବା ବି ଦରକାର

କିଛି ଲୋକ ଚୋରି, ଡକାୟତି, ହତ୍ୟା, ରକ୍ତପାତ

କଳାବଜାରୀ,ତସ୍କରୀ କରିବା ଦରକାର

କିଛି ଲୋକ ମରିବା ଦରକାର

କିଛି ଲୋକ ରାଜନୀତି ବି କରିବା ଦରକାର,

 

କିଛି ହେଲେ ନାହିଁ ନୂତନତ୍ୱ

ଦେଶର ବୃହତ୍ତର ମାନଚିତ୍ରରେ ପ୍ରବଞ୍ଚନାର ଦିଗନ୍ତ

ଆହୁରି ବିସ୍ତର ।

 

ମରୁଡ଼ି ପଡ଼ିଲା ବୋଲି

 

ମରୁଡ଼ି ପଡ଼ିଲା ବୋଲି ଲେକରୁ ମାଝୀ

ଦେଖି ପାରିଲା

ବୋପାଦିନରେ କେବେ ଦେଖିନଥିବା

କଲିକତା

 

ମରୁଡ଼ି ପଡ଼ିଲା ବୋଲି

ସହରରେ ସଜେଇ ହେଲା ଧନତିରି

ନୂଆ ସିନେମା ଦେଖିଲା

ହୋଟେଲରେ ରହି ଡନଲପିଲୋରେ

କଲା ବେଶ୍‌ ରୋଜଗାର

 

ମରୁଡ଼ି ପଡ଼ିଲା ବୋଲି

ଖବର କାଗଜରେ ବାହାରିଲା

ଅନାହାରରେ ମରିଥିବା ଦଶମନ୍ତର ଫଟୋ

ଟିଭି, ରେଡ଼ିଓ ଆହା ଚୁଚୁ କଲା

ନାଁ ହେଲା ଗାଁଟା ଯାକର

 

ମରୁଡ଼ି ପଡ଼ିଲା ବୋଲି ଧାଇଁ ଆସିଲେ

କେବେ ପାଦ ମାଡ଼ି ନ ଥିବା ନେତା, ପ୍ରତିନିଧି,

ମାନବିକ ଅଧିକାର କମିଶନ

କୁଡିଆକୁ ପାଦ ପକାଇଲେ ମନ୍ତ୍ରୀ

 

ମଫସଲୀ ବଣୁଆ ଟୋକାଏ ଦେଖିଲେ

ଉଡ଼ାଜାହାଜ, ହେଲିକେପ୍ଟର

ଖାଇଲେ ଚକଚକିଆ ପୁଡ଼ିଆ ଖାନା

ମରୁଡ଼ି ପଡ଼ିଲା ବୋଲି ପୂରିଗଲା

ମହାଜନର ନାଲିଖାତା

ଜମି ବନ୍ଧା ପାଇଲା ଗୋସେଇଁ

ସୁନା ପିନ୍ଧିଲା ।

 

ଅଫିସର,ଠିକାଦାରର ବେଶ୍‌ ରୋଜଗାର ହେଲା

ମରୁଡ଼ି ପଡ଼ିଲା ବୋଲି ଖବର କାଗଜକୁ ମିଳିଲା

ଚାଞ୍ଚଲ୍ୟକର ହେଡ୍‌ଲାଇନ

ସରକାରକୁ ନୂଆ ଘୋଷଣାନାମା

ବିରୋଧୀ ଦଳକୁ ବିରୋଧ

ମରୁଡ଼ି ପଡ଼ିଲା ବୋଲି ଟ୍ରକରେ

ଚଢ଼ିଲା ସନାତନ

ଭଲ ମରୁଡ଼ିକୁ ଦେଖ ଯେ ସମସ୍ତେ ପାଆନ୍ତି ଭଲ

ମରୁଡ଼ି ପଡ଼ିଲା ବୋଲି

ସମସ୍ତଙ୍କ କଚେପୁଅ ବାର ।

 

କବିତା ପାଠ

 

ଆଜି ଯେତେବେଳେ ଚାରିଆଡ଼େ

ଅକବିତାର ଜଘନ୍ୟ ସାମ୍ରାଜ୍ୟ

ବହୁରାଷ୍ଟ୍ରୀୟ ଶିଳ୍ପ-ସଂସ୍କୃତି

ସାମ୍ରାଜ୍ୟବାଦରେ ଅତିଷ୍ଠ ବିଶ୍ୱର ଜୀବନ

ମୁଁ କେଉଁ କବିତା ପାଠ କରିବି

କବିତା ପାଠ ?

 

ପଥର ପାଲଟି ଯାଇଥିବା ଆଖି ଆଗରେ

ଦେଖାଇବି କୋଉ ଘନ ଜଙ୍ଗଲର ସବୁଜିମା

ଜମାଟ ବାନ୍ଧି ଯାଉଥିବା

ଗାଢ଼କଳା ରକ୍ତର ଆକାଶରେ

ଫୁଟାଇବି

କୋଉ ଅନାଗତ ସୂର୍ଯ୍ୟର ଲାଲିମା ?

 

କହିବି ଯେ ଯାହା ଯୋଉଠି ଯେମିତି ଅଛି

ଠିକ୍‌ ଅଛି

ଯିଏ ମରୁଛି ମରୁଥାଉ

ଯିଏ କାନ୍ଦୁଛି କାନ୍ଦୁଥାଉ

ଯିଏ ଭୋକରେ ମରୁଛି ତ ନିଜ ହାଡ଼ ରେକୁଟୁଥାଉ

ଯିଏ ଶୋଷରେ ଅଛି ତ ନିଜ ରକ୍ତ ଶୋଷୁଥାଉ

ମରୁଡ଼ି ଏମିତି ଛଡ଼ାଇ ନେଉଥାଉ ଗାଁ

ଅପସଂସ୍କୃତି ଛଡ଼ାଇ ନେଉଥାଉ ନାଁ

ଅଭାବୀ ଧାନ ବିକ୍ରିରେ ଆତ୍ମହତ୍ୟା କରୁଥାଉ ଚାଷୀ

ଶୋଷଣରେ ଶ୍ରମିକର ଫାଟୁଥାଉ ଛାତି

ରାଜନୀତିର ମିଛବଜାରରେ

ଚାଲିଥାଉ

ଗଣତନ୍ତ୍ରର ସ୍ୱାଧୀନ ଭୋଜିଭାତି ?

ମିଡିଆର ରୋମାଣ୍ଟିକ ସ୍ୱପ୍ନରେ ଥାଉ ସଦା କଳାହାଣ୍ଡି

କାଶିପୁର, ଲାଞ୍ଜିଗଡ଼ରେ ଚାଲିଥାଉ

ଜମି, ଜଙ୍ଗଲ, ଜୀବନ, ଜୀବିକାର ଯୁଦ୍ଧ

ଦେଖୁଥାଉ ରାସ୍ତାକଡ଼

ମୂଲିଆ, ରେଜାପୁଅର

ତେଲଚିକିଟା ଚିରା ହାଫପେଣ୍ଟ

ନଥିବା ଜାମାର ଫୁଙ୍ଗୁଲା ଦେହ

ନିଜର ଜଳୁଥିବା କରଡ଼ିର ଅଇଁଠାରେ ଚକ୍‌ଚକ୍‌

ଖାଲି ପ୍ଲେଟର ପ୍ଲେଟ୍‌

ପୁଚୁକୁନା ପାଣିରେ ବୁଡ଼ୁଥାଉ ପାଦ ।

 

ପ୍ରକାଶକର ରେକରେ ଶୋଭା ପାଉଥାଉ

ସାହିତ୍ୟ,ଅର୍ଥନୀତି, ବିଜ୍ଞାନର ବହି ।

 

କହିବି ଯେ-ଆହା, ବେକ କାଟୁଥିବା ବ୍ଳେଡ୍‌ର

କି ଚମତ୍କାର ଧାର

ହଜାର ହଜାର ହୃଦୟକୁ ହିରୋସୀମା କରିଥିବା

ଘୃଣାଣୁ ବୋମାର କି ସୁନ୍ଦର ଧୂଆଁଗାର ?

 

ନା ପୋଖତୀର ପେଟରେ ଛୁରା ଭୁସି

କରିବି ମହାମୁକ୍ତିର ଗାନ

ଧର୍ମ ନାମରେ କହିବି ମଣିଷ କଲିଜାକୁ ହାଣ

ଧର୍ମନିରପେକ୍ଷତାର ଦେଶରେ ଉଡ଼ାଇବି

ସାମ୍ପ୍ରଦାୟିକ ନିଶାଣ

ଦଙ୍ଗାରେ ଅପବିତ୍ର ହେବାକୁ ଦେବି ଗଙ୍ଗା

ପ୍ରିୟ ସଜ୍ଜନ

ଚାରିଆଡ଼େ ଅ-ଭାବର ମହାବାତ୍ୟା, ମହାବନ୍ୟା,

ମହାବିଭିଷିକା,

ଅଂଶୁଘାତର ଉପବନ ପ୍ରଦୂଷଣ ?

 

କହିବି ଯେ ସ୍ୱାଧୀନତା ଏକ ସୁନ୍ଦର ସପନ

ପୂନିଅଁ ରାତିରେ ହସୁଥିବା

ଏକ ତୋଫା ଜହ୍ନ

ସଧବାର ସୀମନ୍ତରେ ଜଳୁଥିବା

ଏକ ନାଲି ଚିହ୍ନ

କହିବି ଯେ ଭଲପାଇବା ସବୁଠୁ ବଡ଼ ଖରାପ କଥା ?

କହିବି ଯେ ସ୍ୱାଧୀନତାର ସୂର୍ଯ୍ୟ

ଆହୁରି ଉଇଁ ନାହିଁ

ନାରୀଟିଏ କିଟିକିଟି ଅନ୍ଧାର ରାତିରେ

ନିର୍ବିଘ୍ନରେ ଏଯାଏଁ ଏକାକିନୀ

ରାସ୍ତା ପାରି ହୋଇପାରି ନାହିଁ ?

କହିବି ଯେ ରାସ୍ତାକଡ଼ ଢାବାରେ

ମୋ ଭାରତର ପିଲାକାଳ

ବାସନ ମାଜୁଛି

ମୋ ଦେଶର ପ୍ରତିନିଧି ବ୍ୟସନେ ମାତୁଛି

ମଞ୍ଜଥରା ମୂଲିଆଣୀର ମଥାନ ଉପରୁ

ଆକାଶଚୁମ୍ବୀ ଅଟ୍ଟାଳିକାର ଛାଇ

ନିରେଇ ଯାଉଛି ?

କହିବି ଯେ ପୋଷେ ପେଟର ନର୍କର ପାଇଁ

ମା ଶିଶୁକୁ ବିକୁଛି

ଝିଅ ଦେହ ବେପାର କରୁଛି

ଅନାହାରରେ ମରୁଛି, ଅର୍ଦ୍ଧାହାରରେ ସଢୁଛି

ମାନବ ସମ୍ବଳ ?

କହିବି ଯେ

ଆଉ ଏବେ ନଥିବା ନଈରେ ନ ଥିବା ବଣରେ

ନଥିବା ମଳୟରେ ନୁହେଁ ଝାଞ୍ଜିରେ

କୋଇଲି ନୁହେଁ ଯନ୍ତ୍ର ଦାନବର ପୁଙ୍ଗା ବାଜୁଛି

କେବଳ କେଲେଣ୍ଡରର ପୃଷ୍ଠାରେ

ଶୁଖିଲା ଶ୍ରାବଣ ଆସୁଛି

ମାୟାର ମରିଚିକାର ସପନା ହଜୁଛି ?

ତମର ସମୟ ଅଛି ସୁଧୀଜନ

ଶୁଣିବାକୁ ମୋ କବିତା ପାଠ ?

ମୋର କଣ ସମୟ ଅଛି ଶ୍ରୋତୃବର୍ଗ,

ଦେଖେଇବାକୁ କବିତାର ନାଟ ?

 

ପିନାକୀ ସିଂ

୧୯୬୧-

 

ଆଧୁନିକ ଓଡ଼ିଆ କବିତାର ପ୍ରଲମ୍ବିତ ପରମ୍ପରାରେ ତରୁଣ କବି ପିନାକୀ ସିଂ ହେଉଛନ୍ତି ଉତ୍ତର କ୍ରାନ୍ତିର ଅନ୍ୟତମ ଅଗ୍ରସୂରୀ ।

 

ତାଙ୍କର କବିତା ଉତ୍ତୁଙ୍ଗ ଉତ୍ତରଣର ଉତ୍ତପ୍ତ ଉଚ୍ଛ୍ୱାସି-ଯାହା ଏକ ପରିବର୍ତ୍ତୀତ ପୃଥିବୀ ପାଇଁ ଆନ୍ତରିକ ଭାବରେ ଉତ୍ସର୍ଗୀକୃତ । ଗତି ସହିତ ସଙ୍ଗତିର ସୁଷ୍ଠ ସମନ୍ୱୟ, ଦୃଷ୍ଟିଭଙ୍ଗୀ ସହିତ ପ୍ରକାଶ ଭଙ୍ଗୀର ସଙ୍ଗମ ତାଙ୍କ କବିତାକୁ ଭିନ୍ନ ଭାବରେ ଚିହ୍ନାଇ ଦିଏ ପାଠକମାନଙ୍କୁ ।

 

ବ୍ୟବସ୍ଥିତ ସମାଜ ଓ ବିଭକ୍ତ ବ୍ୟକ୍ତିତ୍ୱ ବିରୋଧରେ ତାଙ୍କ କାବ୍ୟପୁରୁଷର ସ୍ୱର ଯେତିକି ବିସ୍ପୋରଣଶୀଳ-ସେତିକି ବେଦନା ବିଭୋର । ସାମଗ୍ରିକ ଭାବରେ ଅବହେଳିତ ଜନଜୀବନର ବାସ୍ତବ ଚିତ୍ର ଏହି ଯୁବକବିଙ୍କ ଶାଣିତ ଶବ୍ଦ ସଂଯୋଜନାରେ ପାଏ ଜୀବନ୍ୟାସ ।

 

କବିଙ୍କ ହାତରେ ଅଛି ଆହୁରି ଅସରନ୍ତି ଦିନ, ମାସ, ବର୍ଷ । ଆଶାକରୁ... ଅଧିକରୁ ଅଧିକ ତାଙ୍କ କବିତା ଆକାଶ ଅପେକ୍ଷା ମାଟିକି ଲୋଡ଼ିବ ।

 

 

ପଟୁଆର

 

ରାସ୍ତା ତିଆରିବେଳେ

 

ସେମାନେ ଢାଙ୍କିଲେଣି ମୁଣ୍ଡ

 

 

ନିଜନିଜ କୋତରା ଗାମୁଛାରେ

 

 

 

 

 

ଆଉ ନାଇଁ ଏନ୍ତୁଡ଼ିଶାଳର ସେକ ପରି

 

କଅଁଳ ଖରା

କଣ୍ଟ୍ରାକ୍ଟରର ନାଲିଆଖି ପରି

 

ଏବେ ଖରା ମାଗିଲାଣି ରକ୍ତ

 

ଗୋଟାପଣେ ନିଗିଡ଼ିପଡ଼ୁଥିବା ମଣିଷ

 

ମଣିଷ ନିଗିଡ଼ିପଡ଼େ ଦିନସାରା ।

 

 

 

 

 

ନିଷ୍କରୁଣ ସଭ୍ୟତାର ପାଦତଳେ

 

ବିଛେଇଲାବେଳେ ଯକ୍ଷ୍ମାର କଳାରକ୍ତ ପରି

 

 

ପିଚୁର ଗାଲିଚା

 

 

 

ନିଗିଡ଼ି ପଡ଼ୁଥାଏ ଜୀବନ

 

 

 

 

 

ଭିଟାମାଟିରୁ ଅମରାବତୀ ଯାଏ

 

ପଥରତଳେ ଶୋଇପଡ଼ୁଥାଏ ଭାଗ୍ୟ !

 

 

ମଣିଷ ନିଗଡ଼ିପଡ଼େ ଜୀବନସାରା ।

 

 

 

 

 

ଅଭିମାନ ପରି ନଇଁ ଆସିଲା ବେଳକୁ ସଂଜ

 

ସେମାନେ ଫେରିଆସନ୍ତି

 

ନିଜନିଜ ଅନ୍ଧାରକୁ

ମଦ ଆଉ ଝାଳର ଗନ୍ଧରେ

 

ସେ ’ଅନ୍ଧାର ବାସେ

 

 

ସଦ୍ୟ ଋତୁମତୀ ପରି !

 

 

 

 

 

ଡାହାଣୀ -ଆଲୁଅ ପରି

 

ଜଳିଲିଭି ତା’ର ଶୋଇପଡ଼େ

 

 

ଦେହ ଆଉ ବିଳାପ

କୁହୁଳା ନିଃଶ୍ୱାସର ନିଧୁବନରେ

 

ଦିଗମ୍ବରୀ ଅନ୍ଧାର ହୁଏ ଗର୍ଭବତୀ

କାଲିପାଇଁ ସଜବାଜ ହେଉଥାଏ

 

 

ଆଉଗୋଟେ ନିଗିଡ଼ିପଡ଼ୁଥିବା ଦିନ !

 

ଛାଇ ଓ ଈଶ୍ୱର

 

ନିଆଁ-ଚୁଲିରେ ଥିଲେ ଜୀବନ,

 

ଚାଳକୁ ଉଠିଲେ ଶ୍ମଶାନ

ଈଶ୍ୱର- ଛାତିରେ ରହିଲେ ମଣିଷ,

 

ମୁଣ୍ଡକୁ ଚଢ଼ିଲେ ଅସୁର

 

 

ତା’ପରେ ଯୁଆଡ଼େ ଚାହଁ

 

 

‘ମୁମ୍ବାଇ’ଆଉ ‘କନ୍ଧମାଳ’

 

 

 

ଏବେ ପଚାର ଶବକୁ

 

ଈଶ୍ୱରଙ୍କ ଠିକଣା ?

ଛେଉଣ୍ଡ ଛୁଆଙ୍କୁ ପଚାର ଜାତି ?

ପଚାର ଧର୍ଷିତାର ଧର୍ମ ଆଉ ପଚାରି ଆସ

 

ବ୍ୟାଖ୍ୟାକାରମାନଙ୍କୁ-

 

ଭୋକର ରଙ୍ଗ କେମିତି ?

 

 

 

ପୁରାଣର ଯାଉଁଳି କବାଟ ଖୋଲି

 

ପାଦ ଚିପିଚିପି ଆସୁଥିବା ‘ଈଶ୍ୱର’-

 

ବେଳକାଳ ଉଣ୍ଡି ପିଇନିଏ ପେଟେ ରକ୍ତ !!

ଜଳନ୍ତା ଆକାଶ ତଳେ ଧାଉଁଥିବା

 

ଭୋକର ଈଶ୍ୱର କାଳକାଳ ଖୋଜି ଆସିଛି

 

ଖଣ୍ଡେ ରୁଟି ଆଉ ମୁଠାଏ ଭାତ !

 

ଏ ଦୁହେଁ ପରସ୍ପରର ବେଶ୍‌ ପରିଚିତ ।

ବିଶ୍ୱାସର ଗର୍ଭଗୃହରୁ ସନ୍ତର୍ପଣରେ ମଗଜକୁ

 

ଚଢ଼ିଯାଇଥିବା ଈଶ୍ୱର-

 

ଭୋକକୁ ଧରାଏ ବନ୍ଧୁକ,

ଜୀବନ ପାଲଟେ ଜଳନ୍ତା ଜଉଘର

 

ଆତ୍ମହତ୍ୟା କରେ ସୂର୍ଯ୍ୟୋଦୟ

 

ଆଗାମୀ କାଲିର ।

 

 

 

ମଗଜରେ ଡିଆଁ ମାରୁଥିବା ‘ଈଶ୍ୱର’

 

ଗୋଟେ ଛାଇ, ପ୍ରତାରକ ସମୟର

ପେଟରେ ଡିଆଁ ମାରୁଥିବା ଭୋକ

 

ଗୋଟେ ଡହଡହ ବାସ୍ତବତା,

 

 

ଛାତି ତଳେ ସାଇତା ସ୍ୱପ୍ନର ।

 

ରକ୍ଷକ ନାୟକ

୧୯୬୩-

 

ଅଶୀ ପରବର୍ତ୍ତୀ ପ୍ରଗତିଶୀଳ ଓଡ଼ିଆ କବିତାର ଅନ୍ୟତମ ଶକ୍ତିଶାଳୀ ସ୍ରଷ୍ଟା ହେଉଛନ୍ତି ରକ୍ଷକ ନାୟକ । ସମାଜର ବଞ୍ଚିତ ବର୍ଗର୍ମାନଙ୍କ ଜୀବନ ଜୀବିକାର ଭଗ୍ନ,ବ୍ୟଥା ଓ ବିପର୍ଯ୍ୟସ୍ତର ବାସ୍ତବ ବିଷୟ ହେଉଛି ତାଙ୍କ କବିତାର ମୂଳପିଣ୍ଡ ଓ ବିନ୍ୟାସରେ ବିପୁଳ ବ୍ରହ୍ମାଣ୍ଡ ।

 

ସାମାଜିକ ତାରତମ୍ୟ, ଉଚ୍ଚନୀଚ୍ଚ ଭେଦଭାବର ଅକଥନୀୟ ଅନାଦର୍ଶ, ଥିଲାବାଲାଙ୍କ ଅଶୋଭନୀୟ ଆଚରଣ, ଅର୍ଥନୈତିକ ଓ ସାଂସ୍କୃତିକ ଶୋଷଣ ବିରୁଦ୍ଧରେ କବିଙ୍କ ‘ଉର୍ଦ୍ଧ୍ୱ ଉଡ଼ାଣ’ ହେଉଛି ଅନୁଭବର ଅଗ୍ରଦୂତ ।

 

ରକ୍ଷକ ନାୟକ ମୁଖ୍ୟତ କ୍ରାନ୍ତିର କାବ୍ୟକାର । ଶବ୍ଦ ନିର୍ମାଣରେ ସେ ସ୍ୱତନ୍ତ୍ର, ସ୍ୱକୀୟ ଶୈଳୀରେ ସେ ସିଦ୍ଧହସ୍ତ । ସମନ୍ୱୟ ଓ ସହାବସ୍ଥାନ ତାଙ୍କ କାବ୍ୟ କଳାର ମୂଳ ସୂତ୍ର । ପରିବର୍ତ୍ତୀତ ପୃଥିବୀର ସ୍ୱପ୍ନ ଓ ସମ୍ଭାବନା, ସାମ୍ୟ ଓ ସୁନ୍ଦର ସମାଜର ବଳିଷ୍ଠ ସ୍ୱର ତାଙ୍କୁ କରିଛି ପାଠକମାନଙ୍କ ନିକଟତର ।

 

ମୁକ୍ତ ଛନ୍ଦ

 

ରକ୍ତରେ ହେଉ ବା ଚନ୍ଦନରେ ହେଉ

ଯେଉଁମାନେ ମାଟିରେ ଗାର କାଟି

ମାନଚିତ୍ରଟିଏ ତିଆରି କରନ୍ତି

ସେମାନଙ୍କୁ ତମେ ରାଜା, ବୀର ମହାନାୟକ

ଯାହା ବି କହିପାର

ମୋ ପାଇଁ ସେମାନେ

ଯାଦୁକର କେବଳ ।

 

ଗୋଟେ କ୍ଷୁଦ୍ର କ୍ଷେତ୍ରକୁ ଦେଖାଇ

କହିବ, ଏ ତୋର ତ୍ରିକାତର ଭୂମି

ଶୈଶବର ଗୋପ ଦାଣ୍ଡ, ବାର୍ଦ୍ଧକ୍ୟର ବାରାଣସି

ଯୌବନର ଯମୁନା କୂଳ

ଏଇଠି ତୋ ଏନ୍ତୁଡ଼ିଶାଳ, ଏଇଠି ମଶାଣି

ଏଇଠି ଅଛି

ଅପ୍ରକାଶିତ ଜୀବନର ସବୁ କିଛି ।

 

ଏ ପାଇଁ ରକ୍ତ ଦେ, ଆୟୁଷ ଦେ

ଜୀବନ ଦେ, ନିଜକୁ ବିସ୍ତାରି ଦେ

ସସୀମ କ୍ଷେତ୍ରରେ

ବାଡ଼ ଆରପଟ ପାଚିଲା ଧାନ କ୍ଷେତକୁ

ପୋଡ଼ି ଦେ ତୋ କ୍ରୋଧର ନିଆଁରେ

ମୁଁ ମାନିବିନି ।

ମୋ ଉଡ଼ନ୍ତା ପକ୍ଷକୁ, ଛକିଛି

ତୁ ବର୍ଣ୍ଣିଳ ବୁଢ଼ିଆଣି ଜାଲ

ମୋ ଭାଗ୍ୟର ସୀମା ହୋଇ ପାରେନା

କେତେ ବର୍ଗ କିଲୋମିଟର କି ପତାକାଟେ

କି ମନଗଢ଼ା ସ୍ଳୋଗାନଟିଏ

ମୋ ଆୟତନ ଅତି

ସମଗ୍ର ମାଟିର ଆକାର ।

 

ଯେତେ ଯାଏଁ ବ୍ୟାପିଛି ନିଃଶ୍ୱାସର ଖେଳ

ଯେ ଯାଏଁ ଶୁଭୁଛି ବାଜି ପତ୍ରର

ହାତ ଯୋଡ଼ା ପ୍ରାର୍ଥନା

ସେ ସବୁ ତ ମୋର

ଅମୃତ ସ୍ୱାକ୍ଷର ।

 

ମତେ ବାନ୍ଧନି,

ତୁମ ପତାକା ଖୁମ୍ବରେ, ଜାତୀୟ ସଙ୍ଗୀତରେ

ମୁଁ ତ ପ୍ରଜାପତିଟିଏ

ତୁମ ମାନଚିତ୍ରମାନଙ୍କ ରଙ୍ଗ ବଗିଚାରେ ।

ତୁମ କୋଳାକୋଳିରୁ,କଳାରୁ

ମତେ ମୁକ୍ତ କର

ମତେ ଜାତି ଦ୍ରୋହୀ, ଦେଶ ଦ୍ରୋହୀ

ଘୋଷଣା କରି

ଫାଶୀ ଦେଇପାର ।

 

ମୋର ତମମାନଙ୍କଠୁ ମୁକ୍ତି ଦରକାର ।

 

ନିଆଁ

 

ଚାରିଆଡ଼େ ନିଆଁ ଜଳୁଛି ।

 

ଜଳି ଯାଉଛି ଖାଦ୍ୟ ରାନ୍ଧୁଥିବା ହରିତ ପତ୍ର

ଜଳିଯାଉଛି ବଂଶୀ, ବସ୍ତାନୀ, ପ୍ରାର୍ଥନା ଖାତା

ମାଟି ତଳେ ଦାରୁଣ ଦହନର ବିହନ ପଡ଼ିଛି

ଆଖିପତା ଉପରେ ଆକାଶ ପାଉଁଶ ହେଉଛି

ଅଧା ପୋଡ଼ା ଠାକୁର ନର୍ଦମାରେ ଭାସୁଛି

ସଭିଙ୍କ ଛାତି ତଳେ ନୂଆନୂଆ ଜାଳେଣିର ଖଣି

ଆବିଷ୍କୃତ ହେଉଛି ।

 

ଦିଲ୍ଲୀରେ, ଡରବାନରେ, ମାଲକାନଗିରିରେ

ମେସୋପଟାମିଆରେ, ଇଗ୍‌ଲୁରେ

ଆମାଜନ କୂଳେକୂଳେ

ଯେତେ ସବୁ ଅବୈଧ ଅନ୍ଧାର, ଗର୍ଭରେ

ସଞ୍ଚରୁଛି ନିଆଁ

ମଳୟରେ ଉଡ଼ିଆସୁଛି ସ୍ପୁଲିଙ୍ଗ

ସ୍ୱପ୍ନର ଶସ୍ୟ ଶାମଳା ଶାରଦ କିଆରୀ ଜଳୁଛି

ଅତିଥି ଆସୁଛି ନିଆଁର ବେଭାର ଧରି

ହୃଦୟ ନ ଥିବା ରାଇଜରେ

ହାୟ ! ସମସ୍ତେ ହୃଦଘାତରେ ମରୁଛନ୍ତି

 

କିଏ ଏ ବୀଜ ବିକ୍ଷେପ କରିଛି

ସବୁଠି ବିଷ ବୃକ୍ଷ, ସବୁଠି ଘୃଣାର ଅଙ୍କୁରାରୋପଣ

କିଏ ସେ ଅନେଇ ଦେଇଛି

ମନ୍ଦିରର ଫରଫର ବାନା ପୋଡ଼ିଯାଉଛି

ସଞ୍ଜ ଆଳତୀରେ ପୋଡ଼ୁଛି ଭାଗବତ ଘର

ଜୋତା ଫୋଡି ହେଉଛି ପାଦ, କବିତା ଅକ୍ଷର

କେଉଁ ଘର୍ଷଣରୁ ସୃଜିଛି ଏହି କଷଣ

 

ସବୁ ସାରିଯାଉଛି ଇତିହାସ ଭୂଗୋଳ

ଅଗ୍ନିକନ୍ୟାର ନିବିବନ୍ଧ ଖୋଲିଯାଉଛି

ଜଳୁଛି ହୁତୁହୁତୁ ପାର୍ଲିଆମେଣ୍ଟ, ଡିସ୍କୋଥେକ୍‌,ବିଦ୍ୟାଳୟ

ଯେତେ ସବୁ ନିର୍ଭର ଆଶ୍ରୟ ।

 

ଆମେ କିଛି କରିପାରୁନେ

ନିଆଁର ଭଉଁରିରେ ପଡ଼ି ବୁଲୁଛେ

ପ୍ରତିଟି ମୁହୂର୍ତ୍ତକୁ ମରଣକୁ ଅର୍ପଣ କରୁଛେ

ନିଆଁ ଆଗେ ଆଗେ

ବି ନିଆଁ ପଛେ ପଛେ ।

 

ଏ ନିଆଁ ଲିଭିବ ନିଶ୍ଚୟ ଲିଭିବ

ସପ୍ତ ମହାସାଗରର ପାଣିରେ ନୁହେଁ

କି କେଉଁ ତପସ୍ୟାରେ ନୁହେଁ

କି ଅନ୍ୟ କେଉଁ ନିଆଁରେ ନୁହେଁ

ଏ ନିଆଁ ନିଶ୍ଚୟ ଲିଭିବ

ଗୋଟେ କାମ କରି ପାରିବ

ନିଆଁ ଉପରକୁ ଟିକେ ଛେପ ପକେଇ ପାରିବ ।

 

ଲୁଣ୍ଠନ

 

ଖଣ୍ଡ ପ୍ରଳୟର ସୂଚନା ଦେଇ

ସେ ପହଞ୍ଚିଲା ଧୂମକେତୁ ପରି

ଦୁଲୁକିଗଲା ଭୂମି, ମନ୍ଦିରରୁ ଖସିଲା

ଦଧିନଉତି

ରକ୍ତର ଛିଟାରେ କରୁଣ ଦିଶିଲା ଗଡ଼ର ପାଚେରୀ

ଶୁଣିଥିଲୁ ଶତ୍ରୁର ସନ୍ତ୍ରାସୀୟ ପରାକ୍ରମ

ଦେଖିଲୁ ଆଖିରେ

ମାଟି ପାଇଁ ଜୀବନ ଦେବା ବାଜେ କଥା

ସହିଦ ହେବା ଥିଲା ଅନେକଙ୍କ କପାଳରେ ।

ଶବ ଡେଇଁ ସେ ବନାଗ୍ନି ପରି

ଭେଦୁଥିଲା ଭିତରକୁ, ଉଦ୍ଧତ ବାତ୍ୟାପରି

ଏକ ପୋଡ଼ା ରାଜପଥରେ

ସେ ପହଞ୍ଚିଲା ରାଜଧାନୀକୁ

ଆମ ସ୍ୱପ୍ନ, ସଂକଳ୍ପ ଓ ସମୃଦ୍ଧିର

ଶକ୍ତିସ୍ଥଳକୁ ।

ସେ ସିଂହାସନରେ ବସିଥିଲେ

ଆମେ କୃତାର୍ଥ ହୋଇଥାନ୍ତୁ

କେଉଁ ପ୍ରଜା ଭଲା ନ ଚାହିଁବ ଯେ

ତା’ ଭଳି ରାଜାଟିଏ ପାଇବାକୁ

ଶୀର୍ଷ ସାମର୍ଥ୍ୟକୁ ।

ସେ କିନ୍ତୁ ଆସିଥିଲା

ଲୁଣ୍ଠନ ଲକ୍ଷ୍ୟରେ

ସେ ଥିଲା ତରତର

ବୋଧେ ଆକୁଳ କରୁଥିଲା

ମାଟିର ଡାକ, ଘରର ।

 

ମନ୍ଦିର ଖୋଲାଥିଲା

ଆମର ମହାପ୍ରୁକୁ ନେଲାନି

ରାଣୀ ଅନ୍ତଃପୁର ଜଗୁଆଳହୀନ

ଆଡ଼ ଆଖିରେ ଚାହିଁଲାନି

ମେଲା ଥିଲା ଐଶ୍ୱର୍ଯ୍ୟର ପୂର୍ଣ୍ଣ ଭଣ୍ଡାର

ଛୁଇଁଲାନି

 

ସେ ଖୋଜୁଥିଲା ପାଗଳ ଭଳି

କବିଙ୍କୁ ଆଡ଼େଇ ଦେଲା, ପଣ୍ଡିତଙ୍କୁ

ଆଡ଼ କରିଗଲା

ରାଜ୍ୟର ଶ୍ରେଷ୍ଠ ବେଶ୍ୟାକୁ, ସନ୍ନ୍ୟାସୀକୁ

ସୌଦାଗରକୁ, କାହାକୁ

ଲୋଭେଇଲାନି ।

 

ଶେଷରେ କାହାକୁ ଜଣକୁ

ଅନ୍ଧାରକୁ ଗୋଟେଇ ଘୋଡ଼ା ପିଠିରେ

ଅନ୍ଧାରରେ ଚାଲିଗଲା

ସେ ବିଦୂଷକକୁ ନେଇଥିଲା ବୋଲି

ବହୁବର୍ଷ ପରେ ଜଣାପଡ଼ିଲା ।

 

 

Unknown

ବାସୁଦେବ ସୁନାନୀ

୧୯୬୩-

 

ଓଡ଼ିଶାର ଦଳିତମାନଙ୍କ ସଂସ୍କୃତି, ସାହିତ୍ୟ ଓ ସମାଜକୁ ନେଇ କବି ବାସୁଦେବ ଗବେଷଣା ରତ । ଦଳିତ ସାହିତ୍ୟର ପ୍ରମୁଖ କବିମାନଙ୍କ ମଧ୍ୟରୁ ସେ ଅନ୍ୟତମ ଓ ନବ୍ୟପ୍ରଗତିବାଦୀ କାବ୍ୟ ଆନ୍ଦୋଳନର ଏକ ବଳିଷ୍ଠ ଅଂଶ ବିଶେଷ ।

 

ଦଳିତ ହାତରେ ଦଳିତ ସାହିତ୍ୟର ପରିପ୍ରେକ୍ଷୀରେ ସବୁଠୁ ବେଶି ସ୍ପଷ୍ଟ ଓ ବଳିଷ୍ଠ ତାଙ୍କ ଉଚ୍ଚାରଣ । ଦଳିତ ସମାଜର ଅଚର୍ଚ୍ଚିତ, ଅନାଲୋଚିତ ଚରିତ୍ରମାନଙ୍କ ସହ କବିଙ୍କ ଅନ୍ତରଙ୍ଗତା, ବ୍ୟକ୍ତିଗତ ଓ ସାମୁହିକ ଜୀବନରେ ବେଦବାଦୀମାନଙ୍କ ଉପେକ୍ଷାର ଅନୁଭବ ତାଙ୍କ କବିତାକୁ ବାକି ଓଡ଼ିଆ କବିତାରୁ କରିଛି ନିଆରା । ଯେଉଁ ଚରିତ୍ର, ବିଷୟ, ଭାଷା, ଶୈଳୀ ଓ ଶବ୍ଦକୁ ନିଜ ସାହିତ୍ୟରେ ଉପଜୀବ୍ୟ କରିଛନ୍ତି, ତା’ର ଦୀର୍ଘକାଳର ଅନୁପସ୍ଥିତି ଓଡ଼ିଆ ସାହିତ୍ୟକୁ କେତେ ବଡ଼ ବିଭବରୁ ବଞ୍ଚିତ କରି ରଖିଥିଲା କବିଙ୍କ ‘ମହୁଲ ବଣ’, ‘ଅସ୍ପୃଶ୍ୟ’ ଓ ‘କଉଡ଼ି ହାଟ’ରୁ ବୁଝି ହେବ ।

 

ଏହି ତିନିଗୋଟି କବିତା ସଂକଳନ ଓଡ଼ିଆ ଦଳିତ ସାହିତ୍ୟରେ ଶ୍ରେଷ୍ଠ ଓ ବଳିଷ୍ଠ ସ୍ୱରଭାବେ ସମ୍ପ୍ରସାରିତ । ଏଇଥିପାଇଁ ଆମ ଭାଷାସାହିତ୍ୟରେ କବି ବାସୁଦେବ ସୁନାନୀଙ୍କ ରହିଛି ସ୍ୱତନ୍ତ୍ର ସ୍ଥାନ ।

 

ଅନୁମତି

 

ଅନୁମତିଟିଏ

ମଞ୍ଜୁର ହେଉ ମାଲିକ୍‌ !

 

ମୁଁ ଘଡ଼ିଏ ଝାଳ ମାରେ

 

ତମ ଆଦେଶ ମୁତାବକ

ଗୁହାଳର ସବୁ ଖର୍ସି

ସଫା କରି ଦେଇଛି

ଛେଳିକୁ ଠିକ୍‌ ଠିକ୍‌

ପତରା ଜଙ୍ଗଲରେ

ପେଟ ପୂରାଇଛି

 

ତମ ନର୍ଦ୍ଦମା ଇଲାକା

ସଫା କରି ଦେଇଛି ତ’

ଗନ୍ଧେଇବା ବନ୍ଦ ହୋଇ

ଯାଇଛି

 

ଏଣେ

ତମ ମନୋରଞ୍ଜନ ପାଇଁ

ତମାମ ରାତି

ତମାମ ଦିନ

ବଜେଇ ବଜେଇ

ହାତରେ ବିଣ୍ଡି ଫୁଟିଛି

ମୁଁ ଜାଣିନି

କେତେ ଯୁଗରୁ ଏ ସବୁ କାମ

ଢୋକେ ବାସି ତୋରାଣୀ

ମୁଠାଏ ଖୁଦ, ମଲଖୁ ବିନିମୟରେ

କରି ଚାଲିଛି ଯେ

ଚାଲିଛି

 

ଏବେ ମୋର ସର୍ବାଙ୍ଗ ଶରୀର

ପିତୃପୁରୁଷ, ଦେ’ ଦେବତା

ଝାଳ ସରସର

 

ଘଡ଼ିଏ ଥକ୍‌କା

 

ଦରକାର ହେଉଛି

 

ଏଥିରେ ପୁଣି

ମୋତେ ଦେଖି ନାକ ଟେକି କହୁଛ

ଦେହ ଗନ୍ଧାଉଛି

 

ଘର ଘୁଷୁରୀ ଗୁହାଳ ସାଜିଛି

 

ବୁଝିବ ଯଦି ମାଲିକ୍‌ !

ମୋର କଥା ଭାବିବାକୁ

ମୁଁ ବା କେତେବେଳେ

ଫୁର୍‌ସତ୍‌ ପାଇଛି

ତମ ଆତ୍ମତୃପ୍ତିର

 

ଶୁଭ ବେଳାକୁ ଅପେକ୍ଷା କରିକରି ଇଁ

ମୁଁ ମୋର

ମାଛି ଭଣ ଭଣ ଜୀବନର

ସଂଜ୍ଞା ଖୋଜୁଛି

 

ଖୁବ ଥକ୍‌କା

ହୋଇ ଗଲିଣି ମାଲିକ୍‌ !

ଖୁବ୍‌ ଥକ୍‌କା

ଏଣିକି

ଅନୁମତିଟିଏ ଜାରି ହେଉ

କମ୍‌ସେ କମ୍‌

ଏତିକି ତ’ ବୁଝେଇ ଦିଏ ତମକୁ ଯେ

 

ମୁଁ ବି ଛୋଟ ମୋଟ ଧରଣର

ବିଦ୍ରୋହ କରି ଜାଣିଛି ।

 

ଘରଟେ ବନେଇବି

 

ଭାବୁଛି,

ଘରଟେ ବନେଇବି,

 

ବାୟା ଚଢ଼େଇଠୁ ଆଣିବି

ଘରର ନକ୍ସା,

 

ଟିକେ ଚଢ଼ାଦର ଦେଇ ଦେଲେ

ମିସ୍ତ୍ରୀ କାମ ପାଇଁ

ରାଜି ହୋଇଯିବ ମାଙ୍କଡ଼ଶା

 

ଜାଗା ?

ଏଠି ଜାଗାର କି ଅଭାବ ଅଛି,

ଯାହାକୁ ବି ଅନୁରୋଧ କଲେ

ମିଳିଯିବ ଅନ୍ତତଃ

ପାଞ୍ଚ ଫୁଟ୍‌ ପାଞ୍ଚ ଇଞ୍ଚ୍‌ ଅଭାବି ମନ

ରଖିବାକୁ ପଡ଼ିବ

ସେଇ ଭରସା ।

 

ଘର କାମ ଶେଷ ହେବ ଯେବେ

ଅଗଣାରେ ରଖିବି କିଛି

ଚଟିଆ ପକ୍ଷୀଙ୍କ କାକଳି,

ଭିତରେ ଝିଟିପିଟିର କିତ୍‌ କିତ୍‌,

ରୋଷେଇ ଘରେ କିଛି

ମୂଷାଙ୍କ ଉପଦ୍ରବ ଏବଂ

କାନ୍ଥରେ ଟାଙ୍ଗିବି

ଗୋଟିଏ ତୈଳଚିତ୍ର,

ସମୁଦ୍ର ଭିତରେ

ଡଙ୍ଗାଟିଏର ଦୃଶ୍ୟ ରଖିବି ?

ନା,

 

ଜଙ୍ଗଲ ଭିତରେ

ବାଘ ଦୁଇଟିର ଦୃଶ୍ୟ ରଖିବି ?

ନା,

 

ଶଗଡ଼ ଗାଡ଼ିରେ ଯୁଦ୍ଧର ଦୃଶ୍ୟ

ଯେଉଁଠି ଲେଖାଥିବ

ଯଦା ଯଦା ହି ...?

ନା,

 

ଏ ସବୁ ତ ସଭିଙ୍କ ଘରେ,

 

ମୁଁ କିନ୍ତୁ ଏକ ନୂଆ

ଅତି ପରିଚିତ ଛବିର ତୈଳଚିତ୍ରଟିଏ

ଟାଙ୍ଗିବି ଯଥା ‘ପୋଡ଼ା ମାଝି’ର

ଟିଣ ବାକ୍ସ,ରସ ଡେକ୍‌ଚି ମୁଣ୍ଡେଇ

ଇଟା ଗଢ଼ି ଯାଉଥିବାବେଳେ

ବସ୍‌ ଚଢ଼ୁଥିବା ଦୃଶ୍ୟ

ଟାଙ୍ଗିବି ମୋ ଖଟ ସାମ୍ନାରେ

ତା’ର ନାମ ଫଳକ ସହ,

 

କାକଳି

କିତ୍‌ କିତ୍‌ ଏବଂ

ଉପଦ୍ରବର

ଚମତ୍କାର ସଙ୍ଗୀତ ଧ୍ୱନୀରେ

ତୈଳଚିତ୍ର ଦେଖୁ ଦେଖୁ

ଶୋଇ ପଡ଼ିବି,

 

ଶୋଇ ପଡ଼ିବି ଯେ ଉଠିବିନି

ଶତାବ୍ଦୀ ଶତାବ୍ଦୀ ଧରି,

ବହୁ ବର୍ଷ ପରେ

ଐତିହାସିକମାନେ ଯେବେ

ଆବିଷ୍କାର କରିବେ ଏ ଘର,

 

ନ ଥିବ ପକ୍ଷୀର କାକଳି

ନ ଥିବ ଝିଟିପିଟିର କିତ୍‌ କିତ୍‌

ନ ଥିବ ବି ମୂଷାର ଉପଦ୍ରବ

 

ଏପରିକି ମୁଁ ଶୋଇଥିବା ଖଟ ଓ

ମୋର କଙ୍କାଳ ।

 

ତୈଳଚିତ୍ରଟି ସେଇମିତି

ଟଙ୍ଗା ହୋଇଥିବ ।

 

ଐତିହାସିକମାନେ ସନ୍ଦର୍ଭ ଲେଖିବେ

ପୁରାତନ ପ୍ରାପ୍ତ ତୈଳଚିତ୍ରରୁ

ପ୍ରମାଣ ମିଳୁଛି ଯେ,

 

ସେ କାଳର ମଣିଷ ବ୍ୟବସାୟୀ ଥିଲେ

ପୋଡ଼ା ମାଝି

ସେମାନଙ୍କ ସର୍ଦ୍ଦାର ଥିଲା ।

 

ହଜୁ ତାଣ୍ଡିର ଶ୍ରମକଥା

 

ଏଥର

ମାଟିକୁ ପଚାରିଲେ ଠିକଣା

ଦେଖେଇ ଦେଉଛି

ଦୁର୍ଲଭ ମଣାଣୀ,

 

ଆକାଶକୁ ମାଗିଲେ ଆଶ୍ରୟ

ବତେଇ ଦେଉଛି

ଅପ୍ରାପ୍ତ ଉଜାଣି,

 

ମୋର ସମସ୍ତ ବାକ୍‌ ଶକ୍ତିର

ପ୍ରବଳ ପ୍ରୟୋଗ ସତ୍ତ୍ୱେ

ଏଇଠି

ନୀରବତାର କ୍ରୁର ହେଣ୍ଟାଳଟିଏ

ଅହରହ ଅବ୍ୟାହତ ଅଛି,

 

ସମସ୍ତଙ୍କ ଛାତିରେ

ଠୋକ୍‌କର ଦେଇ ଦେଇ

ମୋର ପରିଚୟ ଜଣେଇବା ସତ୍ତ୍ୱେ

ଏ ଯାଏଁ ମୁଁ

 

ଏକ ଅଜଣା ପ୍ରତିମାଟିଏ ପାଲଟିଛି,

 

ମଣିଷମାନେ !

ଏବେ ମୋତେ ଚିହ୍ନି ନିଅ

ମୋ ନାଁ ହଜୁ ତାଣ୍ଡି

ଦନ୍ଥଡ଼ା କନ୍ଥା,

ଚେପ୍‌ଟା ରସ ଡେକ୍‌ଚି,

ମୋର ଛୋଟୀ ମାଇକିନା

ତିନିଟି ଛୁଆ ସହ

କିଛି କାମ ଅନ୍ୱେଷଣେ

ଗାଁ ଗାଁ ବୁଲୁଛି,

 

ଶ୍ରମିକଟିଏ ମୁଁ

ମୋର ଶ୍ରମ ଘେନା କର

ମେହେର୍‌ବାନ୍‌ !

 

 

ପୂଜାଫୁଲ ସଂଗ୍ରହଠାରୁ

ପାଇଖାନା ସଫା ପର୍ଯ୍ୟନ୍ତ

ସବୁ କାମ କରିବାକୁ

ମୋର ଅବୟବରେ ବଳ ଅଛି ।

 

 

ସୁଚେତା ମିଶ୍ର

୧୯୬୫-

 

ଅଶୀଦଶକ ପରବର୍ତ୍ତୀ କାଳର ସୁଚେତା ମିଶ୍ର ପାଠକ ମହଲରେ ବେଶ୍‌ ଆଦୃତ ପ୍ରିୟ ପରିଚିତ କବି । ସହଜ, ସରଳ ଭାଷା ବର୍ଣ୍ଣନାରେ କବିତା ତାଙ୍କର ଯେତିକି ଉତ୍ତୀର୍ଣ୍ଣ, ଚରିତ୍ର ନିର୍ମାଣ କ୍ଷେତ୍ରରେ ସେତିକି ପ୍ରାଞ୍ଜଳ । ସାମ୍ରାଜ୍ୟବାଦ, ସାମାଜିକ ବୈଷମ୍ୟ ଓ ନାରୀ ନିର୍ଯ୍ୟାତନା ବିରୁଦ୍ଧରେ ଏ ଯାବତ୍‌ ସାତଗୋଟି କବିତା ସଂକଳନର ସୃଜନ ସ୍ରଷ୍ଟା ସୁଚେତା ମିଶ୍ର କବିତାର ପରୀକ୍ଷା ନୀରିକ୍ଷା କ୍ଷେତ୍ରରେ ସମଧର୍ମାମାନଙ୍କ ମଧ୍ୟରେ ଅଗ୍ରଗଣ୍ୟା ।

 

କବିତାକୁ କହିବା ଢଙ୍ଗରେ ତାଙ୍କର ସ୍ୱକୀୟ ଶୈଳୀ ଅତିକ୍ରମ କରିଯାଏ ସୀମା ସରହଦ । ସେ ଅଟକନ୍ତି, ଯେଉଁଠି ଭେଟ ହୁଏ ଆଉ ଏକ ଚରିତ୍ର । ସେହି ଚରିତ୍ର ଭିତରୁ ପୁଣି ତାଙ୍କର ଆରମ୍ଭ ହୁଏ ଆଉ ଏକ କବିତାର ଧାରା, ଯାହା ଛୁଏଁ ମଉଳି ଯାଉଥିବା ମାଟି-ମଣିଷର ମର୍ମବେଦନା ।

 

ସ୍ପଷ୍ଟୋକ୍ତି, ଅଭିବ୍ୟକ୍ତରେ ଆନ୍ତରିକତା, ଶବ୍ଦ ବ୍ୟବହାରରେ ସତେଜତା ଓ ସଂକ୍ଷିପ୍ତତାକୁ ନେଇ ତାଙ୍କ କାବ୍ୟଭୂମି ସମୃଦ୍ଧ । ବର୍ତ୍ତମାନକୁ ନେଇ ଗ୍ଳାନିବୋଧ ଓ ତତ୍‌ଜନିତ ପରିସ୍ଥିତି ଭିତରୁ ମୁକ୍ତି ଲୋଡ଼ିବାର କାବ୍ୟିକ ଅନ୍ୱେଷଣ ପ୍ରକ୍ରିୟାଟି ତାଙ୍କ କବିତାରେ ସୂକ୍ଷ୍ମଭାବରେ ଅବସ୍ଥାପିତ, ସେଥିରୁ ସ୍ୱକୀୟ ଶୈଳୀରେ ବାରିହୋଇପଡ଼ନ୍ତି ସୁଚେତା ।

 

ରକ୍ତସ୍ରାବର ଛନ୍ଦ

 

ହେ ମୋର ପ୍ରଥମ ପ୍ରେମ

ହେ କବିତା ମଣିଷର ଭାଷା !

ହେ ଜାଗ୍ରତ ଅବସ୍ଥାର

ସ୍ୱପ୍ନ ମୋର ବିଶ୍ୱାସ ଓ ଆଶା !

 

ନିରନ୍ତର ନିଦ୍ରାହୀନ

ହେ ଜୀବନ ଜିଜୀବିଷା ମୋର !

ହେ ସଂଗ୍ରାମ ହେ ସଂଘାତ

ଶିଖାୟିତ ସ୍ୱେଦର ସ୍ୱାକ୍ଷର !

 

ହେ ବିଦ୍ରୋହୀ ମାନବତା

ମୁକ୍ତିକାମୀ ମଶାଲର ନିଆଁ !

ଚୁକ୍ତିର ବିରୋଧୀ ପକ୍ଷ

ହେ ଚିନ୍ତାର ଲୋହିତ ଦରିଆ !

 

ବିପଦ ଆପଦ ଭରା

କଣ୍ଟକିତ ଚଲାପଥେ ମୋର!

ତମକୁ ମୁଁ ପାଏ ନିତି

ତମେ ଛନ୍ଦ ମୋ ରକ୍ତସ୍ରାବର !

 

 

ସାଥୀ

 

ଜହର ଥିଲା ଜହର ଖାଲି

ଜଗତ ଏକ ଜ୍ୱାଳାରେ ଭରା

ଜୀବନ ମାନେ ବୁଝି ମୁଁ ଥିଲି

ରୁଦ୍ରଋତୁ ଜ୍ୟେଷ୍ଠ ଖରା ।

 

ଜାହ୍ନବୀ ଗୋ ଆସିଲ ତମେ

ଆସିଲ ଦିନେ ଅକସ୍ମାତ

ମୁଖର କରି ଶୁଷ୍କ ମାଟି

ଶୂନ୍ୟ ନଭ ଶପ୍ତ ପଥ ।

 

ଆନ୍ଦୋଳିତ ସହସା ହେଲା

ଧୂର୍ଜଟିର ଜଟିଳ ଜଟା

ଶୀତଳ ଜଳତରଙ୍ଗର

ଶାନ୍ତ ଏ କି ସ୍ପର୍ଶଛଟା ।

 

ଅଦ୍ଭୁତ ଏକ ବିସ୍ମୟରେ

ଅନାଇଲି ମୁଁ ଦୃଷ୍ଟି ତୋଳି

ସମ୍ମୁଖେ ମୋ ଜାହ୍ନବୀ ଗୋ

ହୋଇଛ ଠିଆ ମୟୂଖ ବୋଳି ।

 

କ୍ଳାନ୍ତ କ୍ରୂର ପ୍ରତୀକ୍ଷାର

ଅନ୍ତ ତମ ନୟନେ ଲେଖା

କହିଲ ତମେ-“ସ୍ୱପ୍ନ ହେଲା

ସତ୍ୟ ଆଜି ପାଇଲି ଦେଖା ।’’

 

ଯୋଦ୍ଧା କବି ଗଭାରେ ମୋର

ଜ୍ୱାଳାର ଜବା ଦିଅ ହେ ଖୋସି

କହେ ମୁଁ କଥା ତମରି ସ୍ୱରେ

ପୁଷ୍ପାସବ ପୀଡ଼ାରୁ ଶୋଷି ।

 

ତାହା ହିଁ ହେଲା ଗାଇଲ ତମେ

ମୋ ସହ ମିଶି ଯାତନାଗୀତା

ନିଝୁମ୍‌ ରାତି ମଧ୍ୟ ଯାମେ

ଜଳିଲା ତମ ସୁଖର ଚିତା ।

 

ବିପଦ ହେଲା ସମ୍ପଦ ଗୋ

ଯାତ୍ରା ପଥେ ତମରି ପାଇଁ

ତଥାପି ତମେ ଯାଇନ ଦବି

ବୁଲାଇ ମୁହଁ ଚାହିଁନ କାହିଁ ।

 

କଲମ ଥୋଇ କୃପାଣ ତୋଳି

ସଲାମ୍‌ କରେ ତମକୁ କବି

ତମେ ମୋ ସାଥୀ ସୈନିକା ଗୋ

ଅନିର୍ବାଣ ତମରି ଛବି ।

 

 

ଭୋର୍‌ ଆକାଶର ତାରା

 

ଭଗତ୍‌ ସିଂର ଦାୟାଦ ତମେରେ

ଭୋକୀ ଭାରତର ଦୁର୍ଜୟ ଲାଲସେନା

ପାଦରେ ତମର ପାବକ ଛନ୍ଦ

ହାତରେ ତମର ସର୍ବହରାର

ରକ୍ତ-ଲୋହିତ ବାନା ।

 

କ୍ରାନ୍ତିର ତମେ ଶିଳ୍ପୀ ସାଧକ

ତମେ ବିପ୍ଳବୀ ବଂଶୀବାଦକ

ହାହାକାର ପୋଛି ହୁଙ୍କାର ତମ

ହୁତାଶନ ସମ ଜଳେ

ନକ୍ତଚର ଓ ରକ୍ତରୁଣୀର

ନାଆଁ ଲେଖ ତମେ

ହତିଆରେ ହତିଆରେ ।

 

ବନ୍ଧନ ଡେଇଁ କ୍ରନ୍ଦନ କାଟି

ଚନ୍ଦନଟିପା ଲେଖେ ବିଶ୍ୱାସ

କପାଳରେ ତମ ଗୁଳି

 

ଲଢ଼ୁଆ ଓ ମେହନତୀ ମଣିଷର

ତମେ ବନ୍ଧୁ ଓ ସଖା ସହୋଦର

ନିଃଶ୍ୱାସେ ତମ ନବ୍ୟ ଏଇ ଏ

ତୋଗଲକରାଜ ମୋଗଲତନ୍ତ୍ର

ଇମାରତ ପଡ଼େ ଟଳି ।

 

ଦୁର୍ଗମଗିରି ଘନବନ ବୁକେ

ଗୋପନ ଆବାସେ ତମ

ରନ୍ଧା ତ ହୁଏ ବାରୁଦଚୂଲିରେ

ଏ ଦେଶ ଜାତିର ମୁକ୍ତିଅନ୍ନ

ଆନନ୍ଦ ଅନୁପମ ।

 

ମୃତ୍ୟୁକୁ ମାରି ଦମନକୁ ଦଳି

ଦାବାନଳ ଶିଖା ତମେ ଉଠ ଜଳି

ଏଠି ମଉଳିଲେ ସେଇଠି ତମର

ଶିଖାର ପଦ୍ମ ଫୁଟେ

 

ତାମସୀ ନିଶିର ତମସା ବିଦାରି

ଜନଚେତନାର ଅହିରାଜ ଫଣା

ଅନଳ ଭଗାରି ଉଠେ ।

 

ଦୁଃଶାସନର ଦରବାରେ ପଡ଼େ

ଦୁର୍ଭାବନାର କରାଳ ଇଗଲ ଛାଇ

କୌଣସି ସ୍ଥାନ ଏଇ ପୃଥିବୀରେ

ନିରାପଦ ନୁହେଁ

ସଂଗ୍ରାମଶୀଳ ମହାଜନତାର

ଶତ୍ରୁ ଲୁଚିବା ପାଇଁ ।

 

ଏଇ କଥା କହେ ତମ ରାଇଫଲ୍‌

ତମ ସାମରିକ ପୋଷାକେ ଶୋଭିତ

ବୁଲେଟ୍‌ର ଉପବୀତ

 

ଏଇ କଥା କହେ

ଅସନ୍ତୋଷର ବଜ୍ର ବିଜୁଳି

ଶ୍ରେଣୀଯୁଦ୍ଧର ଅଙ୍ଗନେ ଠିଆ

ଶୋଷିତ ମଣିଷ ହିତ ।

 

ଭଗୀରଥ ତମେ ଚାଲ ଆଗେଆଗେ

ପଛରେ ତମର ମୁକ୍ତି-ପାଗଳ

ଗଣଗଙ୍ଗାର ଧାରା

 

ଉନ୍ମାଦ ନୁହଁ ଉଗ୍ର ତମେରେ

ଆଗାମୀ ଭାଷାରେ ମୁଁ ତମକୁ କହେ

ସୂର୍ଯ୍ୟୋଦୟର ସଙ୍କେତବାହୀ

ଭୋର୍‌ ଆକାଶର ତାରା ।

 

ଦିନେ ଦିନେ

 

ଦିନେ ଦିନେ ଇଚ୍ଛା ହୁଏ

ମୋ ନାଁ ରେ ତମେ ପରିଚିତ ହୁଅନ୍ତ

ଦିନେ ଦିନେ ଇଚ୍ଛା ହୁଏ

ବଦଳେଇ ଦିଅନ୍ତି ନିଜ ନାଁ

କାହିଁକିନା ଲୋକେ ଜାଣନ୍ତି

ସୁହାସିନୀ, ମାନେ ଗଙ୍ଗଶିଉଳି ଫୁଲ

ସୁହାସିନୀ, ମାନେ ଓଠରେ ସରିଯାଉଥିବା ସିଗାରେଟ୍‌

ସୁହାସିନୀ, ମାନେ ବର୍ଷ ବର୍ଷ ଧରି

ଫସଲ କଟାଯାଉଥିବା କ୍ଷେତ ।

 

ଦିନେ ଦିନେ ଇଚ୍ଛା ହୁଏ

ତମକୁ ହୋଟେଲରେ ଖୁଏଇ ସାରି

‘ବିଲ୍‌’ର ପଇସା ଦିଅନ୍ତି ମୁଁ

ଦିନେ ଦିନେ ମୋ ଆବଶ୍ୟକତା

ବୁଝେଇ ଦେବା ଲାଗି

ହଜିଯାନ୍ତି କିଛିବେଳ ।

 

ରୋଷେଇ ଘରେ ଲୁହ ଝାଳରେ

ଭିଜି ଯାଇଥିବା ବୋହୁଟିକୁ

ମିସ୍ତ୍ରୀ ପାଖରେ ମସଲା ଘାଣ୍ଟୁଥିବା

ମୁଲିଆଣୀକୁ

ସେଇ ଏକା ପରାଧୀନତାର କଥା ପଢିବାକୁ

ସ୍କୁଲ, କଲେଜ ଯାଉଥିବା ଝିଅମାନଙ୍କୁ କହନ୍ତି

ତମ ଜୀବନର ଭାଗ ମାପ ତମର

କେବଳ ତମର ।

ଶତାବ୍ଦୀ ଶତାବ୍ଦୀ ଧରି ନାରୀକୁ

ଚିତ୍ରଣ କରୁଥିବା ବିଦଗ୍‌ଧ କବିମାନଙ୍କୁ କହନ୍ତି

ଫେରେଇ ନିଅ ତମର ସମ୍ବେଦନା

ଆହୁରି କିଛି ସମୟ ଦରକାର

ଲୋକେ ବୁଝିବାକୁ ଯେ

ନମ୍ରତାର ଅର୍ଥ ଦୁର୍ବଳତା ନୁହେଁ

କି ଲଜ୍ୟା, ପାପ ଢାଙ୍କିବାର ବସ୍ତ୍ର ନୁହେଁ

ଶ୍ରଦ୍ଧା, ମାଗି ଆଣିବାର ଚିଜ ନୁହେଁ

କି ଅଧିକାର କେବେ ଜନ୍ମଗତ ନୁହେଁ ।

 

ଦିନେ ଦିନେ ଇଚ୍ଛାହୁଏ

ଅବକାଶହୀନ ଗୂଢ ବ୍ୟଥାର ଅନ୍ଧାରରୁ

ମୁକ୍ତ କରନ୍ତି ନିଜକୁ

ଶୂନ୍ୟତାଠୁ ତୋଳି ଆଣନ୍ତି

ମୁଠା ମୁଠା ସ୍ୱଚ୍ଛ ସକାଳ ।

 

ଦିନେ ଦିନେ ଇଚ୍ଛା ହୁଏ, ଏଥରକ

ଦର୍ପଣ ବଦଳରେ ତମେ ଉପହାର ଦିଅନ୍ତ

ଜୀବନର ଗୋଟେ ସୁନ୍ଦର ଛବି

ଦିନେ ଦିନେ ମୁଁ ନିଜକୁ ଛିଡା କରାନ୍ତି

ତମ ଛାଇ-ବ୍ୟତୀତ ଜାଗାରେ ।

 

 

 

 

ବଡ଼ଦାଣ୍ଡ

 

ସବୁ କିଛିର ଶେଷରେ

ଏକ ବିପନ୍ନ କାଣ୍ଡ ଭଳି ଲମ୍ବା

ଏ ରାସ୍ତା ବଡ଼ ଦାଣ୍ଡ ।

 

ଇଏ ଏକାଗ୍ରଭାବେ

ଆଙ୍କୁଛି ମନ୍ଦିର ଚୂଡ଼ାର ଛବି

କିଏ ବାସ୍ନା ସାବୁନ

କିଣି ନେଉଛି ପାଖ ଦୋକାନରୁ

ଶହ ଶହ ମଣିଷଙ୍କର କଥାବାର୍ତ୍ତା

ହସାହସି ଭିତରୁ

ଉଠି ଆସୁଛି ମୃତ୍ୟୁଭଳି

ପରାଜୟ ଭଳି ନିସ୍ତବ୍‌ଧତା ।

 

ମୁଁ ମୋ ଶୂନ୍ୟତାଠାରୁ ଚାଲିଆସିଛି

ତଥାକଥିତ ମୁକ୍ତି ପାଖକୁ

ଧୂପ ଅଗୁର ବାସ୍ନା ଭର୍ତ୍ତି ହେଉଛି

ବିଷଣ୍ଣ ଧୂଳି ପବନରେ

ଆକାଶସାରା ଭୋକିଲା କାଉଙ୍କର

ରା ରା ସ୍ୱର ଶୁଣାଯାଉଛି

ଲଗାତର ଘଣ୍ଟା ଧ୍ୱନି ସତ୍ତ୍ୱେ ।

 

ଆଗକୁ ଚାହିଁଲେ ଶ୍ରୀମନ୍ଦିର

ପଛରେ କୁଷ୍ଠରୋଗୀର ଶୁଖିଲା କାଶ

ଖାଲି ପାଦରେ ପିଲାଟିଏ ଧାଇଁ ଆସୁଛି

ମୋତେ ବିଡ଼ାଏ ସଳିତା ଯାଚିବାକୁ

ତା ଆଖିରେ ଭକ୍ତି ବଦଳରେ

ପ୍ରଚ୍ଛନ୍ନ ଅଭିମାନ

ମୋ ଅର୍ଚ୍ଚନାରେ କେବେ ସତ ହେବନି

ତା’ସ୍ୱପ୍ନ ।

 

ଅନେକଥର ଅନେକଦିନ ଧରି

ମୁଁ ଚାଲିଛି ଏ ରାସ୍ତାରେ

ଚପଲ ଫିତା ଛିଡ଼ିଛି

ବୁଢା ମୋଚି ଆଡକୁ ମୁଁ ବଢ଼େଇ ଦେଇଛି ପାଦ

ସେତେବେଳେ ଲାଗିଛି ମୁଁ ମୋଚି

ସେ ପଥଚାରୀ, ସେ କଳାଠାକୁର

ମୁଁ ତା ପାଖକୁ ଅପହଞ୍ଚ ବାଟଟିଏ

ଅବକିଳ ଏ ବିସ୍ତୃତ ରାସ୍ତାଭଳି ।

 

ଥରେ ଥରେ ଲାଗେନା

ମଣିଷର ଅଜସ୍ର ଲୁହ

ଓ ଆକାଙ୍‌କ୍ଷା ଧରି

ଏ ରାସ୍ତା ଯେମିତି ପହଞ୍ଚି ପାରିନି

ଶ୍ରୀମନ୍ଦିର ପାଖେ ।

 

 

ଲେନିନ୍‌ କୁମାର

୧୯୬୬-

 

ନବେ ଦଶକ ପରବର୍ତ୍ତି ପିଢ଼ିର ମୁକ୍ତିକାମୀ ଜନତାର ପ୍ରିୟ ପରିଚିତ କବି ଓ ଜନବାଦୀ ସାଂସ୍କୃତିକ ଆନ୍ଦୋଳନର ଅନ୍ୟତମ ଅଗ୍ରଦୂତ କବି ଲେନିନ୍‌ କୁମାର । ଏହି ଯୁବ କବିଙ୍କ କବିତାରେ ରହିଛି ସାମ୍ପ୍ରତିକ ସମୟରେ ଉଜୁଡ଼ି ଯାଉଥିବା ଭାବ ବନ୍ଧନ, ବିବ୍ରତ ବିଶ୍ୱର ଚିତ୍ର, ଜଗତିକରଣ, ଶିଳ୍ପାୟନ, ସଂସ୍କୃତିର ଶ୍ରୀହୀନତାରେ ପେଶି ହୋଇ ପଡ଼ୁଥିବା ଅବହେଳିତ ଜନସମୁଦାୟଙ୍କ ଅପ୍ରମିତ ଦୁଃଖ ଲେନିନ୍‌ଙ୍କ କବିତାର ମୁଖ୍ୟସ୍ୱର ।

 

ସମ୍ପ୍ରତି ‘ନିସାନ’ ପତ୍ରିକାର ସମ୍ପାଦକ ଭାବରେ ତାଙ୍କର ସୁନାମ ସୁଦୂର ପ୍ରସାରୀ । ନିଜ ବୈପ୍ଳବିକ କାବ୍ୟ ସାଧନା ପାଇଁ ସେ ପ୍ରଶାସନର କୋପାଗ୍ନିରେ ସଂକ୍ରମିତ ହୋଇ ନିକଟ ଅତୀତରେ ଗିରଫ ହୋଇଥିଲେ । ତାଙ୍କ ପାଇଁ ସାମଗ୍ରିକଭାବେ ଓଡ଼ିଶାର ସମସ୍ତ ପ୍ରଗତିଶୀଳ ସାହିତ୍ୟିକ ଏକ ହୋଇ ସ୍ୱର ଉତ୍ତୋଳନ କରିବାରୁ ବାଧ୍ୟ ହୋଇ ମୁକ୍ତ କରିଥିଲା ପୋଲିସ୍‌ ପ୍ରଶାସନ ।

 

ସର୍ବୋପରି ଭୋକପୀଡ଼ିତ ଭୂଗୋଳର ଭାଗ୍ୟବିହୀନ ଭୋକିମାନଙ୍କର ଅଧିକାର ଉଦ୍ଦେଶ୍ୟରେ କବି ଲେନିନ୍‌ କବିତାରେ ଲେଲିହାନ୍‌ ଭରି ଭୂମିମାଲିକ ବିରୁଦ୍ଧରେ ସଂଗ୍ରାମରତ ଓ ସୃଜନ ମଗ୍ନ ।

 

ଚୁପ୍‌ ଷଡ଼ଯନ୍ତ୍ର

 

ଶୃଗାଳଙ୍କ ରଡ଼ିରେ

ଉଜୁଡ଼ି ଯାଇଚି ସକାଳର ଦୁର୍ଗ

ଉଜୁଡ଼ି ଯାଇଚି

ରକ୍ତର ନିଆଁ, ନିଃଶ୍ୱାସର ଝଡ଼, ହାଡ଼ର ଆୟୁଧ

ଥେଇ ଥେଇ ପ୍ରେତନୃତ୍ୟ ଏଠି

ଶବ ସଙ୍ଗମର ପର୍ବ ।

 

ନିଲାମ୍‌ ହେଇ ଯାଇଚି

କ୍ଷତର ଫୁଲ ଫସଲର ବାସ୍ନା, ଚଢ଼େଇଙ୍କ ଡେଣା

ସୂର୍ଯ୍ୟର କୁଆଁ କୁଆଁ ଗୀତ

ମାଟିର ଗର୍ଭ ଯନ୍ତ୍ରଣା

ନିଲାମ୍‌ ହେବାକୁ ବାକି ଅଛି କେବଳ

ଭିକ୍ଷାଥାଳ ।

 

ଛଞ୍ଚାଣର ଛତ୍ରଛାୟାରେ ଏବେ

ବେଶ୍‌ ସୁରକ୍ଷିତ

ଶାନ୍ତିର କପୋତ ।

ଆଖିରେ ବୋଳି

ଅନ୍ଧାରର ରୋଷଣୀ

ଅଡ଼େଇ ନେଉଚି ପଟୁଆର

ଭିକ୍ଷାଥାଳର ବଜାରରୁ ବଜାରକୁ

ଦଲାଲ୍‌ କଙ୍କାଳର ।

ଶବ୍ଦଙ୍କ କଟାଜିଭରେ ଏଠି ଚୁପ୍‌ ଷଡ଼ଯନ୍ତ୍ର

 

ଟେଳାଏ ନିଦ ଦେ’

 

ଆଉ ନାହିଁ

ଦୁଇକୂଳ ସୁନେଲି ଧାନକ୍ଷେତର ଡେଣାବାଲୀ

ନୀଳପରୀ,

ଆଉ ନାହିଁ ।

 

କେତେ ଜହ୍ନରାତି

ଖଳ୍‌ଖଳ୍‌ ଦେହରେ ତା’ର

ମୁଁ ନାଆ ମେଲିଛି,

ବଂଶୀ ବଜେଇଛି ଅଣଚାଶ ନିଃଶ୍ୱାସରେ,

ଚୁମାରେ ଛାଇ ଦେଇଛି

କଇଁଫୁଲିଆ ମୁହଁ ଛାତି

କେତେ ଜହ୍ନରାତି ।

 

ଟେଳାଏ ନିଦ ଦେ’, ମେହେର୍‌ବା

ଦେ’ ଦେ’ ଟେଳାଏ

ନିଦରେ ମୁଁ ଭାଙ୍ଗିଦିଏ ଆହୁରି

ଯେତେ ମୋର ଭଙ୍ଗାସ୍ୱପ୍ନ,

ମାଇନ୍‌ କରି

ବିଛେଇ ଦିଏ ଆଖିଭର୍ତ୍ତି ଗୋଟେ ଶୂନ୍‌ ରାସ୍ତାରେ,

ହେଇ ଚାଲିଯାଏ

ହେଇ, ଦଳ ଦଳ କଙ୍କାଳସାର ଗୀତ ବୋଝେଇ

ଠିକାଦାରର ଟ୍ରକ୍‌,

ମରୁ ପାହାଡ଼ ଆଁ ଭିତରକୁ ଚାଲିଯାଏ !

ଡାହାଳ ଭୋକରେ ଖାଁ ଖାଁ

ମୋର ପ୍ରିୟ ଗାଁ,

କଳାମାଟିଆ ଆକାଶରେ

ନିଜ ଲାଙ୍ଗୁଡ଼ ପରି

ଦ୍ୱିତୀୟା ଜହ୍ନ, ଜହ୍ନ, ଜହ୍ନ ବୋଲି

ରାତି ଚିରି ଗୋଟେ କୁକୁର

ଭୁକି ଉଠେ, ଉଠିଆସେ ମୁଁ

ଦର୍ପଣ ଭିତରୁ

ଗୋଟେ ଦଦରା ଟ୍ରଙ୍କ୍‌ର ତାଲା ଖୋଲେ,

ଅନେକ ବର୍ଷରୁ ସାଇତି ଥାଏ

କାହାର ଚିଠି ଓ

ଗୋଟେ ନୀଳ ଚଷମା,

ଛୁଇଁବାକୁ ଗଲେ ହିଁ ହାତ ଥରେ

ଭିତରେ କୋଉଠି ଆହା

ମୁମୂର୍ଷୁ ସାପଟିଏ ଫଣା ତୋଳେ,

 

ମୁଁ ଟ୍ରଙ୍କରେ ତାଲା ପକାଏ ପୁଣିଥରେ

ପୁଣିଥରେ ସକାଳ

ଚାଳରେ ଚଢ଼େଇମାନଙ୍କ ଆର୍ତ୍ତରୋଳ :

ଆଉ ନାହିଁ ନୀଳପରୀ

ଆଉ ନାହିଁ,

ପାଦ ବଢ଼େଇଲେ

ଗୋଟେ ଅଙ୍କାବଙ୍କା ଗଭୀର ପଥ

ଲମ୍ବି ଯାଇଥାଏ ଏକା ଏକା ଦୂର ଦିଗନ୍ତ ପର୍ଯ୍ୟନ୍ତ

 

ଟେଳାଏ ନିଦ ଦେ’, ମେହେର୍‌ବା

ଦେ’ ଦେ’ ଟେଳାଏ

ନିଦରେ ଉଛୁଳେଇଦିଏ ମୁଁ ରକ୍ତ

ଏକା ଏକା ଦୂର ଦିଗନ୍ତ ପର୍ଯ୍ୟନ୍ତ!

ବିବର୍ଣ୍ଣ ମୁଁ,

ନିଜକୁ ଜାଳି ଦୁର୍ନିବାର

ଆଙ୍କିଛି ତୁମର ପ୍ରଭାମଣ୍ଡଳ

ଆଙ୍କିଛି କେବଳ

ନଖ ଆଉ ଦାନ୍ତଭର୍ତ୍ତି ଅନ୍ଧାର ବିକରାଳ

 

ଭୋକ ଖାଇ, ଗୁଳି ଖାଇ ମୁଁ

ବଞ୍ଚି ରହିଚି ଖଟିବାକୁ

ମନ୍ୱନ୍ତରର ବେଠି,

ବଢ଼େଇ ଦେବାକୁ ତୁମକୁ

ମୁକୁଟ, ଚାବୁକ୍‌, ଫୁଲମାଳ ଓ

ମୋର ଗୁଣ୍ଡାଏ ପୃଥିବୀ,

ମରିବାକୁ ବେନାମ୍‌

ପ୍ରତି ଦଙ୍ଗାରେ,ଯୁଦ୍ଧରେ ତୁମର

ବଞ୍ଚି ରହିଚି ମୁଁ ଏଠି ।

 

ଭୋକର ପ୍ରତିଧ୍ୱନି ତୋଳୁଛି

ସବୁଜ ଧୂଳି ଓ

ପାରିଜାତ କଣ୍ଟାବଣ

ଆଦିଗନ୍ତ ମୁଁ, ଆଦିଗନ୍ତ ମୁଁ ।

 

ଆସ, ଅମଣିଷ ଈଶ୍ୱର

ତୁମେ ହିଁ

ମୋର ପରମ ଭକ୍ଷ୍ୟ

ଆସ, ମତେ ଭୋକ !

 

ଛଡ଼େଇ ଆଣିବାକୁ ଅଛି ଭାତଥାଳି

 

ଭୋକର କ୍ଷେତରେ

ଦାଆ

ଅଭାବର କାରଖାନାରେ

ହାତୁଡ଼ି ଏଠି,

ଚିରାୟତ ବେଡ଼ି ବେଠି ।

 

ଚାଟି ଚାଟି

ଯେତେ ଗେରୁଆ ବାନ୍ତି

ଓଁକାର ଏଉଡ଼ି ଏଠି,

ହାଉଜାଉ

ମାଂସର ମୁକ୍ତ ବଜାର,

ଖୁଣ୍ଟ ସହ ଆଜନ୍ମ

ପଘା ହିଁ

ଜପାମାଳ କାହାର ?

 

ହାଣମୁହଁ ପୋଷ୍ଟର୍‌ରେ ପୋଷ୍ଟରରେ

ହସହସ,

ନିଅନ୍‌ ଅନ୍ଧାରରେ ରାସ୍ତାରେ ରାସ୍ତାରେ

ମୃତ୍ୟୁରାସ,

ନୋଟ୍‌ କାଗଜର ଫୁଲରେ ଫୁଲରେ

ମଧୁମାସ ।

 

ଏଠି ରକ୍ତ ପିଆଲା

ଛମ୍‌ ଛମ୍‌ ରକ୍ତାକ୍ତ ଘୁଙ୍ଗୁର

ବାହାରେ ଭିକ୍ଷାଥାଳ

ଝମ୍‌ ଝମ୍‌ ଖୁଚୁରା ଅହଂକାର କାହାର ?

 

ଖୁଣ୍ଟରୁ ମୁକୁଳି

ମୁଖାଙ୍କ ମେହେଫିଲ୍‌ ଭିତରୁ

ଛଡ଼େଇ ଆଣିବାକୁ ଅଛି

ଲୁଣ୍ଠିତ ଆମର ଭାତଥାଳି

ନୋହିଲେ ଲାଠିଗୁଳି,

କାହାର ମଗାଯଚାରେ ନୁହେଁ, ନୁହେଁ ।

 

ଏଠି

କାଗଜର ଚାଷ

ପାଳଭୂତ :

ଗଣତନ୍ତ୍ର,

ଶବ୍ଦଙ୍କ ବେଙ୍ଗଳା ପଡ଼ିବାକୁ ନୁହେଁ, ନୁହେଁ

ଆମ ରକ୍ତର ଇତିହାସ ।

 

 

ଅମିୟ ରଞ୍ଜନ ମହାପାତ୍ର

୧୯୬୬-

 

ଅନୁଭବର ଅଦ୍‌ଦ୍ଭୁତ ପରିପ୍ରକାଶ ଭିତରେ କବି ଅମିୟଙ୍କ ଅମାୟିକ କବିତାରେ ଥାଏ ଏକ ସୁନ୍ଦର ସାମ୍ୟ ସଂସାରର ଉଦୟପଣ । ଶ୍ରମଜୀବିମାନଙ୍କର କଷଣ, ସୌଦାଗରୀ ସଂସ୍କୃତିର ଶୋଷଣ, ଅମଲାତାନ୍ତ୍ରିକ ଅବିଚାର, ସହରୀ ସଭ୍ୟତାର ଅନୁପ୍ରବେଶରେ ଶାନ୍ତ ଶୀତଳ ଗାଁ ଗହଳର ବିପର୍ଯ୍ୟସ୍ତ ବିଶ୍ୱାସ ଆଦି ଅମିୟଙ୍କ କାବ୍ୟ ନିର୍ମାଣରେ ମନ୍ତ୍ରଭଳି ନିୟନ୍ତ୍ରିତ ।

 

ଶବ୍ଦରେ ନିରାଡମ୍ବର ଓ ସରଳ ଶୈଳୀରେ କବିତା ତାଙ୍କର ଆକାଶପରି ନିବିଡ଼, ମୁକୁଳା ମାଟିର ମହକ ପରି ଅନ୍ତରଙ୍ଗ । ଏଇଥିପାଇଁ ସମକାଳର ସତୀର୍ଥମାନଙ୍କଠାରୁ ସ୍ୱତନ୍ତ୍ର ମନେହୁଅନ୍ତି କବି ଅମିୟ ରଞ୍ଜନ ।

 

ସାଧନାର ସ୍ୱଳ୍ପକାଳ ମଧ୍ୟରେ କବିଙ୍କ ପ୍ରକାଶିତ କବିତା ପୁସ୍ତକ ‘ଭିନ୍ନ ଦେବତା’ ନବ୍ୟ ପ୍ରଗତିବାଦୀ କାବ୍ୟ ଆନ୍ଦୋଳନରେ ସଂଯୋଜିତ ହୋଇ କବିଙ୍କୁ କରିଛି ପାଠକମାନଙ୍କର ଖୁବ୍‌ ନିକଟତର ।

 

ଜରି ଗୋଟଉଥିବା ଛୁଆର ଦିଗ୍‌ବିଜୟ

 

ଖରାବେଳେ ବି

ସେ ଚାଲିଥାଏ

ଖାରବେଳ ଭଳି.... ।

 

ଜ୍ୟେଷ୍ଠ ମାସର

ତତଲା ପିଚୁ ପିଠିରେ

ତା’ଦର୍ପିତ ପାଦପାତ ବେଳେ

ବାଟ ଘାଟ

ଜନଶୂନ୍ୟ ଜଳଶୂନ୍ୟ

ପରିଷ୍କାର ପରିଛନ୍ନ ।

 

ପବନ ବିଞ୍ଚୁଥାଏ

ତତଲା ଚାମର ସାଇଁ ସାଇଁ

ସୂର୍ଯ୍ୟ ବି ଜଳୁଥାଏ

ଫୁଲ୍‌ ଭୋଲଟେଜରେ

ଏହି କନିଷ୍ଠ ସମ୍ରାଟଙ୍କ

ଦିଗପହଣ୍ଡି ପାଇଁ ।

 

ସ୍ୱେଦରେ ସ୍ନାନ କରି

ସମ୍ରାଟଙ୍କ ପରି ଚାଲୁଥିବା ବେଳେ

ତାକୁ ଡରେଇପାରେନି

ସୂର୍ଯ୍ୟର ସସ୍ରଧାର କଟ୍ଟାର

କାରଣ, ଖରାର

ଖୋଲ! ପିଠିକୁ ଭାରି ଡର

 

ସେ ତା’ମର୍ଜିର ବାଦ୍‌ଶାହ....

ମନ ହେଲେ

ନର୍ଦ୍ଦମାୟିତ ନାଳିରେ

ମନ ହେଲେ

ଅର୍ଦ୍ଧଅନ୍ଧାରିତ ନାଳିରେ

ଦେହ ଶୀତଳାଏ

ପଙ୍କରେ ପାଦ ବୁଡ଼େଇ

ପଦ୍ମର ପାଖୁଡ଼ା ପରି

ଦିଶୁଥିବା ନାଲିନେଳି

ଜରି ଗୋଟାଏ ।

 

ବେଳ ବୁଡ଼ିଲେ ବାହୁଡ଼େ

ପିଠିରେ ଲଦି

ଗୋଧୂଳିର ଗୋଲାପି ଖରା

ଆଉ ତା’ ଦିଗ୍‌ବିଜୟରୁ

ଲୁଣ୍ଠିତ ପେଟରା

କବାଡ଼ିବାଲାର

କାଳିଆ କୋଚଟ

ଦଦରା ଦୁର୍ଗକୁ

ସୂର୍ଯ୍ୟକୁ ଫିଙ୍ଗିଦେଇ

ଦିଗନ୍ତ ସେପାରି

ଅନ୍ଧାରୀ କୋଣକୁ !

 

ଏ ଦେଶ : କନ୍ଧମାଳ

 

ମୁଁ ଏମିତି ଏକ ଦେଶରେ ରହେ, ଯେଉଁଠି

ବାଦ ବିବାଦ ଓ ବାରୁଦର ସାହାଣମେଲା

ମୁଁ ଏମିତି ଏକ ଦେଶରେ ରହେ,ଯେଉଁଠି

ନର୍କ ଓ ନୈରାଶ୍ୟର ନିତ୍ୟ ଚିତ୍ରଶାଳା !

 

ମୁଁ ଏମିତି ଏକ ଦେଶରେ ରହେ, ଯେଉଁଠି

ନଈ ଓ ନିଆଁ ସବୁବେଳେ ସର୍ବଗ୍ରାସୀ

ମୁଁ ଏମିତି ଏକ ଦେଶରେ ରହେ, ଯେଉଁଠି

ନେତା ଓ ନେତ ସମାଜବିଧ୍ୱଂସୀ !

 

ନେତାଙ୍କ ନାଆଁରେ ଯେତିକି ନିଆଁ

ନେତର ନାଆଁରେ ବି ସେତିକି

ନେତାଙ୍କ ନିଶ୍ୱାସରେ ଯେତିକି ବିଷ

ନେତର ବିଶ୍ୱାସରେ ବି ସେତିକି ।

 

ନହେଲେ କନ୍ଧମାଳ କ’ଣ

ହୋଇପାରିଥାନ୍ତା କେବେ କବିତାର ଶୀର୍ଷକ

ନା କନ୍ଧମାଳ ବାହାନାରେ

କୁମ୍ଭୀରମାନେ ଢାଳୁଥାନ୍ତେ ଆଖିରୁ ଲୋତକ !

 

ଏବେ କନ୍ଧମାଳ

ନିଜ ସହ ନିଜେ ଦ୍ୱନ୍ଦ୍ୱ ଯୁଦ୍ଧରେ

ଏବେ କନ୍ଧମାଳ

ଲୁହର ଦାଗ ପୋଛେ ରକ୍ତର ରୁମାଲରେ !

ବିଜ୍ଞ ବ୍ୟକ୍ତିମାନେ ବି ଅଜ୍ଞ

କନ୍ଧମାଳ କେମିତି ଏତେ ଧର୍ମାନ୍ଧ

କୋଉ ଗାନ୍ଧାର ନରେଶର ନିର୍ଦ୍ଦେଶରେ

କନ୍ଧମାଳ କବନ୍ଧ !

ନା କେଉଁ ସଫେଦ୍‌ ଖରାବେଳର

ମଇଳା ଇଚ୍ଛାରେ

କନ୍ଧମାଳର ଏ ଛିନ୍ନମସ୍ତା ରୂପ

ଖପରାରେ ଖୁଦ ଭାଜୁଭାଜୁ

ଖର୍ପର ହାତରେ ନରଖାଦକ !

 

ସୁରକ୍ଷା ଦେଉ ଦେଉ

ସମ୍ରାଟ ବ୍ୟାଧ

ବିଷ ଓ ବିଷାଦ ଝାଡ଼ୁଝାଡ଼ୁ

ଗୁଣିଆ ସାପ

ଔଷଧ ଦେବାକୁ ଆସି

ବଇଦ ବ୍ୟାଧି

ଗାନ୍ଧିଟୋପି ବାଣ୍ଟୁବାଣ୍ଟୁ

ହିଂସାର ବୀଜ ବୁଣେ ଖଦି !

 

ଆଉ ମୋ ଦେଶର ବୁଦ୍ଧିଜୀବୀ...

 

ସୌଖିନ୍‌ କାଚଘରେ

ସୁକୁମାର ସୁଖ ପରି ରହେ

ଏ ମରଣର ଛକାପଞ୍ଜାରେ

ବାଆ କଲେ ବାଇଆର କି ଯାଏ !

ସବୁ ଦେଖି ସୁଦ୍ଧା ଅନ୍ଧ ଧୃତରାଷ୍ଟ୍ର

ସବୁ ଜାଣି ବି ଜଡ଼ଭରତ

ଗାନ୍ଧିଜୀଙ୍କ ତିନି ମାଙ୍କଡ ମୂର୍ତ୍ତିର

ଜୀବନ୍ତ ଅପଳାପ !

 

ହଁ-

ଜଳୁଛି ତ ଜଳୁଥାଉ କନ୍ଧମାଳ

ଏ ଦେଶ

କନ୍ଧମାଳ ହେବାକୁ ଆଉ କେତେ କାଳ !

 

ଛିଣ୍ଡି ପଡ଼ିଥିବା ପଦ୍ମ-ପାପୁଲିରେ ପାଞ୍ଚଜନ୍ୟ

 

ଯେଉଁଠି........

 

ରକ୍ତମୁଖା ବନ୍ଧୁକର

ବାୟୋନେଟ୍‌ ମୁନରେ

ଚିରୁଡ଼ା ଚିରୁଡ଼ା

କୋମଳ ହୃତ୍‍ପିଣ୍ଡ

ଧୂଳିରେ ଧୂଆଁରେ ନିଆଁରେ

ବେଲାଳସେନର କଟାମୁଣ୍ଡ

 

ଶ୍ୟାମଳ ସ୍ୱପ୍ନର

ଗଳିତ ଶବ କାନ୍ଧେଇ

ବିଗଳିତ ବ୍ୟଥାର

ବ୍ୟାକୁଳ ବିଳାପ

ବଳିପାଇଁ ପ୍ରସ୍ତୁତ

ପୋଢ଼ ପାହାଡ଼

ଅରଣ୍ୟ ମଣିଷ

 

ମନ୍ଦାର ସିନ୍ଦୂର ହତିଆର

ହାତରେ ଘାତକ ତୟାର

ସେଇ ବୋଧହୁଏ

ମଣିମାଙ୍କ ନରମେଧ ଯଜ୍ଞଭୂମି

କଳିଙ୍ଗନଗର !

 

ଧୃତରାଷ୍ଟ୍ରମାନଙ୍କ ଅନ୍ଧ ଆଖିକୁ

ରକ୍ତର ରଙ୍ଗ

ଦିଶେନି ବୋଲି କି କ’ଣ

କୁରୁକ୍ଷେତ୍ରରୁ କଳିଙ୍ଗନଗର

ଭିଜୁଥାଏ ଶୋଣିତରେ

ଅନ୍ଧାରର ଅହଂକାରର ଅନ୍ଧପୁଟୁଳିର

ମର୍ଜି ଓ ମଜଲିସରେ

କୋମଳ କଲିଜାର କିମା

କଟୁରୀରେ କଟ୍ଟାରରେ

କମାଣରେ କୃପାଣରେ !

 

ଚକ୍ରର ଛାଇରେ

ଚକ୍ରାନ୍ତର ରେଶମୀ ରଶିରେ

ପ୍ରସ୍ତ ପ୍ରସ୍ତ ସୂର୍ଯ୍ୟାସ୍ତ

ଅରଣ୍ୟ ଅରଣ୍ୟ ଅନ୍ଧାର

ଶିରସ୍ତ୍ରାଣ ଭେଦି

ଶର କାଟୁଥାଏ ଶିର !

 

କାଉଁରି କାଠି ପରି

ସହଜରେ ଭାଜିପଡ଼ୁଥିବା

ହାଡ଼ରେ କଂକ୍ରିଟ୍‌ ବୋଳି

ଗଢାହେବ କାଳେ

ଇସ୍ପାତର ଇପ୍‌ସିତ ସହର

ଯେଉଁଠି-

ରାତି ବି ଦିଶୁଥିବ

ସୂର୍ଯ୍ୟପ୍ରଭ ଶୁଭ୍ର !

 

ଏମିତି ଏକ

ସ୍ୱପ୍ନମୟ ସତ୍ୟ ପାଇଁ

ଭାଙ୍ଗିପଡ଼େ ଯଦି

କାହା ପଦ୍ମପତ୍ରର ନୀଡ଼

ଖିନ୍‌ଭିନ୍‌ ଯଦି

କାହା ପଦ୍ମପାଖୁଡ଼ାର ହୃଦ

କାହା ପିଚ୍‌ପିଚ୍‌ କଳା ରକ୍ତରେ

ମସୃଣ ଯଦି ପିଚୁର ସଡ଼କ

କାହା ଦେହର

ଜୈବିକ ଖତ ଓ ସାରରେ

ରକ୍ତଧୂଆ ଧାନବିଲରେ

ଫଳେ ଯଦି

ଅର୍ଥକାରୀ ଇସ୍ପାତର ଫସଲ

 

 

କ୍ଷତି କ’ଣ....(?)

 

କ୍ଷିତିର କ୍ଷେତରେ ଖାଣ୍ଡବର କ୍ଷତ

ନ ହେଲେ କି

ଗଢ଼ିହୁଏ ଇନ୍ଦ୍ରପ୍ରସ୍ଥ !

 

ଭଳି ଭଳି ଭେଳିକିରେ

ଭଣ୍ଡି ସିଂହ ରାଜା

ବେଳ ଉଣ୍ଡି ସିଂହାସନରେ

ଶାଣ କରୁଛନ୍ତି

ଆପଣା ପନ୍‌ଝା ।

 

ହେଲେ, ଇଏ ଆଉ ନୁହେଁ

ମାଳ ମାଳ କଙ୍କାଳଙ୍କ

କାକୁସ୍ଥତାରେ କାନ୍ଦିବାର ବେଳ

ରକ୍ତର ନଦୀ ତୀରେ

ଗୁମୁରି ଗୁମୁରି

ବାହୁନିବାର ବେଳ ।

ଏବେ ତ ଛିଣ୍ଡିପଡ଼ିଥିବା

ପଦ୍ମ-ପାପୁଲିରେ

ପାଞ୍ଚଜନ୍ୟ ଧରେଇ

ରଣଦୁନ୍ଦୁଭି ବଜେଇବାର ବେଳ

ଅଶ୍ରୁକୁ ଅନଳ

ଦୁଃଖକୁ ଦାବାନଳ

କରି ଜାଳିପୋଡ଼ି

ଦେବାର ବେଳ ।

 

ଆସ-

ତମକୁ ଶିଖେଇଦେବି ମୁଁ

ଚମର ଚାଦରକୁ ଢାଲ କରି

କେମିତି କରିବାକୁ ଯୁଦ୍ଧ

ପାମ୍ପରା ହାଡ଼ର କଙ୍କାଳରୁ

କିପରି ସୃଜିବାକୁ

ଦଧୀଚିର ବଜ୍ର !

 

ଆସ-

ତମକୁ ଶିଖେଇଦେବି ମୁଁ

ଦେହରେ ବାରୁଦ ବୋଳି

ରାଜାଙ୍କ ପଶାପାଲିରେ

କିଭଳି କରିବାକୁ ବିସ୍ପୋଟ,

 

ସଳଖି ଠିଆହେଲେ ଥରେ

ନଇଁପଡ଼ିଥିବା ମଣିଷ

ମଣିମା ବି ଭୁଲିଯିବେ ବାହାସ୍ପୋଟ....!

 

 

ସରୋଜ

୧୯୬୯-

 

ସାହିତ୍ୟ ଓ ସମାଜ ସେବାର ସମନ୍ୱୟ କ୍ଷେତ୍ରରେ ସୁଦୃଢ଼ ସେତୁପରି ସାହିତ୍ୟିକ ଓ ସଂଗ୍ରାମୀ ସରୋଜଙ୍କ ଉତ୍ସର୍ଗୀତ ଜୀବନର ରହିଛି ସ୍ୱତନ୍ତ୍ର ସ୍ଥାନ । କେବେ କବିତାରେ ସେ ଶାଣିତ ତ କେବେ ଦଳିତ ଅବହେଳିତ ଜନଜୀବନର ସ୍ୱରତୋଳି ଆନ୍ଦୋଳନର ଅଗ୍ରଭାଗୀ-ଆଗୁଆଳ ।

 

ସରୋଜଙ୍କ କବିତା ସାମାଜିକ ବ୍ୟବସ୍ଥା ବିରୁଦ୍ଧରେ ପ୍ରତିବାଦ ଓ ପରିବର୍ତ୍ତନର ସ୍ୱର ଅତି ସ୍ପଷ୍ଟ ଓ ସମୃଦ୍ଧ । ବିସ୍ଥାପନର ଉକିଟ ସମସ୍ୟାର ସମ୍ମୁଖରେ ରହି ଶିଳ୍ପପତିଙ୍କ ପ୍ରୟାସକୁ ନିଜେ ହିଁ ପ୍ରତିରୋଧ କରନ୍ତି ସାହସର ସହିତ ସଂଗ୍ରାମୀ ସରୋଜ ।

 

‘ଗୋଟିଏ ମାଣ୍ଡିଆର ଡାକରେ’ ଏହି କବିଙ୍କ କବିତା ପୁସ୍ତକ ନବ୍ୟ ପ୍ରଗତିବାଦୀ କାବ୍ୟ ଜଗତରେ ନୂତନ ମଞ୍ଜି ଓ ମଞ୍ଜ ଭାବରେ ଅତି ସାର୍ଥକଭାବେ ସଂଯୋଜିତ ।

 

ପଶ୍ଚିମ ଅଞ୍ଚଳର ବିଭିନ୍ନ ଜନଆନ୍ଦୋଳନ ସହିତ ପ୍ରତ୍ୟକ୍ଷଭାବେ ସମ୍ପୃକ୍ତି ଥିବାରୁ ସରୋଜଙ୍କ କବିତା ବୌଦ୍ଧିକ ବିଳାସର ନ ହୋଇ ବାସ୍ତବ ବିଷୟର ବିଭବ ତାଙ୍କ କାବ୍ୟକଳାରେ ପରିପୂର୍ଣ୍ଣ ଓ ସେହି କାବ୍ୟଭୂମିରେ ସେ ହେଉଛନ୍ତି ଜଣେ ସଫଳ କ୍ରାନ୍ତିକାରୀ କାବ୍ୟଶିଳ୍ପୀ ।

 

ଆଦିବାସୀ ଓ ଜଗତୀକରଣ

 

ଏ ଦସ୍ତଖତ କା’ର

ଯାହା ମାଟି ନ ଥିବା ପବନର

ଆକାଶରେ ଝୁଲେଇ ଦେଲା ମତେ

 

ଏ କେମିତି ପବନ

ଯାର ନିଶ୍ୱାସରେ ବାରି ହୁଏ ନାହିଁ ଅରଣ୍ୟର ଗନ୍ଧ

ଦେଖି ହୁଏ ନାହିଁ

ଚଢ଼େଇର ପରରେ ପତରର ରଙ୍ଗ

 

ମୋର ଦେହକୁ

ଟାଙ୍ଗିଦେଇ ମେଘର ଖୁଣ୍ଟିରେ

କହୁଛି ତାରା ନେ, ନେ ଜହ୍ନ

ମଙ୍ଗଳ ଗ୍ରହରେ ବସତି ପାଇଁ

ଆଉ କେତେ ଦିନ

ଯାହା କୁଆଡ଼େ ମାଜିଦେବ ମୋର

କପାଳରେ ରଚା ଯୁଗ ଯୁଗର ଅନ୍ଧାର ।

 

କହୁଛି ଏତେ ଯୁଗ ହେଲା

କାଇଁ ଆୟୁଷ ବାନ୍ଧିଛୁ

ନଈର ନାଡ଼ିରେ

ଝରଣାର ଧମନୀରେ

ନିଜ କ୍ଷତର ନିଦାନ ଖୋଜୁଛୁ

ଗଛର ଚେରରେ

ଭାଗ୍ୟକୁ ଯୋଡ଼ୁଛୁ

ଡଙ୍ଗର ଖୋଲର ବନଷ୍ପତିରେ ।

ଡେଇଁ ଯା ମକାବାଡ଼ି

ଅଲସୀ କ୍ଷେତର ଲହଡ଼ି

ଧରଣୀ ଖୁଣ୍ଟାରୁ ଖୋଲି ଦେଇ

ନିଜ ଆତ୍ମାର ଦଉଡ଼ି

ଭୁଲିଯା ଗଲା ଚଇତିରେ

ଗୀତ ଗୀତରେ ସଙ୍ଗାତକୁ

ଦେଇଥିବା କଥା

ବାଲିଯାତରେ ଯିଏ ନାଚିଥିଲା

ତୋ ଅଣ୍ଟାରେ ହାତ ଦେଇ ରାତିସାରା ।

 

ସେ ଦସ୍ତଖତରେ କୁଆଡ଼େ

ପୃଥିବୀଟା ହେଇଯାଉଛି ଉଦାର

ଯିଏ ଯାହା ଚାହୁଁଛି କରିପାର ।

 

ମତେ ନ ପଚାରି

କିଏ ମୋର ମୃତ୍ୟୁନାମାରେ ସନ୍ତକ ଦେଲ

ଲୋଡ଼ା ନାହିଁ ମତେ ଜହ୍ନ କି ଜଗତ

ମୁଁ ତ ମାଟିର ପୋକ

ମାଟି ଖାଇ ମାଟିରେ କରିଛି ଘର

ଯାଅ ଯାଅ

ମା’କୁ ନେଇ କରିବାକୁ ଦେବିନି ବେପାର ।

 

କବି ଓ କବିତା

 

ଶବ୍ଦରେ ତିଆରି ମୋର

ଦେହକୁ ଛୁଇଁ କିଛି ଶବ୍ଦଦିଅ ।

 

ମୁଁ ଜାଣେ ବେଶଦିନ ଯାଏଁ

ପେଚା ଗୀତର ଅନ୍ଧାର

ନଥିବ ଡାହାଣୀ ଆଲୁଅକି

ଜୁଇର ଅଙ୍ଗାର ।

 

ଯିବା ବାଟରେ ନ ମିଳୁ

ପିପଳର ଦାରୁଭୂତ ଛାୟା

ଭଣ୍ଡାର କୋଣର ମେଘମାଳା ଧରି

ଉଡ଼ୁଥିବା ବାୟା

ନ ଥାଉ ଥାଟ କି ପାଟ

ମୁନ୍ଦାଏ ଶୋଷ ଲାଗି

 

ମଧୁର ଜଳର ଘାଟ

ମୁଁ ଯିବି ଧରି ମୋର ଶବ୍ଦର ଦେହ

କାଳ କାଳଯାଏ

ସଭ୍ୟତାର ତୁଠରେ ଯିଏ ଖାଇଛି ଗୋଇଠା

ତା ଓଠରେ ଚୂମା ଦେଇ

ବୋଳିବି ଶବ୍ଦର ଅଇଁଠା ।

 

ତା ପରେ ତ ଯାହା ଯାହା

କହି ପାରି ନ ଥିଲା ଏ ଯାଏଁ କବିତା

ବନିତା ହେଇ ଲତା ହେଇ

ଲୋଟୁଥିଲା ହେଇ କା’ର

ଦେହର ପଇତା

ବନଷ୍ପତିର ଶ୍ମଶାନରେ ଛିଡ଼ା ହେବ

ନିଜ ଗୋଡରେ ପିନ୍ଧି କାଦୁଅର ଜୋତା

ମଲା ପୁରୁଖାଙ୍କ ହାଡ଼ରେ ଭରି

କଟା ବିଶି ଆଙ୍ଗୁଠିର କାଳି

ଗୁମ୍‌ ଅନ୍ଧାରର ପାହଡରେ

ବୋଳି ଦେବ ସୂରୁଜର ଲାଲି

ବନ୍ଦ ପାପୁଲିରୁ ପୁରୁଣା

ଆକାଶର ସୀମା ଖୋଲି

ସଭିଙ୍କ ଛାତିରେ ଭରିଦେବ

ପାହାନ୍ତି କାକଳୀ

ଆଉ ତୁମେ ଦେଖିବ ମୁଁ ଗଛତଳେ ପଡ଼ିଥିବି

ହେଇ ଶବ୍ଦର ଶେଫାଳି ।

 

 

ପବିତ୍ର ମୋହନ ଦାଶ

୧୯୭୦-

 

ସାମ୍ପ୍ରତିକ ଓଡ଼ିଆ କାବ୍ୟ ଜଗତର ପ୍ରିୟ ପରିଚିତ କବି ପବିତ୍ର ମୋହନ ଦାଶ କାବ୍ୟିକ ଜୀବନର ଉନ୍ମେଷ କାଳରୁ ନିଜପାଇଁ ଏକ ସ୍ୱତନ୍ତ୍ରସ୍ଥାନ ସୃଷ୍ଟି କରି ‘ବଜ୍ରବଂଶୀ’ ‘ରକ୍ତଶସ୍ୟ’ ଓ ‘ସ୍ୱପ୍ନମେଧ’ ପରି ତିନିଗୋଟି କବିତା ପୁସ୍ତକ ପ୍ରଗତିବାଦୀ ଓଡ଼ିଆ ସାହିତ୍ୟକୁ ତାଙ୍କର ଅନବଦ୍ୟ ଅବଦାନ ଅବିସ୍ମରଣୀୟ ।

 

ମାଟି ଓ ମଣିଷର ତୃଣମୂଳ ଆର୍ତ୍ତିକୁ କାବ୍ୟିକ ସମ୍ବେଦନଶୀଳତା ପ୍ରଦାନ କରିବାରେ କବିଙ୍କ ଦକ୍ଷତା ଓ ଦାମ୍ଭିକତା ଅନନ୍ୟ । ଶବ୍ଦ ସଂଯୋଜନା ଓ ଉପସ୍ଥାପନା ଶୈଳୀ ପବିତ୍ରଙ୍କୁ କରିଥାଏ ନିଆରା ।

 

ଉପଭୋକ୍ତାବାଦୀ ଅପସଂସ୍କୃତିର କାୟାବିସ୍ତାର, ସମ୍ବେଦନା ଶୂନ୍ୟ ସମାଜପତିଙ୍କ ଶାସନପ୍ରଣାଳୀ, ଭୂମିମାଲିକମାନଙ୍କର ଭୋକିମାନଙ୍କ ପ୍ରତି ଉପହାସ, ଶିଳ୍ପ ପ୍ରଗତିର ବେପରବାୟ ବିସ୍ଥାପନ ପ୍ରକିୟା ପବିତ୍ରଙ୍କ ପ୍ରତିକ୍ରିୟାର ଗୋଟେ ଗୋଟେ ଅଂଶ... ବିଦ୍ରୋହର ସ୍ୱରତୋଳି ଭାବଭୂଇଁର ଗର୍ଭଗୃହରୁ ସାର୍ବଜନୀନ ଉଦ୍ଦେଶ୍ୟରେ ଭୂମିଷ୍ଠ ହୁଏ ତାଙ୍କର କବିତା । ଯାହା ପ୍ରଗତିଶୀଳ ସାହିତ୍ୟଜଗତର ଜୟଯାତ୍ରାରେ ସାମିଲ୍‌ ହୋଇ ସାମ୍ରାଜ୍ୟବାଦୀ ଶକ୍ତିକୁ ସାମ୍‌ନା କରେ ।

 

 

ରାଷ୍ଟ୍ରଦ୍ରୋହ

 

ମୋତେ ନିମନ୍ତ୍ରଣ ଦିଅନା

ବିଗୁଲ୍‌ର ବିଦ୍ରୁପରେ ତାଳ ମିଳାଇ ଡ୍ରିଲ୍‌ କରିବାକୁ କୁହନା,

ମୋ ଚମଡ଼ାର ଗାଲିଚା ଉପରେ ସଦର୍ପେ ମାଡ଼ି ଆସିଲାବେଳେ

ନା, ତୁମକୁ ସାଲ୍ୟୁଟ୍‌ ମାରିବା ଲାଗି ଆଦେଶ ଦିଅନା ।

 

ମାଟି ପାଣି ପବନ ସବୁଠି ଟାଣିସାରିଛି ଗାର

କୋଉଠି ତମେ ଭାରି ବୁଟ୍‌ର ଗଧିଆ

କୋଉଠି ଖଦଡ଼ପିନ୍ଧା ଶୃଗାଳ

କିଏ ରେଡ୍‌କ୍ଲିଫ୍‌ କିଏ ମ୍ୟାକମୋହନ ମୁଁ ବୁଝେନା

ନା, ବନ୍ଧୁକ ଉଞ୍ଚାଇ ମୋଠାରୁ ଆନୁଗତ୍ୟ ଆଶା କରନା ।

 

ସବୁ ସୀମାନ୍ତରେ ମୁଁ ହିଁ ମୁହାଁମୁହିଁ ମୋର ପ୍ରତିରୂପ ସହ

ଏପାଖରୁ ତୋପ ହୋଇ ଫୁଟେ

ସେପାଖରେ ଶବ ହୋଇ ଲୋଟେ

ଏପାଖ ଫାଇଟର୍‌ରୁ ବୋମା ହୋଇପଡ଼େ

ସେପାଖେ ପାଉଁଶ ହୋଇ ଝଡ଼େ

ନା, ନିଜ ନିରାପତ୍ତାର ଧଳା ପତାକାକୁ

ଶାନ୍ତିର ନିଶାଣ ରୂପେ ଉଡ଼ାଅନା ।

 

କେବେ ଗଣତନ୍ତ୍ରର ମାଛ ହାଟରେ

କେବେ ସୈନ୍ୟବାହିନୀର ଗୋପନ ଶିବିରରେ

ତମେ ତମମୁତାବକ କରିଛ ସମ୍ବିଧାନର ଶଲ୍ୟ ଚିକିତ୍ସା

ଗଢ଼ିଛ ରକ୍ତ ପିଇବାର ପଞ୍ଚବାର୍ଷିକ ଯୋଜନା

ନା, ସେ ବହି ମୋ ପାଇଁ ମୋ ଦ୍ୱାରା ମୋର ବୋଲି

ମିଛ ସ୍ଲୋଗାନ୍‌ ଦିଅନା ।

 

ମୁଁ କିଏ ? ଟପ୍ପର୍‌ ବେକାର ନା ବିସ୍ଥାପିତ ଆଦିବାସୀ

ପାନାଗଡ଼ର ଦାଦନ ନା ସୁରତର ଗୋତି

ମୁଲ୍‌ତାନ୍‌ର ସଂଖ୍ୟାଲଘୁ ନା ଗାଜାର ଶରଣାର୍ଥୀ

କୋଉ ଧର୍ମରୁ ଆସିଛି କୋଉ ଜନଜାତି

ମତେ ପ୍ରଶ୍ନ କରନା

ନା, ମୋର ବେକ ଆଉଁସି

ମୁହଁ ପାଖରେ ଶୁଖିଲା ହାଡ଼ ଫିଙ୍ଗି

ମୋର ଲାଙ୍ଗୁଳ ହଲାଇବାର ଷଡ଼ଯନ୍ତ୍ର କରନା

ତୁମ ଉତ୍ସବରେ ସ୍ୱାଗତ ସଙ୍ଗୀତ ଗାଇବାକୁ

 

ବୀଜରୋପଣ

 

ଯାହା ବାଟରେ ଗଲେ ଯିଏ

ଗାନ୍ଧି, ମାର୍କସ, ଫ୍ରଏଡ୍‌, ଆଇନ୍‌ଷ୍ଟାଇନ୍‌

ପାଠ ଜାଗାରେ ରହିଲା ପାଠ

ସାହିତ୍ୟ, ରାଜନୀତି,ବିଜ୍ଞାନ, ଦର୍ଶନ ।

 

କଲେଜ ଛାଡ଼ି, ସାର୍ଟିଫିକେଟ୍‌ ପୋଡ଼ି

କୋଡ଼ିଏ କିଲୋମିଟର ସାଇକେଲ ଠେଲି

ସନ୍ତୋଷ ପହଞ୍ଚିଲା ଗାଁରେ

ଖୋଜିଖୋଜି ନିଜ ଷଠୀଘର

ଚେର ଓ ମୂଳ ।

 

ଲୁହ ସମ୍ଭାଳି ମଡ଼ାପୋଡ଼ିଲା

ଅଧା ବଅସିଆ ବାପର

ବୋହୂ ଆଣିବା ଦାବିକୁ ତେଢ଼ି ଦେଲା

ବେମାର ବିଧବା ବୋଉର ।

 

ଭାଗଜମି ସବୁ ହାତରେ ଚଷିଲା

ଭିନ୍ନେଭିନ୍ନେ ଦାଦା ବଡ଼ବାପାଙ୍କୁ ତିଆରିଲା

-ଗୋଟେ ଖଞ୍ଜାତଳେ

ମୁଣ୍ଡ ଗୁଞ୍ଜିବା ଏଣିକି

ଗୋଟିଏ ହାଣ୍ଡିରେ

ଜିରା ଫୁଟିବ ଆମର ।

 

ଲୋକେ ବୋଇଲେ

ତଟୁ ଆସିଗଲେ ପାଣିକଣ୍ଟକୁ

ଖିଆଲ କର ।

ପୁଣିଥରେ ଆରମ୍ଭ କଲା

ବନ୍ଦ ହେଇଥିବା କୋଠ ଯନ୍ତାଳ,

ମରାମତି କରାଇଲା ଚଉଦୋଳ,

ଗ୍ରାମ କମିଟିରେ ଅଡ଼ିବସିଲା

ଫେରାଇ ଆଣ ସେ ଟୋକାମାନଙ୍କୁ

ପେଟ ଦାଉରେ ଯିଏ ଯାଇଛନ୍ତି

ସୁରାଟ୍‌, ପାଟ୍‌ନା, କଲିକତା, ପାନାଗଡ଼

 

କେହିକେହି ହସିଲେ

ପଢ଼ୁଆ ପୁଅ ଚାକିରି ଦେଖିଥା’ନ୍ତୁ

ଏଠିକି କିଆଁ

ବେଶର ବାଟି ଆସିଲୁ ବୀରବର ?

 

ଘରୁ ଖାଇ, ଘୋଡ଼ାରେ ଡେଇଁ

ବୁଝିବସିଲା କା’ର ବର୍ଦ୍ଧକ୍ୟ ଭତ୍ତା

ହାଉସ୍‌ ବିଲ୍‌ଡିଂ ଲୋନ୍‌, ନ ହେଲେ

ପି.ଏମ୍‌.ଆର୍‌.ୱାଇ. ଖବର ।

 

ଥୋକାଏ ଛିଙ୍କିଲେ

ନୂଆ ଡାହାଣୀ ଗୁହ ଖାଇବାର ।

 

ଯଥାକାଳେ ଘୋଷିତ ହେଲା ନିର୍ବାଚନ

ଆଖପାଖର ମୁଖିଆଙ୍କୁ ଡାକି ସଭାକଲା

ଯଦି ବଢ଼ି ଉଜାଡ଼ି ଦେଉଛି ଫସଲ ଆମର,

ଯଦି ଖଡ଼ା ନ ସିଝେଇ

ବାହାବା ନେଉଛନ୍ତି ନେତା ଓ ଦଳ

ତା’ହେଲେ ଭୋଟ୍‌ ବର୍ଜନ ଅସ୍ତ୍ର ହେଉ ଆମର ।

ବାସ୍‌ ଏତିକିରେ ଭୁଶୁଡ଼ି ପଡ଼ିଲା

ଏତେ ଯତ୍ନରେ ଗଢ଼ା ନଅର,

ମୁଣ୍ଡି,ମୁଣ୍ଡିଆଳେ କୁଞ୍ଚି ସଜାଡ଼ି,

ପାନସିଠା କାଢ଼ି, ଫେରିଗଲେ

ଗାଁ ଭିତରେ ପୁଣି ଆରମ୍ଭ ହେଲା ପଶାଖେଳ ।

 

କିଣା ହୋଇ ଆସିଲା ହାତ ବୋମା

ମାଲ ମାଉଁସ ବୁଲିଲା ପ୍ରଚୁର ।

ଜିନ୍ଦାବାଦ୍‌, ମୁର୍ଦ୍ଦାବାଦରେ

ପଡ଼ିଲା ଉଠିଲା ଗାଁଦାଣ୍ଡ,

ଚିହ୍ନ ଗୋଟିକେ, ଗୋଷ୍ଠୀ ଗୋଟିଏ

ବାହାରିବା ହେଲା ସାର ।

 

ତମେମାନେ କୁହ

ସନ୍ତୋଷ ଆଉ କୋଉଠି

ପାଇବ ଉର୍ବର ମାଟି

କୋଉଠି ପୋତିବ ସ୍ୱପ୍ନ ତା’ର ?

 

 

ଅଖିଳ ନାୟକ

୧୯୭୦-

 

ଉତ୍ତର ସତୁରୀ ଜନ୍ମିତ କବିମାନଙ୍କ ମଧ୍ୟରେ କବି ଅଖିଳ ନାୟକଙ୍କର ଅଛି ଏକ ସ୍ୱତନ୍ତ୍ର ପରିଚୟ । ଜନଜୀବନର ରହସ୍ୟ, ପରିବର୍ତ୍ତନ ଓ ସ୍ଥବିରଣ, ସର୍ବୋପରି ଆବଶ୍ୟକତା ଓ ଉଦ୍ଭଟତାକୁ ବୃହତ୍ତର କାନ୍‌ଭାସରେ ଅତି ଚମତ୍‌କାର ଭାବେ ଚିତ୍ରିତ କରିଥାନ୍ତି ଅଖିଳ ।

 

କ୍ଷୁଦ୍ରକ୍ଷୁଦ୍ର ଅଭିବ୍ୟକ୍ତିରେ ଭାବ ବ୍ୟଞ୍ଜିତ କରାଇପାରିବା ତାଙ୍କ କବିତାର ଏକ ବଡ଼ ସାମର୍ଥ୍ୟ । ଶବ୍ଦ ସଂଯୋଜନା, ଉପମା, ଚିତ୍ରକଳ୍ପର ପ୍ରୟୋଗ ଓ ପ୍ରକାଶଭଙ୍ଗୀ ଏହି କବିଙ୍କ ସ୍ୱାତନ୍ତ୍ର୍ୟ ସହଧର୍ମୀଙ୍କ ମଧ୍ୟରେ ବେଶ୍‌ ବାରିହୋଇପଡ଼େ । ବିଶେଷ କରି ଓଡ଼ିଆ ଦଳିତ ସାହିତ୍ୟରେ ଅଖିଳଙ୍କ ପ୍ରବେଶ ଉତ୍ସାହପ୍ରଦ ।

 

ଗାଁ ମଣିଷର ନିରୀହ ପଣପରି ସରଳ ଶବ୍ଦ ବିନ୍ୟାସ ଓ ପାଚିଲା ଧାନ କ୍ଷତର ପରିପୂର୍ଣ୍ଣ ବିଶ୍ୱାସପରି ତାଙ୍କ କବିତା କପଟ ବିହୀନ । ନାହିଁ କୌଶଳର କସରତ, ନାହିଁ ବୌଦ୍ଧିକ ବିଳାସ, ନାହିଁ ଆତ୍ମିକ ଓ ଆଙ୍ଗିକରେ ଅଯଥା ଆଡମ୍ବର ।

 

ଏହି ଯୁବକବିଙ୍କ ‘ଗାଧୁଆ ବେଳ’ଠୁ ‘ଧିକ୍‌’....‘ଗୁଲିଖଟି’ ଓ ‘ଧୋବ ଫରଫର’ ପରି ଚାରି ଗୋଟି କବିତା ସଂକଳନ ଓଡ଼ିଆ ଦଳିତ ସାହିତ୍ୟର ନୂତନ ଦିଗକୁ ଉନ୍ମୋଚିତ କରି ଏକ ସାମ୍ୟ ଓ ସହବସ୍ଥାନ ସମାଜ ପାଇଁ ଅଖିଳଙ୍କ ସ୍ୱପ୍ନ ସାର୍ବଜନୀନ ।

 

ଏଣିକି ଆଉ ନିସ୍ତାର ନାହିଁ

 

ଶାବଳଟେ ଦେଇଥିଲେ

ଫଟେଇଥାନ୍ତି ପଥର,

ତଳୁ ଉଖାରି ଆଣିଥାନ୍ତି ବାପଜେଜେଙ୍କ ନୁଖୁରା ଇତିହାସ

ସେଇ ଇତିହାସର ଆରିସିରେ ମୁହଁ ପରଖି

ହୁଏତ ଚମକି ପଡ଼ିଥାନ୍ତ ତମେ,

ପରସ୍ତ ପରସ୍ତ ମଳିକୁ, ରକ୍ତ ଦାଗକୁ

ପୋଛି ପକାଇ ହୁଏତ ଝଟକି ଉଠିଥା’ନ୍ତା ଦେଶ ।

 

କୋଦାଳଟେ ଦେଇଥିଲେ

ବଞ୍ଜର ମାଟିକୁ ହାଣି, ହିଡ଼ ଟେକି

ତିଆରିଥାନ୍ତି କିଆରି,

ଚଷି, ବୁଣି ଫଳେଇଥାନ୍ତି

ଧାନ, ଗହମ, ମୁଗ, ମାଣ୍ଡିଆ, ବିରି

ଯେତେ ଅପଟ ହୋଇଥାଉ, ଯେତେ ଚଗଲା

ଚୁପ୍‌କିନି ଶୋଇପଡ଼ନ୍ତା ଭୋକ

ଶୁଣି ସେଇ କିଆରିର ଲୋରି ।

 

ଗଇଁତିଟେ ଦେଇଥିଲେ

ଗାତ ଖୋଳି ରୋପିଥା’ନ୍ତି

ଆମ୍ବ, ମହୁଲ, ନିମ୍ବ, ବଉଳ, ଧଅଁରା

ଗହଳ ଡାଳରେ ଜମିଥା’ନ୍ତା ଚଢ଼େଇଙ୍କର କବିତା ଆସର

ତଳେ, ଛାଇରେ

ବାଜୁଥାନ୍ତା ବଇଁଶୀ, କେନ୍ଦରା ।

ଟାଙ୍ଗିଆଟେ ଦେଇଥିଲେ

କଣ୍ଟାଝଟା, ଝାଡଅରମା ସାଫ୍‌ କରି

ବନେଇଥାନ୍ତି

ଝରଣା କୂଳକୁ ଗୋଟେ ସରୁ ଚଲାବାଟ

ଆଉ ଭାଙ୍ଗନ୍ତା ନାହିଁ ମାଠିଆ,

ଛିଣ୍ଡନ୍ତା ନାହିଁ ଆଣ୍ଠୁ,

ଚିରନ୍ତା ନାହିଁ ପଣତ

 

 

ଦାଆଟେ ଦେଇଥିଲେ

ଗାଈ ମଇଁଷି ଛେଳିଙ୍କ ପାଇଁ

କାଟି ଆଣନ୍ତି

ଘାସ, ବରକୋଳି ବୁଦା, ଡିମିରି ଡାଳ,

ପଘାରୁ ମୁଣ୍ଡ ବୁଚ୍‌କାଇ

ପହ୍ନାରେ ମୁହଁ ମାରିଥିବା ବାଛୁରିର

ଚାକୁଲ୍‌ ଚାକ୍‌ ଚାକୁଲ୍‌ ଚାକ୍‌ ଶବ୍ଦରେ

ଧଡ଼୍‍ପଡ଼୍‍ ଆଖି ଖୋଲନ୍ତା ସକାଳ ।

 

କିଛି ନ ହେଲେ

ଛୁଞ୍ଚିଟିଏ ତ ଦେଇଥାନ୍ତ,

ତୁନାତୁନି କରିଥାନ୍ତି ଚିରାଫଟା କରିଆ, କମ୍ବଳ

ତମ ପାଇଁ ବି ଗୁନ୍ଥିଥାନ୍ତି

ଆକାଶମଲ୍ଲି ଓ

ଗେଣ୍ଡୁଫୁଲର ମାଳ ।

କିନ୍ତୁ ଏ କ’ଣ କଲ

ହାତରେ ମୋର

ଧରେଇ ଦେଲ ତ୍ରିଶୂଳ !

ତମ ବଗିଚାରେ ପାଣି ତେଣ୍ଡି ସାରି

ଚର୍ଚ୍ଚ ଛାଇରେ ଥକଉ ଥିବା ମଜୁରିଆକୁ

ମାରିବା ପାଇଁ କହୁଚ ଯେ,

ସେ ତ ମୋର ଭାଇଠୁ ବଳି

ପ୍ରାଣ ଦୋସର ।

 

ତାକୁ ମାରିବି ?

ଆପଣା ବେକରେ ଚୋଟ ହାଣିବି ?

କ’ଣ ଟିକିଏ ବୋଲି ବିବେକ ନାହିଁ,

ମୁହଁରେ କ’ଣ

ଟିକିଏ ବୋଲି ସରମ ନାହିଁ ତମର ?

 

ଖାଲି ଗଢ଼ି ଜାଣିଚି ବୋଲି

ଆଜିଯାଏଁ ଖାଲି ଗଢ଼ି ଆସିଚି ମୁଁ

କେବେ କିଛି ଭାଙ୍ଗିନି,

ଆପେ ମରିବଞ୍ଚି ବଂଚାଇ ଆସିଚି ସଭିଙ୍କୁ,

ଆପଣାପର ବାରିନି,

କେବେ କାହାକୁ ମାରିନି ।

 

ଯିଏ ମାରିବା ଛଡା ଜାଣିନି କିଛି,

ଭାତରେ ଲାତରେ ଯିଏ ଖାଲି ମାରି ମାରି ଆସିଛି,

ନିଜର ମଉଜ ପାଇଁ

ଯିଏ ଖାଲି ମରଣ ପାଞ୍ଚୁଛି ପରର,

ଭାବୁଛି,

ତା’ର ମରଣରେ ହିଁ

ଉଶ୍ୱାସ ହେବ ମା’ ମାଟିର ଭାର ।

 

ହେଇ ଦେଖ, ଉଠେଇଲି ତ୍ରିଶୂଳ,

ଧାଇଁ ପଳାଉଛ କୁଆଡ଼େ ?

ଏଣିକି ଆଉ ନିସ୍ତାର ନାହିଁ, ମର ।

 

ମୁକ୍ତିଦୂତ

 

କାଳେ ମଳିନ ହେବ ଶ୍ରୀଅଙ୍ଗ

ତେଣୁ ତମକୁ

ଗୁରୁଣ୍ଡିବାକୁ ବାରଣ ହେଲା ଭୂଇଁରେ ।

କାଳେ ଝାଉଁଳି ଯିବ ଶ୍ରୀମୁଖ

ଆକଟ ହେଲା :

ଭିଡିଓ ଗେମ୍‌ ଖେଳରେ, ଧନ, ଛାଇରେ ।

ଛାଇରେ ବଢ଼ି, ଛାଇରେ ପଢ଼ି

ତମେ ବଡ଼ ହେଲ

ବିଦ୍ୱାନ ହେଲ, ବଡ଼ଲୋକ ହେଲ ।

 

କଞ୍ଚାମାଠିଆ

ଖରାରେ ଶୁଖି, ନିଆଁରେ ପାଚି

କେମିତି ହାସଲ କରେ

ଅମଣା ପାଣିକୁ ମଣେଇବାର କୌଶଳ

ଜାଣିବା ପାଇଁ

ନା ତମର ବେଳ ଥିଲା, ନା ବଳ ।

 

ଅବଶ୍ୟ ଏଇ ଧୂଳିର ଧରାରେ

ତମେ ତ ଆଉ

ହାଣ୍ଡି ଗଢ଼ିବାକୁ ଅବତରି ନ ଥିଲ ।

 

ଯୁଗଯୁଗ ଧରି ଆମେ ଯେଉଁମାନେ ତିଆରି କଲୁ

ମାଟି ଚକଟି ବଇଠା,

ଟୋଲ ଚିପୁଡ଼ି ତେଲ,

କପା ଫୁଟାଇ ସଳିତା,

ଆମେ ଯେଉଁମାନେ ପଥର ପେଟରୁ ଓଟାରି ଆଣିଲୁ ନିଆଁ,

ଯୁଗ ଯୁଗ ଧରି

ଆମଠୁଁ ତମେ ନିଆରା ।

 

ଖାସ୍‌ ଆମର ଉଦ୍ଧାର ପାଇଁ, ମୁକ୍ତି ପାଇଁ

ଅନ୍ଧାରରୁ

ଯୁଗଯୁଗ ଧରି

ତମର ଦିବ୍ୟ ଆବିର୍ଭାବ ପରା !

 

ଦରିଆପାରି ଦାତାଙ୍କୁ ତମେ

କେତେ ନଇଁଲେ

ଆମକୁ ମିଳିବ କାମ ବଦଳରେ ଖାଦ୍ୟ

ବିଶ୍ୱବ୍ୟାଙ୍କରୁ କେତେ ଟଙ୍କାର ଗଦ ଶୁଂଘିଲେ

ଆମ ଗାଁରେ ଖୋଲା ହେବ ଶିଶୁ ଶ୍ରମିକ ବିଦ୍ୟାଳୟ,

ସେଥିପାଇଁ କ’ଣ କମ୍‌ ଚିନ୍ତା ତମର

କମ୍‌ ଯୋଜନା, କମ୍‌ ଖଟଣି !

 

ଇସ୍‌, ଖଟି ଖଟି ହାଲତ୍‌ ତମର

କ’ଣ ଆସି ହେଲାଣି

ଏକଦମ୍‌ କଳାକାଠ, କାଇଲା !

ତମର ଯଦି କ’ଣ କିଛି ହୋଇଯାଏନା

ଆମର ଜାଣ ଭେକ ସରିଲା,

ଭେଳା ବୁଡ଼ିଲା !

 

ମୂଢ଼ ମାଇପି ମୁଁ ନିଶାପ ଚାହେଁ

 

ତମେ ଯେତେବେଳେ ଯଜ୍ଞକୁଣ୍ଡରେ

ଢାଳୁଥାଅ ଘିଅ,

ଡାହାଳ କୁକୁର ପରି ନିଆଁ ଯେତେବେଳେ

ଖେପିଆସୁଥାଏ ତମ ଉପରକୁ,

ସେତେବେଳେ କ’ଣ

ଚନ୍ଦନମଖା ଦେହରୁ ତମର ବହୁ ନ ଥାଏ ଝାଳ,

ସେ ଝାଳ କ’ଣ ଗନ୍ଧାଏନାହିଁ,

ବାସେ ମହମହ ?

 

ଜବାବ୍‌ ଦିଅ, ହେ ଜଗତ୍‌ଗୁରୁ, ଜବାବ୍‌ ଦିଅ ।

 

ତମେ ଯେତେବେଳେ ଖାଉଥାଅ

ଖିରୀପୁରୀ, ଖେଚୁଡ଼ି କି

ପିଉଥାଅ ପାନମଧୁରି ପାଣି

ହଠାତ୍‌ ଯଦି ଛିଙ୍କ ମାଡ଼ିଲା,

ତମର ତିଳକଟଣା ନାକରୁ କ’ଣ

ଛିଟିକେ ନାହିଁ ତିଳତିଳ ସିଙ୍ଘାଣି ?

 

ତମେ ଯେତେବେଳେ ଯୋଗପାଗ ଦେଖି

ବାହାରିଥାଅ ବୃନ୍ଦାବନ କି ବାରଣାସୀ,

ଦୈବାତ୍‌ ଧର, ଆଖିରେ ତମର

ପଶିଗଲା ପୋକ

ଜମାରୁ କ’ଣ ବାହାରେ ନାହିଁ

ଲେଞ୍ଜରା କି ଲୁହ ?

ଜବାବ୍‌ ଦିଅ, ହେ ଜଗତ୍‌ଗୁରୁ, ଜବାବ୍‌ ଦିଅ ।

ତମେ ଯେତେବେଳେ କୋଉ ସନ୍ଥସଭାରେ

ରଟୁଥାଅ ମନ୍ତ୍ର,

ସେ ମନ୍ତ୍ର କ’ଣ ଛୁଉଁନଥାଏ

ତମ ଗଳାର ଖଙ୍କାର,

ଦାନ୍ତସନ୍ଧିର ମଳି, କି

ଛୁଉଁନଥାଏ ତମ ଜିଭର ଛେପ ?

 

ଏ ପ୍ରଶ୍ନ ଶୁଣି,

ମୂଢ଼ ମାଇପିର ବହପ ମଣି

ଶାପ ଦିଅନା, ହେ ଜଗତ୍‌ଗୁରୁ,

ଜବାବ୍‌ ଦିଅ,

ମୂଢ଼ ମାଇପି ମୁଁ ନିଶାପ ଚାହେଁ, ନିଶାପ ।

 

ଛେପଖଙ୍କାରରେ ଓଦା ସରସର

ମନ୍ତ୍ର ତମର ପବିତ୍ର ଯଦି,

ଝାଳ ସିଂଘାଣି ଲୁହ ଲେଞ୍ଜରାର

ଦେହ ତମର ପବିତ୍ର ଯଦି,

କେଉଁ ଖୁଣରେ ମୁଁ ଅପବିତ୍ର ହେବି, କହ ?

 

ମାସରେ ଥରେ

ଦେହରୁ ମୋର ରକ୍ତଧାରେ

ଝରୁଚି ବୋଲି ନାକ ଟେକୁଚ ଯେ,

ସେଥିପାଇଁ ମୁଁ ଅଛୁଆଁ ହେବି କାହିଁକି,

କାହିଁକି ହେବି ନର୍କର ଦ୍ୱାର, କହ ?

 

ଏ ପ୍ରଶ୍ନ ଶୁଣି

ମୂଢ଼ ମାଇପିର ବହପ ମଣି

ଶାପ ଦିଅନା, ହେ ଜଗତ୍‌ଗୁରୁ

ଜିଭରେ ତମର ହାଡ଼ ଅଛି ତ

ଜବାବ୍‌ ଦିଅ ।

 

ଭାରତ ମାଝୀ

୧୯୭୨-

 

ଚାରିପାଖରେ ଘଟୁଥିବା ଦୁଃଖଦ ଘଟଣା ପ୍ରତି ସମ୍ବେଦନଶୀଳତା ହିଁ ଭାରତମାଝୀଙ୍କ କବିତାର ମୁଖ୍ୟ ସ୍ୱର । ସାମ୍ପ୍ରତିକ ସମୟର ଚଳନ୍ତି ଚରିତ୍ର ଆଉ ଜଗତିକରଣର ଯୋଜନାବଦ୍ଧ ବିଧି ବ୍ୟବସ୍ଥାର ବିରୋଧଭାଷ କବିଙ୍କ କବିତାରେ ସୁସ୍ପଷ୍ଟ । ସହଜ ସରଳ ଶବ୍ଦ ସଂଯୋଜନାରେ ଭାରତଙ୍କ ରହିଛି ନିଜସ୍ୱ ଶୈଳୀ ।

 

ଯେଉଁ ଶୈଳୀମଧ୍ୟରେ କେବେ ‘ଲକ୍ଷ୍ମୀନାନୀ’ କେବେ ‘ରଜନୀ ମାଝି’ ଓ କେବେ ‘ଜୁନାଗଡ଼ ବ୍ଲକ ଅଫିସ୍‌ ବରଣ୍ଡାରେ ବସିଛି ସେଇ ବୁଢ଼ା ଲୋକ’, କେବେ ଜଳିଯାଉଥିବା କନ୍ଧମାଳ ଅବା ରକ୍ତ ଜୁଡ଼ୁବୁଡ଼ୁ କଳିଙ୍ଗ ନଗର, କେବେ ଭୋକର ଭୂଇଁ କାଶୀପୁର ପରି ଅନେକ ଶୀର୍ଷକ ସ୍ୱର ତାଙ୍କ କବିତାର କାରିଗରୀକୁ ଅତି କଠୋରଭାବେ ବ୍ୟକ୍ତକରେ, ଯାହା ମାର୍ମିକ ଓ ମନ୍ତ୍ରମୟ ।

 

ଅସହାୟ ଜନ ଜୀବନର ଅପ୍ରାପ୍ତି ଓ ଅସନ୍ତୋଷର ଅଗ୍ନି ଭାରତଙ୍କ ଶବ୍ଦ ଭିତରେ କ୍ରାନ୍ତିର କଢ଼ ହୋଇ ପାଲଟେ କବିତା । ଯାହା ମାଟି ଫୁଟେଇ ଫୁଟେ.... ପାଖୁଡା ମେଲେଇ ଆକାଶକୁ ଉଠେ.... ଆଉ ମୁକ୍ତିକାମୀ ଜନତାର ଜୟଗାନ କରେ... ଏହାହିଁ ତାଙ୍କ କବିତାର ଅକୃତ୍ରିମ ବୈଶିଷ୍ଟ୍ୟ ।

 

ଲକ୍ଷ୍ମୀନାନୀ

 

କିଛି କାନ୍ଦୁଲ ଝାଁଟି, ବାଉଁଶ,

ଜଙ୍ଗଲି ପଥର ଓ ପତର-

ଏତକକୁ ନେଇ ଗୋଟେ ଆଶ୍ରୟ

ଯାହା ତମକୁ ଦିଶୁଚି, ମୋତେ ଦିଶୁଚି

ଗୋଟେ ଘର

ଲକ୍ଷ୍ମୀନାନୀର ।

 

ଏ ଗାଁ ଲକ୍ଷ୍ମୀନାନୀର ଜନ୍ମକଲା ଗାଁ ନୁହଁ

ତା’ ଗାଁ ତ ଇନ୍ଦ୍ରାବତୀ କୂଳର କଣା ଡୁମର

ଯେଉଁ ଗାଁରେ ସେ

ମହୁଲ ବେଟି ଯାଉ ଯାଉ

ଯୁଆନ ହୋଇଥିଲା, କୁଣାବରୀ ହୋଇଥିଲା

ଯେଉଁଠିକି ଚଇତ୍ରା ଆସୁଥିଲା

 

ନୂଆଖାଇ ଆସୁଥିଲା

ରୋଗବୁହାଣୀ ଦଶହରାରେ,

ଯେଉଁ ଗାଁ ଉପରେ

ଏବେ ଡ୍ୟାମ୍‌ କାମ ଚାଲିଚି

ତମେ ଆମେ ନାଚୁଚୁ

ମାଟିରେ ସୁନା ଫଳିବାର ସ୍ୱପ୍ନରେ ।

 

ସେଇ ଗାଁ ଲକ୍ଷ୍ମୀନାନୀର

ଯେଉଁ ଗାଁକୁ ରାତାରାତି ଉଠେଇ ଦିଆଗଲା

ଏକର ଏକର ଜମି ଓ ସ୍ୱପ୍ନ

ପିଲାଙ୍କ ବହୁଚୋରି, ବଡ଼ଙ୍କ ପଞ୍ଚ୍‌

ଘୁମୁରା ଗୀତ, ଜାନି ଝାଁକର୍‌ର

ଗୋଟେ ପେଟ ପୂରା ଭୂଗୋଳକୁ

ଭାଙ୍ଗି ଦିଆଗଲା,

ଲକ୍ଷ୍ମୀନାନୀ ଦୁଇଝିଅ ଓ ମରଦ ସହ

ଲାଞ୍ଜିଗଡ଼ ଚାଲିଗଲା ।

 

 

ଘର ବାବଦକୁ ଯାହା ପାଇଥିଲା ଲକ୍ଷ୍ମୀନାନୀ

ତହିଁର ଅଧକ ଗଲା ମରଦର ମଦରେ

ଆଉ ଅଧକରେ ନା ଚଳି ପାରିଲା

ଗୋଟେ ଘର

 

ନା ହେଇ ପାରିଲା ଗୋଟେ ସଂସାର

ଭୂତି କୁଢ଼ିଆରେ ଉଧେଇ ଆସିଲା

ବେଳକୁ

କ’ଣ ନା ସେ’ଠିକି ମାଡ଼ି ଆସିଲେ

ପଙ୍ଗପାଳ!

 

ମାଟି ବଦଳରେ ପଇସା ନିଅ

ଜାଗା ଛାଡ଼

ଏ’ଠି ଶିଳ୍ପ ହବ, ହଜାର ଦିନରେ

ହଜାର ଶିଳ୍ପ ସରକାର କହିଚି,

ତ୍ୟାଗବିନା କେଉଁ ଦେଶ ବା

ଛିଡ଼ା ହେଇ ପାରିଚି ?

ଝୋ ଝୋ ବର୍ଷା ଓ ବିଜୁଳି

ତା ଉପରେ ଘମାଘୋଟ ରାତି

ଗୋଟେ ଗାଁକୁ ବସ୍ତାପରି ଲଦି ଦିଆଗଲା

ଟ୍ରକରେ,

ଆଉ କ’ଣ କହିହବ କିଛି

କ’ଣ ହେଲା ତା’ପରେ ତା’ପରେ ?

ତମକୁ ବୋର୍‌ ବି ଲାଗିପାରେ !

 

ହଁ, ଏଇ ଯୋ’ଘର ଦେଖୁଚ

ତା’ ଲକ୍ଷ୍ମୀନାନୀର,

ଏବେ ଏ ଘର ପୁଣି ରହିବ ନା ଯିବ

ଆମେ କହି ପାରିବାନି,

ଠିକ୍‌ ସେ କହିଲେ ତ

ସମଗ୍ର ଭାରତବର୍ଷ ଲକ୍ଷ୍ମୀନାନୀ ପାଲଟି ଗଲାଣି ।

 

 

ଜୁନାଗଡ଼ ବ୍ଲକ୍‌ ଅଫିସ୍‌ ବାରଣ୍ଡାରେ

 

ବସିଛି ସେହି ବୁଢ଼ା ଲୋକଟି

କାହାକୁ କ’ଣ କହୁଚି କି

ହାତ ଛାଟି, କାନ ତରାଟି, ଛାତି ପିଟି ?

 

ଦଶ ପାହୁଣ୍ଡ ଦୂର କଲେଜ ପଡ଼ିଆରେ

ଭିଡ଼-ମାଇକ୍‌, ପେଣ୍ଡାଲ ଓ ଚିତ୍କାର-

ପାର୍ଲାମେଣ୍ଟ ତମେ ନେଲ, ବିଧାନ ସଭା ତମେ ନେଲ

ଏବେ ପଞ୍ଚାୟତଟା ଆମକୁ ଛାଡ଼ ।

 

ଜୁନାଗଡ଼ ବ୍ଳକ୍‌ ଅଫିସ୍‌ ବାରଣ୍ଡାରେ

ବସିଛି ସେଇ ବୁଢ଼ା ଲୋକଟି ।

 

ଦେଖ, ସେ କ’ଣ କହି ଚାଲିଛି ଅନର୍ଗଳ

କହୁଚି କି-

ଫିଜିର ଭାରତୀୟ ବଂଶୋଦ୍‌ଭବ ପ୍ରଧାନମନ୍ତ୍ରୀ

ଏବେ ବିଦ୍ରୋହୀଙ୍କ କବଜାରେ

ଦୁଇ କୋରିଆ ମିଶିବା ପଥ ପରିଷ୍କାର

ବର୍ଷକ ଭିତରେ

ଡଲାରର ବିନିମୟ ଦର କମିନି

ଏଇ ଦଶନ୍ଧିରେ,

 

କହୁଚି କି-

ସାରା ଦେଶରେ ଏଇନେ

ଛୋଟ ମୋଟେ ଚାରିଶହ ଦଳ

ସରକାରରେ ସାମିଲ ହୋଇଚନ୍ତି ୩୦

ଓ ୨୪ ଦଳିଆ ମନ୍ତ୍ରିମଣ୍ଡଳ,

କହୁଚି କି-

ଆଜି କାଗଜର ମହିଳା ପୃଷ୍ଠାରେ ବାହାରିଚି

ରାଣୀ ଭିକ୍ଟୋରିଆଙ୍କ ପ୍ରେମିକ କିଏ

ଲେଖି ପଠାଇଲେ

ଲା’ ଓ ରେଲ୍‌ ଦବ ସୌଜନ୍ୟ ଉପହାର

ନା ସିଏ କହୁଚି

କେଉଁ ସାମ୍ୟବାଦୀ ନେତା

ଆମେରିକା ଯାଇଚନ୍ତି ଚିକିତ୍ସା ପାଇଁ

ସମ୍ପୂର୍ଣ୍ଣ ସରକାରୀ ଖର୍ଚ୍ଚରେ,

ତା’ଙ୍କ ଛାତିରେ ବେମାର ।

 

ଜୁନା ଗଡ଼ ବ୍ଳକ୍‌ ଅଫିସ୍‌ ବାରଣ୍ଡାରେ

ବସିଚି ସେଇ ବୁଢ଼ାଲୋକଟି ।

 

ଲାଗୁଚି, ତାକୁ ନଚେତ୍‌ ତା’ଫଟୋ

କେଉଁଠି ମୁଁ ଆଗରୁ ଦେଖିଚି-

ପରିବେଶବିତମାନେ

ତା’ ଫଟୋ ଉଠେଇଥିଲେ କି

ନର୍ମଦା ଜଳ-ଘେରୀରେ

କାଗଜରେ ସେ ଛପା ହୋଇଥିଲା କି,

ଟାଙ୍ଗିଆ ଧରି

ଚାନ୍ଦିପୁର ଘାଟି ହେଲାବେଳେ

ବିହନ ମୂଲ୍ୟ ବୃଦ୍ଧି ପ୍ରତିବାଦ ସଭାକୁ

ସେ ଆସିଥିଲା କି

ବିରୋଧି ଦଳଙ୍କ ଡାକରାରେ

ଚିଲିକାର ଚିଙ୍ଗୁଡ଼ି ଘେରି ଭାଙ୍ଗି

ଜୀବନ ଦେଇଥିବା ଜୁଆନ୍‌ର ବାପ କି ସେ

ବସିଥିଲା ଲାସ୍‌ର ବାଁ କଡ଼ରେ,

ଗାଲରେ ହାତରଖି ବସିଥିଲା କି

ଜାତୀୟ କାଗଜରେ ବାହାରିଥିବା

ଧର୍ମାନ୍ତରୀକରଣ ରିପୋର୍ଟରେ ?

ଦଶ ପାହୁଣ୍ଡ ଦୂରର ପେଣ୍ଡାଲ

ପଡ଼ୁଚି, ଉଠୁଚି

ଅଥଚ ବ୍ଳକ୍‌ ଅଫିସ୍‌ ବାରଣ୍ଡାରେ

ବୁଢ଼ାଲୋକଟି ନିର୍ବିକାର ବସିଛି,

କହି ଚାଲିଚି-

ତା ମୁହଁରେ ଝଲସି ଉଠୁଚି

ତ୍ରୟୋଦଶ ବାର

ବାର୍ଦ୍ଧକ୍ୟ ଭତ୍ତା ପାଇଁ ଆସି

ନିରାଶ ହୋଇଥିବା ବୃଦ୍ଧର ମୁହଁ

ବିହନ ଓ ସାର ପାଇଁ

ଘୂରି ବୁଲିବୁଲି

ହାତଗୁଞ୍ଜା ଯୋଗାଡ଼ କରୁଥିବା

ଚାଷୀର ମୁହଁ,

ଦେଶାନ୍ତରୀ ହେଇ

ସୁରାଟରୁ ଏଡ଼୍‍ସ ଘେନି ଆସିଥିବା

ଗୋଟେ ଭେଣ୍ଡିଆର ମୁହଁ,

ମହାବାତ୍ୟାରେ ବାସ୍ତୁହରା ହୋଇ

ହାତେ ବିଦେଶୀ ପଲିଥିନ୍‌କୁ

ଅପେକ୍ଷା କରିଥିବା ଗୃହସ୍ଥର ମୁହଁ,

ଓସ୍ୱାଲରେ ପ୍ରାଣ ହାରିଥିବା

ଅଥଚ ଉପସ୍ଥାନ ଖାତାରେ ନାଁ ନ ଥିବା

ଶ୍ରମିକର ମୁହଁ !

 

ଜୁନାଗଡ଼ ବ୍ଲକ୍‌ ଅଫିସ୍‌ ବାରଣ୍ଡାରେ

ବସିଚି ସେଇ ବୁଢ଼ା ଲୋକଟି ।

 

ଭାରତ,

ସେ ବୁଢ଼ାଯାଏ ପହଞ୍ଚି ପାରିବତ ହାତ,

ହାତ ପହଞ୍ଚିବା ଏଡ଼େ କଲିଜା ଅଛି ତ ?

 

ରଜନୀ ମାଝି

 

 

ପାଣି ଫୋଟକା ଫଟେଇବାକୁ ବି ନେଇନି ସହାୟତା

ମାଗିନି, ଶୁଭବୁଦ୍ଧି ଶିଖାଅ

ଭଲ ବାଟ ଦେଖାଅ

ମାଗିନି, ସତ କହିବାକୁ ସାହସ ଦିଅ

ମାଗିନି, କଣ୍ଠେ ବସ, ଶବ୍ଦ ଦିଅ

ଗଢ଼ିବି କବିତା,

ନା, ପାଣିଫୋଟକା ଫଟେଇବାକୁ ବି ନେଇନି ସହାୟତା ।

 

ଆଜି ରାତିରେ ମୋ ଝରକା ଦେଇ

ସୂତା ଭଳି ଲମ୍ବି ଆସିଚି କିଛି ଆଲୁଅ,

ତାକୁ ଯୋଡ଼ିଯାଡ଼ି ଛୁଇଁପାରିବି ଆଲୋକବିନ୍ଦୁ,

କାହିଁକି ମାଗିବି ଗିରି ଲଙ୍ଘିବାର କଳା,

କାହିଁକି ମାଗିବି ରଜନୀ ମାଝିକୁ

ଜୀବନ ଦିଅ ମଣିମା,

ଯୁବା ବଅସରେ ଚାଲିଗଲା ?

 

 

ଏମିତି ଇ ମରନ୍ତି ଗରିବଘରର ଝିଅ ।

ହେଲେ ତୁ ଗରିବ କହିବାକୁ ବଳନାଇଁ ଜିଭରେ,

କହିଲୁ, କ’ଣ ବା କରିପାରିବି ଏତେ ବର୍ଷ ଭିତରେ ?

ଘର ନାଇଁ, ଗାଡ଼ି ନାଇଁ,ଚାକର ବାକର ନାଇଁ

ଇଶ୍ୱର କି ସରକାର ନାଇଁ

ସବୁ ମେଲା ଓ ଲଙ୍ଗଳା,

ତୋର ହେଲେ କବର ଖଣ୍ଡେ ହେଲା ।

ଏମିତି ଇ ଜଳିଯାଆନ୍ତି ଗରିବଘରର ଝିଅ ।

ହେଲେ ତୁ ଗରିବ କହିବାକୁ ଦମ୍‌ ନାଇଁ ଜିଭରେ,

ଶାଶୁଘର କି ନର୍ଦ୍ଦମାରେ ନୁହଁ

ଜଳିଗଲୁ ଇଶ୍ୱରର ଦରବାରରେ ।

 

 

ଆପଣ ଚିହ୍ନନ୍ତି ରଜନୀ ମାଝିକି ?

ପଦମ୍‌ପୁରର ରଜନୀ ମାଝି

ଯାହାକୁ ଠିଆ ପୋଡ଼ିଦେଲେ

କିଛି ଧର୍ମଭୀରୁ ପାଗଳ,

ଯେଉଁଦିନ କନ୍ଧମାଳରେ

ଘୋଷଡ଼ା ହେଉଥିଲା

ଇଶ୍ୱରର କଙ୍କାଳ !

 

ଆପଣ ଚିହ୍ନନ୍ତି କି ରଜନୀ ମାଝିକି ?

ପଦମ୍‌ପୁରର ରଜନୀ ମାଝି

ରିମ୍‌ରିମ୍‌ ନ୍ୟୁଜ୍‌ପ୍ରିଣ୍ଟ ନଷ୍ଟ କଲା,

ତମ ବ୍ୟାଣ୍ଡେଜ୍‌ ବନ୍ଧା ଦିନର

ଖଣ୍ଡେ ତୂଳା, କୋଚଟ ମଇଳା !

 

 

ସେତେବେଳେ ବର୍ଷାଋତୁ, ଗାଜୁଥିଲା ଖରା

ଦୌପଦୀର ତ୍ରାଣକର୍ତ୍ତା ଲଙ୍ଗଳା ମୁକୁଳା ।

ପୋଡ଼ାପୋଡ଼ା ଏଠି ସେଠି

ଗାଡ଼ି ବନ୍ଦ, ଘୋଡ଼ା ବନ୍ଦ

ପଦମ୍‌ପୁରର କେଉଁ ଗାଁରେ ନିଆଁ, ବଖରାଏ,

ପୋଡ଼ାପୋଡ଼ା ଏଠି ସେଠି

ନିଆଁ ବନ୍ଦ, ପାଣି ବନ୍ଦ

ବୁଲି ବୁଲି ମୃତ୍ୟୁ ତା’ର ଶୋକଗୀତ ଗାଏ ।

ସେତେବେଳେ ବର୍ଷାଋତୁ, ଗାଜୁଥିଲା ଖରା

ନିଜ ଛାଇ ଦେଖି ଦେଖି ଇତିହାସ

ଡରି ଯାଉଥିଲା ।

 

 

ଆଜି ଡରେଇ ଦେଇଛି ମୃତ୍ୟୁ ମତେ

ସ୍ୱପ୍ନଗଛ ଏପରିକି କଢ଼ ବି ଧରୁନି,

ଆଜି ଡରେଇ ଦେଇଚି ମଣିଷ ମତେ

ଜଙ୍କଲଗା ବିବେକର ଚାରିପଟେ ନିଦ୍ରିତ ଛାଉଣୀ।

 

ଆଜି ଡରେଇ ଦେଇଛି ରଜନୀ ମତେ

ରଜନୀର ମୃତ୍ୟୁ ମତେ ଡରେଇ ଦେଇଚି,

 

ପୋଡ଼ା ପୋଡ଼ା ଭୟଙ୍କର ଲାଗେ ମୁଁ

ଲାଗେ, ମୋ ଆତ୍ମାହୁତି ସରିଚି ।

 

 

ପାଣିଫୋଟକା ଫଟେଇବାକୁ ବି ନେଇନି ସହାୟତା ।

କାହିଁକି କେଜାଣି ଆଜି

ଫୁସ୍‌ଫୁସରେ, ହୃତ୍‌ପିଣ୍ଡରେ

କୋଇଲାର ଆସ୍ତରଣ,

ବିରାଟ ଶୂନ୍ୟତା !

 

ଚାରିଆଡ଼େ ପ୍ରଲମ୍ବିତ ନିଆଁନିଆଁ

ଜ୍ୱଳମାନ କ୍ଷେତ,

ଦରପୋଡ଼ା ଭଉଣୀ ମୋ

ଏଣେତେଣେ ଅସ୍ତବ୍ୟସ୍ତ ପୋଡ଼ାଭାତ !

 

ଅରୂପ ଅଭିଷେକ

୧୯୭୭-

 

ସମସାମୟିକ ଓଡ଼ିଆ ସାହିତ୍ୟର ନୂତନ ସ୍ୱର ହେଉଛନ୍ତି କବି ଅରୂପ ଅଭିଷେକ । ସମାଜର ଯେ କୌଣସି ଘଟଣା ତାଙ୍କୁ ଆନ୍ଦୋଳିତ କଲେ କଲମ ଧରି ସୂକ୍ଷ୍ମରେ ସୂକ୍ଷ୍ମରେ ଶବ୍ଦକୁ ଖଞ୍ଜି ସେ ତିଆରି କରିପାରନ୍ତି ବିଦ୍ରୋହର ପ୍ରାଚୀର । ବଦଳି ଯାଉଥିବା ପୃଥିବୀର ଦୃଶ୍ୟ, ବିପର୍ଯ୍ୟସ୍ତ ସାମାଜିକ ପରିବେଗ, ମାନବିକ ସମ୍ବେଦନା ହୀନ ବିଶ୍ୱକରଣର ନଗ୍ନ ପ୍ରଭାବ, ପୁଞ୍ଜିବାଦ, ଶୋଷଣର ଲୋଲୁପ ଦୃଷ୍ଟିଦ୍ୱାରା ପ୍ରଭାବିତ ପୃଥିବୀର ଅସୁସ୍ଥ ସ୍ଥିତିକୁ କବିତାରେ ସେ ସର୍ବାଗ୍ରେ ସ୍ଥାନିତ କରି ନବ୍ୟପ୍ରଗତିବାଦୀ ଓଡ଼ିଆ କବିତାକୁ କରିଛନ୍ତି ରୁଦ୍ଧିମନ୍ତ ।

 

ସାମ୍ପ୍ରତିକ ଘଟଣା ପ୍ରବାହରେ ଆନ୍ଦୋଳିତ ମନର ସ୍ୱତଃପ୍ରବୃତ୍ତ ପ୍ରତିକ୍ରିୟା ହିଁ ତାଙ୍କ କବିତା । ସାମ୍ରାଜ୍ୟବାଦୀ ଓ ସାମନ୍ତବାଦୀ ଚିନ୍ତାଧାରାର ଅଗ୍ନିବଳୟ ଭିତରେ ସନ୍ତ୍ରସ୍ତ ମଣିଷର ଅଧିକାରକୁ ଜାହିର କରି ସାମ୍ୟବାଦୀର ମୁକ୍ତିମନ୍ତ୍ରରେ ତାକୁ ଅଭିମନ୍ତ୍ରିତ କରି ମୁକ୍ତି ମଶାଲଟେ ହାତରେ ଧରାଇଦେଇ ବାଟ ବତାଇଦେବାକୁ ଅରୂପଙ୍କ କବିତାର ଶବ୍ଦମାନେ ସର୍ବଦା ତୟାର ।

 

ବିଦ୍ରୋହର ହେଉ କି ପ୍ରେମ, ବିରହ ହେଉକି ମିଳନ, ପ୍ରତିବାଦ ହେଉ କି ସମର୍ପଣ, ସଂଘର୍ଷ ହେଉ କି ସଂଘାତ ତୋଳି ଶାନ୍ତି, ମୁକ୍ତି ଓ ପ୍ରଗତିର ରାସ୍ତାରେ ତାଙ୍କ କବିତାର ପଲ୍ଲବ ପ୍ରେରଣାପ୍ରଦ ।

 

ମାର୍କସବାଦରେ ଅତୁଟ ବିଶ୍ୱାସ ରଖିଥିବା ପ୍ରତିଶ୍ରୁତି ବଦ୍ଧ ଏହି ଯୁବକବିଙ୍କ ‘ନିଜେ ନିଜ ସାମ୍ନାରେ’ ଏକ କବିତା ସଂକଳନ ଓ ‘ ନଷ୍ଟ ଚରିତ୍ର’ ଶୀର୍ଷକରେ ଗଳ୍ପ ପୁସ୍ତକ ପ୍ରକାଶିତ ହୋଇ ପାଠକମାନଙ୍କୁ ପ୍ରଦାନ କରିସାରିଛି ଅଜସ୍ର ଆନନ୍ଦ ।

 

ବଞ୍ଚିବାକୁ କଳା କରି ଜିଇଥିବା ଲୋକମାନେ

 

ବଞ୍ଚିବା ବି ଗୋଟେ

କଳା ।

ମୁଗୁନି ପଥରର ଛାତି ପରି

ବଞ୍ଚି ରହିବା ବି

ଢେର କଠୋର, ନିର୍ମମ ।

ରାସ୍ତାଯାକ ବିଛେଇ

ହୋଇପଡ଼ୁଛି

ଶୁଖିଲାପତ୍ର, ପାଦତଳେ

ଚାପି ହୋଇଗଲେ ଶୁଭେ

ମଚମଚ ଶବ୍ଦ ।

 

ତଥାପି ତା’ ଉପରେ

ପାଦ ପଡ଼ିବାଟା ଓ

ପାଦତଳେ ସେମାନେ

ଚାପି ହୋଇଯିବାଟା ହିଁ

ଅଲିଖିତ ଭାଗ୍ୟ ।

 

ମୁଣ୍ଡରେ ପଥରକୁ

ବୋହି ବୋହି

ମୁଣ୍ଡଟା ବି ଯେବେ

ପାଲଟିଯାଏ ଗୋଟେ

ପଥର ।

କେମିତିକା ନିଦାଘ

ହୋଇନଥିବ

ସେମାନଙ୍କର ଛାତିତଳର

ହୃଦୟ ।

ସେଠି ନିତିନିତି

ନିଆଁ ଜଳେ ।

 

ପେଟରେ, ଛାତିରେ, ମନରେ

 

କିଛି ନିଆଁ ଲିଭିଯାଏ

ଆଉ କିଛି ନିଆଁ

ଲିଭାଇ ଦେବାକୁ ହୁଏ

ଛାତି ତଳେ କିମ୍ବା

ମନର ଅନ୍ଧାରରେ

ଚାପି ଦେଇ ।

 

ଯାହାର ପେଟରେ ନିଆଁ ଜଳେ,

ତା’ର ଛାତି ଆଉ ମନରେ

ନିଆଁ ଜଳେନା ।

 

ସେମାନେ କୁଆଡ଼େ ଜାଣିଥାନ୍ତି

କେମିତି ଲିଭାଇ ଦେବାକୁ ହୁଏ

ଛାତି ଆଉ ମନ ଭିତରର

ନିଆଁକୁ ।

ହେଲେ ପେଟର ନିଆଁକୁ

ଲିଭାଇ ଦେବାର କୌଶଳ

କିମ୍ବା ସାମର୍ଥ୍ୟ ତାଙ୍କର ନଥାଏ ।

କୋରି ହୋଇଯାଉଥିବା

ପେଟକୁ

ମୁଣ୍ଡରେ ଥୋଇ

କାରୁଣ୍ୟର ରସରେ

ନିଜକୁ ଗାଧୋଇଦେଇ

ସେମାନେ ବାହାରି ପଡ଼ନ୍ତି ପୁଣି

ଅଭିସାରରେ

ଆହୁରି ତେଜାଇ ଦିଅନ୍ତି

ସେ ନିଆଁର ଧାସକୁ ।

 

ଆହୁରି ଡିଅଁନ୍ତି, ନାଚନ୍ତି

କିମ୍ବା ମୁଣ୍ଡରେ ପଥର

ଲଦିଦିଅନ୍ତି ।

 

ତେଜୁଥାଏ ନିଆଁ

ଆହୁରି, ଆହୁରି ଜୋରରେ ।

 

ଆଶାଟିଏ ବଞ୍ଚିଥାଏ

କାଳେ ଏହାପରେ ଟୋପାଏ

ଶୀତଳତା ମିଳିଯିବ

ପେଟକୁ, ନିଆଁର ଧାସକୁ

କମେଇଦେବାକୁ ।

ବାସ୍‌ କିଛି କମିଯାଏ ନିଆଁ ।

ପୁଣି ପରଦିନ

ପୁନରାବୃତ୍ତି ସେଇ ଖେଳର ।

 

ରାତି ପାହେ ...

ପୁଣି ନିଆଁ ଜଳେ ...

ପୁଣି ନାଚିବାକୁ ହୁଏ ...

ଆହୁରି ଆହୁରି ନିଆଁର ତେଜ

ବଢ଼େ ।

 

ଏବଂ ଏହାପରେ,

ଟୋପାଏ ଶୀତଳତା ... ।

ନିଆଁ କମିଯାଏ ।

କିନ୍ତୁ ନାଚ ଚାଲିଥାଏ ପ୍ରତିଦିନ

ଏ ନିଆଁ ଲିଭିବାର ନାହିଁ ।

ଏ ନାଚ ବନ୍ଦ ହେବାର ନାହିଁ ।

 

ପୃଥିବୀକୁ ବଦଳାଇ ଦିଅ

 

ଆସ,

ଏଥର ପୃଥିବୀକୁ ବଦଳାଇଦେବା ।

ଅନେକ ଦିନଧରି

ଆମେ ମତୁଆଲା ହେଲେ

ଫୁଲର ବାସ୍ନାରେ ।

 

ଗୋଟେ ବନ୍ଦଘରର ସୁରକ୍ଷିତ ବଳୟରେ

ମିଠାସ୍ୱାଦ ଆଘ୍ରାଣ କରୁକରୁ

ସାରିଦେଲେ ଜୀବନର

ଅର୍ଦ୍ଧେକ ଅଭିନୟ ।

 

ଦେହ ଓ ମନରେ

ଅନେକ କିଛି କରିପାରିବାର

ଶକ୍ତି ଥାଇ ବି

ଆମେ ପାଲଟିଗଲୁ

ସମ୍ଭାଳୁଆରୁ ପ୍ରଜାପତି କିମ୍ବା ପଳାୟନପନ୍ଥୀ

କ୍ରମଶଃ.....କ୍ରମଶଃ .....

ବରଂ ସମ୍ଭାଳୁଆର ଜୀବନ ହିଁ ଶ୍ରେୟ ।

ପ୍ରଜାପତି - ଅନ୍ୟର ସତୀତ୍ୱକୁ

ନଷ୍ଟ କରୁଥିବା ଏକ କାମୁକ,

ଜଣେ ପ୍ରତାରକ

ସମ୍ଭାଳୁଆ- ପରିବର୍ତ୍ତନ କରିପାରିବାର

ଏକ ଅଟଳ ବିଶ୍ୱାସ,

ଜଣେ ନୀରବ ସାଧକ ।

 

ନିଜେ ପିନ୍ଧିଥିବା ମୁଖାମାନେ

କାଳେ ଏବେ କଷ୍ଟଦେଲେଣି

ଏଥର ମୁକୁଳିଯିବାକୁ ହେବ,

ଆମକୁ ନିଜେ ହିଁ ପ୍ରକାଶ କରିବାକୁ

ହେବ ନିଜର ପ୍ରକୃତି ସ୍ୱରୂପ,

ନଚେତ୍‌ କେବେନାକେବେ

ନିଶ୍ଚୟ ଖୋଲିଯିବ

ଜାହିରା ପରି ମିଛେଇ ଝିଅଙ୍କ

ଅସଲ ରୂପ

 

ଯେଉଁମାନେ ଗତକାଲି

ସମାଜର ଧୂମକେତୁମାନଙ୍କୁ

ଆକାଶରୁ ହଟେଇଦେଇ

ଇରାକକୁ ପଠାଇପାରିଥିବେ

ଗୁଡାଏ ପ୍ରୀତିର ସନ୍ଦେଶ

ଆଉ ଯେଉଁମାନେ

କୁମ୍ଭକର୍ଣ୍ଣ ନିଦ୍ରାରୁ ଜାଗି

ନୂଆ ପୃଥିବୀଟେ ଗଢ଼ିବାର

ସ୍ୱପ୍ନରେ ବିଭୋର ହେଉଥିବେ,

ସେମାନେ

ସମସ୍ତେ ଆସନ୍ତାକାଲି ଆସନ୍ତୁ

ପୃଥିବୀରେ

ଯାହାକିଛି ପରିବର୍ତ୍ତନ ଘଟିବ,

ତାହା ଆସନ୍ତା କାଲି ହିଁ ଘଟିବ ।

ଆସନ୍ତାକାଲି ହେବ ଏକ ନୂତନ ସୂର୍ଯ୍ୟୋଦୟ

ଏକ ସବୁଜ ପୃଥିବୀ ଗଢ଼ିବାର

ଇସ୍ତାହାର ନେଇ

ଆମେ ସବୁ ବାହାରିଯିବୁ

ଏକ ନୂତନ ପୃଥିବୀର ସନ୍ଧାନରେ ।

 

ନରେନ୍ଦ୍ର ଭୋଇ

୧୯୭୯-

 

ନବେଦଶକର ନବ ଉନ୍ମୋଚିତ କବି ନରେନ୍ଦ୍ର ଭୋଇ ସମକାଳୀନ କାବ୍ୟଧାରାର ଉଦୟ ....ଉଚ୍ଚାରଣ । କବିଙ୍କ କଳା ବୋଧ ଓ ଶବ୍ଦଶକ୍ତି ଖୁବ୍‌ ପ୍ରାସଙ୍ଗିକ ଏବଂ ଉର୍ବର । ଏହି ଉର୍ବତାରେ ବାରିହୋଇ ପଡ଼େ ନରେନ୍ଦ୍ରଙ୍କ କାବ୍ୟ ଭୂମିର ନିର୍ମାଣ ଶୈଳୀର ଚମତ୍କାର, ଦମ୍ଭ ଓ ମୁକ୍ତିକାମୀ ମାମୁଲି ମଣିଷଙ୍କ ପାଇଁ ମାର୍ମିକ ମନ୍ତ୍ର ।

 

ଭୋଗୁଥିବା ସମୟକୁ, ସମାଜକୁ, ଜୀବନର ସଂଘର୍ଷକୁ, ପୀଡ଼ା ଓ ପରମ୍ପରାକୁ ବତୁରାଇ କବିତାର ଉତ୍ପାଦନ ପାଇଁ ବତର କରନ୍ତି ଓ ସୃଜନ୍ତି କ୍ରୋଧରେ... ବିଦ୍ରୋହରେ । ମାଟି ମଣିଷର ଅସ୍ମିତା ପାଇଁ ସଂଘର୍ଷର ଗାଥା, ଯାହା ତାଙ୍କର କବିତା ।

 

ଭାଷା ଓ ପ୍ରକାଶ ଭଙ୍ଗୀର ପରିଚ୍ଛନ୍ନତା, ତୀକ୍ଷ୍ଣ ଚିତ୍ରକଳ୍ପ ସହିତ ସାମ୍ପ୍ରତିକ ମଣିଷର ନିଃସଙ୍ଗତା ଓ ଅସହାୟତାର ପରିପ୍ରକାଶ ତାଙ୍କ କବିତାକୁ କରିଛି ସାର୍ଥକ ଓ ସ୍ମରଣୀୟ ।

 

ଇତିହାସ

 

କେହି ଜାଣି ପାରନ୍ତିନି

ଗୋଟେ ବନ୍ଦ୍‌ କୋଠରୀର ଇତିହାସ

ଯାହା ମୁଦା ହେଇ ରହିଥାଏ

ଅନ୍ଧାରର ପୋଟଳି ଭିତରେ ।

 

କୋଉ ଐତିହାସିକ

ଅନ୍ଧାରର ଆବର୍ଜନା ଭିତରୁ

ଠାବ କରି ପାରିଚି ଶିଳାଲେଖ

କୋଉ ପ୍ରତ୍ନତତ୍ତ୍ୱବିତ୍‌

ଖୋଳି ପାଇଚି ଅନ୍ଧାରଗଡ଼ରୁ

ପୁରୁଣା ଗୋଟେ ତାମ୍ରମୁଦ୍ରା

 

ଯହିଁରୁ ଜଣା ପଡ଼ୁଚି ଯେ

ଅମୁକ ବର୍ଷ ତଳୁ ଘୋଟିଚି

ଏ ଅନ୍ଧାର, ଏ ହାହାକାର ।

 

ଆମେ ଶୁଣି ପାରୁନା

ହା-ହା- କାରର ସ୍ୱର, କାରଣ

କାନରେ ନ ଶୁଣି ପାରିବାର

ତୁଳାବିଣ୍ଡା ଭର୍ତ୍ତି

ଆମେ ପଢ଼ି ପାରୁନା ଶିଳାଲେଖ

ଭୋକର ଅକ୍ଷରରେ ଲେଖା

ଆମେ ପାଟି ଫିଟାଇ ପାରୁନା

ଗୁଙ୍ଗାପଣରେ ସିଲେଇ ତୁଣ୍ଡ

ଆମେ ଅନ୍ଧାର ଭିତରେ ଇ

ଖାଲି ଫିଟେଇ ମରୁଚୁ

ନିଜ ନିଜର ନପୁଂସକ ମୁଣ୍ଡ ।

 

ଆମକୁ କୋଠରୀ କୋଠରୀ ଭର୍ତ୍ତି

ଅନ୍ଧାର ଭିତରେ ଜଉମୁଦ ଦେଇ

ବନ୍ଦୀ କରିଥିବା

ସେ ଐତିହାସିକ ଦଳକୁ ଦେଖ

 

ଭୋକର ଶିଳାଲେଖ ପଢ଼ି

ଅର୍ଥର ତାମ୍ରମୁଦ୍ରା ଖୋଳି

ଗୁମ୍ପା ଗୁମ୍ପାର ଆଲୋକରେ

କେମ୍‌ତି ଚମ୍‌କୁଚି ତାଙ୍କ

କୋଠରୀର ଟ୍ରଙ୍କ୍‌ ଆଲମୀରା ।

 

ଭୋକ, ଦୁଃଖ, ରୋଗ, ଶୋକର

ଐତିହାସିକ ଉପାଦାନ,

ଯୋଗାଇ ପାରୁଥିବା

ଆମକୁ ଦେଖ

 

ସବୁବେଳେ ନିଜର ଅସହାୟପଣରେ

କେମତି ନାଚାର, ବେସାହାରା

ଆଉ କୋଉ ଇତିହାସ କଥା କହୁଛ ?

 

ଆମେ ତ ଚଳନ୍ତି ଇତିହାସର

ଶୀତଳ ଯୁଦ୍ଧରେ ଶହିଦ୍‌ ହେଉଥିବା

ଜଣେ ଜଣେ ଅଂଶୀଦାର ସୈନିକ ।

ଭଙ୍ଗା ଖପରା ଟୁକୁଡ଼ା ପଥର

ଜୀର୍ଣ୍ଣ ମନ୍ଦିର କଥା ଛାଡ଼

ଆମର ଫଟା କପାଳ

ହାଡ଼ ଓ କଙ୍କାଳକୁ ନେଇ

ଗବେଷଣା କରିବ, ଯାଅ ।

 

ପାପୀ ପଇତାର ପଦ୍ୟ

 

ଆମ ଝିଅବୋହୂଙ୍କୁ

ଧର୍ଷଣକରି କହିଲ

ପୂଣ୍ୟ ଅର୍ଜିଲ

ତମ ଅଙ୍ଗରେ ଲାଗିଲା ବ୍ରାହ୍ମଣର ବୀର୍ଯ୍ୟ

ଉଠି ଆସୁଥିବା ହାତକୁ ରୋକିଲା

କେଜାଣି କାହିଁକି ଆମର ଧୈର୍ଯ୍ୟ ।

 

କ୍ଷେତରୁ ଆମର

ଫସଲ କାଟିନେଇ କହିଲ

ଖୁବ୍‌ ଭଲ ଦକ୍ଷିଣା ଦେଲ

ବ୍ରାହ୍ମଣଦେବତାକୁ ଭୋଜନ ଦେଲ ମାନେ

ଲକ୍ଷ୍ମୀ ଜୁଟିବେ

ଭଲ ପାଳିବ ଇନ୍ଦ୍ର

ଚଷ, ଆହୁରି ଭଲ ଚାଷ ହେବ

ଭଲ ଅମଳ ହେବ ଫି ବର୍ଷ

ମନେରଖିଥା ବାବୁ

ବ୍ରାହ୍ମଣ ଦେବତାର ବାକ୍ୟ ଅକାଟ୍ୟ,

କେଜାଣି କାହିଁକି ଅସ୍ତ୍ର ଉଠିଲା ନାହିଁ

ହାତରେ କରିବାକୁ ଲୁଟେରାର ମୁଣ୍ଡକାଟ ।

 

ଅପବିତ୍ର ହେବବୋଲି ଧର୍ମଗ୍ରନ୍ଥ

ବେଦ ପୁରାଣ ଭାଗବତ

ଦିଅଁ ଦେବତା ମନ୍ଦିର

ରଖିଲ ନିରକ୍ଷର

କହିଲ ଦୂରେଇରହ ତମେ ଅଚ୍ଛୁତ

ଅକ୍ଷର ଚିହ୍ନି ଚିହ୍ନିଥାନ୍ତୁ ବୋଲି

ତମର ଛଦ୍ମବେଶ

କହିଲ ଛାଇ ଛୁଇଁଲେ ଦୋଷ

ନର୍କ ଭୋଗହେବ,

କେଜାଣି କାହିଁକି ନରମିଗଲା

ନର୍କରେ ଘାଣ୍ଟିହେଉଥିବା

ଚଣ୍ଡାଳର ରୋଷ ।

 

ଖଟାଇଲ କ୍ଷେତରେ ଖମାରରେ

ଗୁହାଳରେ ନର୍କକୁଣ୍ଡରେ

ପଶୁତୁଲ୍ୟ ଖଟିଲୁ

ଲୁଟିଲ ଧାନ ଧନ

ଜମି ଭୂମି, ଜନ ଯୌବନ

ପାଦତଳେ ଲୋଟାଇଦେଲୁ

ନଚେଇଲ ବିଭିନ୍ନ ମୁଦ୍ରାରେ

ବେଳା ଅବେଳାରେ

ହରେକ ରକମ ନାଚ ନାଚିଲୁ

ରାଗ ରୋଷ ମାନ ଅଭିମାନକୁ

ବାନ୍ଧିରଖି ନିଜ ଅଣ୍ଟିରେ

ତମ ପାଦତଳେ ବନ୍ଧା ପଡ଼ିଲୁ

ପୁରୁଷ ପୁରୁଷ

ଧୈର୍ଯ୍ୟ ନହାରି ଶିରୋଧାର୍ଯ୍ୟ କଲୁ

ତମର ପ୍ରତିଟି ଆଦେଶ,

କେଜାଣି କାହିଁକି ମୁଣ୍ଡ ପାତିଲୁ

ଆମେ ବଫାଦାର ଅସ୍ପୃଶ୍ୟ ।

ଆମେ ଯେତେ ଉଦାର ହେଲୁ

ତମେ ସେତେ ନିଠୁର ହେଲ

ଆମେ ଯେତେ ଭଲପାଇବା ଶିଖିଲୁ

ତମେ ସେତେ ଘୃଣା ଶିଖାଇଲ

ଆମେ ଶାନ୍ତିର କଥା କହୁଥିବାବେଳେ

ତମେ କଳହର ନେତ ବନ୍ଧାଇଲ

ଆମେ ପଇତାକୁ ମାନ୍ୟ କରୁଥିଲୁ

ତମେ ପଇତାରେ ପାପ ଗଣ୍ଠେଇଲ

ଭକୁଆ ହେଲୁ ସିନା

ଆମେ ନୀଚ ହରିଜନ ।

 

ଲାଗୁଛି, ବେଳ ବଦଳୁଛି

ଯୁଗ ଯୁଗ ବିତିଗଲା ପରେ

ଆମକୁ ଡରେଇ ରଖିଥିବା

ତମର ସେଇ ଡର ଏବେ

ତମକୁ ଇ ଡରେଇ ମାରୁଛି ।

 

ଗାଁ ଟାଉଟର, ଗହଦୁ ଓ ଗରିବୀ

 

କାହାକୁ କହିଲେ କିସ ହେବ

କିଏ ଦେବ ନା ଥୋଇବ !

ଜାଣେ ବୋଲି ତ ଗହଦୁ

ତାର କଳା ମଚ୍‌ମଚ୍‌ ପିଠିରେ

ବସିଖିଆ ବୟସରେ ବି ବୋହୁଚି

ସଂସାର ଭାର,

ମଲା ପଛେ ମାଗିଲା କି କା’କୁ

ହାତପାତି ପେଟକୁ ପେଜ ।

 

ଥିଲାବାଲା ବୋଲି ଛାତିଏ ଗର୍ବରେ

ଫାଟି ପଡ଼ୁଥିବା ତମେ କେଡ଼େ କାକୁସ୍ଥ

ଚଢ଼ିଲା ନା ନାଇଁ ନାଁ ବିପିଏଲ୍‌ ଲିଷ୍ଟରେ

ଏକର ଏକର ଜମି ବୁନିଆଦି ଘର

ଜମିଦାର ବୋଲି ଏବେ ବି ଭାଉ ତମର

ହେଲେ କେତେ ଫନ୍ଦି କରୁଚ

ହାତେଇବାକୁ ଖଣ୍ଡେ ଇନ୍ଦିରା ଆବାସ ଘର ।

 

ଜାଙ୍ଗଲ୍‌ ପକେଇ କେଭେ ବି

କଧ୍‌ରି ନାହିଁ କାମକୁ

ଜୀଁଥିଲା ଯାକେ ଗହଦୁ

ଆଉ ତମେ ପରଧନରେ

ପେଟ ପୁରାଇବାକୁ ପହଞ୍ଚିଯାଇଚ ଯେ

କାମ କବାର ଛାଡ଼ି

ପରଛିଦ୍ର ଟାଉଟରୀରେ ହମୋ ବୁଡ଼ିବ ।

କୋଉ ମୁହଁରେ ଗହଦୁର କଥା କହୁଚ ?

ଜାଣିଛ, ମରିଗଲା ପଛେ

ବାର୍ଦ୍ଧକ୍ୟ ଭତ୍ତା, ଇନ୍ଦିରା ଆବାସ

ବିପିଏଲ୍‌, ଅନ୍ତଦ୍ୟୋୟ, ଅନ୍ନପୂର୍ଣ୍ଣା ଚାଉଳ

ମୋ ଜମି ମୋ ଡ଼ିହ

ଭଳି ଭଳିକି ସରକାରୀ ଯୋଜନାର

କୋଶେ ଦୂରରେ ଥାଇ ବି ହେଇପାରିଲାନି

କୌଣସି ଗୋଟିକର ହିତାଧିକାରୀ

ହେଲେ ତୁମକୁ ଖୁସି କଲେ

ଲାଞ୍ଚନେଇ ସରକାରୀ ଅଧିକାରୀ ।

 

କରକୁ କାମ ଅଛି ମିଳିବ ଭାତ

ଜାଣେ ବୋଲି ଖଟିସାରି

ସେ ନିଦରେ ଅଚେତ

ରାତି ଅଧଯାଏଁ ତମେ ବିଚାରୁଚ

କପଟରେ କାଲି କାହାର କରିବ ସର୍ବନାଶ

କାହାର ବିଶ୍ୱାସରେ ଦେବ ବିଷ ।

 

ଦୁଃଖି ରଙ୍କିଙ୍କ ଦୁଃଖ ଦେଖି କାଳେ

ଛାତି ତଳେ ଚାପି ଦିଅ କୋହ

ଜାଣୁ ହୋ ଜାଣୁ

ତମେ କେଡ଼େ ଦରଦୀ ଲୋକ ।

ଦାଣ୍ଡ ଦୁଆରେ ଠିଆ ହେଲେ

ଯୋଗୀ କି ଭିକାରୀ

ନରଧେଇ ନିଅ ଦୂର୍‌ଦର କରି

ପକା’ଲା ପାଣି ମୁଂଦେ

କା’କୁ ଦେଉନଥିବା ଲୋକ

ପୁଣି ବୋଲଉଚ ସ୍ୱେଛାସେବକ ।

ଥାଉ, କୋଉ ମୁହଁରେ ବଖାଣୁଛ

ନିଜ ବାହାଦୂରି

ପଞ୍ଚରେ ବସି ପାଞ୍ଚିବ ପରା ହୋ

କା’ବେକରେ ଚଲେଇବ ଛୁରୀ ।

 

ଗହଦୂର ମଲାମୁହଁକୁ ଦେଖ

କେମିତି ଲାଖି ରହିଚି ବିଦ୍ରୁପର ହସ

କେଭେ ଦିନେ ଦେଖିଥିଲା କି

ଗରିବୀ ହଟାଓ ସ୍ଳୋଗାନ ଦେଲାବେଳେ

କେଡ଼େ ସୁନ୍ଦର ଦିଶୁଛି

ତମର କପ୍‌ଟିଆ ବେଶ ।

 

 

ବିଜୟାନନ୍ଦ ସିଂହ

୧୯୫୯-

 

ଓଡ଼ିଆ ଭାଷା ସାହିତ୍ୟର ବିବିଧ ବିଭାଗରେ କେବଳ ପ୍ରବେଶ ନୁହେଁ, ପ୍ରସିଦ୍ଧିର ପୁରୋଭାଗରେ ଦୃଶ୍ୟ ହୁଏ ବିଜୟାନନ୍ଦ ସିଂହଙ୍କ ସ୍ୱକୀୟ ଚିନ୍ତନ ଓ ଚାତୁର୍ଯ୍ୟର ସୃଜନ ସଂସାର । ମାନବିକତାର ମହାଗାନରେ ଭରପୂର ତାଙ୍କ ସାରସ୍ୱତ ଅମାର.... ସମକାଳର ସମଗ୍ର ସୃଷ୍ଟି ମଧ୍ୟରେ ସ୍ୱତନ୍ତ୍ର ଓ ସ୍ମରଣୀୟ ।

 

ଯୌବନର ଆଦ୍ୟକାଳ କବିତା ମନସ୍କରୁ କ୍ରମେ ଗଦ୍ୟର ଗାଦି ଉପରେ କେବେ ଗଳ୍ପ କେବେ ପ୍ରବନ୍ଧ, କେବେ ଆଲୋଚନା, କେବେ ସମାଲୋଚନା, କେବେ ସମ୍ପାଦନା ଏହି ଯଶସ୍ୱୀ ସାହିତ୍ୟିକଙ୍କ ମାନସ ମନ୍ଥନରୁ ଅଧିଷ୍ଟିତ । ଅକୁଣ୍ଠିତ ସମ୍ପ୍ରେଷଣ ଶୈଳୀ, ନୂତନ ପରିଭାଷା, ପରିବର୍ତ୍ତିତ ପୃଥିବୀର ପରିକଳ୍ପନା ଓ ସର୍ବୋପରି ସାମାଜିକ ଦାୟିତ୍ୱ ବୋଧର ଉପସ୍ଥାପନ-ତାଙ୍କ ସର୍ଜନାରେ ସାର୍ଥକ ଭାବରେ ସାବ୍ୟସ୍ତ ।

 

ଦ୍ରୁତ ଶିଳ୍ପାୟନ, ଜଗତୀକରଣ, ଜନବସତିର ଅକଳ୍ପନୀୟ ଉଚ୍ଛେଦ ବିରୋଧରେ ବିଦ୍ରୋହ, ବ୍ୟଙ୍ଗ ବିଦ୍ରୁପରେ ବିଜୟାନନ୍ଦ ଯେତିକି ପ୍ରତିବାଦୀ .... ଧର୍ମଧାରଣା, ବିଧିବ୍ୟବସ୍ଥାର ବିଶୃଙ୍ଖଳା, ପ୍ରଥା ଓ ପରମ୍ପରାରେ ବିଗଳିତ ହୋଇପଡ଼ୁଥିବା ମାମୁଲି ମଣିଷମାନଙ୍କ ପ୍ରତି ସେତିକି ସମ୍ବେଦନଶୀଳ । ଚଳନ୍ତି ସମୟର ହୃଦୟ ବିଦାରକ ଘଟଣାର ‘କଳିଙ୍ଗନଗର’ ଜାତୀୟ ଲଜ୍ଜା ପରିସରଭୁକ୍ତ । ଏହି କବିତାରେ ଅମାନବିକତାର ବେପରବାୟ ବଦ୍‌ଗୁଣ ପ୍ରତି ବିଜୟାନନ୍ଦଙ୍କ କବିପଣ ଫିଙ୍ଗିଛି କ୍ରୋଧ, କରିଛି ପ୍ରତିବାଦ । ଏହା ଜନବାଦୀ ସାହିତ୍ୟକୁ କରିଛି ସମୁଜ୍ଜ୍ୱଳ ।


କଳିଙ୍ଗନଗର

 

‘ଆମ୍ବଗାଡ଼ିଆ’ରେ ପହଞ୍ଚିଲା ବେଳକୁ ନବବର୍ଷ

ପହଞ୍ଚି ସାରିଥିଲେ ପୁଲିସ୍‌

ଗୋଟେ କଳାଦିନ ବାଣ୍ଟି ସାରିଥିଲା ନୋଟିସ୍‌, ମାଟିଛାଡ଼ ।

 

କୁହା ସରିଛି ଏଠି ଲୁହାକଢ଼ରୁ ଇସ୍ପାତ ଫଳିବ, ଉଠ ।

 

ଉଠେଇ ନେବାକୁ ଛିଡ଼ା ହୋଇଛି ଟ୍ରକ୍‌, କ୍ରେନ୍‌

ବୋଲଡୋଜର, ଜିଲ୍ଲାପାଳ

ଘର, ଗାଈଗୁହାଳ, ଦୋ ଫସଲି ବିଲ, ଗାଁ-

ମଣିଷପରି ଲାଗୁଥିବା ସେମାନଙ୍କ ଆକଳନ

ଉଠିଯିବ ।

 

ମାଟିପାଇଁ ଛାତିପତେଇ ଛିଡ଼ା ହୋଇଛନ୍ତି ଯେଉଁମାନେ

ସେମାନଙ୍କୁ ଚିହ୍ନେନାହିଁ ସଚିବାଳୟ କି

ଜଣେ ହେଲେ ସୁଖରାମ

ଚିହ୍ନେନାହିଁ କାଶ୍ମିରୀ କମ୍ବଳ, ଡେରାଡୁନ୍‌ ଚାଉଳ କି ହରଡ଼ ଡାଲି

ଦେଶର ଗାନ୍ଧୀ କି ମହାଭାରତ ସିରିୟାଲ୍‌ର

ମାତା ଗାନ୍ଧାରୀ ।

 

ସେମାନେ ପ୍ରବେଶ କରିପାରନ୍ତି ନାହିଁ ମନ୍ଦିର

କି ରାଜପ୍ରାସାଦ

ସେମାନଙ୍କ ସ୍ୱର ଛୁଇଁ ପାରେନାହିଁ ସିଂହାସନ

ସେମାନେ କେବଳ ଖବରକାଗଜର ତଟକାଖାଦ୍ୟ

ସଞ୍ଜକୁ ଶ୍ରୀହୀନ, ଅନାବନା ଅନାବଶ୍ୟକ ମଣିଷ ।

ସେମାନେ ଲାଗୁଥିଲେ ମଣିଷ ପରି, କାହାର ନ ଥିଲା

ପାପୁଲି, ତ କାହାର ନ ଥିଲା ପାଦ

ତଥାପି ଥମୁନଥିଲା ସେମାନଙ୍କ ରାଇଁଝାଇଁ ପ୍ରତିବାଦ

ବେଳୁ ବେଳ ଖୁବ୍‌ ଲାଲ୍‌ ଦିଶୁଥିଲା ରକ୍ତଓଦା ମାଟି

ଆଉ ବିଛେଇପଡ଼ୁଥିଲା ସେମାନଙ୍କ ମୃତ ଦେହରୁ

ବୀରପଣ, ବାଃ....ବୀରମାଟି କଳିଙ୍ଗନଗର !

 

ଏଥର ସେମିତି କିଛି ଲାଗିଲା ନାହିଁ ମାମୁଲି ମଣିଷଙ୍କ

କୁଢ଼କୁଢ଼ ଶବ ଉପରୁ ସମ୍ରାଟ ଅଶୋକଙ୍କ

ହବାର ନାହିଁ ଧର୍ମାଶୋକ

କେବଳ ବୁଦ୍ଧଙ୍କ ବାଣୀ ଆଡେଇ ଗାଡ଼ିରୁ ଓହ୍ଲାଉ ଥିଲେ

ଜଣେ ଜଣେ ସଉଦାଗର ।

 

ରକ୍ତ ଆଉ ରକ୍ତରେ ଯେତେ ଯେତେ ଗାଢ଼ ହେଉଥିବ

କଳିଙ୍ଗନଗର

ମରଣରମୂଲ୍ୟ ବଢୁଥିବ ପାଞ୍ଚଲକ୍ଷରୁ ପନ୍ଦର ପର୍ଯ୍ୟନ୍ତ

ସେତେ ସେତେ ସମବେଦନାରେ ଫାଟିପଡ଼ୁଥିବ

ଟିଭି, ଖବରକାଗଜ,ଧ୍ରୂତରାଷ୍ଟ୍ରମାନଙ୍କ ଦେଶ... ମୁହଁର ମିଛ ଉଦାସ ।

 

ହାୟ କଳିଙ୍ଗନଗର, ହାୟ ଜନମଞ୍ଚ, ବିଦାୟ ବିଦାୟ !